ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ଏଥିରୁ ଚନ୍ଦ୍ରବର୍ମା ବୁଝି ପାରିଲେ ଯେ ପ୍ରାସାଦ ଭିତରେ ପଶିବା ସେତେବେଳେ ସମ୍ଭବପର ନୁହେଁ । ସେଠି ଠିଆ ହୋଇ ରହିବା ଅର୍ଥ ଦୁଇ ଦିଗରୁ ଆକ୍ରମଣର ଶୀକାର ହେବା । ତାଙ୍କ ସେନାପତି ବୀରମଲ୍ଲ ଅବସ୍ଥା ବୁଝିପାରି ପାଟି କରି କହିଲେ, “ଯୁବରାଜ, ଆପଣ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଏଠାରୁ ହଟି ଯାଆନ୍ତୁ । ଆମର ବୀର ସୈନିକମାନେ ଆପଣଙ୍କୁ ବେଷ୍ଟନ୍ କରି ଏଠାରୁ ନେଇଯିବେ ।”

ବେଶି ସମୟ ଧରି ଭାବିବା ଭଳି ସମୟ ଚନ୍ଦ୍ରବର୍ମାଙ୍କ ହାତରେ ଆଉ ନଥିଲା । କାହିଁକିନା ଶତ୍ରୁପକ୍ଷର ଅଶ୍ୱଦଳ ଝପଟି ଆସୁଥିଲେ । ଚନ୍ଦ୍ରବର୍ମା ବିପରୀତ ଦିଗକୁ ଘୋଡାର ମୁହଁ ବୁଲାଇ ଦେଲେ ଓ ଡାକିଲେ, “ସୁବାହୁ!”

ସୁବାହୁ ନିଜ ଘୋଡାକୁ ଯୁବରାଜଙ୍କ ଘୋଡା ପାଖେ ପାଖେ ଚଳାଇ ତରବାରୀ ସାହାଯ୍ୟରେ ଶତ୍ରୁ ସୈନିକମାନଙ୍କୁ ହଟାଇ ହଟାଇ ବାଟ ପରିଷ୍କାର କରିବାକୁ ଲାଗିଲେ । ତାଙ୍କ ବିକ୍ରମ ଦେଖି ଭୟଭୀତ ହୋଇ ଶତ୍ରୁମାନେ ପଛକୁ ହଟିଗଲେ ।

ଶତ୍ରୁ ସୈନ୍ୟମାନେ ଭାବୁଥିଲେ ସେମାନଙ୍କ ଯୋଜନା ସଫଳ ହେବାକୁ ଯାଉଛି । ଆଗରୁ ଓ ପଛରୁ ପେଶି ହୋଇଯାଇ ଚନ୍ଦ୍ରବର୍ମା ନିରୁପାୟ ହୋଇ ଶେଷରେ ଧରା ପଡିବେ । ହଠାତ୍ ଚନ୍ଦ୍ରବର୍ମା ଓ ସୁବାହୁ ସେମାନଙ୍କ ମଝିରୁ ଖସି ଚାଲିଯାଉଥିବା ଦେଖି ସେମାନଙ୍କ ବିସ୍ମୟର ସୀମା ରହିଲା ନାହିଁ ।

କେହି କେହି ପଚାରିଲେ “ଆରେ, ଆରେ, ଏ ଯେଉଁ ଦୁଇଜଣ ବିଜୁଳି ବେଗରେ ଖସିଗଲେ, ସେ ଦୁଇଜଣ କିଏ?”

ଏସବୁ ଶୁଣି ସର୍ପକେତୁର ଜଣେ ଅନୁଚର ସନ୍ତପ୍ତ କଣ୍ଠରେ କହିଲା “ତାଙ୍କ ଭିତରୁ ଜଣେ ଯୁବରାଜ ଚନ୍ଦ୍ରବର୍ମା ପରା! ହାୟ, ହାୟ, ଆମ କବଳରୁ ଯୁବରାଜ ଖସିଗଲେ! ଆମର ଏଡେ ସତର୍କତା ତେବେ ପଣ୍ଡ ହେଲା!”

ଜଣେ ଦଳପତି ସୈନିକମାନଙ୍କୁ ଧମକ ଦେଇ ଚିତ୍କାର କଲା ଯେ, “ଆରେ, ବୁଦ୍ଧୁମାନେ, ଶୀକାର ତ ଖସିଗଲା । ତମେମାନେ କ’ଣ କରୁଥିଲ?”

କେହି ଜଣେ ଥଟ୍ଟା କରି କହିଲା “ବାବୁ, ଆମକୁ ତ କହିଦେଉଛ! ହେଲେ ତମେ ନିଜେ କ’ଣ କରୁଥିଲ? ତମେ ପରା ତାଙ୍କୁ ଚିହ୍ନିଛ? ତେବେ ଧରି ପକାଇଲ ନାହିଁ କାହିଁକି?”

କିଛି ସମୟ ପର୍ଯ୍ୟନ୍ତ କୋଳାହଳ କରି ଶତ୍ରୁ ସୈନ୍ୟମାନେ ଚନ୍ଦ୍ରବର୍ମାଙ୍କ ଅନୁଧାବନ କରି ତାଙ୍କୁ ଧରିବା ପାଇଁ ଠିକ୍ କଲେ । କିନ୍ତୁ ସେ ଯୋଜନା ଫଳପ୍ରଦ ହେଲା ନାହିଁ । ସେନାପତି ଧୀରମଲ୍ଲ ସେମାନଙ୍କୁ ରୋକିଦେଲେ । ଚନ୍ଦ୍ରବର୍ମା ଓ ସୁବାହୁ ପଳାୟନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ