ରମଣୀ କହିଲେ – ଯେଉଁଠାକୁ ଯିବାର କଥା, ମୁଁ ତାକୁ ନେଇ ଯାଇଥିବି । ଏହି ରଥର ଏଭଳି ଏକ ଗୁଣ ଅଛି ଯେ ତାହା ଉପରେ ଉଡିବ, ତଳେ ଦଉଡି ଦଉଡି ଚାଲିବ, ପାଣିରେ ପଡିଲେ ତାହା ଠିକ୍ ବୋଇତ ପରି ଚାଲିବ । କେବଳ ତୁମେ ଏତିକି ମନେ ରଖିବ ଯେତେବେଳେ ଯେଉଁ ଦିଗକୁ ଯିବାପାଇଁ ତୁମକୁ ଦରକାର ପଡିବ, ସେତେବେଳେ କେବଳ ଜଣାଇ ଦେବ –
ଶୂନ୍ୟ ରମଣୀ ଦେଇଛି ବର
ଉଡନ୍ତା ରଥ ଶ୍ରବଣ କର ।
ଚାଲ ଧୀରେ ସାଗର ଜଳେ
ଲଗାଅ ଫାଶ ଅଗତି ଗଳେ ।
ଏତିକି କହିଲେ ରଥ ତା’ର ଗତି ପରିବର୍ତ୍ତନ କରି ଜଳକୁ କହିଲେ ଜଳକୁ ଯିବ, ତଳକୁ କହିଲେ ତଳକୁ ଯିବ । ତୁମେ କିଛି ଭୟ କରିବନି । ସବୁଠି ମୁଁ ତୁମକୁ ଭରସା ଦେବାକୁ ଛାୟା କାୟା ଧରି ତୁମ ପଛେ ପଛେ ଅଛି ।
ଏ କଥା ଶୁଣି ମନ୍ମଥ, ସୁଚିତ୍ରା ଓ କଢଙ୍ଗ ଯାଇ ସେହି ଉଡନ୍ତା ରଥରେ ବସିଲେ । ରମଣୀ କହିଲା –
ଚାଲ ରଥ ଆକାଶ ପଥେ ଦୂରେ ବାଲିଚଡା
ତା ଆରପଟେ ଲାଗିଛି କାଣ୍ଡ ସଙ୍ଗରେ ଗଡା ପଡା ।
ସେଇଠି ନେଇ ଓହ୍ଲାଇ ଦେବୁ ଲାଗିବ ଧମାଧମ
ହୋଇବ ସିଦ୍ଧି ସକଳ କାମ ପୂରିବ ପଥଶ୍ରମ ।
ରଥଟି ଉଡିଲା ଚକର କାଟି କାଟି ଚଢେଇ ଭଳିଆ । ଯାତ୍ରୀ ତିନୋଟି ବସି ରହିଲେ ନିଜ ନିଜ ପ୍ରିୟଜନଙ୍କ ଦର୍ଶନ ଆଶାରେ । ସେମାନଙ୍କ ମନର ଗତି ଆଦୌ ସ୍ଥିର ନଥାଏ । ରଥ ଯେତେ ଯୋର ଆଗକୁ ବଢୁଥାଏ, ସେମାନଙ୍କ ମନଟା ତା’ ଅପେକ୍ଷା ଶହେ ଗୁଣ ବେଶି ଉଡୁଥାଏ । କାହାରି ମୁହଁରେ କିଛି କଥା ନାହିଁ କି କେହି କାହାକୁ ମଧ୍ୟ କିଛି ପଚାରୁ ନାହାଁନ୍ତି ।
ତେଣେ ଅନନ୍ତା ଶବର ନିଜର ପ୍ରତିଜ୍ଞା ରକ୍ଷା କରି ସୁଚିତ୍ରାକୁ ସାହାଯ୍ୟ କରିବା ପାଇଁ ଘରୁ ବାହାରିଗଲା ପରେ ସେ ଯାଇ ପହଁଚିଲା ସର୍ବଜ୍ଞା ମଞ୍ଜରୀ ନାମକ ଏକ ମାଲ୍ୟାଣୀ ନିକଟରେ । ସେ ତ ତା’ର ବହୁ ଆଗରୁ ଜଣା ଶୁଣା ଓ ପରିଚିତା । ତାକୁ ପଚାରି ସେ ଶବର ସୌଦାଗରର ସଠିକ୍ ସନ୍ଧାନ ନେଲା । ଜଣେ ପରମହଂସ ବାବାଙ୍କୁ ସେବାକରି ସେ ଅନନ୍ତା ଶବର ପାଇଲା ଏକ ମନପବନ କଠୋଉ । ସେହି କଠୋଉ ସାହାଯ୍ୟରେ ସେ ଅନନ୍ତା ଶବର ଉଡି ଉଡି ଚାଲିଗଲା ବାଲିଚଡା ପର୍ଯ୍ୟନ୍ତ ।
ସୁଚିତ୍ରାର ଧର୍ମ ବାପ ସଙ୍ଗେ ତାଙ୍କ ମାଝିମାନେ ମଧ୍ୟ ବିଷ ଖାଇ ଦୀର୍ଘ ଦୁଇଦିନ ପର୍ଯ୍ୟନ୍ତ ମୋହ ହୋଇ ପଡି ରହିବା ପରେ ଆଉ ଜଣେ ବୋଇତିଆଳ ଆସି ଏମାନଙ୍କୁ ଦେଖିଲା । ସେ ଭାବିଲା ବୋଧହୁଏ ଏଗୁଡାଙ୍କୁ କିଏ ମାରି ପକାଇ ଦେଇଛି । ତେଣୁ ତା ମନରେ ବି ଟିକେ କୌତୁହଳ ଆସିଲା । ତେଣୁ ସେ ତା ବୋଇତ ରଖି ସେଠାକୁ ଗଲା ଦେଖିବାକୁ । ସେହି ଅସୁସ୍ଥ ଲୋକମାନଙ୍କ ଦାନ୍ତ ଫିଟାଇ ବୋଇତିଆଳ ଜଣକ ପାଣି ଫାଣି କିଛି ଦେଲାରୁ ହଠାତ୍ ସମସ୍ତେ ଚେତା ପାଇଲେ । ସେମାନଙ୍କ କଥାବାର୍ତ୍ତା ପଡିଲା । ଶେଷରେ ଜଣାଗଲା ଯେ ସେ ପ୍ରଥମ ଦୁଷ୍ଟ ବୋଇତିଆଳ ଜଣକ ଏମାନଙ୍କୁ ବିଷଦେଇ ସେହି ସୌଦାଗର କନ୍ୟା ସୁଚିତ୍ରାକୁ କୁଆଡେ ଅପହରଣ କରି ନେଇ ଯାଇଛି ।
ଏପରି କଥା ଶୁଣି ସେ ସୌଦାଗରଟି ଭାରି ବ୍ୟସ୍ତ ହେଲା । ସେହି ଝିଅ ସକାଶେ ସୌଦାଗରଙ୍କର ଆଖିରୁ ବୋହିଲା ଅବାରଣ ଅଶ୍ରୁ । ଆଚ୍ଛା ଯୋଗରେ ଘରୁ ବାହାରିଥିଲା ସେ । ତାର ତ ବୋଇତ ଗଲା, ଧନରତ୍ନ ବି ଗଲା । ଝିଅଟି ବି ଯାଇ ପଡିଲା ଦସ୍ୟୁ ମାନଙ୍କ ହାତରେ । ନିଜେ ଓ ନିଜର ମାଝିମାନେ ଗୋଟିଏ ଗୋଡ ଯମପରରେ ରଖି ଆଉ ଗୋଟିଏ ଗୋଡରେ ଠିଆ ହୋଇଛନ୍ତି ସଂସାର କ୍ଷେତ୍ରରେ । ତେଣେ ସେମାନଙ୍କ ଘର ଓ ଘରଣୀ କିପରି ଅବସ୍ଥାରେ ଅଛନ୍ତି, ସେକଥା ଜାଣିବାର ବି କିଛି ଉପାୟ ନାହିଁ ସେମାନଙ୍କ ପାଖରେ । ତେଣୁ ସେମାନେ ସମସ୍ତେ ଏ ଉପକାରୀ ବୋଇତିଆଳଟିକୁ ବହୁତ ଅନୁରୋଧ କଲେ ଆରପାରିରେ ସେମାନଙ୍କୁ ପହଁଚାଇ ଦେବା ପାଇଁ ।
ତହୁଁ ସେ ଉପକାରୀ ବୋଇତିଆଳଟି କହିଲା – “ତୁମେ ମାନେ ଆଉ ଯୋଡିଏ ହପ୍ତା ଏଠି ଦୁଃଖ କଷ୍ଟରେ ଥାଅ । ମୁଁ ବି ତୁମ ମାନଙ୍କୁ କିଛି କିଛି ଖାଦ୍ୟ ସାମଗ୍ରୀ ଦେଇ ଯାଉଛି, ଖଣ୍ଡିଏ ତଳେଇ ଘର ହେଲାଭଳି ସମସ୍ତ ସରଞ୍ଜାମ ମଧ୍ୟ ଦେଇ ଯାଉଛି । ତୁମେ ଆଦୌ ନିଜ ମନ ଦୁଃଖ କରନା । ସମାନ୍ୟ ଛାୟା ଖଣ୍ଡେ କରି ଖାଇ ପିଇ ରହିଯାଅ ଏବଂ ଯଦି ପାରୁଛ ଚାରି ଦିଗକୁ ଟକେ ଦୃଷ୍ଟି ରଖ । କାହିଁକି ନା ସେ ଦୁଷ୍ଟ ପ୍ରତାରକ ବୋଇତିଆଳ ଜଣକ ନିଶ୍ଚୟ ଏହି ବାଟ ଦେଇ ହିଁ ଫେରିବ ।
ଏପରି ଏକ କଥାରେ ସୁଚିତ୍ରାର ଧର୍ମ ବାପା ଓ ତାଙ୍କ ମାଝିମାନଙ୍କ ମନ ମାନିଯିବାରୁ ସେ ଉପକାରୀ ବୋଇତିଆଳ ଜଣକ ସେମାନଙ୍କ ନିମନ୍ତେ ସେଠାରେ କିଛି ଖାଦ୍ୟ ପଦାର୍ଥ ଓ ତଳେଇପଟା ରଖିଲେ । ଏହା ପରେ ସେ ଉପକାରୀ ବୋଇତିଆଳ ଜଣକ ତା ବୋଇତ ବାହି ଚାଲିଗଲା ।
ଏଣେ ସେ ଧନୀ ମହାଜନକୁ ଆଘାତ କରି ସୁଚିତ୍ରା ଚାଲିଯିବା କଥା ସେ ପ୍ରତାରକ ବୋଇତିଆଳ ଜଣକ ସକାଳେ ଜାଣିଲା । ତହୁଁ ସେ ପ୍ରତାରକ ବୋଇତିଆଳ ଜଣକ ବେହୋସ ହୋଇ ପଡିଥିବା ସେ ମହାଜନ ପାଟିରେ ଓ ତାଙ୍କ ମୁଣ୍ଡରେ ପାଣି ଢାଳି ତାଙ୍କୁ ଚେତା କରାଇଲା । ଦିହେଁ ବସି ସେଠାରେ ପ୍ରତ୍ୟେକ ବିଷୟ କଥାବାର୍ତ୍ତା ହେଲେ । ତା’ପରେ ବୋଇତସାରା ଖୋଜା ପଡିଲା ସୁଚିତ୍ରାକୁ । ସେମାନେ ଦୁହେଁ ବୋଇତର ଅନ୍ଦି ସନ୍ଧି ତନ୍ନ ତନ୍ନ କରି ଖୋଜି ସୁଚିତ୍ରାକୁ ନପାଇବାରୁ ଶେଷରେ ସେମାନେ ହତାଶ ହୋଇ ପଡିଲେ ।
ସେ ମହାଜନର ତ ପାଂଚ ହଜାର ଟଙ୍କା ପାଣିରେ ପଡିଲା । ସେ ଧନୀ ମହାଜନର ଆଶା ବୃକ୍ଷ ବି ଉପୁଡିଲା । ଶେଷରେ ଦିହେଁ ଦିହିଁଙ୍କି କେବଳ ସନ୍ଦେହ କଲେ । ମନଟା ସେମାନଙ୍କର ବୈକୁଲ୍ୟ ହୋଇ ଉଠିଲା । ସେ କହିଲା – ତୁମେ ତାକୁ ପେଲି ଦେଇଛ ପାଣିକି, ୟେ କହିଲା – ତୁମେ ପେଲି ଦେଇଛ ପାଣିକି । ତାପରେ ସେମାନଙ୍କ ମଧ୍ୟରେ ଲାଗିଗଲା କଳିଗୋଳ ଅନର୍ଥ – ଅର୍ଥାତ୍ ସେମାନେ ହେଲେ ମରାମରି ଆଉ ଗଡାଗଡି । ହେଲେ କଥାଟା କୌଣସିମତେ ଆଉ ମୀମାଂସା ହୋଇ ପାରିଲାନି । ଶେଷରେ ମାଝିମାନେ ଆସି ନିଶାପ କରି ଠିକ୍ କଲେ ଯେ ସେ ଝିଅଟା ବୋଧହୁଏ ସେହି ବାଲିଚଡାରେ ରହି ଯାଇଛି । ତୁମେ ସବୁ କେବଳ ଭାଙ୍ଗ ଖାଇ ନିଶା ଯୋର୍ରେ ତାକୁ ସ୍ୱପ୍ନ ଦେଖୁଛ । ତେଣୁ ତୁମେ ମାନେ ଆଉଥରେ ଫେରି ଚାଲ ସେହି ବାଲିଚଡାକୁ ସେ ଝିଅଟାକୁ ଖୋଜିବା ପାଇଁ । ଯଦି ସେ ଝିଅଟା ତଥାପି ଦେଖା ନ ହୁଏ, ତେବେ ତୁମେ ମାନେ ତା’ର ବାପ ଓ ତା’ର ସଙ୍ଗୀ ଲୋକମାନଙ୍କୁ ବାନ୍ଧି ଆଣି ତାଙ୍କୁ ଖୁବ୍ ମାଡ ଚଢାଇଲେ ଠିକ୍ ଠିକ୍ ସବୁ କଥା ବାହାରକୁ ବାହାରି ପଡିବ ।
ଏହି କଥାଟା ସମସ୍ତଙ୍କ ମନକୁ ପାଇବାରୁ ସେହି ପ୍ରତାରକ ମାନେ ବାଧ୍ୟ ହେଲେ ପୁଣି ତାଙ୍କ ବୋଇତକୁ ଲେଉଟାଇ ବାଲିଚଡାକୁ ଫେରିଯିବା ପାଇଁ । ଏଣେ ପବନର ଗତି ଅନୁକୂଳ ନଥିବାରୁ ସେମାନେ ଆଉ ଶୀଘ୍ର ଯାଇପାରୁ ନ ଥାନ୍ତି । ତେଣୁ ଦିନକର ବାଟ ସେମାନଙ୍କୁ ଦୁଇ ଦିନ ଲାଗୁଥାଏ । ତଥାପି ମାଝିମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସେହି ପ୍ରତାରକ ମାନେ ଯାଇ ପହଁଚିଗଲେ ସେହି ବାଲିଚଡା ପାଖରେ ।
ସୁଚିତ୍ରାର ଧର୍ମ ବାପା ଦୂରରୁ ଠିକ୍ ଚିହ୍ନି ପାରିଲା ସେହି ବୋଇତଟାକୁ । ମାଝିମାନେ ବି ଚିହ୍ନି ପାରିଲେ । ତା ପରେ ସମସ୍ତଙ୍କ ପ୍ରାଣରେ ଖାଲି ଜଳି ଉଠିଲା ପ୍ରତିଶୋଧର ନିଆଁ । ସୌଦାଗର କନ୍ୟା ସୁଚିତ୍ରା ନିଶ୍ଚେ ସେହି ବୋଇତ ମଧ୍ୟରେ ବନ୍ଦିନୀ ହୋଇ ଅଛି ବୋଲି ଧାରଣା କରି ସମସ୍ତେ ପ୍ରସ୍ତୁତ ହୋଇ ପଡିଲେ ଲଢେଇକୁ ।
ପ୍ରତାରକ ବି ତା’ର ଦଳବଳ ଧରି ସେହି ବାଲିଚଡାରେ ଓହ୍ଲାଇଲା । ଗୋଡିଆ ଗୋଡି ହୋଇ ମଝି ବାଟରେ ଉଭୟ ଦଳ ହାବୁଡ ଖାଇଲେ । ତା ପରେ ସେମାନଙ୍କ ମଧ୍ୟରେ ଚାଲିଲା ମରାମରି, ଧରାଧରି, ପିଟାପିଟି, ଗୋଡିଆଗୋଡି । କାହାର ହାତ ଭାଙ୍ଗିଲା ତ କାହାର ମୁଣ୍ଡ ବି ଫାଟିଲା । କାହାର କାନ ଗଲା ତ କାହାର ପୁଣି ନାକ ଗଲା । ପ୍ରତାରକ ଦଳ ତ ବହୁତ ବେଶି । ତେଣୁ ସେମାନଙ୍କ ପାଖରେ ହାତ ହତିଆର ବି ବେଶି । କିନ୍ତୁ ସୌଦାଗରଙ୍କ ଦଳ ତ କମ୍, ତେଣୁ ସେମାନଙ୍କ ପାଖେ ହାତ ହତିଆର ମୋଟେ ନାହିଁ । ତେଣୁ ସୌଦାଗରଙ୍କ ଦଳ ପରାସ୍ତ ହୋଇଗଲେ । ଏହାପରେ ସେ ପ୍ରତାରକ ବୋଇତିଆଳ ଆଦେଶ ଦେଲା ଯେ ଚଡାରେ ଥିବା ବାଲିକୁଦା ଆରପଟକୁ ନେଇ ଏହି ପରାଜୟ ବରଣ କରିଥିବା ସୌଦାଗରର ସମସ୍ତ ଲୋକଙ୍କୁ ହାଣି ପକାଇବାକୁ ।
ଠିକ୍ ଏତିକିବେଳେ ଶୂନ୍ୟରେ ଦେଖାଗଲା ଗୋଟିଏ ଉଡନ୍ତା ରଥ । ଦେବନାଗରୀ ଶୂନ୍ୟରେ ଥାଇ କହିଲେ – “ବନ୍ଦୀ ମାନଙ୍କୁ ଛାଡି ସେହି ପ୍ରତାରକ ଦଳକୁ ଆକ୍ରମଣ କର ।”
ମନ୍ମଥ ଅଗ୍ନି ଅସ୍ତ୍ର ଫୋପାଡୁ ଥିଲା । କିନ୍ତୁ ସୁଚିତ୍ରା ମନ୍ମଥଙ୍କୁ କହିଲା, ଟିକିଏ ଅପେକ୍ଷା କର । ଆମେ ଆଗେ ତଳକୁ ଓହ୍ଲାଇ ଯାଇ ଦେଖିବା ସେମାନେ ସବୁ କିଏ?
ସୁଚିତ୍ରାର ତୁଣ୍ଡ କଥା ତୁଣ୍ଡରେ ଅଛି, ଠିକ୍ ଏହି ସମୟରେ ବାଲିକୁଦ ଆରପଟରୁ ଜଣେ କିଏ ମାଇଲା ଗୋଟିଏ ତୀର । ସେହି ତୀର ଆଘାତରେ ବନ୍ଦୀ ମାନଙ୍କୁ ହାଣିବାପାଇଁ ନେଇ ଯାଉଥିବା ମାଝି ଯୋଡାକ ସେହିଠାରେ ହିଁ ଟଳି ପଡିଲେ ଠିକ୍ ଗଛ କାଟିଲା ପରି । ତା ପରେ ଆଉ ଗୋଟିଏ ତୀର ଆସି ସେହି ବନ୍ଦୀମାନଙ୍କ ବନ୍ଧନ ରଜ୍ଜୁ କାଟି ପକାଇଲା । ତେଣୁ ବନ୍ଦୀମାନେ ସିଧା ଦଉଡିଲେ ପ୍ରତାରକ ଦଳକୁ ଆକ୍ରମଣ କରିବା ପାଇଁ ।
ଠିକ୍ ଏହି ସମୟରେ ବାଲିକୁଦରୁ ଦଉଡି ଦଉଡି ଆସି ଲୋକଟି କହୁଥିଲା – “ଥୟଧର, ଥୟଧର, ଭାଇ ଏହି ଅନନ୍ତା ଶବରକୁ ଆଗେ ଚିହ୍ନା ଦିଅ । ତୁମ ମାନଙ୍କ ମଧ୍ୟରେ ସୁଚିତ୍ରାର ବାପ କିଏ?
ସୁଚିତ୍ରାର ନାମ ଶୁଣି ତା’ର ଧର୍ମ ବାପା ଖାଲି ଭୋ ଭୋ ହୋଇ କାନ୍ଦି ଉଠିଲା ଓ ପଚାରିଲା – “ସୁଚିତ୍ରା ମୋର ଅଛି କେଉଁଠି?”
ହସି ଉଠିଲା ଅନନ୍ତା ଶବର ହୋ’ ହୋ’ ହୋଇ । ତା ପରେ ସେ କହିଲା, “ମୋଟେ ଭୟ କର ନାହିଁ ସୌଦାଗର ଭାଇ! ସୁଚିତ୍ରା ଅଛି ମୋ ଘରେ ।” ମୋ ଝିଅ କଢଙ୍ଗ ସଙ୍ଗେ ସେ ଖେଳୁଛି, ମଉଜ କରୁଛି । ମୁଁ ଆସିଛି ତୁମ ମାନଙ୍କୁ ଖୋଜିବା ପାଇଁ ।
ତେଣେ ଉପରେ ପାଟିକରି କଢଙ୍ଗ କହିଲା – “ବାପା ମୁଁ ଏଇଠି ଅଛି ।” ତାପରେ ସେ କଢଙ୍ଗ ତା ସ୍ୱାମୀ ମନ୍ମଥଙ୍କୁ କହିଲା ଉଡନ୍ତା ରଥକୁ ତୁରନ୍ତ ତଳକୁ ନିଅ, ଆଉ ମୋଟେ ହେଳା କରନା । ଏ କଥା ଶୁଣି ମନ୍ମଥ ମଧ୍ୟ ନିର୍ଦ୍ଧେଶ ଦେଲା ସେ ଉଡନ୍ତା ରଥକୁ ତଳକୁ ଖସୁ ବୋଲି ।
ତା ପରେ ରଥଟି ବି ତଳକୁ ଖସି ଆସିଲା ଧୀରେ ଧୀରେ । ଅନନ୍ତା ଶବର ଦୂରରୁ ଅନାଇ ଦେଇ ପାଟିକରି କହିଲା – “ଏହିରେ ସୌଦାଗର ଭାଇ, ସୁଚିତ୍ରା ଓ କଢଙ୍ଗ ବି ଏଠିକି ଆସି ଗଲେଣି ।
ଏହି କଥା ଶୁଣି ସେ ଧନୀ ସୌଦାଗର ବି ଦୌଡିଲା ସେ ଉଡନ୍ତା ରଥ ପାଖକୁ । ସେତେବେଳକୁ ସୁଚିତ୍ରା ଓ କଢଙ୍ଗ ବି ଓହ୍ଲାଇ ନିଜ ନିଜ ପିତାଙ୍କ ନିକଟକୁ ଆସୁଥିଲେ । ହଜି ଯାଇଥିବା ଅମୂଲ୍ୟ ମଣି ହଠାତ୍ ହାତ ପାଖରେ ପହଁଚିଲା ପରି ସେ ଧନୀ ସୌଦାଗର ଯାଇ କୁଣ୍ଢାଇ ଧରିଲା ନିଜ କନ୍ୟା ସୁଚିତ୍ରାକୁ । ତା ସଙ୍ଗେ ସଙ୍ଗେ ସେ ସୌଦାଗର ବି କାନ୍ଦି ଉଠିଲା ଭୋ ଭୋ ହୋଇ ।
କଢଙ୍ଗକୁ ପଚାରିଲା ତା ବାପା ଅନନ୍ତା ଶବର । “ତୁ ଏଠାକୁ କିପରି ଆସିଲୁ?”
କଢଙ୍ଗ ବି ଖୁବ୍ ସଂକ୍ଷିପ୍ତରେ ସମସ୍ତ କଥା ତା ବାପକୁ ବୁଝାଇ ଦେବାରୁ ତା ବାପ ଏହା ଶୁଣି ଭାରି ଖୁସି ହେଲା । ତେଣୁ ସେ ଅନନ୍ତା ଶବର ଦୌଡିଯାଇ ମନ୍ମଥକୁ ଆଲିଙ୍ଗନ ଦେଇ ତାଙ୍କୁ ଖୁବ୍ ଆଶୀର୍ବାଦ ମଧ୍ୟ ଜଣାଇଲା ।
ଏପଟେ କିନ୍ତୁ ସେ ପ୍ରତାରକ ଦଳ ଏହି ଧନୀ ସୌଦାଗର ଓ ଶବରଙ୍କ ହାଲ୍ ଚାଲ୍ ଦେଖି କେବଳ ପ୍ରମାଦ ଗଣୁଥିଲେ । ଯୋଉ ମାଝି ଦୁଇଟି ଅନନ୍ତର ତୀରମାଡ ଖାଇ ଟଳି ପଡିଲେ, ସେମାନଙ୍କର ତ ବଂଚିବାର ଆଉ ମୋଟେ କୌଣସି ଆଶା ରହିଲାନି । ଏଣେ ଧନୀ ସୌଦାଗର ଜଣକ ସୁଚିତ୍ରାଠାରୁ ନିଜ ବିଭାଘର କଥା ଶୁଣି ଖୁବ୍ ଖୁସି ହେଲେ । ମନ୍ମଥକୁ ବହୁତ ଆଦର କରି ସେ ତାଙ୍କୁ ଆଲିଙ୍ଗନ କଲେ ଓ କଲ୍ୟାଣ ମଧ୍ୟ କଲେ । ଭାଗ୍ୟ ସଳଖ ଥିବାରୁ ସେ ସିନା ଆଜି ରାଜକୁମାରଙ୍କ ପରି ଏକ ଜ୍ୱାଇଁ ପାଇ ପାରିଛି, ଏହା କ’ଣ କମ୍ ଗୌରବର କଥା?