“ତମେ କିଏ? ମୁଁ କିଏ ସେକଥା ବା ତମେ କିପରି ଜାଣିଲ?” ଚନ୍ଦ୍ରବର୍ମା ଏ ପ୍ରଶ୍ନ କରି ସ୍ତ୍ରୀ ଲୋକଟି ଆଡେ ଅଗ୍ରସର ହେଲେ ।
ବୁଢୀ କହିଲା “ମୋ ନାମ କାପାଳିନୀ । ତୁମର କୌଣସି ଅନିଷ୍ଟ କରିବା ମୋର ମତଲବ୍ ନୁହେଁ । ତେଣୁ ସେ ଅସୀକୁ କୋଷରେ ରଖ । ଯଦି ମୁଁ ତମର କୌଣସି ଅନିଷ୍ଟ କରିବାକୁ ଚାହିଁବି, ତେବେ ଏ ଅସୀ ତମକୁ ରକ୍ଷା କରିପାରିବ ନାହିଁ । ତମେ ଏ ଜଙ୍ଗଲରେ ପଶିବା ମାତ୍ରେ ମୋ ଶକ୍ତିର ପରିଚୟ ପାଇଛ ।”
ଚନ୍ଦ୍ରବର୍ମା ପଚାରିଲେ “ତମ ଶକ୍ତିର ପରିଚୟ?”
ବୁଢୀ ବୁଝାଇ ଦେଲା “ହଁ, ଗଛମାନେ ତମ ପଥରୋଧ କରିବାଠୁଁ ଆରମ୍ଭ କରି ସେ ପ୍ରଚଣ୍ଡ ଶବ୍ଦ – ସେ ସବୁକିଛି କେବଳ ମୋହରି ଯାଦୁଶକ୍ତି ଯୋଗୁଁ ସମ୍ଭବ ହେଉଥିଲା ।”
ଚନ୍ଦ୍ରବର୍ମା ଏଥର ବୁଝିଲେ, ବାସ୍ତବିକ ବୁଢୀର ଯାଦୁଶକ୍ତି ଆଗରେ ତାଙ୍କର ବଳ କିଛିବି ନୁହେଁ । ସେ ତରବାରୀ କୋଷରେ ରଖି କହିଲେ, “କାପାଳିନୀ, ବାସ୍ତବିକ ମୁଁ ଏକ ବଡ ସଙ୍କଟରେ ପଡିଛି । ତେଣେ ରାଜ୍ୟ ହରାଇଥିଲି, କିଛି ସମୟ ହେଲା ମୋ ଶୁଭେଚ୍ଛୁ ବନ୍ଧୁକୁ ମଧ୍ୟ ହରାଇଛି । ତୁମର ଅନିଷ୍ଟ ମୁଁ କରିବି କାହିଁକି? ସେଥିରୁ ମୋତେ କ’ଣ ବା ମିଳିବ? ତୁମେ ମୋତେ ବିଶ୍ୱାସ କରିବ, ମୁଁ ଏତକ ଆଶା କରୁଛି ।”
କାପାଳିନୀ କହିଲା “ଚନ୍ଦ୍ରବର୍ମା, ମୁଁ ତମକୁ ନିଶ୍ଚୟ ସାହାଯ୍ୟ କରିବି । କିନ୍ତୁ ତହିଁ ପୂର୍ବରୁ ତମକୁ ମୋତେ ଗୋଟାଏ ବିଷୟରେ ସାହାଯ୍ୟ କରିବାକୁ ପଡିବ ।”
କାପାଳିନୀ ହଠାତ୍ ତାଙ୍କର ନାମ ଉଚ୍ଚାରଣ କରିବାର ଦେଖି ତା’ର ଅଦ୍ଭୁତ ଶକ୍ତି ସମ୍ପର୍କରେ ଚନ୍ଦ୍ରବର୍ମାଙ୍କର ଆଉ କୌଣସି ସନ୍ଦେହ ରହିଲା ନାହିଁ । ସେ ଭାବିଲେ କାପାଳିନୀ ନିଜର ଯାଦୁ ଦୃଷ୍ଟି ବଳରେ ଅନେକ କଥା ଜାଣି ପାରୁଥିବ । ବୀରପୁରରେ ଏହା ଭିତରେ କ’ଣସବୁ ଘଟିଲାଣି, ତାଙ୍କ ସେନାପତି ଧୀରମଲ୍ଲଙ୍କ ଅବସ୍ଥା କ’ଣ, ସୁବାହୁ କୁଆଡେ ଗଲେ, ଏସବୁ ମଧ୍ୟ ହୁଏତ କାପାଳିନୀ କହିଦେଇ ପାରିବ ।
ଚନ୍ଦ୍ରବର୍ମା ଆଉ ଦ୍ୱିଧା ନକରି କାପାଳିନୀର ନିର୍ଦ୍ଧେଶ ମାନି ତା’ କୁଟୀର ଭିତରେ ପଶିଲେ । ଭିତରକୁ ଯାଇ ସେ ଦେଖିଲେ ଘରଟିକୁ ଯେତେ ସାଧାରଣ ଓ ଛୋଟ ବୋଲି ସେ ଭାବିଥିଲେ, ବାସ୍ତବିକ ତାହା ସେଭଳି ନୁହେଁ । ନରମୁଣ୍ଡମାଳ କାନ୍ଥରେ ଖଞ୍ଜା ହୋଇଥାଏ । ଗୋଟିଏ ଅଦ୍ଭୁତ ଗୋଲାକାର ଚିଜ ଥାଏ ଯାହା ଭିତରଟି ଆକାଶ ଭଳି ପରିସ୍କାର ।
କାପାଳିନୀ ସେ ଗୋଲାକାର ଚିଜ ପାଖରେ ଥିବା ଗୋଟିଏ ଆସନ ଆଡେ ଅଙ୍ଗୁଳି ନିର୍ଦ୍ଧେଶ କରି କହିଲା “ଚନ୍ଦ୍ରବର୍ମା! ତମେ ସେଇଠି ବସ!” ତା’ପରେ ସେ ପୁଣି କହିଲା, “ତମେ ଯେ ଜଣେ ଭାଗ୍ୟବାନ ବ୍ୟକ୍ତି, ସେଥିରେ ମୋର କୌଣସି ସନ୍ଦେହ ନାହିଁ । ନ ହେଲେ ନଦୀରେ ଡୁବି ତୁମର ମୃତ୍ୟୁ ହୋଇଥାନ୍ତା । ମୁଁ ଯେଉଁ କାର୍ଯ୍ୟ ସାଧନ କରିବାକୁ ଚାହେଁ, ସେଥିରେ ସାହାଯ୍ୟ କରିବା ନିମନ୍ତେ କେବଳ ତୁମେହିଁ ଉପଯୁକ୍ତ ବ୍ୟକ୍ତି । ଆଉ କେହି ମଧ୍ୟ ସେ ଦିଗରେ କଛି କରିପାରିବେ ନାହିଁ ।”
ଚନ୍ଦ୍ରବର୍ମା ଆସନ ଗ୍ରହଣ କଲେ ଓ କହିଲେ, “କାପାଳିନୀ! ତୁମ ଆଗରେ ଥିବା ଏ ସ୍ୱଚ୍ଛ ଗୋଲକଟି ଗୋଟାଏ କିଛି ଅଦ୍ଭୁତ ଚିଜ ବୋଲି ମନେ ହୁଏ । ମୁଁ ପୂର୍ବରୁ ଏଭଳି ଚିଜମାନଙ୍କ କଥା ଶୁଣିଛି । ଏହା ଭିତରେ କ’ଣ ସତରେ ଭୂତ ଭବିଷ୍ୟତ ଦେଖି ହୁଏ?”
ଚନ୍ଦ୍ରବର୍ମାର ପ୍ରଶ୍ନ ଶୁଣି କାପାଳିନୀ ଦୀର୍ଘଶ୍ୱାସ ଛାଡି କହିଲା, “ବାପା ଚନ୍ଦ୍ରବର୍ମା! ଏ ଯାଦୁ ଗୋଲକ ଅତୀତ ଓ ବର୍ତ୍ତମାନ ଦେଖାଇ ଦେଇ ପାରେ, କିନ୍ତୁ ଭବିଷ୍ୟତ ନୁହେଁ । ମୁଁ ଯଦି ଭବିଷ୍ୟତ ଜାଣି ପାରୁଥାନ୍ତି, ତେବେ କିଛି ଚିନ୍ତା ନଥିଲା । ସେଇଥିପାଇଁ ଗୋଟାଏ କଠିନ କାମରେ ମୁଁ ତମ ସହାୟତା ଲୋଡୁଛି । କୁହ, ମୋର ସହାୟତା କରିବ?”
ଚନ୍ଦ୍ରବର୍ମା ପଚାରିଲେ “କାମଟି କ’ଣ ଅତ୍ୟନ୍ତ କଠିନ?”
“ହଁ, କାମଟି ଦୁଃସାଧ୍ୟ ନିଶ୍ଚୟ, ତେବେ ଅସାଧ୍ୟ ନୁହେଁ । କହୁଛି, ଶୁଣ । ବହୁତ ଦୂରରେ ଶଙ୍ଖୁ ନାମକ ଜଣେ ତାନ୍ତ୍ରିକ ଅଛି । ତୁମକୁ ତା’ ଘରକୁ ଯାଇ ମୋ ସକାଶେ ଗୋଟିଏ ବସ୍ତୁ ଚୋରାଇ ନେଇ ଆସିବାକୁ ପଡିବ । ସେ ବସ୍ତୁ ପାଇଗଲେ ମୁଁ ହଜାରେ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଯୌବନ, ସ୍ୱାସ୍ଥ୍ୟ ଲାଭ କରି ଅତି ସୁଖରେ କାଳାତିପାତ କରିବି । ନହେଲେ…”