ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

ସେତେବେଳେ ତ ସକାଳ ହୋଇ ଆସୁଥାଏ । ସୌଦାଗରର ସ୍ତ୍ରୀ ଉଠି ନିଜ ଘରର ବାରି ଦାଣ୍ଡ ଓଳିଆ ପହଁରା କରୁଛି, ଠିକ୍ ଏତିକିବେଳେ ପିଲାଟି ଘେନି ସେଠାରେ ପହଁଚି ଗଲା ଡୋଗରା । ତା ପରେ ସେ କହିଲା – ଖାଉଁନ୍ଦାଣୀ । ମୁଁ ଆଜି ତୁମ ପାଇଁ ଗୋଟିଏ ଅପୂର୍ବ ଫଳ ଆଣିଛି, ଏହାକୁ ନିଅ ରଖ । ଏ ରାଜାଘର ଝିଅ । ମୁଁ ନିୟମ କରି କହୁଛି ଯେ, ଏ ପିଲାଟି ଛୋଟ ଘର କି ଛୋଟ କୁଳରେ ଆଦୌ ଜନ୍ମ ହୋଇନି । ଏ ଝିଅକୁ ପାଳିଲେ ତୁମର କୁଳ ନିଶ୍ଚୟ ଉଜ୍ଜ୍ୱଳ ହେବ ।

କଥାରେ ଅଛି, ଚକଚକିଆ ପଥର ଖଣ୍ଡେ ପାଇଲେ ବି ରଙ୍କୁଣୀ କହେ ମୁଁ ମହାମାଣିକ ପାଇଲି । ଏ ଝିଅଟିକୁ ଦେଖି ସେ ସୌଦାଗରିଆଣୀ ମଧ୍ୟ ଠିକ୍ ସେହିପରି ଆନନ୍ଦ ହୋଇ ଉଠିଲା । ସୌଦାଗରିଆଣୀ ସେ ଡୋଗରା ହାତରୁ ଝିଅଟିକୁ ନେଇ ଆଗେ ପଳାଇଗଲା ନିଜ ଘରକୁ । ଝିଅଟିକୁ ନିଜ ଘରେ ନେଇ ହିପାଜତରେ ରଖି ସେ ସୌଦାଗରିଆଣୀ ନିଜ ହାତ ବାକ୍ସରୁ ଉଠାଇ ଆଣିଲା ଶହେ ଟଙ୍କା, ଓ ସେହି ଶହେ ଟଙ୍କାକୁ ନେଇ ଗୁଞ୍ଜି ଦେଲା ଡୋଗରା ହତରେ ।

ଡୋଗରା ଶହେ ଟଙ୍କା ଦେଖି ନିଜେ ନିଜ ଜିଭ କାମୁଡି ହାତ ଯୋଡି କହିଲା – “ନାହିଁ ନାହିଁ ସାଆନ୍ତାଣୀ! ମୁଁ ତୁମ ଗୋଡତଳେ ପଡି ନେହୁରା ହେଉଛି, ମୋତେ ତୁମେ ସେ ଦଣ୍ଡରେ ପକାଅନି । ଝିଅଟାଏ ବିକି ମୁଁ ତୁମଠୁ ଟଙ୍କା କେବେବି ନେବିନି । ତୁମେ ଏହି ଝିଅଟିକୁ ରଖି, ସେ ଟଙ୍କାକୁ ଏହି ଝିଅ ପିଛା ଖର୍ଚ୍ଚ କର । ପ୍ରଭୁ ତାକୁ ଆଇଷ ଦିଅନ୍ତୁ । ମୁଁ ଯାଉଛି ଗୋ, ଏବେ ତୁମେ ବି ନିଶ୍ଚିନ୍ତରେ ତୁମ ଘରକୁ ଯାଅ, ଝିଅ ପାଟିରେ ଟିକିଏ ଦୁଧ କି ବାଲି ଦେବ । ତାର ତ ତଂଟିଟା ପୁରାପୁରି ଅଠା ହୋଇ ଯିବଣି ।

ଏପରି କଥା ସେ ଡୋଗରା ଠାରୁ ଶଣି ସୌଦାଗରିଆଣୀ ଗଲା ତା ଘରକୁ । ଏଣେ ଡୋଗରା ବି ଚାଲିଗଲା ନିଜ ବାଟେ ବାଟେ । ପ୍ରଭୁଙ୍କ ଆଦେଶ ସତ କି ମିଛ ବୁଝିବା ପାଇଁ ରଜା ତାପରଦିନ ସକାଳୁ ସକାଳୁ କାହାକୁ କିଛି ନ କହି ବୁଲିଗଲେ ସେ ମଶାଣୀ ଆଡେ । ତାଙ୍କ ଝିଅଟି ତ ଯୁଗ ସାତରେ ପୋତା ହୋଇଥିଲା, ସେ ଗାତ ପାଖରେ ଠିଆହୋଇ ନିଜେ ରଜା ଅନୁମାନ କଲେ । କୁକୁର ବିଲୁଆ ତାଙ୍କ ଝିଅଟିକୁ ଖାଇଥିଲେ ତ ସେଠାରେ ଅବଶ୍ୟ ତାଙ୍କ ଝିଅର ମୁଣ୍ଡ କି ହାତ ଗୋଡର ହାଡ ପଡିଥାନ୍ତା । ଏହା ଭାବି ସେ ରଜା ଆଉ ସବୁ କିଛି ଦେଖିଲେନି । କେବଳ ଏତିକି ଦେଖିଲେ ଯେ ସେ ଗାଡଟି ଖୋଳା ହୋଇଛି ।

ରାଜା ସକାଳୁ ଯାଇ ମଶାଣୀ ପଦାରେ ବୁଲୁଥିବା ଦେଖି ଗୋଟି ଗୋଟି ହୋଇ ଅନେକ ଲୋକ ଆସି ସେଠାରେ ମଧ୍ୟ ରୁଣ୍ଡ ହେଲେ । ସେହି ସବୁ ଲୋକମାନେ ନିଜ ରଜାଙ୍କୁ ପଚାରିଲେ – ଛାମୁ ଆପଣ କାହିଁକି ୟାଡେ ଆସିଥିଲେ?

ରାଜା କହିଲେ – “ମନଟା ହେବାରୁ ମୁଁ ବାହାରି ଆସିଲି । କାମ ତ ମୋର କିଛି ନାହିଁ ।” ଏହିପରି ଭାବେ ଲୋକମାନଙ୍କୁ ଭୁଲାଇ ରାଜା ସିଧା ଗଲେ ତାଙ୍କ ରାଣୀହଂସ ପୂରକୁ । ରାଣୀ ପଚାରିଲେ – “କଣ ଦେଖିଲ ତୁମେ ସେଠାରେ?”

ରାଜା ଯାହା ସବୁ ଦେଖି ଆସିଥିଲେ ସେ କଥା ସବୁ ରାଣୀଙ୍କୁ କହିଲେ । ଏବେ ଯାଇ ସେହି ଦୁଇ ଜଣଯାକଙ୍କର ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ ହେଲା ଯେ ପ୍ରଭୁ ନିଶ୍ଚେ ତାଙ୍କ ଝିଅକୁ ରକ୍ଷା କରିଛନ୍ତି ।

ଏଣେ ସେହି ଝିଅଟି ବି ସୌଦାଗର ଘରେ ଦିନକୁ ଦିନ ଶୁକ୍ଳ ପକ୍ଷର ଶଶୀକଳା ପରି ବଢୁଥାଏ । ସମସ୍ତେ ଜାଣନ୍ତି ଯେ ଏହି ଝିଅଟି ହେଉଛି ସେ ସୌଦାଗରର ଜନ୍ମିତ ଝିଅ; ଝିଅଟି ବି ସେ ସୌଦାଗର ଦମ୍ପତିଙ୍କୁ ବାପ, ମା’ ବୋଲି ଜାଣେ । ଝିଅଟିର ଯାହା କିଛି ଦର୍କାର ହେଲେ ସେ ଅଳିଝଳି ଲଗାଏ । ସୌଦାଗର ଦମ୍ପତି ବି ସେହି ଝିଅଟିକୁ ଖୁବ୍ ଆଦର ସ୍ନେହ କରନ୍ତି । ତାର ନାଁ ସୌଦାଗର ଦମ୍ପତି ଦେଇଥାନ୍ତି ସୁଚିତ୍ରା ।

ଏଣେ ସୁଚିତ୍ରାର ବୁଦ୍ଧି ଅକଲ ହୋଇ ଆସିବାରୁ ସୌଦାଗର ତା’ ପାଇଁ ପଢାପଢିର ବ୍ୟବସ୍ଥା କଲା । ସେ ଝିଅଟି ବି ଭାରି ବିଚକ୍ଷଣ ଥିଲା । ଏମିତିକି ସେ ଝିଅଟି ମାସକର ପାଠକୁ ଦିନକରେ ସାରେ । ସୁଚିତ୍ରା ଯୋଉ କଥା ଥରେ ଶୁଣେ ସେ କଥାଟି ତା’ର ମନେ ରହିଯାଏ ସବୁ ଦିନ ପାଇଁ । ସେ ଝିଅଟି ମୁଣ୍ଡରେ ଡାହାଣୀ କବଚ ଥିବାରୁ ଖୁବ୍ ଦୂର ପଦାର୍ଥ ବି ତାକୁ ଦେଖାଯାଏ ଅତି ପାଖରେ ଥିଲା ପରି । ଡୋଗରା ବି ମଝିରେ ମଝିରେ ସେ ଝିଅଟିକୁ ଦେଖିବାକୁ ଆସେ । ସୁଚିତ୍ରାକୁ ଦେଖି ସେ ଡାହାଣୀ ବି ବହୁତ ଖୁସି ହୁଏ । ମାତ୍ର ସେ ଡାହାଣୀ ସୁଚିତ୍ରାକୁ କେବେବି କିଛି କହେନି । କେବଳ ଦି’ଚାରି ପଦ ମାମୁଲି କଥା କହି ସେ ଝିଅଟି ସହ ହସ ଖେଳ ଲଗାଏ । ତେଣୁ ସୌଦାଗରିଆଣୀ ମଧ୍ୟ କେବେବି ସେ ଡାହାଣୀକୁ ମୋଟେ ସନ୍ଦେହ କରୁ ନଥାନ୍ତି । ବରଂ ବହୁତ ବିଶ୍ୱାସ କରନ୍ତି ସେ ଡାହାଣୀକୁ ଠିକ୍ ଅତି ଆପଣାର ଲୋକ ପରି ।

ଚଳନ୍ତା ନଈ, ଚଳନ୍ତା ପବନ ଓ ଚଳନ୍ତା ଦିନ କେବେହେଲେ ବି ସ୍ଥିର ହୋଇ ରହି ପାରେନି । ଗଡି-ଘୁଷୁରି ଚାଲିଥାଏ ତାହା ଆଗକୁ, ଆହୁରି ଆଗକୁ । ଆଜିକାର ଶିଶୁ କାଲି ଯୁବକ ଯୁବତୀ ହୁଅନ୍ତି, ପ୍ରୌଢ ହୋଇ ପୁଣି ବୃଦ୍ଧ ବୟସରେ ବି ପଦାର୍ପଣ କରନ୍ତି । ତା’ପରେ ପୁଣି ତାକୁ ଆସେ ମୃତ୍ୟୁ । ତା ପରେ ସାରା ଜଗତ ତା ପାଇଁ ଖୁବ୍ ଶୀତଳ ହୋଇଯାଏ । ସମସ୍ତେ କହନ୍ତି ମଲାଗଲା ତାର ନାଁ ବୁଡିଲା । ତାର କାମନା, ବାସନା, ଧାରଣା, ସ୍ୱାର୍ଥ, ଅର୍ଥ ଓ ସାମର୍ଥ୍ୟ ସବୁ ସରିଗଲା ।

ସମୟାନୁକ୍ରମେ ସୁଚିତ୍ରା ବି ନିଜର ବାଳିକା ବୟସ ଅତିକ୍ରମ କରି ଆସ୍ତେ ଆସ୍ତେ ଯୁବତୀ ଆଡକୁ ନିଜର ପାଦ ବଢାଇଲାଣି । ଦେହ ମୁଣ୍ଡରେ ବି ପୁଣି ତା’ର ଅପୂର୍ବ ଆଭା ଫୁଟି ଉଠିଛି । ତା ସଙ୍ଗେ ସଙ୍ଗେ ତା ମନରେ ବି ଖେଳି ଯାଇଛି ନୂଆ ନୂଆ ଚିନ୍ତା । ଯୁବକମାନେ ତାକୁ ଦେଖି ତା ରୂପକୁ ଚିତ୍ର ଦେଇଛନ୍ତି –


ଗପ ସାରଣୀ

ତାଲିକାଭୁକ୍ତ ଗପ