ଗୋଟିଏ ବିଲୁଆ ସାରାଦିନ ପରିଶ୍ରମ କରି ଗାତରୁ ମାଟି ଖୋଳିଲା । ତଥାପି ସେ ପିଲାଟି ଯମା ବାହାରିଲାନି । ସଂନ୍ଧ୍ୟାବେଳକୁ ଯାଇ ସେହି ବିଲୁଆକୁ ପୁଣି ଭୋକ ଲାଗିଲା । ତେଣୁ ସେ ଦଣ୍ଡକ ପାଇଁ ଗୋଟିଏ ପୋଖରୀ କୂଳକୁ ଯାଇ କଙ୍କଡା ଗାତରେ ପୂରାଇ ଦେଲା ନିଜ ଲାଙ୍ଗୁଡ । ରଡ ମଡ କଡ କଡ କରି ଚୋବାଇ ମୁନ୍ଦାଏ ପାଣି ପାଇଲା । ତା’ପରେ ସେ ପୁଣି ଗଲା ଗାତ ଖୋଳିବାକୁ । ଖୋଳାଖୋଳି କରି ସାରି ସେହି ମଲା ପିଲାଟିକି ଉପରକୁ ଆଣିଲା ବେଳକୁ ରାତି ହେଉଛି ଠିକ୍ ଅଧା ।
ସେହି ଛନଛନିଆ କଅଁଳା ପିଲାଟିକୁ ଦେଖି ତାକୁ ଖାଇ ଦେବାକୁ ବିଲୁଆ ପାଟିରୁ କେବଳ ଲାଳ ପଡୁଥାଏ । ଏଣେ ବିଲୁଆର ପୁଣି ଭାରି ମନ ହେଉଥାଏ ସେହି ପିଲାଟିର ସୁନ୍ଦର ଚେହେରାଟା ଥରେ ମନଭରି ଦେଖିବାକୁ । ବିଲୁଆ ପଶୁ ଜୀବ ହେଲେ କ’ଣ ହେଲା, ତାର ବି ତ ପୁଣି ଗୋଟିଏ ମନ ଅଛି ।
ଏମିତିକାରେ ନାନା କଥା ହେଉ ହେଉ, ହଠାତ୍ ତା କପାଳ ଉପରେ ଝଡ ଉଠିଲା । ହଠାତ୍ କିଆବୁଦା ଆରପଟୁ ବାହାରିଲା ଗୋଟିଏ କାଳି ଭୂଷଣ୍ଡୀ ଝୁରୁ ଝୁରୁମୁଣ୍ଡୀ, କାଳୀ, ହୁଣ୍ଡୀ, ଦୁର୍ଦ୍ଦଣ୍ଡୀ, ମଶାଣୀଚଣ୍ଡୀ ନ ହେଲେ କାଳତୁଣ୍ଡୀ ଡାହାଣୀ । ସେ ପୁଣି ତା କାଖରେ ଜାକି ଧରିଥାଏ ଖଣ୍ଡା ଭଳିଆ ଗୋଟିଏ ପନିକୀ । ସେ କେବଳ ହସୁଥାଏ, ନାଚୁଥାଏ ଏବଂ ନିଜ ହାତ ଆଙ୍ଗୁଠିରେ ଟକ ଟକ କରି ଟିପା ମାରୁଥାଏ । ସେ ମଧ୍ୟ ବେଳେବେଳେ କିଳିକିଳା ରଡି ବି ଛାଡୁ ଥାଏ । ସେ ଡାହାଣୀ ଆସିଲା ମାତ୍ରେ ବିଲୁଆକୁ ହୁରାଡି ଦେଇ ସେହି ମଲା ପିଲାଟିକୁ ଟେକି ଆଣିଲା ନିଜ କୋଳକୁ । ସେ ଡାହାଣୀ ଭଲଭାବେ ନିରେକ୍ଷି କରି ସେହି ମଲା ପିଲାଟିର ମୁହଁଟିକି ଦେଖିଲା । ସେହି ମଲା ପିଲାଟିର ଦେହ ମୁଣ୍ଡରୁ ମାଟିଯାକ ପୋଛା ପୋଛି କରି ତାକୁ ସଫା କରି ତାର ଛୋଟ ଛୋଟ ଗାଲ ଦୁଇଟିରେ ଅସଂଖ୍ୟ ବୋକ ଦେଲା । ଏଣେ ସେ ଡାହାଣୀ ତ କିଛି ଗୋଟାଏ ଉନ୍ମାଦନାରେ ବିଭ୍ରାନ୍ତ । ତେଣୁ ସେ ଯାକି ଧଇଲା ସେହି ମଲା ପିଲାଟିକୁ ନିଜ କାଖରେ । ତା’ପରେ ସେ ବସିଲା, ମନେକଲା ପନିକୀ ପକାଇ ସେହି ମଲାପିଲାଟିକୁ କାଟିବାକୁ । ଠିକ୍ ଏତିକିବେଳେ ଦିଗନ୍ତ ଆଲୋକ କରି ଜଳି ଉଠିଲା ଗୋଟିଏ ତୋଫା ଆଲୁଅ । ହଠାତ୍ ଶୂନ୍ୟରୁ ଓହ୍ଲାଇ ଆସିଲେ ଜଣେ ଦେବୀ । ସେ ଦେବୀ କହିଲେ – “ସାବଧାନ ଡାହାଣୀ! ତୁ ତା ଦିହରେ ପନିକୀ ଯମା ଲଗାନା । ମୁଁ ତାକୁ ଏବେ ବଂଚାଇ ଦେଉଛି, ତା ପରେ ତୁ ୟାକୁ ନେଇଯା ଆଖପାଖ ଗାଁରେ ଯାହାକୁ ବି ହେଲେ ବିକିଦେବୁ ।”
ଡାହାଣୀ ସେ ଦେବୀଙ୍କ ଠାରୁ ଏହି କଥା ଶୁଣି ଆଉ କିଛି ବି ପାଟିତୁଣ୍ଡ ଫିଟାଇଲାନି । ସେ କେବଳ ସୁନା ବୋହୂଟିଏ ଭଳି ସେହି ଦେବୀଙ୍କୁ ମୁଣ୍ଡିଆଟିଏ ମାରି ହାତ ଯୋଡି ଠିଆ ହେଲେ । ଦେବୀ ସଙ୍ଗେ ସଙ୍ଗେ ସେହି ମଲା ଛୁଆଟା ଉପରେ ସିଂଚିଦେଲେ ସାତ ମୁଠା ଫୁଲ ପାଣି । ସେତିକିରେ ସେ ମଲାପିଲାଟି ମୁହୂର୍ତ୍ତକେ ବଂଚି ଉଠିଲା ଏବଂ ଖାଲି କୁଆଁ କୁଆଁ ହୋଇ କାନ୍ଦିଲା ।
ଦେବୀ ପୁଣି ପଚାରିଲେ ସେହି ଡାହାଣୀକୁ । “ମୋ କଥା ମାନି ତୁ ଏବେ ଏହି ପିଲାଟିକୁ ନେଇ ବିକିବୁ ନା ମୁଁ ଗଲା ପରେ ତୁ ପୁଣି ତାକୁ ପନିକୀ ପକାଇ କାଟି ଖାଇବୁ ।
ଏତିକି କଥା ଶୁଣିବା ମାତ୍ରେ ସେହି ଡାହାଣୀର ଆଖିରୁ ଝରି ପଡିଲା କେବଳ ଦି’ଧାର ଲୁହ । ସେ ହାତ ଯୋଡି କହିଲା – “ମା! ମୁଁ ପ୍ରକୃତି ବଶରୁ ଡାହାଣୀ ହେଲି ବୋଲି ମୋର କ’ଣ ମାତୃହୃଦୟ ବୋଲି କିଛି ନାହିଁ? ତା’ପରେ ତୁମେ ପୁଣି ମୋତେ ଏପରି କଥା କହୁଛ, ତୁମ ଆଜ୍ଞା ଅବଜ୍ଞା କଲେ ମୋର ସ୍ଥାନ ଆଉ ଏ ଦେଶରେ ରହିବ କେଉଁଠି?
ଦେବୀ ପଚାରିଲେ – “ତେବେ କ’ଣ ହେବ ଏ ପିଲାର?”
ଡାହାଣୀ ଦେବୀଙ୍କୁ ଉତ୍ତର ଦେବାକୁ ଯାଇ କହିଲା – ‘ମୁଁ ଏହି ପିଲାଟିକୁ ବିକିବିନି । ଯାହାକୁ ହେଲେ ଜଣକୁ ଦେଇଦେବି ପାଳିବାକୁ ।’
ଡାହାଣୀର ଏପରି କଥା ଶୁଣି ଦେବୀ ତାକୁ ଧନ୍ୟବାଦ ଦେଲେ । ଡାହାଣୀ ମଧ୍ୟ ଅତି ସ୍ନେହରେ ସେହି ପିଲାଟିକୁ ଯାକି ଧରି ବୋକ ଉପରେ ବୋକ ଓଜାଡି ପକାଇଲା । ଦେବୀ ବି ସେ ପିଲାଟିର ପାଟି ମେଲାଇ ଆପଣା ବାଁ ହାତର କାଣୀ ଆଙ୍ଗୁଠି ତା ଜିଭରେ ଲଗାଇ ଦେଇ ତାକୁ କହିଲେ ତୁ ସର୍ବଦା ନିରୋଗା ହୋଇ ବଂଚିରହ ।
ଡାହାଣୀ ଦେବୀଙ୍କୁ ପ୍ରଣାମ ଜଣାଇବା ପରେ କହିଲା – “ମା! ମୁଁ ଏ ପିଲାର ତାଳୁ ଚିରି ତା ଭିତରେ ଡାହାଣୀ କବଚ ଟିକିଏ ପୂରାଇ ଦେଉଛି?”
ଦେବୀ କହିଲେ – “ତୋ ଇଚ୍ଛା । ସେତିକି କହି ସାରିବା ପରେ ଦେବୀ ସେଠାରୁ ସଙ୍ଗେ ସଙ୍ଗେ ଉଭାନ୍ ହୋଇଗଲେ ।”
ସେହି ଡାହାଣୀର ନାମ ଡୋଗରା । ଜାତିରେ ସେ ପୁଣି କନ୍ଧୁଣୀ । ସେ ତା ପୁଅ ଗେରସ୍ତ ଘେନି ଘର କରେ । ପ୍ରଭୁ ତ ତାକୁ ଡାହାଣୀ କଳା ଦେଇ ଜନ୍ମ ଦେଇଛନ୍ତି । ତେଣୁ ତା’ର ତ ଆଉ କିଛି ଚାରା ହିଁ ନାହିଁ । କଥାରେ ଅଛି – ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ । ପ୍ରକୃତିକୁ ଘେନି ତ ଏ ମଣିଷ ବଂଚିଛି । ଏହି ପ୍ରକୃତିକୁ ଘେନି ତ ଦେବତା ରାକ୍ଷସ ବି ପାଲଟୁଛି । ପ୍ରକୃତିକୁ ଛାଡିଦେଲେ ପ୍ରକୃତିଛଡା ହୋଇ ମଣିଷ ଶେଷରେ ମୃତ୍ୟୁର ଶୀତଳ ଆଲିଙ୍ଗନକୁ ଆଶ୍ରା କରୁଛି ।
ପ୍ରକୃତି ଗୃହରୁ ଡୋଗରା ଡାହାଣୀ ଦିନେ ଦିନେ ଆସେ ସେହି ମଶାଣିପଦକୁ ଅକର୍ମ କରେ । ସେ ପୁଣି ସେଠାରେ ଅଖାଦ୍ୟ ବି ଖାଏ । ସେ କଥା କିନ୍ତୁ କେହି ବି ଜାଣି ପାରନ୍ତିନି ।
ପିଲାଟିର ତାଳୁ ଚିରି ତା ଭିତରେ ସେ ଡୋଗରା ଡାହାଣୀ କବଚ ପୂରାଇ ଦେଲା । ପୁଣି ମନ୍ତ୍ର ବଳରେ ପିଲାଟିର ତାଳୁରେ ସୃଷ୍ଟି ହୋଇଥିବା ଘାଆଟି ଶୁଖାଇ ଦେଇ ତାକୁ ନେଇ ସେ ଚାଲିଗଲା ଲୋକାଳୟ ଆଡେ । ଗୋଟିଏ ଛୋଟ ସହରରେ ଜଣେ ଧନୀ ଲୋକ ଥାଏ । ତା’ର ବ୍ୟବସାୟ ବାଣିଜ୍ୟ ବି ଅଛି । ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ଭାରି ଖାତିର କରନ୍ତି । ସେ ଧନୀ ଲୋକଟି ଦୂର ଦେଶମାନଙ୍କୁ ଯାଏ ନିଜର ବୋଇତ ନେଇ । ଜାତି ତା’ର ସୌଦାଗର । ପ୍ରଭୁ ସିନା ତାକୁ ଧନ ସମ୍ପତ୍ତି ଦେବାରେ କୌଣସି ପ୍ରକାର ତୃଟି କରି ନଥିଲେ, ହେଲେ କ’ଣ ହେବ, ତାଙ୍କର କୋଳ ମଣ୍ଡନ କରିବାକୁ ପ୍ରଭୁ ତାଙ୍କୁ ପିଲା ପିଲି କିଛି ଦେଇ ନଥାନ୍ତି । ତେଣୁ ସେ ବର ଓ ଭାରିଯା ଦିହିଙ୍କ ମନରେ ଆଦୌ ଆନନ୍ଦ ନ ଥାଏ । ଏ ଡୋଗରା ବି ବେଳେ ବେଳେ ତା ଘରକୁ ଯାଏ । ଟୋଲ ତେଲ, ମହୁଲ ତେଲ, ଶିଶୁ ତେଲ ବା ବାଦାମ ତେଲ ଇତ୍ୟାଦି ତାଙ୍କୁ ବିକେ । ସୌଦାଗରକୁ ସେ ଝୁଣା, ଲାଖ ଓ ଅଠା ଯୋଗାଏ । ଏହି କାରଣରୁ ଡୋଗରା ସେ ସୌଦାଗରଙ୍କ ସଙ୍ଗେ ଚିହ୍ନା ପରିଚୟ ହୋଇ ତାଙ୍କ ସଙ୍ଗେ ଖୁବ୍ ସଦ୍ଭାବ ଜମାଇ ଦେଇଥାଏ । ଆଜି ଏହି ଝିଅ ପିଲାଟିକି ସେହି ସୌଦାଗରକୁ ହିଁ ଦେବ ବୋଲି ସ୍ଥିର କରି ଶୀଘ୍ର ଶୀଘ୍ର ସେଠାରୁ ଚାଲିଲା ଡୋଗରା ।