ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ରାଜପଥରେ କିଛିଦୂର ଯାଇ ସେମାନେ ଦକ୍ଷୀଣ ଦିଗରେ ଅଗ୍ରସର ହେଲେ । କାହିଁକିନା କେବଳ ଦକ୍ଷୀଣ ଦ୍ୱାର ଦେଇ ସେଠାରୁ ବାହାରି ଯିବା ସମ୍ଭବ ବୋଲି ଚନ୍ଦ୍ରବର୍ମା ବୁଝୁଥିଲେ । ଅନ୍ୟ ସବୁ ଦ୍ୱାର ଶତ୍ରୁମାନେ ଦଖଲ୍ କରି ଜଗି ରହିଛନ୍ତି ବୋଲି ସେ ଜାଣି ପାରୁଥିଲେ । ଦକ୍ଷୀଣ ଦ୍ୱାର ପାଖରେ ପହଁଚି ଚନ୍ଦ୍ରବର୍ମା ଓ ସୁବାହୁ ଘୋଡା ରୋକି ଦ୍ୱାର ପାଖରେ କୌଣସି ଶତ୍ରୁ ସୈନ୍ୟ ଲୁଚି ରହିଛନ୍ତି କି ନାହିଁ ତାହା ଦେଖିବାକୁ ଏଣେ ତେଣେ ଅନାଇଲେ । ସେଠାରେ ସେମାନେ ରହିଥିବାର କାହିଁ ଜଣାଗଲା ନାହିଁ । ଲୋକେ ଦ୍ୱାର ଦେଇ ଯିବା ଆସିବା କରୁଥିଲେ । ତେବେ ଟିକିଏ ଧ୍ୟାନ ଦେଇ ଦେଖିବାରୁ ଜଣା ପଡିଗଲା, ଶତ୍ରୁ ପକ୍ଷର ପାଞ୍ଚ ଛଅଜଣ ସୈନିକ ସେଠି ଅଛନ୍ତି । ସେମାନେ ଘୋଡା ଖୁଂଟିରେ ବାନ୍ଧିଦେଇ ଗପସପରେ ମାତି ରହିଥିଲେ । ସେମାନେ ସେତେବେଳେ ଅସାବଧାନ ଥିଲେ । ଚନ୍ଦ୍ରବର୍ମା ଯେ ସେ ବାଟରେ ପଳାଇବାକୁ ବାହାରିବେ, ଏ ସମ୍ଭାବନା ସେମାନଙ୍କ ମୁଣ୍ଡକୁ ଆସି ନଥିଲା ।

ସୁବାହୁ ଯେ କେବଳ ଜଣେ କୁଶଳୀ ଯୋଦ୍ଧା ଥିଲେ, ତାହା ନୁହେଁ, ସଙ୍କଟ ବେଳେ କ୍ଷୀପ୍ର ଭାବରେ ସେ ନିଜ କର୍ତ୍ତବ୍ୟ ନିରୂପଣ କରିବା ଭଳି ଶକ୍ତି ମଧ୍ୟ ତାଙ୍କର ଥିଲା । ତେଣୁ ଯୁବରାଜ ଚନ୍ଦ୍ରବର୍ମା ସୁବାହୁଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ ।

ସୁବାହୁ ଯୁବରାଜଙ୍କୁ କହିଲେ “ଯୁବରାଜ! ଆମ ସେନାପତି ସର୍ପକେତୁର ପ୍ରଧାନ ସୈନ୍ୟଦଳକୁ ଅଟକାଇ ରଖିଛନ୍ତି । ତେବେ କେତେ ସମୟ ପର୍ଯ୍ୟନ୍ତ ସେ ଅଟକାଇ ରଖି ପାରିବେ, ସେକଥା କହିବା ସମ୍ଭବପର ନୁହେଁ । ଏଠି ଅଳ୍ପ କେତେଜଣ ଶତ୍ରୁ ସୈନିକ ଅଛନ୍ତି । ଏମାନେ ସତର୍କ ହେବା ପୂର୍ବରୁ ବିଜୁଳି ବେଗରେ ଘୋଡା ଛୁଟାଇ ଏହା ଭିତରୁ ବାହାରି ଯିବାକୁ ହେବ ।”

ଏକଥା ଶୁଣି ଚନ୍ଦ୍ରବର୍ମା ତତ୍କ୍ଷଣାତ୍ ସେ ପରାମର୍ଶକୁ କାମରେ ଲଗାଇଲେ । ସେ ତୀବ୍ର ଗତିରେ ଘୋଡା ଛୁଟାଇ ଦେଲେ ।

ତା’ପରେ ଶତ୍ରୁପକ୍ଷର ସୈନ୍ୟମାନେ ଚମକି ପଡି ନିଜ ନିଜ ଘୋଡା ଉପରକୁ କୁଦିପଡି ସେମାନଙ୍କ ଅନୁସରଣ କଲେ । ଜଣେ ଦୁଇଜଣ ଘୋଡା ଚଢିବାର ସମୟ ନ ପାଇ ଦୌଡି ଦୌଡି ସୁବାହୁ ଓ ଯୁବରାଜଙ୍କୁ ଧରିବାକୁ ଚେଷ୍ଟା କଲେ ।

“ସୁବାହୁ! ଆମେ ଟିକିଏ ବି ବିଳମ୍ବ ନକରି ଦ୍ୱାର ଅତିକ୍ରମ କରିବା ଆବଶ୍ୟକ । ମୁହୂର୍ତ୍ତକ ସକାଶେ ମଧ୍ୟ ଘୋଡା ଅଟକାଇବ ନାହିଁ । ଯିଏ ପାଖକୁ ଆସିବ, ତାକୁ ସଙ୍ଗେ ସଙ୍ଗେ ବଧ କରିବ ।” ଶତ୍ରୁ ସୈନ୍ୟମାନେ ଯେପରି ଏ ଚେତାବନୀ ଶୁଣିପାରିବେ, ସେହିପରି କଣ୍ଠରେ ଚନ୍ଦ୍ରବର୍ମା କହିଲେ ।

ତିନିଜଣ ଶତ୍ରୁସୈନ୍ୟ ଚନ୍ଦ୍ରବର୍ମାଙ୍କ ବାଟ ଓଗାଳିବାର ଚେଷ୍ଟା କରି କହିଲେ, “ଖବର୍ଦାର୍! ପଳାଇ ଯାଅନାହିଁ । ଘୋଡା ରୋକ । ନହେଲେ ମରିବ!”

“କିଏ ମରୁଛି ଦେଖାଯାଉ ।” ଏହା କହି ସୁବାହୁ ତୀବ୍ର ଗତିରେ ଯାଉଥିବା ନିଜ ଘୋଡାକୁ ଅଟକାଇ ବିଜୁଳି ଗତିରେ ନିଜ ତରବାରୀ ବୁଲାଇ ଆଣିଲେ । ଫଳରେ ସଙ୍ଗେ ସଙ୍ଗେ ବାଟ ଓଗାଳୁଥିବା ସୈନିକଟି ତଳେ ପଡିଗଲା । ତାର ଦୁଇ ସାଥି ସେ ଦୃଶ୍ୟ ଦେଖି କିଛି ବି ନକହି ତଳେ ଶୋଇ ପଡିଲେ ।

ସେମାନଙ୍କର ଅନ୍ୟ ତିନିଜଣ ସାଥି ନିଜ ନିଜ ଘୋଡା ଉପରକୁ ଉଠିପଡି ଚନ୍ଦ୍ରବର୍ମା ଓ ସୁବାହୁଙ୍କୁ ଅନୁସରଣ କଲେ ।

ତେବେ ସୁବାହୁ ଓ ଚନ୍ଦ୍ରବର୍ମା ଥରେ ମଧ୍ୟ ପଛକୁ ବୁଲି ଆଉ ଦେଖିଲେ ନାହିଁ । ସେମାନେ ଘୋଡା ଛୁଟାଇ ଚାଲିଲେ ।

ପଛରୁ ସେ ତିନିଶତ୍ରୁ ସୈନିକଙ୍କର ବିକଟ ରଡି ଶୁଭୁଥାଏ ।

ସୁବାହୁ କହିଲେ, “ଯୁବରାଜ! ଉପଯୁକ୍ତ ସୁଯୋଗ ଦେଖି ଘୋଡା ରୋକି ଏ ତିନିଜଣଙ୍କୁ ଉଚିତ୍ ଶିକ୍ଷା ଦେବା ଦରକାର । ନହେଲେ ଏମାନେ ଆମ ପିଛା କଦାପି ଛାଡିବେ ନାହିଁ ବୋଲି ମୋର ମନେହୁଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ