ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ତେଣେ ଘୋଡା ତଳେ ଯାଇ କଚାଡି ହୋଇ ପଡିବା ମାତ୍ରେ ଶତ୍ରୁଘାଟିରୁ କରତାଳି ଧ୍ୱନି ଶୁଭିଲା । ଅର୍ଥାତ୍ ସେମାନେ ଧରିନେଲେ ଯେ ଘୋଡା ସହ ଘୋଡ୍ସବାର୍ ମଧ୍ୟ ଖତମ୍ ହୋଇ ଯାଇଛି ।

ଏଣେ ସୁବାହୁ ଗଛକୁ ଧରି ସେମିତି ଝୁଲି ରହିଥାନ୍ତି । ଅନ୍ଧକାର ସତ୍ତ୍ୱେ ଯେତିକି ଜହ୍ନ ଆଲୁଅ ପଡିଛି, ସେଥିରେ ସେ ହଲଚଲ୍ ହେଲେ ଶତ୍ରୁପକ୍ଷ ତାଙ୍କୁ ଦେଖି ପକାଇବାଟା ତ ନିଶ୍ଚିତ । ଆଉ ଗୋଟାଏ ତୀରରେ ସେମାନେ ତାଙ୍କୁ ଶେଷ କରିଦେଇ ପାରିବେ ।

ସୁବାହୁ ସେହିପରି ନିଶ୍ଚଳ ଭାବରେ ଅପେକ୍ଷା କଲେ । କିଛି ସମୟ ପରେ ଶତ୍ରୁପକ୍ଷର ଲୋକେ ଘାଟି ସୀମାରେ ଥିବା ପଥର ଉପରୁ ତଳର ଉପତ୍ୟକା ଆଡେ ଲକ୍ଷ୍ୟ କରି ଦେଖିଲେ । ସୁବାହୁଙ୍କ ମନରେ ସନ୍ଦେହ ହେଲା – ସେମାନେ ଆଉ ତାଙ୍କୁ ଦେଖି ପକାଇ ନାହାଁନ୍ତି ତ?

କିନ୍ତୁ ଅଳ୍ପ ସମୟ ପରେ ନିଜ ନିଜ ଭିତରେ କିଛି ଆଲୋଚନା କରି ନିଜ ନିଜ ଘୋଡା ଉପରକୁ ଡେଇଁପଡି ସେମାନେ ସେଠାରୁ ଚାଲିଗଲେ ।

ସୁବାହୁ ନିଶ୍ଚିନ୍ତ ଅନୁଭବ କରି ଶାନ୍ତିରେ ନିଃଶ୍ୱାସ ନେଲେ । ସେ ପର୍ଯ୍ୟନ୍ତ ସେ ନିଃଶ୍ୱାସ ନେବାରେ ବି ସାବଧାନତା ଅବଲମ୍ବନ କରୁଥିଲେ । କାରଣ ସେ ଜନଶୁନ୍ୟ ଶାନ୍ତ ମୁଲକରେ ସାମାନ୍ୟ ଶବ୍ଦ ବି ଯେ କୌଣସି ସତର୍କ ଲୋକର ଦୃଷ୍ଟି ଆକର୍ଷଣ କରନ୍ତା । ବର୍ତ୍ତମାନ ତାଙ୍କ ମନରେ ଆଶାର ସଂଚାର ହେଲା । ସେ ନିଶ୍ଚୟ ଯଥାଶୀଘ୍ର ଯାଇ ବୀରପୁରରେ ପହଁଚି ଯିବେ ଓ ଚନ୍ଦ୍ରବର୍ମାଙ୍କୁ ଦୁଃସମ୍ବାଦ ଦେବା ସଙ୍ଗେ ସଙ୍ଗେ ସର୍ପକେତୁ ଉପରେ କିପରି ପ୍ରତିଶୋଧ ନିଆହେବ, ସେ ଯୋଜନା କରିବେ ।

ଶତ୍ରୁପକ୍ଷର ଲୋକେ ଅଳ୍ପ ଦୂରରେ ଥିବା ଘାଟି ମୋଡରେ ଅଦୃଶ୍ୟ ହୋଇଗଲେ । ସେତେବେଳେ ଯାଇ ସୁବାହୁ ଧିରେ ଧିରେ ସେ ବୁଦା ଛାଡି ଖଣ୍ଡିଏ ଚଟାଣ ଭଳି ପ୍ରସାରିତ ପଥର ଉପରେ ଯାଇ ବସିଲେ । ତାଙ୍କ ଦେହ ହାତରେ ଯନ୍ତ୍ରଣା । କିନ୍ତୁ ସେଥିପ୍ରତି ତାଙ୍କର କୌଣସି ଖାତିର୍ ନଥାଏ ।

ହଠାତ୍ ପାଖ ପାହାଡରୁ ଗୋଟାଏ ଚିତା ବାଘର ଗର୍ଜନ ସେ ଶୁଣିଲେ । ସେତେବେଳକୁ ସେ ସେହି ଭୟଙ୍କର ପରିସ୍ଥିତି ବିଷୟରେ ଚେତି ଉଠିଲେ । ଖାଲି ଚିତା ବାଘ ନୁହେଁ, ସେ ଅଂଚଳରେ ହେଟା ବାଘ ଓ ବଡ ବଡ ଅଜଗର ବିଚରଣ କରୁଥିବା କଥା ମଧ୍ୟ ସେ ଜାଣିଥିଲେ । ସେମାନଙ୍କ କବଳରୁ ଆତ୍ମରକ୍ଷା ନିମନ୍ତେ କୌଣସି ଅସ୍ତ୍ର ଦରକାର । କିନ୍ତୁ ଘୋଡାରୁ ପଡିଗଲାବେଳେ ତାଙ୍କ ତରବାରୀ ଓ ଢାଲ କୁଆଡେ ଛିଟିକି ପଡିଗଲା; ସେସବୁ ଖୋଜି ପାଇବା ଆଉ ସମ୍ଭବପର ନୁହେଁ ।

ସୁବାହୁ ଏଣେ ତେଣେ ଅନାଇଲେ । ଅଳ୍ପ ଦୂରରେ ଗୋଟାଏ ମଜ୍ବୁତ ଗଛ ଥିଲା । ସେ ସେଥିରୁ ଖଣ୍ଡିଏ ଡାଳ ଭାଙ୍ଗି ନେଲେ । କିଛି ଅସ୍ତ୍ର ନଥିଲା ବେଳେ ଲାଠି ମଧ୍ୟ କାମ ଦେବ । ସେ ଏଥର ବହୁ କଷ୍ଟରେ ଅଗ୍ରସର ହୋଇ କ୍ରମେ ଉପତ୍ୟକାକୁ ଅବତରଣ କରିଥିବା ପାହାଡିଆ ରାସ୍ତାରେ ଯାଇ ପହଁଚିଲେ ।

ସେଠାରୁ ବୀରପୁର ଯିବାପାଇଁ ଯେଉଁ ରାସ୍ତା, ସୁବାହୁ ସେଥି ସହିତ ସୁପରିଚିତ ଥିଲେ । ସେ ସାବଧାନତା ସହକାରେ ଅଗ୍ରସର ହୋଇ ରାତି ଅଧ ବେଳକୁ ପାହାଡିଆ ଘାଟିର ବିପରୀତ ଦିଗରେ ଅବସ୍ଥିତ ଗୋଟିଏ ଗାଁ ପାଖରେ ଯାଇ ପହଁଚିଲେ ।

ଗାଁ ବାହାରେ କେତେଜଣ ଲୋକ ମଶାଲ୍ ଧରି ଠିଆ ହୋଇଥିବାର ଓ ଉତ୍ତେଜିତ ଭାବରେ କଥାବାର୍ତ୍ତା କରିବାର ସେ ଶୁଣିଲେ । ଏତେ ରାତିରେ ଏ ଲୋକେ ଏଠି କ’ଣ କରୁଛନ୍ତି? ଡାକୁ ହୋଇଥିବେ ପରା! ସୁବାହୁ ସେମାନଙ୍କ ସାମ୍ନାକୁ ଯିବେ କି ନାହିଁ ବୋଲି ଚିନ୍ତା କରୁଛନ୍ତି, ସେତିକିବେଳେ ଅନ୍ୟ ଦିଗରୁ ଘୋଡାର ଟାପୁ ଶବ୍ଦ ସେ ଶୁଣିଲେ । ସେ ଦେଖିଲେ କେତେଜଣ ଘୋଡ୍ସବାର୍ ଆସି ସେ ଲୋକଙ୍କ ପାଖରେ ପହଁଚିଲେ । ଉଚ୍ଚ କଣ୍ଠରେ ସେମାନେ କହିଲେ, “ତମେମାନେ ଏତେବେଳଯାଏଁ କ’ଣ କରୁଛ? ଚାଲ, ଚାଲ, ଶୀଘ୍ର!” ଏତିକି କହି ସେମାନେ ଚାଲିଗଲେ ।

ସୁବାହୁ ବଡ ଦ୍ୱନ୍ଦରେ ପଡିଲେ । ଏ ଲୋକମାନେ ତେବେ ଡାକୁ ନୁହଁନ୍ତି । କିନ୍ତୁ ସେମାନେ କିଏ? ଘୋଡ୍ସବାର୍ ପୋଷାକରେ ଆସିଥିବା ଲୋକେ ସୈନିକ ବୋଲି ମନେ ହେଉଥିଲେ । କିନ୍ତୁ ସେମାନେ କାହାର ସୈନିକ? ବୀରପୁରର ନା ସର୍ପକେତୁର? ସେ ମଶାଲ୍ଧାରୀ ଲୋକେ କୁଆଡେ ଯିବା ସକାଶେ ପ୍ରସ୍ତୁତ ହେଉଛନ୍ତି?

ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ସେ ମଶାଲ୍ ଧାରୀଙ୍କ ପାଖକୁ ଯିବା ଛଡା ଅନ୍ୟ ଉପାୟ କିଛି ନାହିଁ । ଯଦି ସେମାନେ ବୀରପୁର ସାମନ୍ତରାଜ୍ୟର ଅନୁଗତ ଲୋକ ହୋଇଥିବେ, ତେବେ ସେମାନଙ୍କଠାରୁ ଗୋଟିଏ ଘୋଡା ନେଇ ଯଥାଶୀଘ୍ର ବୀରପୁରରେ ପହଁଚି ହେବ । ଯଦି ସେମାନେ ଶତ୍ରୁ ପକ୍ଷର ଲୋକ ହୋଇଥିବେ, ତେବେ ତାଙ୍କ ନିଜ ଜୀବନ ହୁଏତ ବିପନ୍ନ ହେବ, ତଥାପି କିଛି ନକରି ବା ସେ କୁଆଡେ ଯିବେ?

ସେ ନିଜ ପୋଷାକ ଆଡେ ଅନାଇଲେ । ସେ ଛିଣ୍ଡା ପୋଷାକରେ ତାଙ୍କୁ ଦେଖିଲେ ସେ ସୁବାହୁ ହୋଇଥିବେ ବୋଲି ସହଜରେ କେହିବି ଅନୁମନ କରି ପାରିବ ନାହିଁ । ସେ ଆଉ ଦ୍ୱିଧା ନକରି ସିଧା ଯାଇ ସେ ଲୋକଙ୍କ ପାଖରେ ପହଁଚିଗଲେ ।

ତାଙ୍କର ମନେ ହେଲା, ସେ ଲୋକେ ତାଙ୍କର ଚିହ୍ନା ନୁହଁନ୍ତି । ସେମାନଙ୍କ ହାବଭାବ ମଧ୍ୟ ଅସ୍ଥିର ମନେ ହେଉଥିଲା ।

ତାଙ୍କୁ ଦେଖି ଜଣେ ପାଟିକରି କହିଲା, “ଆରେ, ଏଇଟା କିଏ? ଓଃ, ଭିଖାରୀ । ଟୋକା! ତୋର ଭିଖ ମାଗିବା କିଛିବି ଦରକାର ନାହିଁ । ତୁ ଆମ ସହ ଚାଲ । ସକାଳ ହେବା ମାତ୍ରେ ଆମେ ବୀରପୁର ଲୁଣ୍ଠନ କରିବୁ । ତୁ ତୋ ଭାଗ ନେଇ ଖୁସିରେ ରହିବୁ । କ’ଣ ଯିବୁଟି?”

ସେକଥା କହୁଥିବା ଲୋକଟା ମାତାଲ୍ ଭଳି ମନେ ହେଉଥିଲା । ସୁବାହୁ ତା’କଥା ଶୁଣି ଚମକି ପଡିଲେ, କିନ୍ତୁ ଉପରକୁ ସେ ଭାବ ପ୍ରକଟ ନକରି ସେ କହିଲେ, “ହଁ ବାବୁ, ଆପଣମାନେ ମୋତେ ସାଙ୍ଗରେ ନିଅନ୍ତୁ । ମୋର ଦରମା ଦରକାର ନାହିଁ । ମୁଠିଏ ଖାଇବାକୁ ମିଳିଲେ ଖାଲି ହେଲା ।”

“ମହାରାଜା ସର୍ପକେତୁଙ୍କର ଜୟ!” ଏହି ଚିତ୍କାର କରି ସେ ଘୋଡ୍ସବାର୍ମାନେ ସେଠି ପୁଣି ପହଁଚିଗଲେ । ତାଙ୍କ ଭିତରୁ ଜଣେ କହିଲା, “ତମ ଭିତରେ ବୀରପୁରର କୌଣସି ଲୋକ ଆଉ ମିଶି ରହିନାହିଁ ତ? ଭଲ କରି ସମସ୍ତଙ୍କୁ ଦେଖ । ନହେଲେ ବିପଦ ହେବ ।”

ସେ ଦଳର ଜଣେ କହିଲା, “ନା, ଆମେ ସମସ୍ତେ ପରସ୍ପରକୁ ଜାଣିଛୁ । ତେବେ ଏଇ ଲୋକଟା ଏବେ ଆସିଛି । ଭିଖାରୀ ଭଳି ମନେ ହୁଏ । ଏହାକୁ କିଛି ଜେରା କରିବାର ଥିଲେ କରିପାର ।”

ଘୋଡ୍ସବାର୍ ମାନଙ୍କ ଭିତରୁ ଜଣେ ହଠାତ୍ ଚିତ୍କାର କଲା, “ଆରେ! ତୁ?” ତା’ପରେ ସେ ସୁବାହୁ ଆଡକୁ ମାଡି ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ