ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

ଦେଖୁ ଦେଖୁ ହଠାତ୍ ସେହି ପର୍ବତ ଉପରଟା ଖୁବ୍ ଅନ୍ଧାର ହେବାକୁ ଆରମ୍ଭ କଲା । ଏପରି ସୂଚୀ ଭେଦ୍ୟ ଅନ୍ଧକାର କେବେ କେହି ତାଙ୍କ ଜୀବନରେ ବୋଧହୁଏ ଦେଖିବାକୁ ପାଇ ନଥିଲେ । ତେଣେ ପୁଣି ସେହି ଅନ୍ଧକାର ପଛେ ପଛେ ମାଡି ଆସିଲା ପବନର ଅଣଚାଶ ମୂର୍ତ୍ତି । ଏହି ସମୟରେ ସେହି ବାଳିକା ଦୁଇଟିଙ୍କ ଛାତିର ସ୍ପନ୍ଦନ କେବଳ ବଢି ଉଠିଲା ଖୁବ୍ ପ୍ରବଳ ବେଗରେ । ସେମାନେ ଦୁହେଁ ଏହି ସମୟରେ କୁଆଡେ ଯିବେ, କ’ଣ କରିବେ କିଛିବି ସ୍ଥିର କରି ପାରିଲେନି । କେବଳ ସେମାନେ ଦୁହେଁ ଜଡ ପ୍ରତିମା ପରି ସେହିଠାରେ ହିଁ ଠିଆ ହୋଇ ରହିଲେ ପରସ୍ପରର ହାତ ଧରାଧରି ହୋଇ ।

ତହୁଁ ସେ ରାଜ କୁମାର ସେହି ଦୁଇ କନ୍ୟାଙ୍କୁ ଅଭୟ ବାଣୀ ଶୁଣାଇ କହିଲା – ତୁମ ମାନଙ୍କର ଭୟ କରିବାର କୌଣସି କାରଣ ନାହିଁ । ତୁମେ କେବଳ ଦମ୍ଭ ଧରି ଏହିଠାରେ ହିଁ ଠିଆ ହୁଅ । ଖୁବ୍ ଶୀଘ୍ର ଏହି ଅନ୍ଧକାର ମଧ୍ୟ ଦୂର ହୋଇଯିବ । ରାଜ କୁମାରଙ୍କ ମୁହଁ କଥା ମୁହଁରେ ହିଁ ଅଛି, ସତକୁ ସତ ସେହି ଘନ ଅନ୍ଧକାରର ଛାତି ଚିରି ହଠାତ୍ ଦେଖାଗଲା ଗୋଟିଏ ଆଲୋକର ଦୀପ୍ତିମାନ ଶିଖା । ତା ପଛେ ପଛେ ଆଠଗୋଟି ସଖୀଙ୍କ ବେଷ୍ଟନୀ ମଧ୍ୟରେ ସେଠାରେ ପ୍ରବେଶ କଲା ଜଣେ ତେଜୋମୟୀ ଦିବ୍ୟସୁନ୍ଦରୀ ନାରୀ, ତା’ର ମୁହଁରେ ପୁଣି ଲାଗି ରହିଛି ଅପୂର୍ବ ହସ ।

ସେଠାରେ ପହଁଚିବା ସଙ୍ଗେ ସଙ୍ଗେ ସେ ରମଣୀ କହିଲା – ଆଜି ତୁମ ମୁକ୍ତିର ଦିନ ରାଜକୁମାର! ଏ କଥା ଜାଣିପାରି ମୁଁ ଏଠାକୁ ସେ ରାଜକୁମାରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ହିଁ ଆସିଛି ।

ସୁଚିତ୍ରା କହିଲା – ଏଠାରେ ପୁଣି ରାଜ କୁମାରୀ କିଏ ଅଛି?

ସେ ରମଣୀ କହିଲା – “ତୁମେ ହିଁ ନିଜେ ରାଜ କୁମାରୀ ସୁଚିତ୍ରା ଦେବୀ!”

ହଠାତ୍ ମନଟା ଘୃଣାରେ ପୁରି ଉଠିଲା ସୁଚିତ୍ରାର । ସେ ତା ମୁହଁଟାକୁ ଫୁଲାଇ ଦେଇ କହିଲା – “ତୁମେ ପୁରା ପୁରି ଭୁଲ୍ କହୁଛ । ମୁଁ ମୋଟେ ରାଜ କୁମାରୀ ନୁହେଁ । ସାମାନ୍ୟ ଜଣେ ସୌଦାଗରର କନ୍ୟା ମୁଁ ।

ରମଣୀ ଜଣକ ସୁଚିତ୍ରାର କଥା ଶୁଣି ଖାଲି ହସିଲା ଏବଂ କହିଲା – ଆଗୋ ଜେମା! ତୁମକୁ ଆସି ତେରବର୍ଷ ଛଅ ମାସ ହେଲାଣି । ସବୁ କଥା ବିସ୍ତୃତ ରୂପେ ଜାଣିବାକୁ ତୁମର ଆଉ ମୋଟେ ଛଅଟି ମାସ ବାକୀ । ଏବେଠାରୁ ଏତେ ବ୍ୟସ୍ତ ହେଉଛ କାହିଁକି? ତୁମ ଜନ୍ମ ରହସ୍ୟ କ’ଣ ଅଜଣା ଅଛି ମୋତେ?

କଢଙ୍ଗ କହିଲା – ଆଗୋ! ତୁମେ ଏମିତି ଛପେଇ ଛପେଇ କଥାଟା କାହିଁକି କହୁଛ? ସୁଚିତ୍ରାଙ୍କ ସମ୍ବନ୍ଧେ ଯେବେ କିଛି କଥା ତୁମେ ଜାଣ, ତେବେ ସଫା ସଫା କରି କହି ଦେଉନା?”

କଢଙ୍ଗର ଅନୁରୋଧ ରକ୍ଷାକରି ସେ ରମଣୀ କହିଲା – “ଆଲୋ କଢଙ୍ଗ ! ତୁ’ ତ ମୋର ବହୁତ ଉପକାର କରିଛୁ । ତେଣୁ ମୁଁ ତୋତେ ଅନ୍ତରଭରି ଶ୍ରଦ୍ଧା କରେ । ତୋ ଯୋଗେ ଏଠାରେ ଆଜି ମଣି-କାଂଚନର ସଂଯୋଗ ସମ୍ଭବ ହୋଇ ପାରିଛି । ବାପା ଯାଇଛି ବିପନ୍ନ ସୌଦାଗର ଏବଂ ତାଙ୍କ ମାଝିମାନଙ୍କୁ ଉଦ୍ଧାର କରିବା ପାଇଁ । ତୁମେ ସମସ୍ତେ ଯାଇ ତାକୁ ସାହାଯ୍ୟ କର । ସବୁ କଥାର ସମାଧାନ ହୋଇଯିବ ।

ଏହି କଥା ଶୁଣି କଢଙ୍ଗ ପୁରାପୁରି ଅଶ୍ଚର୍ଯ୍ୟ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ପଚାରିଲା – “ତୁମେ ତ କ’ଣ ସବୁ କଥା ଦେଖିଲା ଜାଣିଲା ପରି ଖାଲି କହି ଯାଉଛ, ନାଁ ବି ସମସ୍ତଙ୍କର ତୁମେ ଜାଣିଛ । ଏ କଥାରୁ ତ ମୁଁ କାହିଁ କିଛି ବୁଝି ପାରୁନି । କ’ଣ ତୁମେ କାକ ଚରିତ୍ର ପଢିଛ କି?”

ରମଣୀ କହିଲା – “ସମସ୍ତ ଦେବକନ୍ୟାମାନେ କାକ ଚରିତ୍ର ପଢିଥାନ୍ତି ।

କଢଙ୍ଗ ପଚାରିଲା – “ତେବେ ତୁମେ କ’ଣ ଜଣେ ଦେବକନ୍ୟା?”

ରମଣୀ କହିଲା – “ହଁ, ହେଲେ ମୁଁ ଆଜି ଆଉ କନ୍ୟା ଅବସ୍ଥାରେ ନାହିଁ, ମୋର ତ ବିବାହ ସରି ଯାଇଛି । ତା’ ନ ହୋଇଥିଲେ ମୁଁ ଏହି ଉପକାରୀ ରାଜପୁତ୍ରକୁ ନିଶ୍ଚୟ ମୋ ବରଣମାଳା ଦେଇଥାନ୍ତି? ସେ ଦିନେ ମୋତେ ଘୋର ବିପଦରୁ ରକ୍ଷା କରି ନିଜେ ବିପଦ ଭିତରେ ଥିଲେ, ଆଜି ସେ ଉଦ୍ଧାର ପାଇଲେ ଏହି ରାଜ କୁମାରୀ ସୁଚିତ୍ରା ଦେବୀଙ୍କ ପରଶ ଲାଭ କରି । ତୁମ୍ଭେମାନେ ଯେବେ କିଛି ନ ଭାବିବ, ତେବେ ମୁଁ ଗୋଟିଏ କଥା କହିବି ।

କଢଙ୍ଗ କହିଲା – “କି କଥା”?

ରମଣୀ କହିଲା – “ବିଧି ଯାହା ବିଧାନ କରିଛି, ସେଇ କଥା ଛଡା ମୁଁ ଆଦୌ ଅନ୍ୟ କଥା କିଛି କହୁନି । ମୋ ଉପରେ ଅବିଶ୍ୱାସ ହେଲେ ମୁଁ ବି ତୁମ ମାନଙ୍କୁ ସଙ୍ଗେ ସଙ୍ଗେ ପ୍ରମାଣ ଦେଖାଇବି ।

କଢଙ୍ଗ ପଚାରିଲା – “କ’ଣ ଟିକିଏ ଦେଖାଇଲ?”

ରମଣୀ ସଙ୍ଗେ ସଙ୍ଗେ ତା ନିଜ ଅଂଟା ପାଖରୁ ବାହାର କଲା ଖଣ୍ଡିଏ ଚିତ୍ରପଟ୍ଟ । ବୋଧହୁଏ ଶଙ୍ଖମଲମଲ ପଥରରେ ଚିତ୍ର କରାଯାଇଛି କୌଣସି ନିଖୁଣ ଚିତ୍ରକାର ଦ୍ୱାରା । ମଝିରେ ପଟିଆ ରାଜ କୁମାର, ଡାହାଣ ପଟେ ସୁଚିତ୍ରା ଓ ବାଁ ପଟେ କଢଙ୍ଗ ।

ଏପରି ଚିତ୍ର ଦେଖି ସମସ୍ତଙ୍କ ଆଖି କେବଳ ଝଲସି ଉଠିଲା । ସୁଚିତ୍ରା ଏତେ ଆଶ୍ଚର୍ଯ୍ୟ ହୋଇଗଲା ଯେ, ସିଏ ସେ ରମଣୀଙ୍କୁ କ’ଣ କହିବ କ’ଣ ନ କହିବ କିଛି ଠିକ୍ କରି ପାରିଲାନି । ସେ ସୁଚିତ୍ରା କେବଳ ଚିତ୍ରପ୍ରତିମା ପରି ଅନାଇ ରହିଲା ସେହି ରମଣୀଙ୍କ ମୁହଁକୁ ।

ରମଣୀ ସେ ଦୁହିଁଙ୍କୁ ଏଭଳି ଆବାଅଶ୍ଚର୍ଯ୍ୟ ଅବସ୍ଥାରେ ଦେଖି କହିଲା – “ଆଉ ଅନାଉଛ କ’ଣ? ଦଇବର ଇଚ୍ଛା କାଳେ କାଳେ ପୂର୍ଣ୍ଣ ହୋଇଛି ଏବଂ ନିଶ୍ଚୟ ପୂର୍ଣ୍ଣ ବି ହେବ ।” କାରଣ କଥାରେ କହନ୍ତି ପରା –

                                ଦଇବ ଦଉଡି ମଣିଷ ଗାଈ

                                ଯେଣେ ଓଟାରଇ ତେଣିକି ଯାଇ ।

ତୁମେ ଓ ଆମ୍ଭେ କ’ଣ ସେ ବାଟକୁ ରୋକି ପାରିବା? ବିଧାତା ଲେଖିଛି ତୁମ ଦୁହିଁଙ୍କ ଭାଗ୍ୟରେ ଏହି ରାଜକୁମାରଙ୍କୁ । ମୁଁ ଦେବ ନାଗରୀ । ତୁମ ମାନଙ୍କ ହିତ କାମନା କରି ମୁଁ ସ୍ୱର୍ଗରୁ ଆସିଛି, ଦିଅ ବରଣମାଳା ଦେଇ ସେହି ରାଜ କୁମାରଙ୍କ ଶରଣ ପଶ । ମରକୁ ଜିଣି କେତେ ଅରଣ୍ୟ ଟପି ଆସିଛି କାହିଁକି? ବରଣ୍ୟେ ଦେବତା ଲାଭ କରିବାକୁ ।

ତୁମ ମାନଙ୍କୁ ତୁମ ମାନଙ୍କର ଦେବତା ଲାଭ ହେଲା ପରେ ଯାଇ ତୁମ ମାନଙ୍କର ଭାଗ୍ୟ ଲେଉଟିବ । ଯୋଗ ବି ଆସିବ । ଭୋଗ କରିବ ମୁଁ ଅଛି । ତୁମ ମାନଙ୍କର ସମସ୍ତ ରୋଗଯାକ ହଟିଯିବ ଗୋଟିଏ ପରେ ଗୋଟିଏ ହୋଇ । ରାଜ କୁମାରୀଙ୍କ ପାଳକ ପିତା ବିପଦ ମୁହଁରେ । କଢଙ୍ଗ ପିତା ସେମାନଙ୍କୁ ଖୋଜିବାକୁ ଯାଇ ସେ ମଧ୍ୟ ମହା ଅଡୁଆ ଭିତରେ । ଶତ୍ରୁ ବୋଇତିଆଳ ଚାଲିଛି ନିଜ ଛାତିରେ ଛେପ ପକାଇକରି । ମହାରାଣୀ ତେଣେ ତ ଦିନ ଗଣୁଛି । ସୌଦାଗରିଆଣୀ ବି ଭାବୁଛି, ଆଖି ଲୁହରେ ଏ ସକଳ କଥା ସମାଧାନ କରିବାକୁ ହେଲେ ପ୍ରଥମେ ଏହି ରାଜକୁମାରଙ୍କ ପାଣି ଗ୍ରହଣ କର । ତା ପରେ ଯାଇ ମୁଁ ତୁମମାନଙ୍କର ଭରସା ହେବି । କେଡେ ବଡ ବଡ ଗୁପ୍ତ କଥାର ଦୁଆର ମୁହଁ ସବୁ ଖୋଲିଯିବ । ପ୍ରଭୁଙ୍କ ଆଜ୍ଞାର ବଳ ସମସ୍ତେ ନିଜ ନିଜ ଅଙ୍ଗେ ଲିଭେଇବେ ।

କଢଙ୍ଗ ପଚାରିଲା – “ଆଉ ମୋ ବାପା?”

ରମଣୀ କହିଲା – “ତମେ ସମସ୍ତେ ଏଠୁ ସିଧା ଯାଇ ତାଙ୍କୁ ହିଁ ସାହାଯ୍ୟ କରିବ ।”

କଢଙ୍ଗ କହିଲା – “ମୁଁ ଯାଇ ଟିକିଏ ମହୁଲୀ ଠାକୁରାଣୀକୁ ପଚାରି ଦେଇ ଆସେ ।”

ରମଣୀ କଢଙ୍ଗର ଏପରି କଥା ଶୁଣି ଖାଲି ହସିଲା ଏବଂ ତାପରେ କହିଲା – “ତୁ ଆଉ ତାଙ୍କୁ କେବେ ପାଇବୁନି କଢଙ୍ଗ?”

ଏହି କଥାଟି ଶୁଣି ହଠାତ୍ ରାଗରେ ପଂଚମ ହୋଇ ଉଠିଲା ସେ କଢଙ୍ଗ । କଢଙ୍ଗ ସାଙ୍ଗେ ସାଙ୍ଗେ କହିଲା – “ତୁମେ କ’ଣ ତାଙ୍କୁ ବି ଚୋରାଇ ନେଇଛ?”

ରମଣୀ କହିଲା – “କଢଙ୍ଗ ତୁମର ସେହି ମହୁଲୀ ଠାକୁରାଣୀ ଆଉ କେହି ନୁହଁନ୍ତି ଖୋଦ୍ ମୁଁ ନିଜେ  । ଏହି ରାଜକୁମାରଙ୍କ ଦୁଃଖରେ ମୁଁ ପଥର ପ୍ରତିମା ହୋଇ ଏଠାରେ ତାଙ୍କୁ ଜଗି ରହିଥିଲି ବର୍ଷେ ହେଲା । ତୁ ମୋର ଯେତେ ସେବା କରିଛୁ, ତା’ରି ଫଳ ତୋତେ ନିଶ୍ଚୟ ମିଳିବ । ତୁ କିଛି ନ ବିଚାରି ଆଗ ମୋ କଥା ମାନି ଯା ।”

କଢଙ୍ଗ ଅତି ଭକ୍ତିରେ ସେହି ରମଣୀଙ୍କୁ ପ୍ରଣାମ କରିବା ଦେଖି ସୁଚିତ୍ରା ବି ସେହି ରମଣୀଙ୍କୁ ପ୍ରଣାମ କଲା । ଏଥର ସେ ରମଣୀ ହସ ହସ ମୁଖରେ ଦୁହିଁଙ୍କୁ ଆଶୀର୍ବାଦ କରି ଯୋଡିଏ ମୋତିମାଳା ଦେଲେ ଏବଂ ସେମାନଙ୍କୁ କହିଲେ – “ତୁମେ ମାନେ ଆଉ ମୋଟେ ବିଳମ୍ବ କରନା । ମହୁଲୀ ଦେବୀଙ୍କ ଆଦେଶ ମାନି ସେହି କୁମାରକୁ ତୁରନ୍ତ ବରଣ କର ।

ସୁଚିତ୍ରା ଏବଂ କଢଙ୍ଗ ଆଉ କିଛି ପ୍ରତିବାଦ ନ କରି ସେହି ପଟିଆର ରାଜକୁମାର ଗଳାରେ ଲମ୍ବାଇ ଦେଲେ ନିଜ ନିଜ ବରଣମାଳା । ତା’ପରେ ସେମାନେ ଦୁହେଁ ରାଜକୁମାରଙ୍କୁ ପ୍ରଣାମ କରି ତାଙ୍କର ପାଦଧୂଳି ବି ଗ୍ରହଣ କଲେ । କୁମାର କୋଳରେ ମଧ୍ୟ ଥିଲା ଦୁଇଟି ଅଷ୍ଟରତ୍ନ ହାର । ସେଥିରୁ ସେ ଗୋଟିଏ ସୁଚିତ୍ରା ଏବଂ ଆଉ ଗୋଟିଏ କଢଙ୍ଗ ଗଳାରେ ଲମ୍ବାଇ ଦେଲା ।

ଦେବୀ ସଙ୍ଗେ ସଙ୍ଗେ ମାୟାରେ ଏତେ ବରଯାତ୍ରୀ, ବାଜାଦାର ଓ ପାଇକ ଜନ୍ମ କଲେ ଯେ, ସେମାନଙ୍କ ତୁଣ୍ଡ ଗୋଳ ଧ୍ୱନିରେ ସେଠାକାର ବନ କନ୍ଦର ଇତ୍ୟାଦି ସବୁ ଶବ୍ଦାୟିତ ହୋଇ ଉଠିଲା । ବାଦ୍ୟ ନାଦର ତ ସୀମା ନାହିଁ । ହୁଳହୁଳିରେ ହାଲହୋଳି ଉଠିଲା । ଏଣେ ତ ମାୟାରେ ରାତି ହୋଇଥାଏ । ଆଲୋକରତ କାହିଁ କେଉଁଠି ସୀମା ହିଁ ନାହିଁ, ଠିକ୍ ସେହି ସମୟରେ ଶୂନ୍ୟରୁ ଖାଦ୍ୟ ଆସିଲା । ତା ସାଙ୍ଗକୁ କିଛି ଭୋଜନ ପାତ୍ର ଓ ପାନ ପାତ୍ର ବି ଆସିଲା । ପରସିଲାବାଲା କେତେଜଣ ବି ଆସିଲେ । ସେଠାରେ ଏକ ପ୍ରକାର ପଙ୍ଗତ ଲାଗିଲା । ଖାଇପିଇ ସମସ୍ତେ ଖାଲି ହାକୁଟି ମାଇଲେ । ତା ପରେ ପଞ୍ଝାଏ କନ୍ୟା ଆସି ଲାଗିଗଲେ ସେହି ପଟିଆ ରାଜକୁମାରଙ୍କ ମଧୂଶଯ୍ୟା କରାଇବା ଯୋଗାଡରେ । ସେଦିନ ସେଠି ମାୟାରେ ଗୋଟାଏ ଇନ୍ଦ୍ରପୁରୀ ସୃଷ୍ଟି ହେଲା ।

ବର କନ୍ୟା ଗଲେ ସେମାନଙ୍କ ମଧୂଶଯ୍ୟା ଗୃହକୁ । ମାୟା କନ୍ୟାମାନେ ହୁଳହୁଳି ଦେଇ ସେହି ମଧୂଶଯ୍ୟା ଗୃହର କବାଟ ଆଉଜାଇ ଦେଲେ । ତିନୋଟି ନୂତନ ଯାତ୍ରୀ ନିଜ ନିଜ ଜୀବନର ନୂତନ ପଥରେ ଠିଆ ହୋଇ ଉପଭୋଗ କଲେ ପରସ୍ପରର ଦେହ, ମନ, ଜୀବନ ଓ ଯୌବନକୁ ।

ଆସ୍ତେ ଆସ୍ତେ ସେମାନଙ୍କ ମନ ଜମି ଆସିଲା । ଚିତ ବି ଚଂଚଳ ହେଲା । ସେମାନଙ୍କ ପ୍ରାଣ ବି ଚହଲି ଗଲା । ସେମାନଙ୍କ ଶରୀରର ପ୍ରତ୍ୟେକ ଶିରା ପ୍ରଶିରା ଦେଇ ଛୁଟି ଚାଲିଲା କେବଳ ସ୍ନେହ ସରାଗର ସୁଶୀତଳ ଫଲ୍ଗୁଧାରା ।

ମାୟା ସବୁ ଘୁଂଚିଗଲା ପରେ ରାତି ବି ଅପସରିଗଲା । ଦିନ ତିନି ପ୍ରହର ହୋଇଛି । ସେଠାରେ ସେ କୁମାର କୁମାରୀ ତିନିଜଣ ଓ ସେହି ରମଣୀ ଜଣକ ଛଡା ଆଉ ତ କେହି ନ ଥିଲେ । ତେଣୁ ସୁଚିତ୍ରା ଖାଲି ଲାଜ ଲାଜ ହେଉଥାଏ । କଢଙ୍ଗକୁ ମଧ୍ୟ ଲାଜ ଲାଗୁଥିଲେ ବି ସେ ତାକୁ ମୋଟେ ଖାତିର କରୁ ନ ଥାଏ । ଯେତେବେଳେ ଯାହା ଦରକାର ସେତେବେଳେ ସେ ତାହା କଥାବାର୍ତ୍ତା କରୁଥାଏ ।

ରମଣୀ କହିଲା – ଏହି ରାଜକୁମାର ସମ୍ପର୍କରେ ଆଜିଠାରୁ ମୋର ଧର୍ମର ଭାଇ ହେଲେ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ତୁମେ ଦିହେଁ ହେଲ ମୋର ଭାଉଜ ବୋଉ । ଆଉ ଏବେ ମୁଁ ବା ତୁମ ମାନଙ୍କ ସହିତ ବେଶି ଥଟ୍ଟାତାମସା କ’ଣ କରିବି । କେବଳ ସ୍ନେହ ସରାଗରେ ମୁଁ ତୁମ ମାନଙ୍କୁ ଏତିକି ଆଶୀର୍ବାଦ କରୁଛି ଯେ, ଶୀଘ୍ର ଶୀଘ୍ର ତୁମମାନଙ୍କର ସମସ୍ତ ମନକାମନା ପୂର୍ଣ୍ଣ ହେଉ । ଆଶା କରୁଛି ଯେ, ପ୍ରଭୁ ତୁମମାନଙ୍କୁ ନୂତନ ଆଲୋକର ସନ୍ଧାନ ଦିଅନ୍ତୁ ।

କଢଙ୍ଗ ପଚାରିଲା – “ତୁମେ ପରା କହିଥିଲ ମୋ ବାପାଙ୍କ ସନ୍ଧାନରେ ଯିବାକୁ?”

ରମଣୀ କହିଲେ – “ତୁମେ ସିନା ହେଳା କରୁଛ, ମୋର କ’ଣ ସେଥିରେ ଆଉ ହେଳା ଅଛି! ଦେଖିଲ, ମୁଁ ପରା ଆଗରୁ ତୁମ ମାନଙ୍କ ପାଇଁ ପ୍ରସ୍ତୁତ କରି ରଖିଛି ଉଡନ୍ତା ରଥଟିଏ ।

କଢଙ୍ଗ ପଚାରିଲା – “ଉଡନ୍ତା ରଥ ଆମର କ’ଣ ହେବ?”

ରମଣୀ କହିଲେ – “ସେଥିରେ ବସି ଆମେ ସିଧା ଉଡିଯିବା ତୋ ବାପା ଓ ସୁଚିତ୍ରାଙ୍କ ଧର୍ମବାପା ପାଖକୁ ।

ସେ ପଟିଆ ରାଜପୁତ୍ରର ନାମ ମନ୍ମଥ କୁମାର । ସେ ଖୁବ୍ ସାହସୀ ଓ ଯୋଦ୍ଧା ମଧ୍ୟ । ରମଣୀ ସେହି ରାଜକୁମାରଙ୍କୁ ଲକ୍ଷ୍ୟ କରି କହିଲେ – “ମନ୍ମଥ ଭାଇ! ଏ ଭଉଣୀ ପାଇଁ ତୁମ୍ଭେ ଯାହା ନ କରିଛ, ଦୁଇ ଭାଉଜଙ୍କ ପାଇଁ ଏବେ ତୁମେ ତାହା ସବୁ କରିବାକୁ ବାଧ୍ୟ ହେବ ।” ମୁଁ ତ କେବେ ହେଲେ ତୁମ ସଙ୍ଗରେ ଯାଇ ପାରିବିନି । ମୁଁ ତୁମ ମାନଙ୍କୁ ଯୋଉ ଉଡନ୍ତା ରଥଟି ଦେଇଛି, ତା ଭିତରେ ଅଛି ଗୋଟିଏ ଚକ୍ର, ଖଣ୍ଡିଏ ସର୍ପ ଫାସ ଓ ଯୋଡିଏ ଅଗ୍ନିମୁଖୀ ବାଣ । ତା’ର ବ୍ୟବହାରର ସମସ୍ତ ବିଧି ଲେଖା ହୋଇ ଖଣ୍ଡିଏ ପୋଥି ବି ଅଛି ତା ପାଖରେ । ତୁମେ ଆଉ ହେଳା ନ କରି ଏମାନଙ୍କୁ ନିଜ ସଙ୍ଗରେ ନେଇ ଶୀଘ୍ର ଯାଇ ରଥରେ ବସ । ମୁଁ ଉପରେ ଉପରେ ଛାୟା ରୂପ ଧରି ଯାଉଛି ।

ସୁଚିତ୍ରା କୁମାରୀ ପଚାରିଲା – “କେଉଁଠାକୁ ଯିବ ଏହି ରଥ?”


ଗପ ସାରଣୀ

ତାଲିକାଭୁକ୍ତ ଗପ