ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

ବଣା ଏଣୀ ନୟନା                           କବୀରାଜ ଗମନା

                ସୋହାଗୀ ନୀରଗୀ ନୀରଦ କୁନ୍ତଳା ।

ସିନ୍ଧୁ ସୁତା ବଦନା                             ଶାମ୍ବୁକଜ ରଦନା

                    ଚପଳାଙ୍ଗୀ ମଦନାବଳା ।

ଯୋଜନଗନ୍ଧା ଯୋଷା            ରସାଳସା ସୁରସା

                      ନିତମ୍ବବତୀ ଚମ୍ପା ଗୋରୀ,

ହେଲେ ବାଳା ଏ ବେଳେ                     ବାଙ୍କ ଚାହାଣୀ ବଳେ

                       ମୁନି ମନ କରିବ ଚୋରି ।

ଜୀବନ ପଛେ ଜୀବ                           ଜବାଧରାର ଭାବ

                       ବରଜି ହେବ ନାହିଁ ତିଳେ,

ରାଜୀବ ଶ୍ରୀଚରଣେ                          ଭଞ୍ଜି ଅଲକ୍ତ ଥରେ

                       ବୁଡିବା କଲୋଳ ସଲିଳେ ।

                ସୁଚିତ୍ରାର ବୟସ ବଢିବା ସଙ୍ଗେ ସଙ୍ଗେ ତାର ସୌନ୍ଦର୍ଯ୍ୟ ବି ବଢୁଥାଏ । ବୁଦ୍ଧି, ବୃତି, ଅକଲ ପସନ୍ଦ ସବୁ କିଛି ତାର ବଢୁଥାଏ । ସେ ସୌଦାଗର ଓ ସୌଦାଗରିଆଣୀ ତାଙ୍କ ଝିଅର ସମସ୍ତ ଗୁଣ ଦେଖି ଓ ଶୁଣି କେବଳ ଆନନ୍ଦ ହେଉଥାନ୍ତି ।

                ଥରେ ବୋଇତ ବ୍ୟବସାୟକୁ ଗଲାବେଳେ ସେ ସୌଦାଗରିଆଣୀ ତା ସ୍ୱାମୀକୁ ବହୁତ ଅନୁରୋଧ କଲା ଯେ ତାଙ୍କ ଝିଅକୁ ନିଜ ସଙ୍ଗରେ ନେଇ ଟିକେ ଦେଶ ବିଦେଶ ବୁଲାଇ ଆଣିବାକୁ । ସ୍ତ୍ରୀ କଥାକୁ ସେ ସୌଦାଗର ବି ଆଉ ଭାଙ୍ଗି ପାରିଲାନି । ତେଣୁ ସେ ତା ବୋଇତରେ ବସାଇ ନେଇଗଲା ସୁଚିତ୍ରାକୁ ଦେଶ ବିଦେଶ ବୁଲାଇବା ପାଇଁ ।

ନାଳରୁ ନଦୀ, ନଦୀରୁ ସମୁଦ୍ର ପର୍ଯ୍ୟନ୍ତ ସମସ୍ତ ଛୋଟ ଛୋଟ ଡଙ୍ଗା ମାନଙ୍କରେ ମାଲପତ୍ର ଯାଇ ତାଙ୍କ ବୋଇତରେ ଲଦା ହେଲା । ବନ୍ଦାପନା ଇତ୍ୟାଦି କାମ ମାହେନ୍ଦ୍ର ବେଳାରେ କରି ମାଝିମାନେ ପାଲଟାଣି ତାଙ୍କ ବୋଇତକୁ ଅନୁକୂଳ ପବନ ମୁଖରେ ମେଲି ଦେଲେ । ଏଣେ ସୁଚିତ୍ରା ସେହି ବୋଇତର ଗୋଟିଏ ସୁରକ୍ଷିତ ସ୍ଥାନରେ ବସି ସମୁଦ୍ରର ଶୋଭା ଦେଖୁଥାଏ । ଅତି ଖୁସିରେ ସିହରି ହୋଇ ଉଠୁଥାଏ ସୁଚିତ୍ରାର ମନ, ଜୀବନ ସବୁ କିଛି । ମାଝିମାନେ ବି ଗୀତ ଗାଉଥାନ୍ତି । ଭାତ ତରକାରୀ ରାନ୍ଧନ୍ତି । ବନିସୀ ପକାଇ ସେମାନେ ମଧ୍ୟ ଛୋଟ ବଡ କରି ବହୁତ ମାଛ ମାରନ୍ତି । ବୋଇତରେ ଭାରି ଗମାତ ହୁଏ । ଜଣେ ଜଣେ କୁହାଳିଆ ଲୋକ ଗୋଟିଏ ଗୋଟିଏ କାହାଣୀ କହି ସମସ୍ତଙ୍କୁ ଶୁଣାଉଥାନ୍ତି । ପବନ ବି ବହୁଥାଏ ମଜା ଉପରେ । ତିମି, ମଗର ଇତ୍ୟାଦି ନାନା ପ୍ରକାର ମାଛ ଉଠନ୍ତି ବୁଡନ୍ତି ମଳମଳା କରୁଥାନ୍ତି । ଉଡନ୍ତା ମାଛ ଗୁଡାକ ଉଡି ଯାଆନ୍ତି ଖାଲି ଫର ଫର ହୋଇ । କେତେବେଳେ କେମିତି ହୁଳୁହୁଳିଆ ମାଛ ମାନେ ହୁଳହୁଳି ପକାନ୍ତି । ଏସବୁକୁ ଦେଖି ଦେଖି ସୁଚିତ୍ରା କେବଳ ଅଶ୍ଚର୍ଯ୍ୟ ହୁଏ, ୟେ କ’ଣ ସେ କ’ଣ ବୋଲି ଖାଲି ନିଜ ବାପାଙ୍କୁ ପଚାରେ । ବାପା ବି ନିଜ ଝିଅକୁ ସବୁ କିଛି ଠିକ୍ ଠିକ୍ ବୁଝାଇ ଦେଉଥାନ୍ତି ।

ଦିନେ ସେହି ବୋଇତ ଯାଇ ଗୋଟିଏ ଛୋଟିଆ ଟାପୁରେ ଲାଗିଲା । ମାଝିମାନେ ଲଙ୍ଗର କରି ତୁରନ୍ତ ଓହ୍ଲାଇ ଗଲେ କୂଳକୁ । ସେ ଜାଗାଟି ବି ଦେଖିବାକୁ ଅତି ସୁନ୍ଦର ଥିଲା ।

ସେ ଜାଗାଟି ଅତି ସୁନ୍ଦର ବୋଲି ସମସ୍ତଙ୍କର ଖୁବ୍ ପସନ୍ଦ ହେବାରୁ ରାତିକ ପାଇଁ ସମସ୍ତେ ସେଠାରେ ରୋଷେଇବାସ କରି ଖାଇଲେ । ଖାଇସାରି ସେମାନେ ଟିକେ ଆଖ ପାଖ ଅଂଚଳ ମାନଙ୍କରେ ଚଲାବୁଲା କଲେ । ତାସାଥିରେ ସେଠାକାର ଅଧିବାସୀ ମାନଙ୍କ ସଙ୍ଗେ ସଙ୍ଗେ ସୌଦାଗରଙ୍କର କିଛି କାରବାର ବି ହେଲା । ସେଠାକାର ଲୋକମାନେ ଖୁବ୍ ସରଳ । ଠିକ୍ ଆଦିବାସୀମାନଙ୍କ ପରି ସେଠିକାର ଲୋକ ମାନଙ୍କର ଚାଲିଚଳନ ଓ ଗତିବିଧି । ସେମାନେ ବିଦେଶୀ ଲୋକ ମାନଙ୍କୁ ଖୁବ୍ ଭଲ ପାଆନ୍ତି, ବିଶ୍ୱାସ କରନ୍ତି, ମର୍ଯ୍ୟାଦା ବି ଦେଖାନ୍ତି । ସେମାନଙ୍କ ମନ ମାନିଥିବା ପର୍ଯ୍ୟନ୍ତ ସେମାନେ ହୋଇଥାନ୍ତି ଅତି ଆପଣାର । ସାମନ୍ୟ ଟିକିଏ ବିଗିଡି ଗଲେ କି ସେମାନଙ୍କ ମନରେ ସାମାନ୍ୟ ଟିକିଏ ଅବିଶ୍ୱାସ ଆସିଲେ ହଠାତ୍ ସେମାନେ ଦେଖା ଦିଅନ୍ତି ଶତ୍ରୁ ରୂପରେ । ସେମାନଙ୍କ ପ୍ରାଣରେ ତିଳେ ହେଲେ ମଧ୍ୟ ଦୟା ଧର୍ମ ବି ନଥାଏ । ମଣିଷ ଜୀବନ ନେଇ ଖେଳ ଖେଳିବାକୁ ଟିକିଏ ହେଲେ ଭୟ ବି କରନ୍ତିନି ସେମାନେ । ସେମାନେ ସେହିକ୍ଷଣି ହନ୍ତାରୂପ ଧରି ଦେଖା ଦିଅନ୍ତି । ଏକତା ହେଉଛି ସେମାନଙ୍କର ବଳ । ସବୁ ଲୋକଙ୍କୁ ଦଳବଦ୍ଧ କରିବାକୁ କାହାରି ପରିଶ୍ରମ କି ମତାଣିଆ କଥାର ସେଠାରେ କୌଣସି ପ୍ରୟୋଜନ ହୁଏନି । ଯେପରି ଘୁଷୁରି ଗୋଟିଏ ପାଣିରେ ପଡିଲା ମାତ୍ରେ ତା ଦଳଯାକ ସମସ୍ତେ ଭଲମନ୍ଦ କିଛିବି ବିବେଚନା ନ କରି ସିଧା ପାଣିରେ ପଡିଯାନ୍ତି, ସେମାନେ ବି ଠିକ୍ ସେହିପରି ।

ଜଣେ ଯାହା କରେ ଅନ୍ୟମାନେ ବି ଠିକ୍ ସେଇୟା କରିବାକୁ ବାଧ୍ୟ ହୁଅନ୍ତି । ସୁଚିତ୍ରାର ପାଳକ ବାପା ସୌଦାଗର ଜଣକ ଆଜି ପଡିଗଲା ସେହିମାନଙ୍କ ବିଷ ଦୃଷ୍ଟିରେ ।

ସେହି ଟାପୁବାସୀଙ୍କ ମଧ୍ୟରୁ ଜଣେ ଲୋକ ଆସି ଏହି ସୌଦାଗର ମାନେ ରହିଥିବା ସ୍ଥାନରୁ ଅଳ୍ପ ଦୂରରେ ଝାଡା ଫେରି ବସିବା ଦେଖି ମାଝିମାନେ ତାକୁ ଖୁବ୍ ଗାଳି ଦେଲେ । କ୍ରମେ ଉଭୟଙ୍କ ମଧ୍ୟରେ ବଚସା ହେଉ ହେଉ ଢେଲା ପଥର ଫିଙ୍ଗା ଫିଙ୍ଗି ଓ ମରାମରି ପର୍ଯ୍ୟନ୍ତ କଥା ଗଲା । ଟାପୁବାସୀ ଲୋକଟି ଏକା, ଏଣେ ସୌଦାଗରର ଲୋକମାନେ ତ ଗୋଟିଏ ଦଳ । ସୌଦାଗରର ଲୋକମାନେ ସେହି ଟାପୁବାସୀ ଲୋକକୁ ମାରି ମାରି ତାକୁ ଖୁବ୍ ଖଣ୍ଡିଆ ଖାବରା ମଧ୍ୟ କରି ପକାଇଲେ । ତାପରେ ସେ ବିଚରା ଲୋକଟି କାନ୍ଦି କାନ୍ଦି ଯାଇ ନିଜ ଗ୍ରାମରେ ସବୁ କଥା କହିଲା । ସେହି ଲୋକଟିର କଥା ସମସ୍ତ ଶୁଣିବା ପରେ ଗାଁ ଲୋକମାନେ ଖାଲି ରାଗରେ ତାତି ଉଠିଲେ ଏବଂ ନିଜ ଧନୁ, ତୀର, ଖଣ୍ଡା, ଛୁରୀ ଘେନି ଦଉଡିଲେ ସେହି ସୌଦାଗର ମାନଙ୍କୁ ମାରିବାକୁ । ଗାଁ ଲୋକମାନଙ୍କର ମାଡ ଖାଇ ସେହି ସୌଦାଗର ମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ଅକର୍ମଣ୍ୟ ହୋଇ ପଡିଲେ । ଆଉ କିଛି ଉପାୟ ନପାଇ ଶେଷରେ ସୁଚିତ୍ରାର ବାପା ନିଜକୁ ଆତ୍ମ ସମର୍ପଣ କଲା ସେହି ଗାଁଲୋକ ମାନଙ୍କ ପାଖରେ ।

ଟାପୁବାସୀମାନେ ନିଜ ବିଜୟମଦରେ ଅନ୍ଧହୋଇ ଶେଷରେ ସେମାନେ ବୋଇତର ଯାତ୍ରୀମାନଙ୍କୁ ବାନ୍ଧି ନେଲେ । କଥା ହେଲା ସେମାନଙ୍କ ଇଷ୍ଟ ଦେବତାଙ୍କ ପାଖରେ ସେହି ବନ୍ଦୀ ମାନଙ୍କୁ ବଳି ଦେବା ପାଇଁ ।

ସେମାନଙ୍କ ଜାତିରେ ଯେପରି ପୂଜାପାଠ ହୁଏ, ରାତିକୁ ମଧ୍ୟ ଠିକ୍ ସେହିପରି ଆୟୋଜନ କରାଗଲା । ପୁରୋହିତ ବି ଆସି ତାର ସମସ୍ତ ପୂଜାପୂଜି କାମ ଆରମ୍ଭ କଲେ । ସେହି ଟାପୁବାସୀମାନେ ବନ୍ଦୀ ମାନଙ୍କୁ ଆଣି ସେମାନଙ୍କୁ ଗାଧୁଆ ପାଧୁଆ କରାଇବା ସହିତ ସେମାନଙ୍କୁ ଗଛ ବକଳ ବି ପିନ୍ଧାଇ ଦେଲେ । ସମସ୍ତ ବନ୍ଦୀମାନଙ୍କ ମୁଣ୍ଡରେ ସିନ୍ଦୁର ଟୋପା ଓ ସେମାନଙ୍କ ଗଳାରେ ମନ୍ଦାର ମାଳା ଲମ୍ବାଇ ଦେଲେ, ବାଜା ବାଜିଲା । ପୁରୋହିତେ ଖଣ୍ଡା ଧରି ନାଚିଲେ । ସେ ତାଙ୍କ ମୁହଁରେ ମନ୍ତ୍ର ପଢିସାରି ପୁଣି ମନ୍ତ୍ର ପଢିଲେ ।

ଯେ ଯେ ମା କୁତାମ ଚଣ୍ଡୀ                               ରକ୍ତ ପିଇଯା ହାଣ୍ଡି କି ହାଣ୍ଡି

ଆମେ ପଢିଲୁଣି ମନ୍ତ୍ରର କାଣ୍ଡୀ                           ଖା ବଳି ମାର ହେଣ୍ଡି

ଚମାକ୍ ଚେଇଁ, ଚମାକ୍ ଚେଇଁ,                           ଚମା ଚମ ଚମ ଜେଝେଇ ଝେଇ

ଝେଇକୀ ଟିଣ, ଜେଝେଇ ଟିଣ,                          ଝେଇ ଜେଇ ଟିଣ୍ ଟିଣ୍

                              ଜେଝେଇ ଜେଝେଇ ଟିଣ ।

                ଘଂଟ ମାଦଳ ଧୂମ୍ ଉଠୁଥାଏ । ସେହି ବନ୍ଦୀମାନେ କେବଳ ପରସ୍ପର ପରସ୍ପରର ମୁହଁକୁ ଅନାଅନି ହୋଇ କାନ୍ଦ କାନ୍ଦ ହେଉଥାନ୍ତି । ଏଭଳି ଏକ ପରିସ୍ଥିତିରେ ଆଉ କାହାରି ମୁହଁରୁ ପଦେ ହେଲେ କଥା ବି ବାହାରୁ ନଥାଏ । ଆଗେ ସୁଚିତ୍ରାକୁ ବଳି ଦିଆଯିବାର କଥା । ଏଥିପାଇଁ ସେ ସୌଦାଗରର ପ୍ରାଣରେ ଖୁବ୍ କଠିନ ଆଘାତ ଲାଗୁ ଥାଏ । ମାତ୍ର ଉପାୟ କ’ଣ? ଛେଳିଟି ବାଘ ହାବୁଡରେ ପଡିଲେ ତାର ଅବସ୍ଥା ଯେପରି ହୁଏ, ସୌଦାଗର ଲୋକମାନେ ବି ସେତେବେଳେ ଠିକ୍ ସେହିପରି ଅବସ୍ଥାରେ ଥାନ୍ତି ।

ହଠାତ୍ ଆଗକୁ ଆଗେଇ ଆସିଲେ ପୁରୋହିତ । ସେ ତାଙ୍କ ଖଣ୍ଡାଟା ନେଇ ସୁଚିତ୍ରା ମୁଣ୍ଡରେ ଛୁ୍ରଆଁଇ ଦେଇ ଟିକେ ହଟିଗଲେ ପଛକୁ । ତା’ପରେ ଆଉ ଜଣେ ଲୋକ ଆସି ସୁଚିତ୍ରାକୁ ଟାଣି ନେଲେ ଅର୍ଗଳ ପାଖକୁ । ତାପରେ ସମସ୍ତେ କହିଲେ (ବନ୍ଦିମାନଙ୍କୁ) ଛାଡି “ଜୟ ମା କୁତାମ ଚଣ୍ଡୀକି ଜୟ ।”

ପୁରୋହିତଙ୍କ ହାତର ଖଣ୍ଡାଟା ଉଠିଲା ଖୁବ୍ ଜୋର୍ରେ ଉପରକୁ । ମାତ୍ର ତାହା ଆଉ ତଳକୁ ଆସି ପାରିଲାନି । ଖଣ୍ଡା ସହିତେ ଉପୁଡିଯାଇ ପୁରୋହିତଙ୍କ ହାତ ଯାଇ ପଡିଲା ସେଠାରୁ ଖଣ୍ଡେ ଦୂରରେ । ହାଁ ହାଁ କ’ଣ ହେଲା, କ’ଣ ହେଲା ବୋଲି ଖାଲି ଲୋକଗୁଡାକ ସେଠାରେ କୋଳାହଳ କରି ଉଠିଲେ ।

ତେଣେ ଠିକ୍ ଏହି ସମୟରେ କୁଆଡୁ ଗୋଟେ ମାଡି ଆସିଲା ଝଡ ତୋଫାନ ସହ କୁଆପଥର ବର୍ଷା । ସେହି ସମୟରେ କେହିବି ଆଉ କାହାକୁ ଠିକ୍ସେ ଅନାଇ ପାରିଲେନି, କଥାବାର୍ତ୍ତା ବି ହୋଇ ପାରିଲେନି । ଖାଲି ସମସ୍ତଙ୍କ କାନରେ ପାଣି ପଶିଗଲା । ଦେଖୁ ଦେଖୁ ସମସ୍ତଙ୍କ ମୁଣ୍ଡ ଉପରେ ଭଡ ଭଡ ହୋଇ ଗଦାହେଲା ଅନେକ କୁଆପଥର । ଏହି ସମୟରେ ତ ଆଉ କିଛି ଉପାୟ ବି ନାହିଁ । କେବଳ ବଂଚିଯିବା ପାଇଁ ନିଜ ନିଜ ପ୍ରାଣ ଘେନି ଯେ ଯୁଆଡେ ପାରିଲେ ଅତି ଶୀଘ୍ର ସେଠାରୁ ପଳାଇବାକୁ ଲାଗିଲେ । କେତେ ଘଂଟ, ମର୍ଦଳ, ଫୁଲ, ଚନ୍ଦନ, ବାଦ୍ୟ, ବରକାଠ ସେହିଠାରେ ହିଁ ପଡି ରହିଲା । କେତେ ମଧ୍ୟ ମିଳେଇ ଗଲା । ଏଣେ ପୁଣି ଠାକୁରାଣୀ ବି ତିନ୍ତୁ ଥାନ୍ତି ।

ସେହି ବର୍ଷାରେ ସମ୍ଭାଳି ହୋଇ ପାରୁ ନ ଥିଲେ ମଧ୍ୟ ସୌଦାଗର ଜଣକ କଷ୍ଟେ ମଷ୍ଟେ ଯାଇ ତାଙ୍କ ଝିଅ ସୁଚିତ୍ରାକୁ ତୁରନ୍ତ ଅର୍ଗଳିରୁ ଉଦ୍ଧାର କରି ଆଣିଲେ । ତା’ପରେ ସେମାନେ ଦେଲେ ସେଠାରୁ ଆଖିବୁଜା ଚମ୍ପଟ । ପ୍ରବଳ ବର୍ଷା ମାଡରେ ହଇରାଣ ହର୍କତ ହେଉଥିଲେ ମଧ୍ୟ ସେଥିପ୍ରତି କାହାରି ବି ଆଉ କିଛି ଭ୍ରୂକ୍ଷେପ ନ ଥାଏ । କିପରି ନିଜ ନିଜ ଜୀବନ ଘେନି ସେଠାରୁ ତୁରନ୍ତ ପଳାଇ ଯିବେ, ଏହି ହେଲା ସେମାନଙ୍କର ମୂଖ୍ୟ ଚିନ୍ତା ।

ହେଲେ ସେମାନଙ୍କ ବୋଇତ କାହିଁ? ଏପରି ପରିସ୍ଥିତିରେ ସୌଦାଗର ଠାରୁ ମାଝି ପର୍ଯ୍ୟନ୍ତ ସବୁରି ହାଲୁକ୍ ଶୁଖିଗଲା । ଯଥା ସ୍ଥାନରେ ତ ଆଉ ସେମାନଙ୍କ ବୋଇତ ନାହିଁ । ସେହି ଜଙ୍ଗଲି ଲୋକଗୁଡାକ ତାଙ୍କ ବୋଇତକୁ ନେଇ ଚାଲିଯାଇଛନ୍ତି ନିଜ ଅକ୍ତିଆରକୁ । ଏବେ ତ ସେମାନଙ୍କ ମାଲପତ୍ର ଓ ଟଙ୍କା ପଇସା ସବୁକିଛି ଲୁଟ୍ପାଟ୍ ହୋଇ ଯାଇଛି । ଏବେ ସେମାନେ କ’ଣ କରିବେ, ଏହି କଥା ଭାବି ଭାବି ସେମାନେ କିଛି ସ୍ଥିର କରି ନ ପାରି କେବଳ ବିକଳ ହୋଇ କାନ୍ଦିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ