ସେ ପୁଣି ଗୋଟାଏ ଭୟଙ୍କର ହିସ୍ ହିସ୍ ଶବ୍ଦ ଶୁଣିଲେ । ଶବ୍ଦ ଯୁଆଡୁ ଆସୁଥିଲା, ସେ ଆଡକୁ ଅନାଇ ଦେଖିଲେ, ଗୋଟିଏ ପ୍ରଚଣ୍ଡ ତିନିମୁଣ୍ଡ ବିଶିଷ୍ଟ ସାପ ତାଙ୍କ ଆଡକୁ ଫଣା ବିସ୍ତାର କରୁଛି ।
ଯୁଆଡେ ଗଲେ ସିଆଡେ ବିପଦ! ତେବେ ଧୈର୍ଯ୍ୟ ହରାଇଲେ ଚଳିବ ନାହିଁ । ଚନ୍ଦ୍ରବର୍ମା ନିଜ ଅସୀକୁ ଶକ୍ତ ହାତରେ ମୁଠାଇ ଧରିଥାନ୍ତି । ସେ ସାପର ଫଣା କାଟି ଦେବା ନିମନ୍ତେ ଅସୀ ଉଂଚାଇଲା ବେଳକୁ ଅଳ୍ପ ଦୂରରୁ ବିକୃତ ଅଥଚ ସ୍ନେହପୂର୍ଣ୍ଣ କଣ୍ଠସ୍ୱର ଶୁଣିଲେ ।
“ଆରେ କଳା ନାଗ! ତୁ ସେ ମଣିଷର ଅନିଷ୍ଟ କରିବା ଠିକ୍ ନୁହେଁ । ସେ ବାଟ ଭୁଲି ଏଠାକୁ ଆସିଛି । ସେ ଆମର ଅତିଥି । ତାକୁ ବରଂ ଏଆଡେ ବାଟ କଢାଇ ନେଇ ଆ ।”
ସେ ନିର୍ଦ୍ଧେଶ ଶୁଣିବା ମାତ୍ରେ ସେ ଭୟଙ୍କର ସାପ ହଟିଗଲା ଓ ଅପେକ୍ଷା କଲା । ଜଙ୍ଗଲର ସବୁ ଗଛ ମଧ୍ୟ ଶାନ୍ତ ହୋଇଗଲେ । ନାନା ଧରଣର ଯେଉଁ ଭଳି ଶବ୍ଦମାନ ଶୁଣାଯାଉଥିଲା, ସେସବୁ ମଧ୍ୟ ନୀରବ ହୋଇଗଲା । ପବନର ଗତି ମଧ୍ୟ ମୃଦୁ ହେଲା । ଚନ୍ଦ୍ରବର୍ମା ବିସ୍ମିତ ହୋଇ ସେ କଳାନାଗ ଆଡେ ଅନାଇ ରହିଲେ ।
କଳାନାଗ ନିଜର ଫଣା ହଲାଇ ଏପରି ସଙ୍କେତ ଦେଲା, ଯାହାର ଅର୍ଥ ସେ ତାଙ୍କୁ ଅନୁସରଣ କରିବାକୁ ଚନ୍ଦ୍ରବର୍ମାଙ୍କୁ କହୁଛି ବୋଲି ଚନ୍ଦ୍ରବର୍ମା ବୁଝିଲେ ।
ଚନ୍ଦ୍ରବର୍ମା ଇତସ୍ତତଃ କରିବାର ଦେଖି କଳାନାଗ ପୁଣି ପଛକୁ ବୁଲିପଡି ସେହି ଏକା ପ୍ରକାର ସଙ୍କେତ ଦେଲା । ଚନ୍ଦ୍ରବର୍ମା ଚିନ୍ତା କରି ଦେଖିଲେ, ତାକୁ ଅନୁସରଣ କରିବା ବିନା ତାଙ୍କ ଆଗରେ ଆଉ ଅନ୍ୟ ଗତି କିଛି ନାହିଁ । ଏ ଜଙ୍ଗଲ ଯେ କୌଣସି ଅସାଧାରଣ ଯାଦୁକର କବଳରେ ରହିଛି, ଏଥିରେ ତାଙ୍କର ଆଉ କୌଣସି ପ୍ରକାର ସନ୍ଦେହ ନଥିଲା । ସେ ନିଜ ଶକ୍ତି ଦ୍ୱାରା ଏଠାରୁ ସହଜରେ ଖସି ଯାଇ ପାରିବେ, ଏଭଳି ସମ୍ଭାବନା ସେ ଦେଖୁ ନଥିଲେ । ତେଣୁ କଳାନାଗକୁ ଅନୁସରଣ ନକରି ଉପାୟ କ’ଣ?
ସେ ତାଙ୍କ ଅସୀକୁ ଦୃଢ ଭାବରେ ଧରି କଳାନାଗକୁ ଅନୁସରଣ କଲେ । କଳାନାଗ ଖୁସି ହୋଇଗଲା ବୋଲି ମନେ ହେଲା ।
କିଛି ଦୂର ଅଗ୍ରସର ହୋଇ ଚନ୍ଦ୍ରବର୍ମା ଗଛଲତା ଭିତରେ ଗୋଟାଏ ବିକୃତ ପ୍ରାଣୀ ଦେଖିଲେ । ତା’ର ମୁଣ୍ଡ ଓ ପକ୍ଷ ବାଜପକ୍ଷୀ ଭଳି, ଅଥଚ ତା’ ଦେହଟି ସିଂହ ଭଳି । ତା’ ଆଗକୁ ପହଁଚି ନାଗ ରହିଗଲା ଓ ତା ତିନିମୁଣ୍ଡରୁ ହିସ୍ ହିସ୍ ଶବ୍ଦ ବାହାରିଲା । ଚନ୍ଦ୍ରବର୍ମା ଦେଖୁଥିବା ଅ ବସ୍ଥାରେ ସେ ଅଦ୍ଭୁତ ପ୍ରାଣୀ ଯେପରିକି ଦୁଇଖଣ୍ଡ ହୋଇଗଲା । ପର ମୁହୂର୍ତ୍ତରେ ସେ ସ୍ଥାନରେ ଗୋଟିଏ କୁଟୀର ଦେଖାଦେଲା । ଗୋଟିଏ କ୍ଷୀଣକାୟ ଦୁର୍ବଳ ବୁଢୀ ସେ କୁଟୀର ଦ୍ୱାରରେ ଠିଆ ହୋଇଥାଏ । ସେ ସିଧା ଠିଆ ହୋଇ ପାରୁ ନଥାଏ । ବାଡିରେ ଭରା ଦେଇ କୌଣସି ମତେ ନିଜ ଓଜନ ସମ୍ଭାଳୁଥାଏ ।
ସେ ଦୃଶ୍ୟ ଦେଖି ଚନ୍ଦ୍ରବର୍ମା ପ୍ରଥମେ କିଛି କହିପାରିଲେ ନାହିଁ । ସେ ବୁଝି ପାରିଲେ ନାହିଁ ଯେ, ସେ ଜଣକ ମଣିଷ ନା କୌଣସି ପିଶାଚିନୀ । ବୁଢୀ ତିନିଥର ବାଡି ଠକାଇ କହିଲା, “କଳାନାଗ! ତୁ ଏଥର ଏଠୁ ଚାଲିଯା ।”
ତା’ପରେ ଚନ୍ଦ୍ରବର୍ମାଙ୍କ ଆଡେ ଅନାଇ ବୁଢୀ କହିଲା, “ବାପା, ଭିତରକୁ ଆସ । କେତେଦିନ ହେଲା ତମକୁ ଅପେକ୍ଷା କରୁଛି!”
ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ମୋତେ ଅପେକ୍ଷା କରୁଛ!”
ବୁଢୀ କହିଲା “ହଁ, ହଁ, ତମକୁ ଅପେକ୍ଷା କରୁଛି । ତମେ ମୋର ବିଶେଷ ସହାୟତା କରି ପାରିବ । ମୁଁ ବି ତମର ସହାୟତା କରିବି । ମୁଁ ତମର ଶତ୍ରୁ ନୁହେଁ । ଭୟ କର ନାହିଁ ।”