ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

ବାମଦେବ ବାବା ସମସ୍ତଙ୍କୁ ଆଶୀର୍ବାଦ ଜଣାଇ ନିଜ ପାଦୁକା ମନ୍ତ୍ର ବଳରେ ସାରା ନଅର ଓ ରାଜ୍ୟ ବୁଲି ଖବର ଏବଂ ମନ୍ତ୍ର ବଳରେ ସବୁ ରଜା ମାନଙ୍କୁ ଉଡାଇ ଆଣିଲେ ସେହି ଗୋଦାବରୀ ନଦୀ ତୀରକୁ । ସେହି ରାଜକନ୍ୟା ମାନଙ୍କର ବିଭାଘର ହେଲା । କିଶୋର ପ୍ରତାପର ଆଉ ଏତେ ପ୍ରଶଂସା ମୁଣ୍ଡାଇବାକୁ କ୍ଷମତା ପାଇଲାନି । ବାମଦେବ ବାବା ହେଲେ ଘଟକ । ସେହି ଝିଅ ମାନଙ୍କୁ ଦେଖି ରାଣୀ ଓ ରାଜାମାନେ ଅତ୍ୟନ୍ତ ଆନନ୍ଦ ହେଲେ । ତାପରେ ମନଲାଖି ଜୋଇଁ । ଏଭଳି ଭାଗ୍ୟ ଖୋଜିଲେ ବି ସହଜେ ମିଳେନି । ଆଠ ରଜାଯାକ ନିଜ ଝିଅ ଜ୍ୱାଇଁ ଓ ପୁଅ ବୋହୁ ପାଇ ଯେତେ ଖୁସି ହେଲେନି ସେତେ ଖୁସି ହେଲେ ଢେଙ୍କାନାଳ ରଜା । କାହିଁକି ନା ତାଙ୍କ ପୁଅ କିଶୋର ପ୍ରତାପ ଏଡେ ବଡ ବିଚ୍ଛେଦ କଥାଟାକୁ ସମାଧାନ କରାଇ ପାରିଛି । ଏହି ତାଙ୍କର ଯଥେଷ୍ଟ ।

                ପ୍ରବୀର ଓ ତା’ର ଦଳବଳଙ୍କ ଅନ୍ୟାୟ ଅତ୍ୟାଚାର ବିଚାରରେ ଆସି ଆଦେଶ ହେଲା ଶୂଳୀ ଦଣ୍ଡ । କୁଜଙ୍ଗଠାରେ ସେମାନେ ସମସ୍ତେ ଶୂଳୀ ପାଇଲେ । ଏଣେ ମନଲାଖି ବର ଓ ମନଲାଖି ଘର ପାଇ ଗୀତା, ବନଲତା, ନନ୍ଦିତା ଓ ପୁଷ୍ପା କୁମାରୀ ଖୁବ୍ ଆନନ୍ଦରେ ମସଗୁଲ୍ ହୋଇଗଲେ । ଏବେ ଆଉ କାହାଣୀକାରକୁ ପଚାରେ ବା କିଏ? ତା ମୁଣ୍ଡ ଗରମ ହୋଇଯିବାରୁ……. …. ସେ କହିଲା –

                ଏକଥା ଗଲା ଏଇଠି ସରି କଖାରୁ ଧଇଲା ବସି

                ବିଲୁଆ ନନାଟି ବାହା ହେଉଥିଲା କିଆଘୋଡି ପରେ ବସି ।

                ହୁଳହୁଳି ଦେଇ କୋକୀ ଭାରିଯା ପଶି ଯାଉଥିଲା ଗାତେ

                ପୂରୁବ ଦିଗରୁ ପ୍ରକାଶିଲା ଚାନ୍ଦ ବାଙ୍କ ଚୂଡୀ ପିନ୍ଧି ହାତେ ।

ରମା ବୋଉ କଲା ମଙ୍ଗଳବାର

ଶାମା କଲା କଲିକତାରୁ ତାର

କଟକେ ଲାଗିଛି ଗୋଳ

ଗୁଲିଖାଇ ଟୋକା ହେଲାଣି ଅଭେକା

ଖାଲି ତ ନିଶାରେ ଭୋଳ ।

ଓଡିଆ ଦେଶର ଓଡିଆ ପୁଅ

ଖଣ୍ଡାଧାରେ ବାହି ରକତ ସୁଅ ।

ହାତେ ଧରି ଜୟ ନିଶାଣଚାଣ୍ଡେ

ଚାଲୁଥିଲା ଯେବେ ଓଡିଆ ଦାଣ୍ଡେ ।

ଏ ବାରବାଟି ବୀର ମାଟି

କମ୍ପି ଉଠୁଥିଲା ଦଲ ଦଲ ହୋଇ

ଶତ୍ରୁ ପଡୁଥିଲେ ଫାଟି ।

ଏକ, ଦୁଇ, ତିନି, ଚାଆରି ଗଲା

ପାଂଚ ପାଇଁ ପାଂଚି କରିବା ସଲା ।

ରାଜକୁମାରୀଙ୍କ ବିଚିତ୍ର କଥା

ଶୁଣି ଶୁଣି ଯିବ ମନରୁ ବ୍ୟଥା ମୋ

ପାଠକ ପାଠିକାମାନେ ।

ଜୟ ଜଗନ୍ନାଥ ନୀଳାଦ୍ରି ନାଥଙ୍କୁ

ଡାକ ଭକ୍ତି ତାନ ମାନେ ।

ସୁଚିତ୍ରା କୁମାରୀ ଓ କଢଙ୍ଗ କୁମାରୀ କାହାଣୀ

ଓଡିଶା ପ୍ରଦେଶରେ ଅନୁଗୁଳ ବୋଲି ଗୋଟିଏ ରାଜ୍ୟ । ଧନ ଜନ ଗୋପଲକ୍ଷ୍ମୀରେ ଖାଲି ହସି ଉଠୁ ଥାଏ ସେହି ରାଜ୍ୟ । ସେ ରାଜ୍ୟର ରାଜାଙ୍କ ନାମ ଦିବ୍ୟସିଂହ ଜଗଦେବ । ତାଙ୍କ ମନ୍ତ୍ରୀଙ୍କ ନାମ ମନୋହର ସିଂହ । ରାଜା ଓ ମନ୍ତ୍ରୀ ଦୁହିଁଙ୍କର ମନଟା ଭଲ ମିଳେ । ସବୁ କଥାକୁ ଠିକ୍ ଭାବରେ ବୁଝି ସୁଝି ସେମାନେ ଦୁହେଁ ତାଙ୍କ ରାଜ୍ୟ ଶାସନ କରନ୍ତି । ପ୍ରଜାପାଟକର କିଛିବି ଅସୁବିଧା ପଡିଲେ ସେ ରାଜା ଓ ମନ୍ତ୍ରୀ ଦୁହେଁ ହଠାତ୍ ଦଉଡି ଯାଆନ୍ତି ତାଙ୍କ ପ୍ରଜାମାନଙ୍କୁ ଦେଖିବାକୁ । ସେ ରାଜା ଓ ତାଙ୍କ ମନ୍ତ୍ରୀ ଦୁହେଁ ଖୁବ୍ ନ୍ୟାୟବାନ୍, ଧାର୍ମିକ, ପରଦୁଃଖକାତର, ପ୍ରଜାବତ୍ସଳ ହେତୁ ଲୋକେ କେବଳ ତାଙ୍କର ହିଁ ଦିନରାତି ସବୁବେଳେ ଯଶ ଗାଉଥାନ୍ତି ।

ସେହି ଧର୍ମଶୀଳ ମହାରାଜଙ୍କର ଥିଲେ ଚାରି ପୁଅ । ସେମାନେ ସମସ୍ତେ ଏକୁ ଏକ ବଳିଷ୍ଠ, ବୁଦ୍ଧିମାନ ଏବଂ ବିଦ୍ୱାନ ମଧ୍ୟ । କେବଳ ଝିଅଟିଏ ନ ଥାଏ ବୋଲି ସେହି ରାଣୀଙ୍କ ମନ ଯମାରୁ ଭଲ ରହେନି । ସେ ସବୁବେଳେ ଭାବନ୍ତି ତାଙ୍କର ଝିଅଟିଏ ହେବା ପାଇଁ । ତେଣୁ ସେ ନୀତି ଦିଅଁ ଦେବତାଙ୍କୁ ଖାଲି ଡାକନ୍ତି । ସମସ୍ତ ପ୍ରକାର ଓଷା, ପୁନେଇ, ବାରବ୍ରତ କରନ୍ତି ସେହି ରାଣୀ ଜଣକ । ଅତିଥି, ଅଭ୍ୟାଗତ, ଯୋଗୀ, ଭିକାରୀଙ୍କୁ ସେହି ରାଣୀ ପେଟ ପୁରାଇ ସବୁ କିଛି ଦିଆ ନିଆ କରନ୍ତି । ଯେତେ ଯାହା କଲେ ବି ସେହି ରାଣୀଙ୍କର ମନବାଂଛା ଆଦୌ ସିଦ୍ଧି ହୁଏନି ।

ସେହି ରାଣୀଙ୍କ ମନର ଗତିକୁ ଅନୁମାନ କରି ରାଜା ଦିନେ ଏକାନ୍ତରେ ତାଙ୍କୁ ପଚାରିଲେ, ସତ କହିବ ରାଣୀ! ତୁମର ଏଠାରେ କ’ଣ କିଛି ଅଭାବ ହେଉଛି ବୋଲି ତୁମେ ଦିନକୁ ଦିନ ଚିନ୍ତାର୍ଥିନୀ ହୋଇ ପଡୁଛ?


ଗପ ସାରଣୀ

ତାଲିକାଭୁକ୍ତ ଗପ