ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

“ଗଛ ନୋହୁ ରାଜକନ୍ୟା ତୁ ଘେନ ଆମ୍ଭ ବର

  ଆପଣା ସୁଖେ ପଲକ ମଧ୍ୟେ ଆପଣା ତନୁ ଧର ।

  ପବନ ରଥେ ଗଗନ ପଥେ ଧୀରେ ଉଡିଯିବୁ

  ଜୀବନର ଆଲୋକ ପଥେ ଭାଗ୍ୟକୁ ଭେଟିବୁ ।

  ଦୁଃଖ ଯାଇ ସୁଖ ଆସିବ ହେବ କୋଳାକୋଳି

  ଯୁଗଳ ଛନ୍ଦେ ନାଚିବୁ ଶତ୍ରୁ ମୁହଁରେ କାଳି ବୋଳି ।”

ଏବେ ଆଉ ଗଛ ହୋଇ ରହିଲାନି ନନ୍ଦିତା । ପଲକ ମଧ୍ୟରେ ଆପଣା ଶରୀର ପାଇ ନନ୍ଦିତା ପ୍ରଣାମ କଲା ସେ ମହର୍ଷିଙ୍କୁ । ଏଣେ ମହର୍ଷି ମଧ୍ୟ ନନ୍ଦିତାକୁ କଲ୍ୟାଣରେ ପୋତି ପକାଇଲେ । ତୁରନ୍ତ ନନ୍ଦିତାକୁ ମଧ୍ୟ ପ୍ରସାଦ ଦେଲେ ଖାଇବାକୁ ।  ତା’ପରେ ସେମାନେ ସମସ୍ତେ ଶୁଭବେଳା ଦେଖି ଉଡି ଉଡିକା ଚାଲିଗଲେ ମେଳା ଦେଖିବା ଉଦ୍ଧେଶ୍ୟରେ ସେହି ଗୋଦାବରୀ ତୀରକୁ ।

ଏଣେ ଜାହାଜିଆ ପ୍ରବୀର ସାମନ୍ତରାୟ ମୁଣ୍ଡରେ ତ ବିଷ ପଶିଛି । ତା ମନଟା ଆଉ ମୋଟେ ଶାନ୍ତ ନାହିଁ । ତା ହାତରେ ପଡିଥିବା ଶିକାର ପୁଣି ତାକୁ ଗୋଇଠା ମାରି ଅତି ବେଖାତିର ଭାବରେ ଚମ୍ପଟ ଦେଇଛି, ଏହାଠାରୁ ବଳି ଲଜ୍ଜାର କଥା ତାପାଇଁ ଆଉ କ’ଣ ବା ହୋଇପାରେ?

ନାମ ତା’ର ପ୍ରବୀର । ବୀର ପଣରେ ସେ ତ ଖୁବ୍ ଧୀର । ତା ବୁଦ୍ଧିଗୁଡାକ ପୁଣି ଭାରି ବିଷ୍ଠିର । ସବୁବେଳେ ତ ତା ଉପରେ ଥାଏ ଶିର । କଥାଗୁଡାକ ଯେପରି ତାର ତୀର । କୋଉ କଥାଟା ତା’ର ଚିର ନୁହେଁ ବୋଲି ସେ ଆଜି ଅବୀର ହୋଇ ପଡିଛି ।

ଛାର ଛିକର ଟୋକି ଗଣ୍ଡାଏ । ଆମ ଗୁଣ୍ଡା ମାନଙ୍କୁ ଫାଙ୍କି ସେମାନେ ତାଙ୍କ ହୁଣ୍ଡା ବୁଦ୍ଧିରେ ଏଭଳି ଏକ ବିତଣ୍ଡା କାମ କରିଦେଲେ ବୋଲି ମୁଁ କ’ଣ ସେମାନଙ୍କୁ କେବେ ହେଲେ ଛାଡିଦେବି? ନାଁ ମୁଁ ସେମାନଙ୍କୁ ମୋଟେ ଛାଡିବିନି । କଳେ ବଳେ କୌଶଳେ ହଳକୁ ହଳ ମୁଁ ପୁଣି ଥରେ ବାନ୍ଧି ଆଣିବି ସେମାନଙ୍କୁ ମୋର ଏହି ଟାପୁକୁ । ବଳୁଆ ବଳୁଆ କାଳିଆ ହଳିଆ ପହିଲିମାନ ଦଳ କ’ଣ ମୋର ତଳିଆ ହୋଇଯିବେ? କଦାପି ନୁହେଁ, କଦାପି ନୁହେଁ । ଏହିପରି ପ୍ରତିଜ୍ଞା କରି ପଡିଛି ଚାରି ହତ୍ୟାର ବାନ୍ଧି । କେତେ ଦେଶ, ନଗର ସହର, ବଣ, ପର୍ବତ ଦରଣ୍ଡା ଦରଣ୍ଡି କରି କରି ସେ ଥକିଯାଏ । ଆଜି ମାଣ୍ଡିମଠା ମେଳା କଥା ଶୁଣି ସେ ପ୍ରବୀର ଗୁପ୍ତ ବେଶରେ ପହଁଚି ଯାଇଛି ସେଠି । ତା ସାଙ୍ଗରେ ଅଛନ୍ତି ସେହି ବଳୁଆ ଓ କାଳିଆ କାଳିଆ ଗୁଣ୍ଡାଯାକ । ଖୋଜା ଚାଲିଛି ଦୋକାନ, ବଜାର, ଗଳି, କନ୍ଦି, ସନ୍ଧି, ମଠ, ଗୋଠ, ପେଣ୍ଠ, ତୁଠ ସବୁ । ହାବୁଡେ ପଡିବା ମାତ୍ରେ ଯାହା ହେବାର କଥା ହୋଇଯିବ ପଛେ, ମୋତେ କିନ୍ତୁ ସେମାନଙ୍କୁ ଜବତ୍ରେ ପକାଇ ନିଶ୍ଚୟ ଧରି ନେବାକୁ ହେବ ।

କଥାରେ ଅଛି – ଯାହାକୁ ରଖିବେ ଅନନ୍ତ

    କି କରିପାରେ ବଳବନ୍ତ ।

ମାରେ ହରି ରଖେ କୋନ୍, ରଖେ ହରି ମାରେ କୋନ୍? ଭଗବାନ୍ ଯାହାକୁ ଚକ୍ରଉହାଡ ଦେଇ ରକ୍ଷା କରିବେ, ତାକୁ ପୁଣି ବିପଦରେ ପକାଇବ କିଏ? ପ୍ରବୀର ତ ପ୍ରବୀର, ତା’ ଭଳିଆ ପନ୍ଦର ହଜାର ହେଲେ ବି ଭଡକୀ ଯିବାର କଥା । ଧୋକଡାଟା ଯାହା ସିନା ନିଲଠା ପିଠରେ ଲାଗିଛି, ନୋହିଲେ ସେ ପାରିବ କ’ଣ ଏତେ ସହଜରେ?

ଏଣେ ପ୍ରଭୁଙ୍କ ଦୟାରୁ ଏଣେ ତେଣେ ଖେଳେଇ ହୋଇ ଯାଇଥିବା ସେହି ରାଜ କୁମାରୀ ଯାକ ଆସି ପହଁଚି ଯାଇଛନ୍ତି ସେହି ମାଣ୍ଡି ମଠ ପାଖ ମେଳା ପଡିଆରେ । ମନେ ମନେ ସେମାନେ ସମସ୍ତେ କେବଳ ପରସ୍ପରକୁ ଖୋଜା ଖୋଜି ହେଉଥାନ୍ତି । ସେଠାରୁ କିଛି ଦୂର ଛାଡି ବସିଥାନ୍ତି ସେହି ରଜାପୁଅ ମାନେ । ଯେଉଁ ମାନେକି ବର୍ଷେ ହେଲା ବସିଛନ୍ତି ତପସ୍ୟାରେ । ସେହି ରାଜ ପୁଅମାନଙ୍କ ମୁହଁରେ ଦାଢୀ ନିଶ ମଧ୍ୟ ବଢି ଯାଇ ଥାଏ । ସେମାନଙ୍କର ହାତ ଗୋଡର ନଖ ମଧ୍ୟ ଠିକ୍ ଛୁରୀ ଭଳିଆ ହିଁ କଅଁଳି ଥାଏ । କାରଣ ସେମାନଙ୍କର ଆଉ ତେଲଲଗା ନାହିଁ କି ଟେରୀ ଭଙ୍ଗା ବି ନାହିଁ । ସେମାନଙ୍କ ଲୁଗାପଟାର ବି କୌଣସି ପ୍ରକାର ହିପାଯତ ନାହିଁ । ତଥାପି ବି ସେମାନେ ଠିକ୍ ପୂର୍ବପରି ତେଜିୟାନ୍ ଦିଶୁଥାନ୍ତି । ତାଙ୍କୁ ଦେଖିଲେ ଏଭଳି ଯୁବତୀ କେହି ନାହିଁ, ଯେ କି ଧୈର୍ଯ୍ୟ ଧରି ରହି ପାରିବ ।

ପୁଷ୍ପା କୁମାରୀ ସେଠାରେ ଥିବା ନଦୀ କୂଳରୁ କିଛିଦୂର ଛାଡି ଏକାକିନୀ ହୋଇ ବସିଥାଏ ଗୋଟିଏ ଗଛ ମୂଳେ । ତାର ମନଟା ଘୁରୁଥାଏ ଖାଲି ବାତ ଚକ୍ର ପରି । ତାର ଆଖି କେବଳ ଅନୁସନ୍ଧାନ କରୁଥାଏ ସେହି ଯାତ୍ରାର ଚତୁର୍ଦ୍ଦିଗ ଅତି କ୍ଷିପ୍ର ଭାବରେ । ତାକୁ ସାହାଯ୍ୟ କରୁଥିବା ରାଜ କୁମାର ଜଣକ ହେଉଛି ଢେଙ୍କାନାଳ ରାଜାଙ୍କ ପୁଅ । ତା’ର ନାମ କିଶୋର ପ୍ରତାପ । ସେ ମଦନ ମୋହନଙ୍କ ପରାମର୍ଶ ଅନୁସାରେ ମନଭେଦୀ ଲେଖା ନେଇ ନଦୀଘାଟରେ ପଡିଥିବା ପଥର ଖଣ୍ଡକ ଉପରେ ‘କ’ ଟିଏ ଲେଖି ତା’ ଉପରେ ସିନ୍ଦୂର ଲେପିଦେଲା । ସେହି ରଙ୍ଗର ‘କ’ ଲାଗିଲା ଯାଇ ସବୁ ସଖୀଙ୍କ ମୁଣ୍ଡରେ । ଏଣେ ସଖୀମାନଙ୍କର ମନ ବି ଖୁବ୍ ବିଚଳିତ ହୋଇ ଉଠିଲା । ସେଥିପାଇଁ ସେମାନେ ଚେଷ୍ଟା କଲେ ସେହି ଯାତ୍ରା ଗହଳିରୁ ବାହାରି ଖୋଲାସ୍ଥାନ ଏବଂ ନିରୋଳାରେ ଯାଇ ବସିବାକୁ କିନ୍ତୁ କିଶୋର ପ୍ରତାପ ତା’ର ସନ୍ଧାନୀ ଆଖି ଯୋଡିକ ଖେଳାଇ କେବଳ ସଖୀ ମାନଙ୍କୁ ଖୋଜି ବୁଲୁ ଥାଏ । ଠିକ୍ ଏହିପରି ବେଳେ ସେଠାରେ ପହଁଚି ଗଲେ ବାମଦେବ ଋଷି ଓ ନନ୍ଦିତା କୁମାରୀ । ତା’ ମୁଣ୍ଡରେ ବି ଲାଗିଛି ସିନ୍ଦୂରର ‘କ’ ।

କିଶୋର ତ ତାକୁ ଦେଖିଲା ମାତ୍ରେ ଜାଣି ପାରିଲା – ପୁଷ୍ପା କୁମାରୀର ସଖୀମାନଙ୍କ ମଧ୍ୟରୁ ଏ ବି ଗୋଟାଏ; ତେଣୁ ନନ୍ଦିତା କୁମାରୀକୁ ଶୁଣାଇ କରି ସେ କିଶୋର କହିଦେଲେ –

ମୋତେ କହିଛି ରଜାଝିଅ

ଯାହା ମୁଣ୍ଡରେ ଦେଖିବୁ ‘କ’

ତାକୁ କହିବୁ ଏଇଠି…ବ ।

ନନ୍ଦିତା ସେ କଥାରୁ କିଛି ବୁଝି ନପାରି ଚାଲିଯାଉଥିବା ଦେଖି ସେ କିଶୋର ନନ୍ଦିତାକୁ କହିଲା – “କିହୋ, କଥା ନ ମାନି ତୁମେ କ’ଣ ଚାଲି ଯାଉଛ?”

ନନ୍ଦିତା ପଚାରିଲା –“କ’ଣ କଥା?

କିଶୋର କହିଲା – “ତୁମ ମୁଣ୍ଡରେ ‘କ’ ଲାଗିଛି । ରଜାଝିଅର ହୁକୁମ୍ ତୁମେ ଏଇଠି ବସ ।

ବାମଦେବ ଋଷି ଏହି କଥା ଶୁଣି ଟିକେ ହସିଦେଇ କହିଲେ – କିଛି ଭୟ ନାହିଁ ଝିଅ! ତୁ ଆଉ କୁଆଡେ ନ ଯାଇ ଏଇଠି ହିଁ ବସିଯା ।”

ନନ୍ଦିତା ସେ ଋଷିବରଙ୍କ କଥା ମାନି ସେଇଠି ହିଁ ବସିଗଲା ବେଳକୁ ସେଠାରେ ଆସି ପହଁଚିଗଲା ବନଲତା । ତା ମୁଣ୍ଡରେ ବି ‘କ’ ଲାଗିଛି । କାଚ ଫରୁଆରେ ଉଡି ଉଡି ଆସିଥିବାରୁ ଦେହଟା ତାର ଝାଳୁଆ ଝାଳୁଆ ହୋଇ ତାକୁ ଭାରି ଖରାପ ଲାଗୁଥିଲା । ତେଣୁ ସେ ନଦୀ ଜଳରେ ଗାଧୋଇ ବୁଡିସାରି ଉପରକୁ ଉଠିବା ମାତ୍ରେ କିଶୋର ପ୍ରତାପର ଦୃଷ୍ଟି ସେ ବନଲତା ଉପରେ ସିଧା ଯାଇ ପଡିଲା । ତେଣୁ ସେ କିଶୋର ଧୀରେ ଧୀରେ ବନଲତା ପାଖକୁ ଯାଇ କହିଲା –

ଏଣୁ ପଢିଲେ ସ…ତେଣୁ ପଢିଲେ ସ

                କହିଗଲା ମୋତେ ରଜା ସଇସ ।

                                ଯାହା ମୁଣ୍ଡରେ ‘କ’

                                ତାକୁ କହିବୁ…ବ ।

ବନଲତା ହଠାତ୍ ତା ମୁଣ୍ଡ ବିଷୟରେ ଏଭଳି କଥା ଶୁଣି କିଶୋରକୁ କହିଲା – “ତୁମେ କ’ଣ ପାଗଳ?”

କିଶୋର ପ୍ରତାପ ମଧ୍ୟ କାଳ ବିଳମ୍ଭ ନକରି ତୁରନ୍ତ କହିଲା – “ତୁମ ଅପେକ୍ଷା ଟିକିଏ କମ୍ । କାହିଁକିନା, ତୁମେ ତୁମ ନିଜ ମୁଣ୍ଡରେ ‘କ’ ଲେଖାଇ ଏଠାକୁ କ’ଣ ଯାତ୍ରା ଦେଖିବାକୁ ଆସିଛ ।

ବନଲତା ପଚାରିଲା – “କ…କ’ଣ?”

କିଶୋର ପ୍ରତାପ କହିଲା – “ମୋତେ ନ ପଚାରି ନିଜ ମୁଣ୍ଡକୁ ପଚାର । ଏ ଦୁହେଁ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ଦୂରରୁ ହସି ହସି ଆସି ପହଁଚି ଗଲା ଗୀତା । ସେ କହିଲା – ଆଗୋ ସଖୀ, ଭାଗ୍ୟରେ ଥିଲା ବୋଲି ସିନା ମୁଁ ଆଜି ତୁମ ଦେଖା ପାଇଲି ।

କିଶୋର ପ୍ରତାପ କହିଲା – “ସାବଧାନ ‘କ’ ବାଲି । ରଜାଘର ହୁକୁମ୍ ତମେ କେବେବି ଅମାନ୍ୟ କରିବନି । ମୁଁ ତ ଦେଖି ସାରିଲିଣି ଯେ, ତୁମ ମୁଣ୍ଡରେ ବି ‘କ’ ଲାଗିଛି । ତେଣୁ ତୁମେ ବି ଏହି ‘କ’ ବାଲିଙ୍କ ପାଖରେ ବସ । ମୋ କଥା ନମାନି ତୁମେ ଅନ୍ୟଆଡେ ଗୋଡ ବଢାଇଲେ ମୁଁ ବି ତୁମକୁ ବାନ୍ଧିପକାଇବି ।

ଗୀତା କିଶୋରର ଏହି କଥା ଶୁଣି ବଡ ଆଶ୍ଚର୍ଯ୍ୟ ହୋଇ ବନଲତାକୁ ପଚାରିଲା – “ଏ ଲୋକଟାତ ବଡ ଅଭଦ୍ର ପରି ଜଣାପଡୁଛି । ସେ କିଏ ମ?

ବନଲତା ଗୀତାର କଥା ଶୁଣି କହିଲା – ମୋତେ ବି ତ ଠିକ୍ ସେହିପରି ଲାଗୁଛି । ପ୍ରକୃତରେ ଏ ଲୋକଟା କିଏ? ତା’ ଘର କେଉଁଠି, କ’ଣ ବା କହୁଛି ସେ, ତା କଥା ତ ମୁଁ କିଛି ହେଲେ ବି ବୁଝି ପାରୁନି । କାଳେ ସେ ପାଗଳ ହୋଇଥିବ, ମାରଧର କରିବ, ଏହି ଡରରେ ମୁଁ ତା ସବୁ କଥା ମାନି ଏଠି ବସିଲି । …… ତା କଥାରୁ ତ ମୁଁ କିଛି ବି ବୁଝି ପାରୁନି, ସେ ଖାଲି କହୁଛି – କ ବ ଚ ।

ସେ ଦୁହିଁଙ୍କ କଥା ଶୁଣି କିଶୋର ପ୍ରତାପ ଟିକେ ହସିଦେଲା  । ତାପରେ ସେ କହିଲା – “ଏହିକ୍ଷଣି ତୁମେ ସିନା କିଛି ବୁଝି ପାରି ନାହଁ, ଆଉ ଯୋଡିଏ ‘କ’ ମୁଣ୍ଡୀ ଆସି ତୁମ ସଙ୍ଗେ ମିଶି ଗଲେ ତୁମେ ଠିକ୍ ଭାବରେ ବୁଝି ପାରିବ ତ?”

ସଖୀ ଦୁହେଁ ଅବାକ୍ ହୋଇ ପଚାରିଲେ – “ଏହି କ ମୁଣ୍ଡୀ କଥାଟା ପ୍ରକୃତରେ କ’ଣ?

କିଶୋର ପ୍ରତାପ ହସି ହସି ଏଥର ବଡ ପାଟିରେ କହିବାକୁ ଲାଗିଲା…


ଗପ ସାରଣୀ

ତାଲିକାଭୁକ୍ତ ଗପ