ବାଦ୍ଶାହା କହିଲେ, ସେହି ସର୍ତ୍ତ ତୁମର କ’ଣ? ତାହା ମୋତେ କୁହନ୍ତୁ ।
ବିରବଲ କହିଲେ – ମୋର ପ୍ରଥମ ସର୍ତ୍ତ, ଆପଣ ଯେଉଁ ବୈଦ୍ୟମାନଙ୍କୁ ବର୍ତ୍ତମାନ କାରାଗାରରେ ବନ୍ଦୀ କରି ରଖିଛନ୍ତି, ସେମାନଙ୍କୁ ବନ୍ଦୀମୁକ୍ତ କରିଦେବେ । କାରଣ ସେମାନଙ୍କର ଅଭିଶାପ ମୋ ଉପରେ ପଡିଯିବ ।
ଦ୍ୱିତୀୟ ସର୍ତ୍ତ ହେଲା, ଆପଣ ମୋର ଚିକିତ୍ସା ନିମନ୍ତେ ଦୁଇଗୋଟି ଦ୍ରବ୍ୟ ଯୋଗାଇ ଦେବେ ।
ବାଦ୍ଶାହା ଭାବିଲେ – ବନ୍ଦୀମାନଙ୍କୁ ମୁକ୍ତ କରିଦେବି । ହେଲେ ଏଇ ସାମାନ୍ୟ ଦୁଇଗୋଟି ଦ୍ରବ୍ୟ କ’ଣ ମୁଁ ସଂଗ୍ରହ କରିଦେଇପାରିବି ନାହିଁ । ମୋ ରାଜ୍ୟରେ ପୁଣି କେଉଁ ଦ୍ରବ୍ୟର ଅଭାବ ଅଛି ଯେ ।
ଏହାପରେ ବାଦ୍ଶାହା ଲିଖିତ ଆକାରରେ ବିରବଲଙ୍କର ଦୁଇଟିଯାକ ସର୍ତ୍ତ ପୂରଣ କରିବା ଲାଗି ରାଜି ହୋଇଗଲେ ଓ ଲିଖିତ ଆକାରରେ ତାହା ବୈଦ୍ୟଙ୍କୁ ଧରାଇ ଦେଲେ ।
ବିରବଲ ଲିଖିତ ସର୍ତ୍ତକୁ ଦେଖି ତାକୁ ଯତ୍ନରେ ରଖିଲେ ।
ବାଦ୍ଶାହା କହିଲେ – ମୁଁ ତୁମ୍ଭର ପ୍ରଥମ ସର୍ତ୍ତ ସଂଗେ ସଂଗେ ପୂରଣ କରିବା ନିମନ୍ତେ ଆଦେଶ ଦେଉଛି ଯେ, ଯେତେ ବୈଦ୍ୟ ବନ୍ଦୀ ହୋଇ ମୋ କାରାଗାର ମଧ୍ୟରେ ଅଛନ୍ତି ସେମାନେ ଖଲାସ୍ ହେବେ । ଏଥର ଦ୍ୱିତୀୟ ସର୍ତ୍ତ କୁହନ୍ତୁ, ତୁମ୍ଭର ଔଷଧ ନିମନ୍ତେ କେଉଁ ଦ୍ରବ୍ୟର ଆବଶ୍ୟକତା ରହିଛି ।
ବିରବଲ ଦେଖିଲେ, ବନ୍ଦୀ ହୋଇଥିବା ସମସ୍ତ ବୈଦ୍ୟ ବନ୍ଦୀମୁକ୍ତ ହେଲେ ଏଥର ବାଦ୍ଶାହାଙ୍କୁ ଦ୍ରବ୍ୟ ସଂଗ୍ରହ କଥା ଜଣାଇବା ।
ବିରବଲ କହିଲେ, ଆପଣଙ୍କର ନଖ ଉଠିବା ଲାଗି ମୋର ମାତ୍ର ଦୁଇଗୋଟି ଦ୍ରବ୍ୟଲୋଡା, ଯାହାକୁ କି ଆପଣ’ ସ୍ୱୟଂ ଯୋଗାଡ କରିଦେବେ । ଆଉ ମଧ୍ୟ ତାହା ଆପଣଙ୍କର ରାଜ୍ୟରେ ହିଁ ଅଛି । ବିଶେଷ ଖୋଜିବାକୁ ପଡିବ ନାହିଁ । ତାହା ହେଲେ ମୁଁ ଦ୍ରବ୍ୟ କଥା କହୁଛି ଜାହାଁପନା । ତାହାକୁ ଲିପିବଦ୍ଧ କରନ୍ତୁ ।
ବିରବଲ କହିଲେ, ଦ୍ରବ୍ୟ ସୁଲଭ ଜାହାଁପନା । ଗୋଟିଏ ଦ୍ରବ୍ୟ ହେଲା, ଡିମ୍ବିରି ଫୁଲ ଓ ଅନ୍ୟଟି ହେଲା ଯେକୌଣସି ମାଛର ମୂତ୍ର । ଦେଖନ୍ତୁ ଜାହାଁପନା, ଆପଣଙ୍କ ରାଜ୍ୟରେ ଡିମ୍ବିରି ବୃକ୍ଷରୁ ଡିମ୍ବିରି ଫଳୁଛି । ତେଣୁ ଫୁଲ ସଂଗ୍ରହ କରିବାରେ ଅସୁବିଧା ହେବ ନାହିଁ । ଆଉ ମଧ୍ୟ ଆପଣଙ୍କ ରାଜ୍ୟରେ ତ ଅଶେଷ ନଦୀ ପୁଷ୍କରିଣୀ ଅଛି ମାଛମାନଙ୍କର ମୂତ୍ର ବା କାହିଁକି ସଂଗ୍ରହ କରି ନ ପାରିବେ?
ବାଦ୍ଶାହା କହିଲେ – ଏହି ସାମାନ୍ୟ ଦ୍ରବ୍ୟ, ଏକଥା କ’ଣ ଅନ୍ୟ ବୈଦ୍ୟମାନେ ଜାଣିନଥିଲେ ।
ବିରବଲ କହିଲେ, ଚିକିତ୍ସା ଶାସ୍ତ୍ର ତ ଅନେକ ବାଦ୍ଶାହା । ସବୁ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ କରିବାକୁ ସମୟ କାହିଁ ଜାହାଁପନା ।
ବାଦ୍ଶାହା କହିଲେ – ତାହାହେଲେ ଆପଣ ଆପଣଙ୍କର ସଠିକ୍ ଠିକଣା ଏଠାରେ ଲିପିବଦ୍ଧ କରିଦେଇ ଯାଆନ୍ତୁ । ମୁଁ ମାସକ ମଧ୍ୟରେ ଦୁଇଗୋଟି ସାମଗ୍ରୀ ସଂଗ୍ରହ କରି ତୁମ୍ଭଙ୍କୁ ଜଣାଇ ଦେବି । ତା’ପରେ ତୁମ୍ଭେ ଆସି ଚିକିତ୍ସା କରିବ ।