ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ଶିବପୁର ସୀମାନ୍ତରେ ଗୋଟିଏ ପାହାଡିଆ ଘାଟିରେ ଚନ୍ଦ୍ରବର୍ମା ଓ ସେନାପତି ଧୀରମଲ୍ଲଙ୍କ ସହ ସର୍ପକେତୁର ମୁକାବିଲା ହେଲା । ଯେତେବେଳେ ବିଜୟର ଆଶା ନାହିଁ, ସେତେବେଳେ ଚନ୍ଦ୍ରବର୍ମା ହଠାତ୍ ପାହାଡ ଉପରୁ ମହିଷ୍ମତୀ ଓ ବୀରପୁରର ସୈନିକମାନଙ୍କ ଆଗରେ ନିଜ ପରିଚୟ ଦେଲେ । ତତ୍କ୍ଷଣାତ୍ ଅବସ୍ଥା ବଦଳିଗଲା । ସର୍ପକେତୁର ଅଧିକାଂଶ ସୈନ୍ୟ ଚନ୍ଦ୍ରବର୍ମାଙ୍କ ଆଡକୁ ଢଳିଲେ । ବାକି ସୈନ୍ୟଦଳ ଧରି ସର୍ପକେତୁ ପୃଷ୍ଠଭଙ୍ଗ ଦେଲା । ଚନ୍ଦ୍ରବର୍ମାଙ୍କ ଦଳେ ସୈନିକ ତା’ର ଅନୁଧାବନ କଲେ । ତା’ପରେ …

                ସୂର୍ଯ୍ୟ ଅସ୍ତାଚଳକୁ ଯାଉଥାନ୍ତି । ଚନ୍ଦ୍ରବର୍ମାଙ୍କ ସୈନ୍ୟଦଳରୁ ଦୁଇଜଣ ଲେଉଟି ଆସି ଚନ୍ଦ୍ରବର୍ମାଙ୍କୁ କହିଲେ, “ମହାରାଜ, ପଳାତକ ସର୍ପକେତୁକୁ ଆମେ ମୋଟେ ଧରି ପାରିଲୁ ନାହିଁ । ପାଦଚିହ୍ନରୁ ଯାହା ଜଣାଯାଏ, ସେ ପଶ୍ଚିମ ଦିଗକୁ ଯାଇଛି ।”

                ତାହା ଶୁଣି ଚନ୍ଦ୍ରବର୍ମା ଧୀରମଲ୍ଲଙ୍କ ଆଡେ ଅନାଇ କହିଲେ, “ଧୀରମଲ୍ଲ, ମୋର ଧାରଣା, ସର୍ପକେତୁ ମହିଷ୍ମତୀ ନଗରୀ ଆଡେ ନ ଯାଇ ଧୂସର ଦୁର୍ଗ ଆଡେହିଁ ଯାଇଛି ।”

                ଏକଥା ଶୁଣି ସେନାପତି ଧୀରମଲ୍ଲ ଓ ସୁବାହୁ କହିଲେ କି ସେମାନଙ୍କର ବି ତାହାହିଁ ବିଶ୍ୱାସ । ବର୍ତ୍ତମାନ ସେମାନଙ୍କ ଆଗରେ ସମସ୍ୟା ହେଲା, ସେମାନେ ମହିଷ୍ମତୀ ଦିଗକୁ ଯିବେ ନା ସର୍ପକେତୁର ଅନୁସରଣ କରି ଧୂସର ଦୁର୍ଗ ଆଡେ ଯିବେ । ପରିଶେଷରେ ସେମାନେ ନିଜ ନିଜ ଭିତରେ ପରାମର୍ଶ କରି ଧୂସର ଦୁର୍ଗ ଅଭିମୁଖେ ଯିବାର ସିଦ୍ଧାନ୍ତ ନେଲେ । ପ୍ରଥମେ ସର୍ପକେତୁକୁ କାବୁ ନକଲେ ନ ହୁଏ ।

                ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କୁ ପଶ୍ଚିମ ଦିଗକୁ ଅଗ୍ରସର ହେବା ନିମନ୍ତେ ନିର୍ଦ୍ଧେଶ ଦିଆଗଲା । ସୈନ୍ୟମାନେ ଅଭିଯାନ ପାଇଁ ପ୍ରସ୍ତୁତ ହେଲେ । ଆଗେ ଆଗେ ଚନ୍ଦ୍ରବର୍ମା, ଧୀରମଲ୍ଲ ଓ ସୁବାହୁ ପଳାତକ ସର୍ପକେତୁର ପଦଚିହ୍ନ ବାରି ଅଗ୍ରସର ହେଲେ ।

                ପାହାଡ ପାରି ହୋଇ ସେମାନେ ବଣ ଭିତର ଦେଇ ଆଗକୁ ଯାଇ ଏକ ନଦୀ କୂଳରେ ଉପସ୍ଥିତ ହେଲେ । ନଦୀର ବିଶାଳତା ଦେଖି ଚନ୍ଦ୍ରବର୍ମା ଅଚାନକ ଦବି ଗଲେ । ସେମାନେ ସେ ନଦୀ ପାରିହେବେ କିପରି? ସର୍ପକେତୁ କି ଉପାୟରେ ସେ ନଦୀ ପାରି ହୋଇ ଥାଇପାରେ?

ଚନ୍ଦ୍ରବର୍ମା ଏ ବିଷୟରେ ଚିନ୍ତା କରୁଛନ୍ତି, ଠିକ୍ ଏହି ସମୟରେ ତାଙ୍କ ସମ୍ମୁଖରେ ଗୋଟିଏ ପ୍ରକାଣ୍ଡ ଗଛରୁ ତିନି ଶୀରବିଶିଷ୍ଟ ସାପଟିଏ ଖସି ପଡିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସେ ସାପକୁ ଦେଖୁଛନ୍ତି, ସାପଟି ଚାହୁଁ ଚାହୁଁ ସେହିକ୍ଷଣି ଗୋଟିଏ ମଣିଷରେ ପରିଣତ ହେଲା । “ଚନ୍ଦ୍ରବର୍ମା!” ବୋଲି  ଚିତ୍କାର କରି ସେ ଦୌଡି ଆସିଲା ।

ଚନ୍ଦ୍ରବର୍ମା ମୁହୂର୍ତ୍ତକ ସକାଶେ ବିସ୍ମିତ ଭାବରେ ଠିଆ ହୋଇ ରହି ତା’ପରେ ଆଗକୁ ଡେଇଁପଡି ସେ ଲୋକକୁ କୁଣ୍ଢାଇ ପକାଇଲେ ଓ କହିଲେ, “କାଳକେତୁ!”

“ହଁ, ଚନ୍ଦ୍ରବର୍ମା! ମୁଁ କାପାଳିନୀର ସେହି ସେବକ କାଳନାଗ! ଆଜି ତୁମ ଦୟାରୁ କାଳକେତୁ ତା’ର ରୂପ ପୁଣି ଥରେ ଫେରି ପାଇଛି । ତୁମ ଶତ୍ରୁ ସର୍ପକେତୁ ଅଳ୍ପ ସମୟ ଆଗରୁ ଏହି ନଦୀ ପାରି ହୋଇ ଯାଇଛି । ଯେଉଁ ଲଟା ସାହାଯ୍ୟରେ ସେ ପାରି ହେଲା, ତାକୁ ମୁଁ ଟାଣି ଆଣି ଏପଟେ ଲଟକାଇ ରଖିଛି ।” ଏହା କହି କାଳକେତୁ ସେ ଲଟା ଆଡେ ଚନ୍ଦ୍ରବର୍ମାଙ୍କ ଦୃଷ୍ଟି ଆକର୍ଷଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ