ଏହାପରେ ସେ ଚନ୍ଦ୍ରବର୍ମା ଆନନ୍ଦିତ ହେବାର ଭାବ ଦେଖାଇ କହିଲେ, “ସତେ? ମୋ ଶ୍ରମ ସାର୍ଥକ ହେଲା । ମୁଁ ଧନ୍ୟ ହେଲି ବୋଲିବାକୁ ହେବ । ସେ ରାଜାଙ୍କ ମୁଁ ଯେ ଦିନେ ସନ୍ଧାନ ପାଇବି, ଏ ଆଶା ତ ମୁଁ ଛାଡିଦେଇଥିଲି । ଧନ୍ୟବାଦ । ବର୍ତ୍ତମାନ ରାଜାଙ୍କ ଦର୍ଶନ ଯଥାଶୀଘ୍ର ମୋତେ ମିଳିବା ଦରକାର ।”
ସୈନ୍ୟ-ସର୍ଦ୍ଦାର ଅର୍ଥପୂର୍ଣ୍ଣ ଆଖିରେ ନିଜ ସୈନ୍ୟମାନଙ୍କୁ ଥରେ ଦେଖିନେଇ ଚନ୍ଦ୍ରବର୍ମାଙ୍କୁ ପଚାରିଲା, “ଯୁବକ! ଆପଣଙ୍କ ଗୁରୁ ଆପଣଙ୍କୁ ଏଭଳି ନିର୍ଦେଶ ଦେବାର କାରଣ?”
“ସର୍ଦ୍ଦାର! ସେ ରହସ୍ୟ ସହଜରେ ଖୋଲି କହିବା କଥା ନୁହେଁ ।” ଏତକ କହି ଚନ୍ଦ୍ରବର୍ମା ଆକାଶ ଆଡେ ଅନାଇ ସତେ ଅବା ନିଜକୁ ନିଜେ କହିଲେ, “ଧୂସର ଦୁର୍ଗ!”
ସୈନ୍ୟ-ସର୍ଦ୍ଦାର ଚମକି ପଡି ଉଚ୍ଚାରଣ କଲା “ଧୂସର ଦୁର୍ଗ! ତୁମେ କ’ଣ କହୁଛ, ଯୁବକ! ତମେ କ’ଣ ସେ ବିଷୟରେ କିଛି ଜାଣ?”
ଚନ୍ଦ୍ରବର୍ମା ସୈନ୍ୟ-ସର୍ଦ୍ଦାର ଆଡେ ଅନାଇ କହିଲେ, “ମନେହୁଏ ତମକୁ ବି ସେ ବିଷୟରେ ନିଶ୍ଚୟ କିଛି ଜଣା ଅଛି!”
ସୈନ୍ୟ-ସର୍ଦ୍ଦାର କହିଲା “ସେଥିରେ ଏତେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ସେହି ଧୂସର ଦୂର୍ଗର ରହସ୍ୟ ତ ଜାଣିବା ସକାଶେ ଆମେ ଏ ବଣରେ ଗୋଟିଏ ବୁଢାକୁ ଖୋଜୁଛୁ!”
ଚନ୍ଦ୍ରବର୍ମା ନିଜ ଡାହାଣ ହାତ ଖୋଲି ତହିଁ ଉପରେ କିଛି ସମୟ ଆଖି ପକାଇ କିଛି ପଢିବାର ଅଭିନୟ କରି କହିଲେ, “ବେଶ୍, ବେଶ୍, ମୁଁ ଏଥର ସବୁକିଛି ବୁଝିଗଲି । ତମ ରାଜାଙ୍କ ଧାରଣା ସେ ବୁଢା ପାଖରେ ଧୂସର ଦୁର୍ଗକୁ ଯିବାର ନକ୍ସା ରହିଛି । ଆଉ ତମ ରାଜା କେବଳ ସେଇଥିପାଇଁ ସେ ବୁଢାର ପୁଅ ଦେବଳକୁ କାରାରୁଦ୍ଧ କରି ରଖିଛନ୍ତି, ସେକଥା ବି ମୁଁ ଜାଣି ପାରୁଛି । ଠିକ୍ ନା ନୁହେଁ? ଦେଖୁଛି ତମ ରାଜା ବଡ ଭୋଳା ମଣିଷ!”
ସୈନ୍ୟ-ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରବର୍ମାଙ୍କ ହାତକୁ ଅନାଇ ପଚାରିଲା, “ମହାଶୟ! ଆପଣ ଏସବୁ ବ୍ୟାପାର କିପରି ଜାଣିଲେ? ଆପଣଙ୍କ ହାତ କ’ଣ ଆପଣଙ୍କୁ ସବୁକିଛି କହି ଦେଉଛି? ଏହା ତ ବଡ ଅଦ୍ଭୁତ କଥା!”
“ଅଦ୍ଭୁତ? କାହା ପାଇଁ ଅଦ୍ଭୁତ? ତମ ପାଇଁ ନା ମୋ ପାଇଁ?” ଏହା କହି ଚନ୍ଦ୍ରବର୍ମା ସୈନ୍ୟ-ସର୍ଦ୍ଦାର ଆଡେ ତୀକ୍ଷ୍ନ ଦୃଷ୍ଟିରେ ଅନାଇ କହିଲେ, “ତମେମାନେ ତୁରନ୍ତ ଏଠାରୁ ଚାଲିଯାଇ ସେ ଢିଲା ପଛପଟ ମୈଦାନରେ ମୋତେ ଅପେକ୍ଷା କର । ମୁଁ ଖୁବ୍ ଅଳ୍ପ ସମୟ ପରେ ତମମାନଙ୍କୁ ସେଠାରେ ଭେଟିବି । ତା’ପରେ ଏକତ୍ର ହୋଇ ଆମେ ରାଜା ଶିବସିଂହଙ୍କୁ ଭେଟିବାକୁ ଯିବା ।”
ଚନ୍ଦ୍ରବର୍ମାଙ୍କ ଭିତରେ ଯେ ଅପୂର୍ବ ଶକ୍ତି ରହିଛି, ଏ ବିଷୟରେ ସୈନ୍ୟ-ସର୍ଦ୍ଦାରର ଆଉ କୌଣସି ସନ୍ଦେହ ନଥିଲା । ଏଣୁ ସେ ନମ୍ର କଣ୍ଠରେ କହିଲା, “ଆପଣଙ୍କର ଯାହା ଆଦେଶ!” ଏହାପରେ ସେ ନିଜ ସୈନ୍ୟମାନଙ୍କୁ ଧରି ତତ୍କ୍ଷଣାତ୍ ଢିଲା ପଛପଟକୁ ଚାଲିଗଲା ।
ଚନ୍ଦ୍ରବର୍ମା ବଣ ପାଖକୁ ଯାଇ ଅଳ୍ପ ଉଚ୍ଚ କଣ୍ଠରେ କହିଲେ, “ଜାମ୍ବବନ୍ତ! ଗଲ କୁଆଡେ? ବାହାରି ଆସ । ମୁଁ ସବୁ କଥାବାର୍ତ୍ତା ପକ୍କା କରି ସାରିଲିଣି । ଦେବଳ ବି ବିପଦମୁକ୍ତ ହେବ । ତମର ଆଉ ଭୟ କରିବାର କୌଣସି କାରଣ ନାହିଁ ।”
ବୁଢା ବଣ ଭିତରୁ ବାହାରି ଧୀରେ ଧୀରେ ଚନ୍ଦ୍ରବର୍ମାଙ୍କ ପାଖକୁ ଆସି ତାଙ୍କୁ ପଚାରିଲା, “କାହାକୁ ଡାକୁଛ? ଏଠି ଜାମ୍ବବନ୍ତ କିଏ?”
ଚନ୍ଦ୍ରବର୍ମା କହିଲେ “ତମକୁ ମୁଁ ଆଉ କ’ଣ ବୁଢା ବୋଲି ଡାକନ୍ତି? ଗୋଟାଏ ନାମ ତ ଦରକାର! ତେଣୁ ଜାମ୍ବବନ୍ତ ବୋଲି ମୁଁ ଡାକିଲି । ଶୁଣ । ତମ ସର୍ତ୍ତ ଅନୁସାରେ ତମ ପୁଅକୁ ମୁଁ କାରାଗାରରୁ ମୁକୁଳାଇବି ଏବଂ ଧୂସର ଦୁର୍ଗରୁ ଯାହା ଧନରତ୍ନ ମିଳିବ, ସେଥିରୁ ତମକୁ ଅଂଶ ବି ଦେବି । ବର୍ତ୍ତମାନ ତମେ ଧୂସର ଦୁର୍ଗକୁ ଯିବାର ନକ୍ସା ମୋତେ ଦେଇଦିଅ ।”
ବୁଢା ତା’କଥା ଶୁଣି ଟିକେ ଦ୍ୱିଧା କରି କହିଲା, “ତମକୁ ପୁରା ବିଶ୍ୱାସ କରିବି ତ?”
ଚନ୍ଦ୍ରବର୍ମା କହିଲେ “ବିଶ୍ୱାସ ନକରି ବା ତମର କ’ଣ ଲାଭ ହେବ? ଅନ୍ତତଃ ବିଶ୍ୱାସ କଲେ ତମର ତଥା ତୁମ ପୁତ୍ରର ଉପକାର ହେବ । ଶୁଣ । ମୁଁ ଜାଣେ ଯେ ପଶ୍ଚିମ ସମୁଦ୍ର ତଟରେ ଧୂସର ଦୁର୍ଗ ଅବସ୍ଥିତ । ନକ୍ସା ନ ପାଇଲେ ବି ମୁଁ ଖୋଜାଖୋଜି କରି ଦିନେ ନା ଦିନେ ସେଠାରେ ଅବଶ୍ୟ ପହଁଚି ଯିବି । ତେବେ ନକ୍ସା ପାଇଲେ ବହୁତ ସୁବିଧା ହେବ । ମୁଁ ସହଜରେ ସେଠାରେ ଯାଇ ପହଁଚି ପାରିବି । ସମୟ ବଂଚିଯିବ । ମନରେ ଠିକ୍ ବାଟରେ ଯାଉଛି କି ନାହିଁ ଏ ବିଷୟରେ ସର୍ବଦା ସନ୍ଦେହ ରହିବ ନାହିଁ । ଏହି ହେଲା କଥା ।”
ବୁଢା କିଛି ସମୟ ଚନ୍ଦ୍ରବର୍ମାଙ୍କ ଆଡେ ଅନାଇ ରହି ତା’ପରେ ସେ ଧିରେ ଧିରେ ନିଜ ପୋଷାକ ଭିତରୁ ଖଣ୍ଡିଏ ତାଳପତ୍ର ବିଡା ବାହାର କଲା । ତାକୁ ଗୋଟିଏ ଛୋଟ ପଙ୍ଖାକାରରେ ସେ ଖୋଲିଲା । ସେଥିରେ ଅନେକ ପ୍ରକାର ରେଖା ଖୋଦିତ ହୋଇଥାଏ ।
“ଦେଖ, ଏହାହିଁ ଧୂସର ଦୁର୍ଗରେ ପହଁଚିବାର ନକ୍ସା ।” ଏହା କହି ସେ ବୁଢା ନକ୍ସାଟିକୁ ଚନ୍ଦ୍ରବର୍ମାଙ୍କୁ ଧରାଇଦେଲା ।
ଚନ୍ଦ୍ରବର୍ମା ଧ୍ୟାନ ଦେଇ ସେ ନକ୍ସା ଦେଖିଲେ । ସେଥିରେ ପାହାଡ, ବଣ ଓ ଗୋଟିଏ ଶ୍ମଶାନର ଚିତ୍ର ସ୍ପଷ୍ଟ ଭାବରେ ଦେଖାଇ ଦିଆଯାଇଥାଏ । ସମୁଦ୍ର ତଟରେ ଗୋଟିଏ ଉଚ୍ଚ ସ୍ଥାନରେ ଦୁର୍ଗ ବି ଅଙ୍କିତ ହୋଇଥାଏ । ତେବେ ଚିତ୍ର ଦେଖିଲେ ଧାରଣା ହେବ ସେ ଦୁର୍ଗ ଯେପରି ସର୍ବଦା ପ୍ରବଳ ଧୂଆଁରେ ଆଚ୍ଛନ୍ନ ହୋଇ ରହିଛି ।
ସେ ନକ୍ସା ଦେଖି ଚନ୍ଦ୍ରବର୍ମାଙ୍କ ମନରେ ଆଶଙ୍କା ହେଲା; ଏ ବଣ, ପାହାଡ, ଶ୍ମଶାନ ଇତ୍ୟାଦି ଅତିକ୍ରମ କରି ସେ ଧୂସର ଦୁର୍ଗରେ ପହଁଚିବା କ’ଣ ମୋପକ୍ଷେ ସହଜ ହେବ?
ବୁଢା କହିଲା “ମୋର ଜଣେ ପୂର୍ବପୁରୁଷ ଏ ଦୁର୍ଗର ସନ୍ଧାନ ପାଇ ଏ ନକ୍ସା ପ୍ରସ୍ତୁତ କରିଥିଲେ । ହେଲେ ମୋର ଦୁର୍ଭାଗ୍ୟ ଯେ, ଏ ନକ୍ସା ମୋ ହାତରେ ପଡିବା ବେଳକୁ ମୁଁ ଆସିକି ବୁଢା ହେଲିଣି । ନହେଲେ ମୁଁ କେବେଠୁଁ ଯାଇ ଏକା ଏକା ସେ ଦୁର୍ଗରେ ପହଁଚି ଯାଇଥାନ୍ତି ।”
ଚନ୍ଦ୍ରବର୍ମା ବୁଢାର କଥାକୁ ତାରିଫ୍ କଲାଭଳି ମୁଣ୍ଡ ହଲାଇ କହିଲେ, “ବାସ୍ତବିକ ଏ ବୟସରେ ତମ ପକ୍ଷରେ ଏଭଳି ଶ୍ରମ ସ୍ୱୀକାର ଆଦୌ ସମ୍ଭବ ହେବ ନାହିଁ । ତେବେ ମୁଁ ଏବେ ବି ଯୁବକ । ମୁଁ ସେ ଦୁର୍ଗ ସନ୍ଧାନରେ ଯିବି । ତମ ପୁଅ ଦେବଳକୁ ସାଙ୍ଗରେ ନେଇଯିବି । ବର୍ତ୍ତମାନ ମୁଁ ରୁଦ୍ରପୁର ଯାଇ ରାଜା ଶିବସିଂହକୁ ଭେଟି ତାଙ୍କୁ ସବୁକଥା ବିସ୍ତାରିତ ଭାବରେ କହିବି । ମୁଁ ଏଠାକୁ ଫେରି ଆସିବା ଯାଏ ତୁମେ ନିଶ୍ଚିନ୍ତ ହୋଇ ରୁହ ।”
ବୁଢା ତୀବ୍ର ଦୃଷ୍ଟିରେ ଚନ୍ଦ୍ରବର୍ମାଙ୍କୁ ଚାହିଁ କହିଲା, “ଯୁବକ! ତମେ ମୋତେ ଆଉ ଧୋକା ଦେବନାହିଁ ତ? ଦେଖ, ଏ ବୁଢା ସହ ବିଶ୍ୱାସଘାତକତା କଲେ ତମର ମହାପାପ ହେବ ।”
“ନା, ମୁଁ ତମକୁ ବା ତମ ପୁଅ ଦେବଳକୁ ଯମା କୌଣସି ପ୍ରକାର ଧୋକା ଦେବିନାହିଁ । ଯଦି ରାଜା ଶିବସିଂହ ଭଲ ଲୋକ ହୋଇଥିବେ, ତେବେ ତାଙ୍କୁ ବି ମୁଁ ଧୋକା ଦେବି ନାହିଁ । କିନ୍ତୁ ଯଦି ମୋତେ କେହି ଧୋକା ଦିଏ…”
ଚନ୍ଦ୍ରବର୍ମା ନିଜ ବକ୍ତବ୍ୟ ଶେଷ କରିବା ପୂର୍ବରୁ ଅଳ୍ପ ଦୂରରୁ ଘୋଡାର ଟାପୁ ଶବ୍ଦ ଶୁଭିଲା । ତା’ପରେ ସେ ଚାରିଦିଗକୁ ଦୃଷ୍ଟିପାତ କରି ଦେଖିଲେ ସୈନ୍ୟ-ସର୍ଦ୍ଦାର ଘୋଡା ଝପଟାଇ ଏଣେ ତେଣେ ବୁଲୁଛି । ଚନ୍ଦ୍ରବର୍ମା ବୁଢା ଆଡେ ବୁଲିପଡି କହିଲେ, “ମୁଁ ବର୍ତ୍ତମାନ ଏମାନଙ୍କ ସହ ରୁଦ୍ରପୁର ଯାଉଛି । ରାଜା ଶିବସିଂହଙ୍କ ସହ ଦେଖା କରି ସବୁ ଠିକ୍ କରିବି । ତମେ ତମ କୁଡିଆରେ ଯାଇ ରୁହ । ମୁଁ ଯଥାଶୀଘ୍ର ତମକୁ ଡକାଇବି ଓ ରାଜଧାନୀରେ ତମ ରହିବାର ସମସ୍ତ ବ୍ୟବସ୍ଥା କରିଦେବି । ତୁମ ଶେଷ ଜୀବନ ଯେପରି ସୁଖରେ ବିତିବ, ସେ ବ୍ୟବସ୍ଥା ମଧ୍ୟ ମୁଁ କରିବି ।” ଏହା କହି ଚନ୍ଦ୍ରବର୍ମା ସୈନ୍ୟ-ସର୍ଦ୍ଦାର ଆଡେ ଚାଲିଲେ ।
ଚନ୍ଦ୍ରବର୍ମା ଆସୁଥିବାର ଦେଖି ସୈନ୍ୟ-ସର୍ଦ୍ଦାର ଘୋଡାରୁ ଓହ୍ଲାଇପଡି କହିଲା, “ଯୁବକ! ଆପଣଙ୍କର ବିଳମ୍ବ ହେବାର ଦେଖି ମୁଁ ଖୁବ୍ ଚିନ୍ତିତ ହୋଇପଡିଥିଲି । ଏ ସ୍ଥାନ ତ ଆଦୌ ନିରାପଦ ନୁହେଁ । ମୁଁ ଏ ଘୋଡା ଆପଣଙ୍କ ସକାଶେ ଆଣିଛି । ଏହା ଉପରେ ସବାର ହୁଅନ୍ତୁ । ଆପଣ ରାଜାଙ୍କ ପାଖକୁ ଯାଉଛନ୍ତି ବୋଲି ମୁଁ ତାଙ୍କ ପାଖକୁ ଖବର ପଠାଇ ଦେଇ ସାରିଛି ।”
ଚନ୍ଦ୍ରବର୍ମା ପଚାରିଲେ “ଶୁଣ ସର୍ଦ୍ଦାର । ମୁଁ ବଣ ଭିତରେ ପଶି ରାଜା ଶିବସିଂହ କିପରି ଲୋକ, ତାହା ଜାଣିବା ନିମନ୍ତେ କେତେକ ଅଶରୀରୀ ଶକ୍ତିଙ୍କୁ ପଚାରୁଥିଲି । ମାତ୍ର ସେମାନେ କେହି ହେଲେବି ସେ ରାଜା ବିଷୟରେ ଭଲ କଥା କିଛି କହିଲେ ନାହିଁ । କଥା କ’ଣ? ତମ ରାଜା କ’ଣ ଦୁଷ୍ଟ ପ୍ରକୃତିର ଲୋକ?”
ସର୍ଦ୍ଦାର କହିଲା “ଯୁବକ! ଆମେ ରାଜ-କର୍ମଚାରୀ । ଆମକୁ ଯଦି ରାଜା ଠିକ୍ ସମୟରେ ଆମ ଦରମା ଗଣ୍ଡାକ ଦେଇଦେଲେ, ତେବେ ସେ ଭଲ ରାଜା । ଯଦି ନ ଦେଲେ, ତେବେ ସେ ଖରାପ୍ ରାଜା । ଆମ ପାଇଁ ରାଜା ଭଲ କି ଖରାପ୍ ତାହା ଏହିପରି ଭାବରେ ନିର୍ଣ୍ଣିତ ହୁଏ । ଅନ୍ୟ କୌଣସି ଦିଗରୁ ରାଜା ଭଲ କି ମନ୍ଦ, ସେକଥା ତ ପ୍ରଜାଏଁ କହିବେ ନହେଲେ ପ୍ରତିବେଶୀ ରାଜାମାନେ କହିବେ । ଏ ବାବଦରେ ଆମେ ବା କ’ଣ ଜାଣୁ?”
ଚନ୍ଦ୍ରବର୍ମା ବୁଝିପାରିଲେ ଯେ ସୈନ୍ୟ-ସର୍ଦ୍ଦାର କୌଶଳରେ ପ୍ରଶ୍ନର ଯଥାର୍ଥ ଉତ୍ତର ଏଡାଇ ଗଲା । ତାଙ୍କର ଧାରଣା ହେଲା ଯେ ରାଜା ଶିବସିଂହ ମୋଟେ ସହଜ ଲୋକ ନୁହେଁ । ତା’ ସହ ସତର୍କ ଭାବରେ କାରବାର କରିବାକୁ ପଡିବ । ସୈନ୍ୟମାନେ ଯେପରି ତାଙ୍କୁ ତାନ୍ତ୍ରିକ ବୋଲି ଧରିନେଇଛନ୍ତି, ରାଜା ମନରେ ବି ଠିକ୍ ସେହିପରି ଧାରଣା ସୃଷ୍ଟି କରି ପାରିଲେ ତାଙ୍କୁ ବେଶ୍ ସୁବିଧା ହେବ । ଧୂସର ଦୁର୍ଗରେ ପହଁଚିବା ନିମନ୍ତେ ସାଥିରେ ଛୋଟିଆ ସୈନ୍ୟବାହିନୀ ନେଇ ନଗଲେ ନଚଳେ । ସେଥିପାଇଁ ରାଜାର ସାହାଯ୍ୟ ଏକାନ୍ତ ଆବଶ୍ୟକ ।
ସୈନ୍ୟ-ସର୍ଦ୍ଦାର କହିଲା “ଯୁବକ! ଆଉ ଯମାରୁ ବିଳମ୍ବ ନକରି ରୁଦ୍ରପୁର ଅଭିମୁଖେ ଆମର ଯାତ୍ରା କରିବା ଆବଶ୍ୟକ ।”
“ଠିକ୍ କଥା ।” ଏହା କହି ଚନ୍ଦ୍ରବର୍ମା ଘୋଡା ଚଢି ବସିଲେ । ସୈନ୍ୟ-ସର୍ଦ୍ଦାର ଆଗେ ଆଗେ ବାଟ ଦେଖାଇ ଘୋଡା ଛୁଟାଇଥାଏ ।
ଦୀର୍ଘ ଦୁଇ ଘଂଟା କାଳ ବଣ ପାହାଡ ଭିତର ଦେଇ ଯାତ୍ରା କରି ଶେଷରେ ସେମାନେ ରୁଦ୍ରପୁରରେ ଯାଇ ପହଁଚିଲେ । ସେଠାରେ ପହଁଚି ସେମାନେ ଦେଖିଲେ ନଗରର ପଥ ତୋରଣ ଦ୍ୱାରା ଶୋଭିତ । ରାସ୍ତାର ଦୁଇ ପାଖରେ ଲୋକେ ଠିଆ ହୋଇଛନ୍ତି । ଚନ୍ଦ୍ରବର୍ମାଙ୍କୁ ଦେଖି ସେମାନେ ପାଟି କଲେ; “ମହାତାନ୍ତ୍ରିକଙ୍କର ଜୟ!”
ଏସବୁ ଦେଖି ସେ ଚନ୍ଦ୍ରବର୍ମାଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ସଙ୍ଗେ ସଙ୍ଗେ ସୈନ୍ୟ-ସର୍ଦ୍ଦାର ଆଗରୁ ଲୋକ ପଠାଇ ତାଙ୍କ ଆସିବା ସମ୍ବାଦ ରାଜାଙ୍କୁ ଦେଇଛି ବୋଲି ତାଙ୍କର ମନେ ପଡିଗଲା । ଏଠାରେ ସର୍ଦ୍ଦାର ତାଙ୍କୁ ତାନ୍ତ୍ରିକ ବୋଲି ଚିତ୍ରଣ କରିଛି । ବର୍ତ୍ତମାନ ସେ ଧାରଣା ଅନ୍ୟମାନଙ୍କ ଭିତରେ ମଧ୍ୟ ବଜାୟ ରହିବା ଦରକାର । ଚନ୍ଦ୍ରବର୍ମା ଏକଥା ବି ବୁଝିଲେ ଯେ ରାଜା ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ତୁଷ୍ଟ କରି କୌଣସି କାମ ହାସଲ କରିବା ମତ୍ଲବ୍ରେ ଅଛନ୍ତି ।