ସମ୍ରାଟ୍ ଆକବର ଏକଥା ଜାଣି ଚିନ୍ତାରେ ପଡି ସେ ତାଙ୍କ ନିଜ ରାଜ୍ୟରେ ଏକ ପଣ୍ଡିତ ସଭାର ଆୟୋଜନ କଲେ । ସଭାରେ ହଜାର ହଜାର ପଣ୍ଡିତଗଣ ଆସି ଯୋଗ ଦେଲେ । ସଭାରେ ମଧ୍ୟ ସେହି ବିଷୟରେ ଖୁବ୍ ଆଲୋଚନା କରାଗଲା । ବାଦ୍ଶାହାଙ୍କର ନଖ ଉଠିବ କିପରି, ନା ନଖ ଆଉ ଥରେ ଉଠିବା ଅସମ୍ଭବ । ଏ ବିଷୟରେ ସମସ୍ତ ପଣ୍ଡିତ ମିଶି ବିଶଦ୍ ଭାବରେ ଆଲୋଚନା କଲେ । ବୈଦ୍ୟମାନେ କହିଲେ, ଆମ୍ଭ ଶାସ୍ତ୍ରରେ ଏପରି ନଖ ଉଠିବାର ଚିକିତ୍ସା ଆଦୌ ନାହିଁ । ନାନା ପ୍ରକାର ବୁଦ୍ଧି ପ୍ରୟୋଗରେ ଚିକିତ୍ସା କରାଯାଇଛି । ସମସ୍ତ ବିଫଳ ହୋଇଯାଇଛି ଜାହାଁପନା ।
ସମ୍ରାଟ୍ ଆକବର ବର୍ତ୍ତମାନ ଚେଷ୍ଟାରେ ବିଫଳହେବାକୁ ଯାଉଥିବାରୁ ସେ ମଧ୍ୟ ଖୁବ୍ ଦୁଃଖ ଅନୁଭବ କଲେ; କିନ୍ତୁ ବିରବଲ ଏ ଯାବତ୍ ସଭାରେ ଆଲୋଚନା ହେଉଥିବା ବିଷୟବସ୍ତୁକୁ ବସି ବସି ଶୁଣୁଥିଲେ । ସେ ଯେତେବେଳେ ଜାଣିଲେ ଯେ ଏହି ସାମାନ୍ୟ କଥା ଲାଗି ଆମ ସମ୍ରାଟଙ୍କର ମାନସିକ ଚିନ୍ତା ବଢିବାକୁ ଆରମ୍ଭ କରିଛି । ତହୁଁ ବିରବଲ ସଂଗେ ସଂଗେ ଠିଆ ହୋଇ ସମ୍ରାଟଙ୍କୁ ଚାହିଁ ବିନୟାବନତ ହୋଇ କହିଲେ – ଆଜ୍ଞା! ଏଥିଲାଗି ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ନିଜେ ହିଁ ଯାଇ ବାଦ୍ଶାହାଙ୍କର ନଖ ଚିକିତ୍ସା କରିବି । ମୋ ଚିକିତ୍ସାରେ ନିଶ୍ଚୟ ସୁଫଳ ମିଳିବ । ଜାହାଁପନାଙ୍କର ଆଦେଶହେଲେ ଆସନ୍ତାକାଲି ମୁଁ ଏଠାରୁ ଯାତ୍ରା କରିବି ।
ସମ୍ରାଟଙ୍କର ବିରବଲଙ୍କ କଥା ଉପରେ ବିଶ୍ୱାସ ଥାଏ । ସେଥିଲାଗି ସେ ବିରବଲଙ୍କୁ ଆଦେଶ ଦେଲେ ।
ଏହାପରେ ବିରବଲ ନିଜକୁ ଜଣେ ବୈଦ୍ୟ ରୂପରେ ସଜାଇ ହୋଇ ବାଦ୍ଶାହାଙ୍କ ରାଜ୍ୟରେ ପହଁଚିଲେ । ପହଁଚୁ ପହଁଚୁ ରାଜ୍ୟର ଛୋଟଛୋଟ ରୋଗପାଇଁ ତୁଟୁକା ଔଷଧଗୁଡିକ ଦେଇ ଚିକିତ୍ସା କଲେ । ଏହି ଚିକିତ୍ସା ସମୟରେ ସେ ରାଜ୍ୟର ଅନେକ ଲୋକ ବିରବଲ ରୂପୀ ବୈଦ୍ୟଙ୍କୁ କହି ବୁଝାଇ ଦେଲେ, ଆମ୍ଭ କଥା ଶୁଣନ୍ତୁ ମହାରାଜ! ବର୍ତ୍ତମାନ ଆପଣ ଏ ରାଜ୍ୟରେ ଯେତେକଙ୍କୁ ଚିକିତ୍ସା କଲେଣି ସମସ୍ତେ ଭଲ ହୋଇ ଗଲେଣି । ରାଜ୍ୟସାରା ଆପଣଙ୍କର ପ୍ରଶଂସା ବଢି ଚାଲିଛି । ଯଦି ଏ ଖବର ବାଦ୍ଶାହାଙ୍କ ନିକଟରେ ପହଁଚି ଯିବ ନା, ତାହା ହେଲେ –
ବିରବଲ ପଚାରିଲେ, କ’ଣ ହେବ?
ହଁ ବୈଦ୍ୟରାଜ, ବାଦ୍ଶାହାଙ୍କ ଆଙ୍ଗୁଳିରେ ନଖ ନାହିଁ । ଏଥିଲାଗି ବହୁ ବୈଦ୍ୟ ଏଠାରୁ ଫେଲ୍ ମାରି ଗଲେଣି ଓ ସେମାନେ ସମସ୍ତେ ବନ୍ଦୀ ହୋଇ କାଳ କୋଠରୀରେ ପଡିଛନ୍ତି, ହେଲେ ଆପଣ…?
ବିରବଲ କହିଲେ, ମୁଁ ଏଠାକୁ ହାରିବା ଲାଗି ଆସିନାହିଁ । ମୋର ଧର୍ମ ରୋଗ ଚିକିତ୍ସା କରିବା, ରୋଗୀକୁ ଭଲ କରିବା, ଏଠାରୁ ଲୁଚି ଲୁଚି ପ୍ରାଣ ଭୟରେ ପଳାଇ ଯିବା ଠିକ୍ ହେବନାହିଁ ।
ଲୋକମାନେ ଦେଖିଲେ ଏ ବଇଦ ବୁଝିଲା ନାହିଁ । ମରଣ କାଳେ ବିପରୀତ ବୁଦ୍ଧି, ମରୁ, ଯାହାର ମରିବାକୁ ଇଚ୍ଛା ହେଲାଣି ସେ ମରୁ ।
ବିରବଲଙ୍କ ସହିତ ଲୋକମାନଙ୍କର ଆଲୋଚନା ସରି ନାହିଁ । ସଂଗେ ସଂଗେ ଜଣେ ରାଜକର୍ମଚାରୀ ଆସି ବୈଦ୍ୟବେଶୀ ବିରବଲଙ୍କ ନିକଟରେ ହାଜର ହୋଇ କହିଲା, ଆପଣଙ୍କୁ ବାଦ୍ଶାହାଙ୍କ ଆଦେଶ, ଯଥାଶୀଘ୍ର ଆପଣଙ୍କ ଗଣ୍ଠିଲି ପତ୍ରଧରି ରାଜଦରବାରକୁ ଚାଲନ୍ତୁ ।