କାପାଳିନୀ କଥା ବନ୍ଦ କରି କାନ୍ଦିବାକୁ ଲାଗିଲା । ତା’ ଅବସ୍ଥା ଦେଖି ଚନ୍ଦ୍ରବର୍ମାଙ୍କ ମନରେ ଗଭୀର ସହାନୁଭୂତିର ଉଦ୍ରେକ ହେଲା । ପ୍ରଥମେ ସେ ବୁଢୀ ପ୍ରତି ତାଙ୍କ ମନରେ ଯେଉଁ ସନ୍ଦେହ ଥିଲା, କାଳେ ସିଏ ତାଙ୍କୁ ବିପଦରେ ପକାଇବ ବୋଲି ଧାରଣା ଥିଲା, ସେସବୁ ବର୍ତ୍ତମାନ ଦୂର ହୋଇଗଲା ।
ଚନ୍ଦ୍ରବର୍ମା ପଚାରିଲେ “କାପାଳିନୀ, ମୁଁ ନିଜ ସାଧ୍ୟ ମୁତାବକ ତୁମର ସହାୟତା କରିବି । କିନ୍ତୁ ପ୍ରଥମେ ତୁମେ ମୋର ଗୋଟିଏ ଉପକାର କର । ବୀରପୁର ନଗରୀରେ ବର୍ତ୍ତମାନ କ’ଣ ଘଟୁଛି, ସେକଥା ମୋର ଜାଣିବା ନିହାତି ଦରକାର । ମୋ ସେନାପତି ଧୀରମଲ୍ଲଙ୍କ ଗତି କ’ଣ ହେଲା? ମୋ ସାଥି ସୁବାହୁ କୁଆଡେ ଗଲେ? ତମର ଏ ଯାଦୁ ଗୋଲକ ଜରିଆରେ ତମେ ଏସବୁ କଥା ମୋତେ କହିଦେଇ ପାରିବ?”
କାପାଳିନୀ ଅଳ୍ପ ହସି ଉଠି ଠିଆ ହେଲା । କାନ୍ଥରେ ଝୁଲୁଥିବା ଅସ୍ଥି ଦଣ୍ଡଟି ଆଣି ଯାଦୁଗୋଲକ ଦେହରେ ଛୁଆଁଇ କହିଲା, “ଦେଖ, ତମ ବୀରପୁର ନଗରୀରେ କ’ଣ ହେଉଛି ତାହା ଲକ୍ଷ୍ୟ କର ।”
ଗୋଲକ ଭିତରକୁ ଅନାଇ ଚନ୍ଦ୍ରବର୍ମା ଯାହା ଦେଖିଲେ, ସେଥିରେ ତାଙ୍କ ଦୁଃଖ ଦ୍ୱିଗୁଣ ହେଲା । ନଗରୀ ଧୁ ଧୁ ହୋଇ ଜଳୁଥିଲା । ଲୋକେ ଅତର୍ଚ୍ଛା ଏଣେ ତେଣେ ଦୌଡୁଥିଲେ । ଚନ୍ଦ୍ରବର୍ମା କହିଲେ “ବନ୍ଦ କର, ବନ୍ଦ କର! ଏ ଦୃଶ୍ୟ ମୁଁ ଆଉ ଅଧିକ ସମୟ ଦେଖିପାରିବି ନାହିଁ ।”
କାପାଳିନୀ ସେ ଅସ୍ଥି ଦଣ୍ଡଟି ପୁନର୍ବାର ଗୋଲକ ଦେହରେ ଛୁଆଇଁ ଦେଲା । ତତ୍କ୍ଷଣାତ୍ ସେ ଦୃଶ୍ୟ ଲିଭିଗଲା । କାପାଳିନୀ ଆଉ ଥରେ ଅସ୍ଥି ଦଣ୍ଡକୁ ଗୋଲକରେ ଛୁଆଁଇ କହିଲା, “ତମ ସେନାପତି ଧୀରମଲ୍ଲକୁ ଦେଖିବ ପରା?”
ଚନ୍ଦ୍ରବର୍ମା ଉତ୍କଣ୍ଠା ଭରେ ସେହି ଗୋଲକ ଭିତରକୁ ଦୃଷ୍ଟି ନିକ୍ଷେପ କଲେ । ଗୋଟାଏ ପାହାଡିଆ ଘାଟି ସ୍ଥାନରେ ଦଳେ ସୈନିକଙ୍କ ସହ ଧୀରମଲ୍ଲ ଶତ୍ରୁ ସେନା ଦ୍ୱାରା ପରିବେଷ୍ଟିତ ହୋଇ ଆସୁଥିଲେ । ସର୍ପକେତୁର ସୈନ୍ୟ ସଂଖ୍ୟାରେ ଅଧିକ ଥିଲେ । ସେମାନେ ପ୍ରାୟ ଧୀରମଲ୍ଲଙ୍କ ପାଖରେ ପହଁଚି ଯାଇଥିଲେ । ଧୀରମଲ୍ଲ ନିଜ ଘୋଡା ରୋକି ଅନୁଚରମାନଙ୍କୁ କିଛି ନିର୍ଦ୍ଧେଶ ଦେଲେ । ତା’ପରେ ତରବାରୀ ଉଂଚାଇ ଶତ୍ରୁମାନଙ୍କ ଭିତରକୁ ଘୋଡା ଛୁଟାଇ ଦେଲେ ।
“ବାସ୍, ଏହାପରେ କ’ଣ ହେବ, ତମେ ଦେଖିବା ଉଚିତ୍ ନୁହେଁ ।” ଏହା କହି କାପାଳିନୀ ଆଉ ଥରେ ଅସ୍ଥିଦଣ୍ଡ ସେ ଗୋଲକରେ ଛୁଆଁଇ ଦେଲା । ଦୃଶ୍ୟ ଲିଭିଗଲା ।
ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇ ତଥାପି ସେ ଯାଦୁଗୋଲକ ଆଡେ ଚାହିଁ ରହିଥାନ୍ତି ।