ରାଣୀ ମଧ୍ୟ ସଙ୍ଗେ ସଙ୍ଗେ ରାଜାଙ୍କ କଥା ଶୁଣି କହିଲେ – “ରାଜପୁରରେ ତ ସର୍ବେସର୍ବା ହେଉଛି ମୁଁ । ସେଠାରେ ତ ସମସ୍ତେ ସବୁ କଥାରେ କେବଳ ମୋ ହାତକୁ ଅନାଇ ରହିଛନ୍ତି । ଦିନଟାଏ ଯେବେ ମୁଁ ପଡି କି ପାଂଚଣ କିଛିବି ନ ଦେବି, ତେବେ ସେଦିନ ଜାଣ ସମସ୍ତେ ଖାଡାଖାଡା ଉପବାସରେ ରହିଯିବେ । ତୁମେ ଜଣେ ରାଜା ହୋଇଥିଲେ ମଧ୍ୟ କାହିଁ କୌଣସି ଦିନ ତ ମୋତେ କୌଣସି କଥାରେ କେବେବି କଟକଣା କରିନାହଁ । ମୁଁ ମୋ ମନଇଚ୍ଛାରେ ଯେତେ ଯାହା ଖର୍ଚ୍ଚ କଲେ ମଧ୍ୟ, କାହିଁକି ଏତେ ଖର୍ଚ୍ଚ କରୁଛ ବୋଲି ବି କେବେ ତ ତୁମେ ମୋତେ ମନା କରି ନାହଁ, ତେବେ ମୋର ପୁଣି ଅଭାବ ହେବ କାହିଁକି?
ରାଜା ପୁନଶ୍ଚ ପଚାରିଲେ – “ତେବେ ତୁମର ଦୁଃଖିତ ହେବାର ଅର୍ଥ କ’ଣ?”
ତହୁଁ ରାଣୀ କହିଲେ – “ମହାରାଜ! ଭଗବାନ ତ ଆମକୁ ପୁଅ ପାତି ଯାହା ଦେବାର ଦେଲେ । ଧନ ସମ୍ପତ୍ତି ଓ କ୍ଷମତାର ବି କୌଣସି ଅଭାବ ନାହିଁ । କେବଳ ଗୋଟିଏ ଝିଅ ନଦେବାରୁ ମୋ ମନରେ ଟିକେ ଦୁଃଖ ରହି ଯାଇଛି । ମୁଁ ଯେତେ ଚେଷ୍ଟା କରୁଛି, ସେ ଦୁଃଖକୁ ପାଶୋରି ଦେବାକୁ, ହେଲେ ମୁଁ ଆଉ ମୋଟେ ପାରୁନି । ଏହି କାରଣରୁ ବେଳେବେଳେ ଭାବୁଛି ଯେ ମୁଁ ମୋ ଜୀବନଟା ହରେଇଦେବି ବୋଲି ।
ରାଣୀଙ୍କ ଏପରି କଥା ଶୁଣି ରଜା କହିଲେ – “ବୁଝିଲ ରାଣୀ! ଆମ ଭାଗ୍ୟରେ କନ୍ୟାରତ୍ନ ନାହିଁ ବୋଲି ଏ ପର୍ଯ୍ୟନ୍ତ ବିଧାତାର ଆମ ପ୍ରତି ଟିକିଏ ବି ଦୟା ହେଲା ନାହିଁ । ଯଦି ତୁମ ମନଟା ଅବୋଧ ହେଉଛି, ତେବେ ଚାଲ, ଆମେ ଆଉ ଥରଟାଏ ଚେଷ୍ଟା କରିବା ।
ରାଣୀ ରାଜାଙ୍କୁ ପଚାରିଲେ – ତେବେ ଆମେ ଏବେ କେଉଁଠାକୁ ଯିବା?
ରାଜା କହିଲେ – “ନିବିଡ ଜଙ୍ଗଲକୁ ଯାଇ ଆମେ ଦିହେଁ ସେଠାରେ ହବିଷ ଖାଇ ଏକୋଇଶ ଦିନିଆ ଗୋଟିଏ ବ୍ରତ କରିବା । ସେ ବ୍ରତରେ ବ୍ରାହ୍ମଣ ଜଣେ ବରଣ ରହିବେ । ସେଠାରେ ମଧ୍ୟ ଶିବ ଲିଙ୍ଗ ଓ ପାର୍ବତୀଙ୍କ ମୂର୍ତ୍ତି ସ୍ଥାପନ ହେବ । ସମସ୍ତ ବିଧିବିଧାନରେ ପୂଜା ପାଠ କରୁ କରୁ ଆମ ଭାଗ୍ୟରେ ଯାହା ଥିବ, ତା’ ହେବ ।”
ରାଜାଙ୍କ କଥାଟାରେ ରାଣୀଙ୍କ ମନ ମାନି ଯିବାରୁ ସେ ସଙ୍ଗେ ସଙ୍ଗେ ରାଜାଙ୍କୁ କହିଲେ – ତେବେ ତ ଆମକୁ ସବୁକିଛି ଶୀଘ୍ର ଶୀଘ୍ର ଯୋଗାଡ କରିବାକୁ ହେବ । ରାଜା ମଧ୍ୟ ଯାଇ ତୁରନ୍ତ ମନ୍ତ୍ରୀଙ୍କୁ ଏହି ସମ୍ବାଦ ଜଣାଇ ଦେଲେ । ମନ୍ତ୍ରୀ ଯାଇ କର୍ମଚାରୀମାନଙ୍କୁ ବରାଦ କରି ଦେବାରୁ କର୍ମଚାରୀ ମାନେ ମଧ୍ୟ ସେହି କ୍ଷଣି ଗାଡି, ଶଗଡରେ ଲଦା ହୋଇ ସମସ୍ତ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ, ଗଉଟୀଘର ନାଳିଘର ହେବା ପାଇଁ ଇତ୍ୟାଦି ସରଞ୍ଜାମ ବୁହା ହେଲା ବଣକୁ । ଲୋକବାକ ଲାଗି ଦିନ ଚାରିଟାରେ ସବୁ କାର୍ଯ୍ୟ ଠିକ୍ ଠାକ୍ କରି ଦେବାରୁ ରାଜା ରାଣୀ, ବ୍ରାହ୍ମଣ ଓ କେତେକ ଦାସଦାସୀ ଯାଇ ପହଁଚି ଗଲେ ସେହି ବଣରେ । ତାପରେ ଯାଇ ଏକୋଇଶି ଦିନିଆ ବ୍ରତ ଆରମ୍ଭ ହେଲା ।
ପର୍ବତ ଦେହରେ ପଥର କଟା ହୋଇ ଶିବ ପାର୍ବତୀଙ୍କ ମନ୍ଦିର ତ ଖୋଳା ହୋଇଥାଏ । ସେଥିରେ ସ୍ଥାପନ ହୋଇଥାନ୍ତି ଶିବ ଓ ପାର୍ବତୀଙ୍କ ମୂର୍ତ୍ତିମାନ । ସେହି ମୂର୍ତ୍ତିମାନଙ୍କ ପାଖରେ ଏକ ଅଖଣ୍ଡ ଦୀପ ମଧ୍ୟ ଜଳୁଥାଏ । ରାଣୀ ଯାଇ ନିରୋଳାରେ ଧ୍ୟାନ କରି ବସନ୍ତି । ଏଣେ ରାଜା ତ ଥାଆନ୍ତି ପୁରୋହିତଙ୍କ ପାଖରେ ।
ଦୀର୍ଘ ପନ୍ଦର ଦିନ ପରେ ରାଣୀ ନିଜ ଧ୍ୟାନ ସାରି ନମସ୍କାର କରୁଛନ୍ତି, ହଠାତ୍ ଏହି ସମୟରେ ତାଙ୍କ ମୁଣ୍ଡ ଉପରେ ମେଁଚାଏ ଫୁଲ ପଡିଗଲା । କ’ଣ କ’ଣ ବୋଲି ସେ ରାଣୀ ଅଣ୍ଡାଳି ଦେଖିଲେ ଫୁଲ ଗୁଡିଏ । ସେହି ଫୁଲ ଗୁଡିକୁ ନିଜ କାନିରେ ବାନ୍ଧି ଦେଇ ରାଣୀ ବାହାରିଲେ ତାଙ୍କ ଗଉଟୀକୁ । ଠିକ୍ ଏତିକି ବେଳେ ହଠାତ୍ ସେ ଏକ ଶୂନ୍ୟବାଣୀ ଶୁଣିବାକୁ ପାଇଲେ । ତେଣୁ ରାଣୀଙ୍କର ଦଣ୍ଡକ ପାଇଁ ପାଦ ଯୋଡାକ ଅଟକି ରହିଲା ସେଇଠି ।
ସେ ମନ୍ଦିର ଓ ପର୍ବତର ଚାରିଆଡେ ନିଶୂନ । ତଥାପି କିଏ ଜଣେ ରାଣୀଙ୍କୁ କହୁଥାନ୍ତି ଅତି ଗମ୍ଭୀର ସ୍ୱରରେ – ଶୁଣ ମହାରାଣୀ! ଷଷ୍ଠୀ ଦେବୀ ତ ତୁମ ଭାଗ୍ୟରେ ଝିଅ ଲେଖି ନାହିଁ । ତଥାପି ତୁମେ ଅଳି କରିବାରୁ ଶିବ ତୁମକୁ ଝିଅଟିଏ ପ୍ରଦାନ କରିବେ । କିନ୍ତୁ ଦୁଃଖର କଥା ଏହିକି ଯେ, ସେ ଝିଅଟି ଜନ୍ମ ହେବାର ଠିକ୍ ସାତ ଦିନ ପରେ ହିଁ ସେ ମରିଯିବ । ସେଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ତୁମେ ତୁମ ଝିଅର ଶବଟାକୁ ନେଇ ପକାଇଦେବ ମଶାଣୀରେ । ସ୍ୱୟଂ ଶିବ ଆସି ହିଁ ତାକୁ ରକ୍ଷା କରିବେ । କନ୍ୟାଟି ଚିହ୍ନଟ ହେବାକୁ ତା ମୁଣ୍ଡରେ ଥିବ ଗୋଟିଏ ଅର୍ଦ୍ଧ ଚନ୍ଦ୍ର ଚିହ୍ନ । ଚଉଦବର୍ଷ ପରେ ଯାଇ ତୁମେ ପୁଣି ତୁମର ସେହି କନ୍ୟାକୁ ଫେରି ପାଇବ ।
ଏହି କଥା ଶୁଣି ରାଣୀ ହଠାତ୍ ଦଣ୍ଡକ ପାଇଁ ସେହିଠାରେ ହିଁ ଜଡ ପାଲଟି ଗଲେ । ତାଙ୍କ ମୁଣ୍ଡ ଭିତରଟା ମଧ୍ୟ ଗୋଳମାଳ ହୋଇଗଲା । ଏ ତ ବଡ ଆଚମ୍ବିତ କଥା । ଏପରି କଥା ତ ଶୁଣିଲେ ବି କେହି ବିଶ୍ୱାସ କରିବେନି । ବରଂ ସମସ୍ତେ କହିବେ ଯେ, ଏହି ରାଣୀଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ଯାଇଛି । ମଲାପିଲା ପୁଣି ବଂଚିବ । ପୁଣି ଶିବ ନିଜେ ତାକୁ ପାଳିବେ ଦୀର୍ଘ ଚଉଦ ବର୍ଷକାଳ । ସେ କେଉଁଠି ରହିବ, କ’ଣ କରିବ, ତା’ର ତ କିଛି ଠିକ୍ ଠିକଣା ନାହିଁ । ତା’ପରେ ମୁଁ ପୁଣି ତାକୁ ଦୀର୍ଘ ଚଉଦ ବର୍ଷ ପରେ ଫେରି ପାଇବି । ଏ କଥା କ’ଣ କେବେ କାହାର ବିଶ୍ୱାସକୁ ପାଇବ? ରାଣୀ ଶେଷରେ ଏହି ନିଷ୍ପତି ନେଲେ ଯେ ଯାହା ବି ହେଇଯାଉ ପଛକେ ମୋତେତ ଦେବତାର ଆଦେଶ ନିଶ୍ଚେ ପାଳିବାକୁ ହେବ । ଏହି କଥା ଭାବି ଭାବି ରାଣୀ ତୁରନ୍ତ ଫେରିଗଲେ ତାଙ୍କ ଗଉଟୀକୁ ।
ସାରାଦିନ ଗଲା, ସେ ବିଷୟରେ ରାଜାରାଣୀ କିଛିବି କଥାବାର୍ତ୍ତା ହୋଇପାରି ନଥିଲେ । ରାତିରେ ସମସ୍ତ କାମ ଦାମ ଶେଷ କରି ଠିକ୍ ଶୋଇବାବେଳେ ରାଣୀ କହିଲେ ମହାରାଜ! ଏଣିକି ନଅରକୁ ଫେରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରନ୍ତୁ । ପ୍ରଭୁଙ୍କର ଆଦେଶ ହୋଇଛି।
ରାଜା ଅତି ଉତ୍କଣ୍ଠାର ସହିତ ପଚାରିଲେ – “କ’ଣ ଆଦେଶ ହେଲା?”
ରାଣୀ ଯାହା ଜାଣିଥିଲେ ସେ ସବୁ କଥା ରାଜାଙ୍କୁ ଟକିନିଖି କରି କହିଲେ । ଏହି ସବୁ କଥା ଶୁଣିକରି ରାଜାଙ୍କ ମନରେ ଅତ୍ୟନ୍ତ ଦୁଃଖ ଆସିଲା । ରାଜା କହିଲେ ନ ଦେଇଥିଲେ ନାହିଁ । ଦେଇକରି ପୁଣି ଗୁଡାଏ ମନସ୍ତାପରେ ପକାଇବା ପ୍ରଭୁଙ୍କର କିଛି ଭଲ ହେଲାନି । ହେଲେ ଏବେ ସେଥିପାଇଁ ଆମର ଚାରା ବା କ’ଣ? ପ୍ରଭୁ ସେ, ଯାହା ଆଜ୍ଞା ଦେଲେ ତାକୁ ତ ଖଣ୍ଡନ କରିବାର ଶକ୍ତି କୌଣସି ମନୁଷ୍ୟର ଆଦୌ ନାହିଁ । ଏହିପରି କଥାବାର୍ତ୍ତା ହୋଇ ସେମାନେ ଶୋଇଲେ ସିନା, ହେଲେ ସେମାନଙ୍କ ଆଖିକୁ ନିଦ ଯମାରୁ ଆସିଲାନି । ନାନାଆଡୁ ନାନା କଥା ଆସି ସେମାନଙ୍କ ମନ ଭିତରେ ଛାୟା ସୃଷ୍ଟି କଲା । ପରଦିନ ସକାଳ ହେବାରୁ ସେମାନେ ସେହି ଧର୍ମ କାର୍ଯ୍ୟର ପୂର୍ଣ୍ଣାହୁତି ଦେଇ ଫେରିଗଲେ ନିଜ ନଅରକୁ ।
ଯଥା ସମୟରେ ସେହି ରାଜପୁର ଆଲୋକିତ କରି ସେଠାରେ ଜନ୍ମ ହେଲା ଗୋଟିଏ ଝିଅ । ସେ ଝିଅଟି ବି ଦେଖିବାକୁ ଠିକ୍ ଦେବକନ୍ୟା ପରି । ତାର ମୁଣ୍ଡ ଉପରେ ମଧ୍ୟ ଥାଏ ସେହି ଅର୍ଦ୍ଧ ଚନ୍ଦ୍ର ରେଖା । ଝିଅଟି ଜନ୍ମ ହୋଇ କୁଆଁ କୁଆଁ ରାବ ଦେଲାବେଳେ ଲୋକେ ଭ୍ରମ ହୋଇ କେବଳ ଶୁଣିବାକୁ ଦଉଡିଲେ । କିଏ କହିଲା ଅଦିନରେ କୋଇଲି ରାବିଲା କେଉଁଠି? ପୁଣି କିଏ କହିଲା ଦେବକନ୍ୟାମାନେ ଆସି ସେମାନଙ୍କ ବୀଣାରେ ମୂର୍ଚ୍ଛନା ଦେଉଛନ୍ତି । ଏହିପରି ଭାବେ ଲୋକମାନେ ନାନା କଥା କୁହାକୁହି ହେଲେ ।
ସେହି ନଅରର ସମସ୍ତ ଦାସ ଦାସୀମାନେ ନୂଆ ଝିଅ ହୋଇଛି ବୋଲି ଆନନ୍ଦ ହେଉଥାନ୍ତି ସିନା, ମାତ୍ର ରାଣୀଙ୍କ ମନରେ ସୁଖ ଆଦୌ ନଥାଏ । ସବୁବେଳେ ସେ କେବଳ ତାଙ୍କ ଆଖିରୁ ଲୁହ ଗଡାଇ କାନ୍ଦୁଥାନ୍ତି । କେହି ଏ ବିଷୟରେ ରାଣୀଙ୍କୁ ପଚାରିଲେ ରାଣୀ କହନ୍ତି – ମନଟା ମୋର ଟିକେ ଖରାପ ଲାଗିଲା, ତ ତେଣୁ ମୁଁ କାନ୍ଦୁଛି । ବିଧାତା ତ ଏମିତିରେ ବି ଅନେକ ଦିନଯାଏଁ ମୋତେ କନ୍ଦାଇବ ବୋଲି ମୋ ଭାଗ୍ୟରେ ଲେଖିଛି । ଏବେ ମୁଁ ନିଜେ କାନ୍ଦିବିନି ତ ମୋ ପାଇଁ ଆଉ କାନ୍ଦିବ କିଏ?
ରାଣୀଙ୍କ ମୁଖରୁ ଏ କଥାଟା ଯିଏ ଶୁଣେ, ସିଏ ଖାଲି ଅଶ୍ଚର୍ଯ୍ୟ ହୁଏ । କହେ ରାଣୀଙ୍କର ପୁଣି ଅସୁବିଧା କ’ଣ ଯେ ସେ ଏତେ କାନ୍ଦୁଛନ୍ତି ମ? ତାଙ୍କର ତ ନୂଆ ଝିଅ ହୋଇଛି । ଏଣେ ଆମମାନଙ୍କ ମନରେ ତ ପ୍ରଚୁର ଖୁସି । ପ୍ରଜାମାନେ ତ କେବଳ ଅନେଇ ବସିଛନ୍ତି ସେହି ରାଜକନ୍ୟାର ବାରଗତ ଏକୋଇଶାରେ ପେଟ ମନ ପୂରାଇ ଖାଇବେ, ଓ ନିଜ ନିଜ ଘରକୁ ମଧ୍ୟ ନେବେ । ଏଭଳି ଆନନ୍ଦ ଦିନରେ ତାଙ୍କର ପୁଣି ଏପରି ବିପରୀତ ଭାବ କାହିଁକି?
ଏମିତି ଏମିତି ଦୁଃଖ ସୁଖ ଭିତରେ ଛଅ ଦିନ ଚାଲି ଗଲା । ସାତଦିନର ସକାଳ ହେଲା ମାତ୍ରେ ସେହି ଝିଅଟି ବିନା ରୋଗ ବିନା ଯନ୍ତ୍ରଣାରେ ଆଖି ବୁଜିଦେଲା ଚିରଦିନ ପାଇଁ । ଏହି ସମ୍ବାଦ ପ୍ରଚାର ହୋଇଯିବା ପରେ ସାରା ନଗରୀରେ କେବଳ ଦୁଃଖ ଓ ଶୋକର ଝରଣା ବୋହିଲା । ରାଜା ଏହି ସମ୍ବାଦ ଶୁଣିବା ମାତ୍ରେ କାଷ୍ଠ ପ୍ରତିମା ପରି ସେ କେବଳ ବସି ରହିଲେ । ଯାହାହେଉ ଦେବତାଙ୍କ ଆଦେଶ କଥା ମନେ ପକାଇ ପୁଣି ସେ ଆଶ୍ୱସ୍ତ ମଧ୍ୟ ହେଲେ । ଯେଉଁମାନେ ସେହି ପିଲାଟିର ଶବଟା ନେଲେ ଫିଙ୍ଗିବାକୁ, ସେମାନଙ୍କ ପ୍ରତି ରାଜାଙ୍କର ଏହି ଆଦେଶ ଥିଲା ଯେ ପୁରୁଷେ ଗାତ ଖୋଳି ସେହି ଶବଟିକୁ ପୋତି ପକାଇବାକୁ ହେବ । ସେମାନେ ମଧ୍ୟ ରାଜାଙ୍କ ଆଦେଶ ଅନୁସାରେ ସବୁ କାମ କରିଦେଇ ଆସିଲେ ।