ସମ୍ରାଟ୍ ଆକବରଙ୍କ ପରି ଆଉ ଏକ ଦେଶରେ ଆଉ ଜଣେ ସମ୍ରାଟ୍ ଥିଲେ । ସେ ବୁଦ୍ଧିରେ ଯେପରି ବିଚକ୍ଷଣ ଯୁଦ୍ଧରେ ସେହିପରି ମଧ୍ୟ ବିଚକ୍ଷଣ । ସେଥିଲାଗି ସଦାସର୍ବଦା ସମ୍ରାଟ୍ ଯୁଦ୍ଧ କରି ଅନ୍ୟ ରାଜ୍ୟକୁ ହରାଇ ସେ ରାଜ୍ୟକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥାଆନ୍ତି ।
ଏକଦା ସେହି ସମ୍ରାଟ୍ ଗୋଟିଏ ରାଜ୍ୟ ସାଥିରେ ଯୁଦ୍ଧ କରିବାକୁ ଇଚ୍ଛା କରି ସେହି ରାଜ୍ୟ ସହିତ ଯୁଦ୍ଧ ଆରମ୍ଭ କରି ଦେଲେ । ସେହି ଯୁଦ୍ଧରେ ସେ ଜୟ ଲାଭ କଲେ ସିନା ହେଲେ ଯୁଦ୍ଧ କରୁ କରୁ ତାଙ୍କର ଗୋଟିଏ ଆଙ୍ଗୁଳି କଟିଗଲା ।
ଯୁଦ୍ଧରୁ ଫେରି ଆସି ସମ୍ରାଟ୍ ନିଜ ରାଜ୍ୟର ବୈଦ୍ୟଙ୍କୁ ଡକାଇ ଆଙ୍ଗୁଳିର ଚିକିତ୍ସା କରାଇଲେ । ଯାହା ହେଉ ନିଜ ରାଜ୍ୟର ବୈଦ୍ୟମାନେ ବହୁ ଚେଷ୍ଟା କରି ଆଙ୍ଗୁଳିର ଘା’ ଶୁଖାଇ ଦେଲେ । ହେଲେ ସମ୍ରାଟଙ୍କର କଟିଯାଇଥିବା ଆଙ୍ଗୁଳିରେ ଆଉ ନଖ ଉଠିଲା ନାହିଁ । ଆଉ ମଧ୍ୟ ନିଜ ରାଜ୍ୟର ବୈଦ୍ୟମାନେ ଶତଚେଷ୍ଟା କରି ସମ୍ରାଟଙ୍କର ନଖ ଉଠାଇ ପାରିଲେ ନାହିଁ ।
ଏହାପରେ ରାଜା ନିଜ ରାଜ୍ୟର ପଣ୍ଡିତମାନଙ୍କୁ ବନ୍ଦୀ କଲେ ଓ ନିଜ ରାଜ୍ୟ ଓ ଅନ୍ୟ ରାଜ୍ୟକୁ ନିଜର ପ୍ରଚାର ପଠାଇଲେ । ରାଜାଙ୍କର କ୍ଷତ ଆଙ୍ଗୁଳିରେ ଯେଉଁ ବୈଦ୍ୟ ନଖ ଉଠାଇ ଦେବେ ତାଙ୍କୁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରାଯିବ ।
ଏହି ପ୍ରଚାର ସଂଗେ ସଂଗେ ଚତୁର୍ଦ୍ଦିଗକୁ ବିସ୍ତାରିବାକୁ ଲାଗିଲା । ପ୍ରତିଦିନ ଲକ୍ଷ ଲକ୍ଷ ବୈଦ୍ୟ ସମ୍ରାଟଙ୍କର ନଖ ଚିକିତ୍ସା କରିବାକୁ ଆସି ବିଫଳ ହେଲେ ଓ ସମ୍ରାଟଙ୍କର କାରାଗାରରେ ବନ୍ଦୀ ହୋଇ ରହିଲେ ।
ଏହାପରେ ରାଜ୍ୟର ଚାରିଆଡେ ଚହଳ ପଡିଗଲା । ସମ୍ରାଟଙ୍କର ନିଜ ରାଜ୍ୟଠାରୁ ଆରମ୍ଭ କରି ପଡୋଶୀ ରାଜ୍ୟର ବୈଦ୍ୟମାନେ ମଧ୍ୟ ଚିକିତ୍ସା କରିବାକୁ ଭୟ କଲେ । ଭଲ ଭଲ ବୈଦ୍ୟମାନେ ବାଦ୍ଶାହାଙ୍କ ରାଜ୍ୟକୁ ଯିବା ଲାଗି ଖୁବ୍ ଭୟ କଲେ । ଏହିପରି ହେଉ ହେଉ ସମ୍ବାଦ ଆସି ସମ୍ରାଟ୍ ଆକବରଙ୍କ ରାଜ୍ୟରେ ପହଁଚିଲା ।