ତାପରେ ବର୍ଷା ଛାଡିଗଲା । ଏଣେ ସୌଦାଗରର ଲୋକମାନେ ତ ଓଦା ସରସର ହୋଇ କାନ୍ଦୁଥାନ୍ତି । ଠିକ୍ ଏତିକି ବେଳେ ଦୂରରୁ ଦେଖାଗଲା ଆଉ ଖଣ୍ଡେ ବୋଇତ ଆସୁଛି । ତହୁଁ ସୌଦାଗରର ଲୋକମାନେ ତୁରନ୍ତ ସଙ୍କେତ ଦେଇ ଡାକିବାରୁ ସେ ବୋଇତିଆଳ ଆସିଲା ଏମାନଙ୍କ ପାଖକୁ ।
ଟାପୁ କଥା ଓ ସେଠାକାର ଲୋକମାନଙ୍କ ଅତ୍ୟାଚାର, ବୋଇତ ଚୋରି ଘଟଣା ଇତ୍ୟାଦି କଥାମାନ କଥାବାର୍ତ୍ତା ହେଲା ପରେ, ସେ ବୋଇତିଆଳ ଜଣକ ଏମାନଙ୍କୁ ନେଇଗଲା ତା ବୋଇତରେ । ସେ ବୋଇତରେ ଭଡାଟିଆ ଭାବେ ଯାଉଥାଏ ଜଣେ ଧନୀ ଲୋକ । ହଠାତ୍ ସେହି ଧନୀ ଲୋକଟାର ଦୃଷ୍ଟି ଯାଇ ପଡିଲା ସୁଚିତ୍ରା ଉପରେ । ତେଣୁ ସେ ବୋଇତିଆଳକୁ ହାତ କରି ତାକୁ କହିଲା – “ଦେଖ ଯଦି ତୁମେ ମୋତେ ଏ କନ୍ୟାଟିକୁ ଦିଆଇ ପାରିବ, ତେବେ ମୁଁ ମଧ୍ୟ ତୁମକୁ ପାଂଚହଜାର ଟଙ୍କା ପୁରସ୍କାର ଦେବି ।
ସଙ୍ଗେ ସଙ୍ଗେ ଟଙ୍କା ଲୋଭରେ ସେହି ବୋଇତିଆଳ ଜଣକ ଏପରି କୂକାର୍ଯ୍ୟ କରିବା ନିମନ୍ତେ ରାଜି ହୋଇଗଲା । ଏଣିକି ସେ ବୋଇତିଆଳ ଜଣକ କେବଳ ସୁବିଧା ଖୋଜୁଥାଏ କିପରି ସେ କ’ଣ କରିବ । କଥାରେ ଅଛି – ଯୋଗକୁ ବ୍ରହ୍ମା ଖଟେନି । ସେହି କଥାର ତଥ୍ୟ ଅନୁସାରେ ପହଁଚିଗଲା ଠିକ୍ ଯୋଗ ।
ଯେ ଯୋଗଟା କାହାରି ପକ୍ଷରେ ମୋଟେ ବି ଅନୁକୂଳ ନୁହେଁ । କେବଳ ପ୍ରତିକୂଳ । ମାତ୍ର କଥାରେ ତ ଅଛି –
ସୌନ୍ଦର୍ଯ୍ୟ ଦେଖାଇ ଆସଇ ବିପଦ
ମୋହିବାକୁ ପ୍ରାଣୀ ମନ
ଲୋଭେ ଅନ୍ଧ ହୋଇ ନ ବିଚାରି କିଛି
ପଡଇ ତହିଁ ବିପନ୍ନ ।
ସୁନା ମୃଗ ଦେଖି ସୁପଣ୍ଡି ତା ସୀତା
ଆଗପଛ ନ ବିଚାରି
ଧରିବାକୁ ମନ କରନ୍ତେ ଯେପରି
ଛନ୍ନ ହେଲେ ଚାପଧାରୀ ।
ସେହିପରି ଅଟେ ବିପଦର ଗତି
ଖଣ୍ଡି ନ ପାରେ ଯା ବିଧି
ତାକୁ ଏଡି କାହିଁ ନଗଣ୍ୟ ମାନବ
ଅରଜି ପାରିବ ସିଦ୍ଧି?
ବିପଦ ରାକ୍ଷସ ଯେମିତି ସେହି ବୋଇତ ଯାତ୍ରୀ ମାନଙ୍କ ଚାରିପଟେ ଚକ୍ରୀ ଦେଇଛି ଠିକ୍ ଖଣ୍ଡିଆ ଭୂତ ପରି । ଆଉ ଏ ମଲାଚଣ୍ଡିଆ ପଞ୍ଝାକ ତା ମାୟା ବି ଭେଦିବେ ବା କୁଆଡୁ? ପଡିଲେ ତଣ୍ଡ ଦେବେ, ଦଣ୍ଡ ପାଇବେ, ଖଣ୍ଡ ଖଣ୍ଡ ହୋଇ ମୁଣ୍ଡବଳି ଦେବେ ପଛକେ ହେଲେ ଷଣ୍ଢ ପରି ନ୍ୟାୟ ବାଟରେ କେବେବି ଚଳିବେନି ।
ଖୋଜୁଥିବେ ଖାଲି ଅନ୍ୟାୟ, ଅନୀତି, ଯୁଆଚୋରୀ, କୀଳାପୋତା, ମାଲମତା ଏହିସବୁ । ଏହିକ୍ଷଣି ସେହି ବୋଇତିଆଳକୁ ତ ଯୋଗ ପଡିଛି । ଅଳ୍ପ ଟିକିଏ ଏପାଖ ସେପାଖ କରିଦେଇ ପାରିଲେ ହଠାତ୍ ସେ ତା ହାତରେ ବଜେଇ ଦେବ ପାଂଚ ହଜାର ଟଙ୍କା । ଏହି ସବୁ କଥା ଭାବି ମନରେ ତାର ଭରି ଯାଇଛି ମହୁଆ ନିଶା । ଦିନ ରାତି ଶୋଇ ଶୋଇ ସେ ଖାଲି ଦେଖୁଛି ରଙ୍ଗିନ୍ ସ୍ୱପ୍ନ । ମାତ୍ର କିପରି ସେ କ’ଣ କରିବ?
ଏହି ସମୟରେ ଶେଷରେ ଯୁଆଚୋରୀ ହିଁ ତାକୁ ଭରସା ଦେଲା । ଦିନେ ସଂନ୍ଧ୍ୟା ହୋଇ ଆସିଲା ବେଳକୁ ବୋଇତ ଯାଇ ଲାଗିଲା ଗୋଟାଏ ବାଲିଚଡା ପାଖରେ । ତାହା ଦେଖିବାକୁ ଥିଲା ଖୁବ୍ ପ୍ରକାଣ୍ଡ ଜାଗା । ସେଠାରେ ଖାଲି ଧଳା ଧଳା ବାଲି କାହିଁରୁ କାହିଁଯାଏଁ ପଡିଛି । ସେଠାରେ ଗଛ ବୃକ୍ଷ ନାହିଁ କି ପାହାଡ ପର୍ବତ ବି ନାହିଁ, ତେଣୁ ସେଠାରେ ଜନବସତି ଆସିବ ବା କୁଆଡୁ? ବେଳେ ବେଳେ କେହି କେହି ନୋଳିଆମାନେ ମାଛ ମାରିବାକୁ ଆସିଲେ ସେହିଠାରେ ହିଁ ରାତି କଟାନ୍ତି । କଥାରେ ଅଛି –
ଚୋର ମନ ଗଣ୍ଠିରେ, ଚଷା ମନ କଣ୍ଠିରେ ।
ସେ ବୋଇତିଆଳ ଏହିପରି କେତେ କ’ଣ ବିଚାରି ଆଜି ସେ ତା ମନଟାକୁ ଜମେଇ ଦେଇଛି ପାଂଚ ହଜାରରେ । ତେଣୁ ହଠାତ୍ ବାଲିଚଡା ଖଣ୍ଡକ ଦେଖି ବୁଦ୍ଧି ତାର ଷଣ୍ଢାପତ୍ର ପରି ମେଲିବାକୁ ଲାଗିଲା । ସମସ୍ତଙ୍କୁ ଜଣାଇ ସେଦିନ ରାତିରେ ସେ ବୋଇତିଆଳ ସେଇଠି ହିଁ ବୋଇତକୁ ନଙ୍ଗର କଲା ।
ସେଦିନ ରାତିକି ସମସ୍ତେ ଯାଇ ସେହି ବାଲିଚଡାରେ ଶୋଇଲେ । ସେମାନେ ଭାଙ୍ଗ ତିଆରି କରି ଏକା ଏକା ନପିଇ ସମସ୍ତେ ସେହି ଭାଙ୍ଗକୁ ବାଂଟି କୁଂଟି ପିଇଲେ । ସୁଚିତ୍ରାର ବାପ ଓ ମାଝି ମାନଙ୍କୁ ଯେଉଁ ଭାଙ୍ଗ ପିଆଗଲା ସେଥିରେ ମିଶିଥିଲା ସାମାନ୍ୟ ବିଷ । ଯାହା ପିଇଲେ କି ଗୋଟେ ଲୋକ ଦୀର୍ଘଦିନ ଓ ରାତିଏ ପାଇଁ ଅଚେତ୍ ହୋଇ ପଡି ରହିବ ।
ଘଟଣାବି ସେଇୟା ହେଲା । ସୌଦାଗର ଓ ତା ମାଝିମାନେ ଭାଙ୍ଗ ନିଶାରେ ଅଚେତ୍ ହୋଇ ପଡି ରହିଲେ । ଏଣିକି ସେ ବୋଇତିଆଳ ଓ ଧନୀ ଲୋକଙ୍କୁ ପଡିଗଲା ମାହେନ୍ଦ୍ର ଯୋଗ । ରାତି ଅଧରୁ ଅଧିକ ଗଡିଯିବା ପରେ ସେମାନେ ଫୁସୁଲା ଫୁସୁଲି ହୋଇ ସେହି ବୋଇତକୁ ତା ରାସ୍ତାରେ ଛାଡିଦେଲେ । ସେ ରାତିରେ ସୁଚିତ୍ରା ତ ଆଉ ଏ ସବୁ କଥା କିଛି ଜାଣି ପାରିଲାନି । ତେଣୁ ନିଦରେ ଶୋଇପଡିଥିଲା ସେ ବାଳିକା । ସକାଳୁ ଉଠି ସେ ସୁଚିତ୍ରା ତା ବାପାଙ୍କୁ ଖୋଜିବାରୁ ସବୁକଥା ଠିକ୍ ଠିକ୍ ଜାଣି ପାରିଲା । ସେ ଏବେ ଜାଣି ପାରିଲେ କ’ଣ ବା ଆଉ କରି ପାରନ୍ତା? କଥାରେ ଅଛି କେବଳ – “ବାଳାନାଂ ରୋଦନଂ ବଳଃ ।
ବାଳକ ବାଳିକା ପୁଣି ଲଳନାଦିଙ୍କର
ରୋଦନ ଅଟଇ ବଳ ଜନେ ହେତୁକର ।
ସୁଚିତ୍ରା ଆଜି ସେହି ବଳ ପାଇଛି । କାନ୍ଦି କାନ୍ଦି ସେ ତା’ର ଛାତି ତିନ୍ତାଇ ଦେଇଛି ଲୁହରେ । ସେ ବୋଇତିଆଳ ବି ସୁଚିତ୍ରାକୁ ସାନ୍ତ୍ୱନା ଦେବାରେ କିଛି ତ୍ରୁଟି କରୁନି । ବରଂ ସେ ଧନୀ ବ୍ୟକ୍ତିଙ୍କ ଠାରୁ ମୋତି ମାଣିକ୍ୟର ମାଳ ଓ ମୂଲ୍ୟବାନ ଗହଣାଗାଣ୍ଠି ଆଣି ତାକୁ ଯାଚୁଛି ତାର ମନ ଭୁଲାଇବା ପାଇଁ । ହେଲେ ସେ ସୁଚିତ୍ରା କିଛି ବି ଗ୍ରହଣ କରୁନି ବୋଇତିଆଳ ଠାରୁ । ସେ ସୁଚିତ୍ରା କେବଳ କାନ୍ଦି କାନ୍ଦି କହୁଛି, ତୁମେ ମୋତେ ବିକ୍ରୀ କରିବା ଆଶାରେ ମୋ ବାପା ଓ ମାଝିମାନଙ୍କୁ ହତ୍ୟା କରିଛ ।
ସୁଚିତ୍ରାର ଏପରି କଥା ଶୁଣି ବୋଇତିଆଳ ଓ ସେ ଧନୀଲୋକ ଖାଲି ହସୁଛନ୍ତି । ସୁଚିତ୍ରାକୁ ମଧ୍ୟ ଧନରତ୍ନର ଲୋଭ ଦେଖାଉଛନ୍ତି । ସେମାନେ ଦୁହେଁ ମିଠା ମିଠା କଥା କହି ଖାଲି ଚେଷ୍ଟା କରୁଛନ୍ତି ସୁଚିତ୍ରାକୁ କରାୟତ କରିବାକୁ । ମାତ୍ର ସୁଚିତ୍ରା ଠିକ୍ ଅଛି ତା ବାଟରେ । ଏହିପରି ଭାବେ ଦିନ ପରେ ଦିନ କଟି ଯାଉଛି । ସେହି ସୁଚିତ୍ରାର ଆଖି ଖାଲି ଲୁହରେ ବୁଡି ଯାଉଛି । ତଥାପି ସୁଚିତ୍ରା ଭିତରେ କିଛିବି ପରିବର୍ତ୍ତନ ହେଉନଥିବା ଦେଖି ସେ ବୋଇତିଆଳ ଓ ଧନୀ ମହାଜନ ତାକୁ ମାରଧର କରିବାକୁ ଆରମ୍ଭ କରିଦେଲେ । ସେଥିରେ ବି ସୁଚିତ୍ରାର ହାବଭାବରେ କୌଣସି ପରିବର୍ତ୍ତନ ନ ଆସିବାରୁ ସେମାନେ ଇଚ୍ଛା କଲେ ସୁଚିତ୍ରା ସହିତ ଜୋର ଜବରଦସ୍ତି କରି ତାର ସତୀତ୍ୱ ଉଜାଡିବା ପାଇଁ । ତେଣୁ ଦିନେ ରାତିରେ ସୁଚିତ୍ରାକୁ ସେହି ମହାଜନର ପ୍ରକୋଷ୍ଠରେ ଏକାକୀ ଛାଡି ଦିଆ ଗଲା ।
ଏଣେ ମହାଜନ ସୁଚିତ୍ରାକୁ ପାପ ଲାଳସାରେ ଟଣାଟଣି କରିବା ଦେଖି ସେ ସୁଚିତ୍ରା ଆଉ ଧୈର୍ଯ୍ୟ ଧରି ରହି ପାରିଲାନି । ସେହି ପ୍ରକୋଷ୍ଠର ଏକ କୋଣରେ ପଡିଥିବା ଗୋଟାଏ ଖଣ୍ଡିଆ କଟୁରୀରେ ସୁଚିତ୍ରା ଦେଲା ଗୋଟିଏ ଚୋଟ ସେହି ମହାଜନକୁ ।
ଏହା ଦ୍ୱାରା ମହାଜନର ମୁଣ୍ଡଫାଟି ଧାର ଧାର ହୋଇ ରକ୍ତ ଖାଲି ବୋହିଲା । ଅତ୍ୟଧିକ ରକ୍ତ କ୍ଷୟ ହେବାରୁ ସେ ମହାଜନ ସେହିଠାରେ ହିଁ ବେହୋସ ହୋଇ ପଡିଗଲା । ଏ କଥା ସେ ବୋଇତିଆଳ ମୋଟେ ବି ଜାଣି ପାରିଲାନି । ରାତିର ସେହି ଗଭୀର ଅନ୍ଧକାରରେ ସୁଚିତ୍ରା ଧୀରେ ଧୀରେ ବାହାରିଲା ସେ ବୋଇତର ମଙ୍ଗ ପାଖକୁ । ଏଣେ ବାପ ଚିନ୍ତା, ତେଣେ ନିଜ ନାରୀତ୍ୱ ପ୍ରତି ଆକ୍ରମଣ, ଆଉ ଘରକୁ ଫେରି ପାରିବା ଆଶା ନାହିଁ ତାର ଇତ୍ୟାଦି କଥା ଭାବି ଭାବି ତା ମନରେ ହଠାତ୍ ଝଡ ଉଠିଲା, ଏମିତିକି ତାର ତା ଜୀବନ ପ୍ରତି ଆଉ ମମତା ରହିଲାନି । ତେଣୁ ସୁଚିତ୍ରା ଆତ୍ମହତ୍ୟା କରିବ ବୋଲି ସ୍ଥିର କରି ସେହିକ୍ଷଣି ଡେଇଁ ପଡିଲା ସମୁଦ୍ରକୁ ।
ରାଘବ ମାଛ ଉଠୁଥାଏ ଚରା କରିବାକୁ । କ’ଣ ଗୋଟାଏ ପାଣି ଚବ ଚବ କରୁଛି ବୋଲି ସଙ୍ଗେ ସଙ୍ଗେ ସେ ରାଘବ ମାଛ ଝପଟି ଆସି ତାକୁ ଗିଳିଦେଲା ଟକ୍ କରି ଏକା ପାଟିକେ ।
ସେହିକ୍ଷଣି ଜଳି ଉଠିଲା ଡାହାଣୀ କବଚ ଜକ୍ ଜକ୍ ହୋଇ ସେ ରାଘବ ମାଛର ମୁଣ୍ଡ ଉପରେ । ପ୍ରଖର ତାତି ବି ଉଠିଲା । ରାଘବ ମାଛ ଆଉ ମୋଟେ ନିଜକୁ ସମ୍ଭାଳି ପାରିଲାନି । ସେ ଭାବିଲା ତାର ଅନ୍ତ ପିତ ସବୁ ଜଳିଯିବ । ତେଣୁ ସେ ରାଘବ ପଳାଇଗଲା ଥୋଡାଏ ବାଟ ଅ’ ଅ’ ହୋଇ । ତାରି ଫଳରେ ବାନ୍ତି ହୋଇ ପଡିଲା ସୁଚିତ୍ରା । ଉବୁ ଟୁବୁ ହୋଇ ସେ ସୁଚିତ୍ରା ଯାହା ଖାଲି ପାଣିରେ ଭାସୁଥାଏ । ସୁଚିତ୍ରାର ନାକ କାନରେ ପାଣି ପଶି ତାକୁ ଖୁବ୍ ଆକ୍ରାନ୍ତ କରୁଥାଏ ।
ଠିକ୍ ଏହି ସମୟରେ ଏକ ଗଣ୍ଡ ଭୈରବ ଚଢେଇଟିଏ ତିମି ଶିକାର କରିବାକୁ ଉଡୁଥାଏ ଆକାଶ ଉପରେ । ହଠାତ୍ ସେ ଚଢେଇର ଆଖି ପଡିଲା, ଧଳା ଧଳା ହୋଇ ସମୁଦ୍ରରେ କ’ଣ ଗୋଟିଏ ଭାସୁଛି । ତହୁଁ ସେ ଚଢେଇଟି ତୁରନ୍ତ ତା ଝାମ୍ପ ମାରି ଉଠାଇ ନେଲା ତାକୁ, ଚଢେଇଟି ତାକୁ ନେଇ ପହଁଚିଲା ଗୋଟାଏ ପାହାଡରେ । ଚଢେଇଟି ତାକୁ ଖାଇବ ବୋଲି ବସିଲା । ପୁଣି ସେ ମନକୁ ମନ ଭାବିଲା – ଝିଂଟିକା ପରି ଏତେ ଟିକିଏ ମାଉଁସ ଖାଇଲେ କ’ଣ ମୋର ପେଟ ପୁରିବ? ମନଟା ଖାଲି ଡହଳ ବିକଳ ହେବ ଯାହା ସେୟା । ତେଣୁ ସେ ଚଢେଇ କହିଲା – ଛାଡ, ମୁଁ ଏଟାକୁ ଖାଇବିନି, ଏହା କହି ସେ ପୁଣି ଉଡିଗଲା ସମୁଦ୍ର ଆଡେ ।
ସୁଚିତ୍ରା ସେଠି ପଡି ପଡି ଅନେକ ସମୟ ପରେ ସେ ତାର ଚେତା ଫେରି ପାଇଲା । ସେତେବେଳେ ତା ଦିହଟା ବି ଖୁବ୍ ଅବଶ ଲାଗୁଥାଏ । ସୁଚିତ୍ରାର ମୁଣ୍ଡଟି ବୁଲାଇ ଦେଉ ଥିବାରୁ ସେ ଆଉ ଉଠିବାକୁ ବଳ ପାଉ ନ ଥାଏ । ତେଣୁ ସେ ସେଠାରେ ବସି କେବଳ ତା ପଛ କଥା ଗୁଡିକ ଭାବୁଛି, ଠିକ୍ ଏତିକିବେଳେ ଗୋଟାଏ ଅଜଗର ସାପ ତା ପଛଆଡୁ ଆସି ଚେଷ୍ଟା କଲା ସୁଚିତ୍ରାକୁ ଗିଳି ଦେବାକୁ । ଠିକ୍ ସେତିକିବେଳେ କୁଆଡୁ ଗୋଟାଏ ତୀର ଆସି ବାଜିଲା ସେହି ଅଜଗରର ମୁଣ୍ଡରେ । ସେଠି ଆଘାତ ପାଇ ସାପଟା ସଙ୍ଗେ ସଙ୍ଗେ କେଁ କେଁ ଗର୍ଜ୍ଜନ କରି ଗଡି ପଡିଲା ତଳକୁ ।
ଏସବୁ ଘଟଣା ଦେଖି ଖୁବ୍ ଅଶ୍ଚର୍ଯ୍ୟ ହୋଇଗଲା ସୁଚିତ୍ରା । ସାପଟାକୁ ଅନାଇ ଦେଇ ତା’ର ଦେହ ଗରମ ହୋଇ ଉଠିଲା । ତୀର ବାଜି ସେ ଅଜଗର ଦେହରୁ କେବଳ ରକ୍ତର ଧାର ଛୁଟିଥାଏ । କିଏ ମାଇଲା ତୀରଟା, ଆସିଲା କୁଆଡୁ । ଏହି ସବୁ ବିଷୟ ଭାବିଲା ବେଳେ ସେଠାରେ ପହଁଚିଗଲା ଜଶେ ଶବର । ହାତରେ ତା’ର ଧନୁ, କାନ୍ଧରେ ଶରମୁଣା, ପୁଣି ମୁଣ୍ଡରେ ତାର ଚଢେଇ ପର ଗୁନ୍ଥା ଟୋପି ।
ସେ ଶବର ଆଉ ସାପଟାକୁ ଦେଖିବ କ’ଣ, ଆଖି ସାମନାରେ ସୁଚିତ୍ରାକୁ ଦେଖି ସେ କେବଳ ଅଶ୍ଚର୍ଯ୍ୟକାଠ ହୋଇ ଠିଆ ହୋଇଗଲା । ତା’ପରେ ସେ ଶବର ଜଣକ ସୁଚିତ୍ରାକୁ ପଚାରିଲା “ଆଲୋ ମା! ତୁ କିଏ, ଏବଂ ତୁ ଏଠାକୁ କିପରି ଆସିଲୁ?”
ସୁଚିତ୍ରା ସେହି ଶବରକୁ ହଠାତ୍ ଦେଖି ନିଜ ମନରେ କିଛି ମାତ୍ରାରେ ଭୟ ପାଇଥିଲେ ମଧ୍ୟ ସେ ତା ଜୀବନର ସମସ୍ତ ଦୁଃଖଯାକ ତାକୁ ଗୋଟି ଗୋଟି କରି କହି ପକାଇଲା । ସୁଚିତ୍ରାର ଆଖିରୁ କେବଳ ଲୁହ ବହିଯାଉଥାଏ । ତା ପ୍ରାଣ ଭିତରୁ ଅଚାନକ କୋହ ଉଠି ସେ ଖାଲି କଇଁ କଇଁ ହେଉଥାଏ ।
ସେହି ଶବର ଜଣକ ସମ୍ପୂର୍ଣ୍ଣ ବୁଢା ହୋଇ ନ ଥିଲେ ମଧ୍ୟ ସେ ତାର ପ୍ରୌଢ ଜୀବନ ଶେଷକରି ସାରିଥାଏ । ତେଣୁ ସେ ଶବର ମନରେ କୌଣସି ବିକାର ନ ଥାଏ । ସେ ମଣିଷଟି ଖୁବ୍ ଦୟାଳୁ । ପରକୁ ସାହାଯ୍ୟ କରିବା କଥା ସେ ଖୁବ୍ ଜାଣେ, ପରର ଦୁଃଖ ଦେଖିଲେ ସେ ଶବର କାନ୍ଦି ପକାଏ । ଘରେ ପୁଣି ସେ ଶବରର ଗୋଟିଏ ବୋଲି ଝିଅ । ତା’ର ନାଁ କଢଙ୍ଗ । ସେ କଢଙ୍ଗ ସବୁଦିନ ଯାଏ ମହୁଲୀ ଠାକୁରାଣୀଙ୍କ ପୂଜା କରିବାକୁ । ସେହି ମହୁଲୀ ଠାକୁରାଣୀଙ୍କ ମନ୍ଦିର ଥାଏ ଡାଳଖାଇ ପର୍ବତର ଶୀର୍ଷ ଦେଶରେ । ସେଠି ଜନ ମଣିଷଙ୍କ ପାଦ ଖୁବ୍ ଅଳ୍ପ ପଡେ । କଢଙ୍ଗ ସେ ମହୁଲୀ ଠାକୁରାଣୀଙ୍କ ନିକଟକୁ ଦିନେ ନଗଲେ ତାକୁ ଭାତ ପାଣି ରୁଚେନି କି ତା ମନକୁ ବି ଶାନ୍ତି ସନ୍ତୋଷ ଆଦୌ ଲାଗେନି । ସେ ମହୁଲୀ ଠାକୁରାଣୀଙ୍କ ନିକଟକୁ କଢଙ୍ଗ କାହିଁକି ଯାଏ, ସେଠାରେ ସେ କ’ଣ କରେ, ସେ କଥା ତା ଛଡା ତା ବାପା ବି ସେ ବିଷୟରେ ବିନ୍ଦୁ ବିସର୍ଗ କିଛି ଜାଣେନା ।
ସେହି ଶବରର ଭାରିଯାଟି ଅନେକଦିନୁ ମରି ଯାଇଥାଏ । ଏ ସାରା ସଂସାରରେ ସେ ଶବରର ନିଜର ବୋଲି କହିବାକୁ ଗଲେ ତାର ସେହି ଏକମାତ୍ର କନ୍ୟା କଢଙ୍ଗ ଛଡା ଅନ୍ୟ କେହି ଆଉ ଭରସା ନାହିଁ । ତେଣୁ ସେ ଶବର ଜଣକ ତା ଜୀବନର ସମସ୍ତ ସ୍ନେହ ମମତା ଅଜାଡି ଦେଇଥାଏ ତା’ର ସେହି କନ୍ୟା କଢଙ୍ଗ ଉପରେ । କଢଙ୍ଗ ହସେ, ଖେଳେ, ନାଚେ, ଗାଏ, ଯାହା କିଛି କରେ ସେ ସବୁ ଭଲ ଲାଗେ ତା ବାପକୁ।
ସେ ଶବର ଭାରି ବଢିଆ ଧରଣର ମଣିଷ । ଆଜି ହଠାତ୍ ସୁଚିତ୍ରା ସଙ୍ଗେ ତା’ର ଦେଖା ସାକ୍ଷାତ୍ ହୋଇ ଶବର ସେ ସୁଚିତ୍ରା ଠାରୁ ଦୁଃଖ କଥା ଗୁଡିଏ ଶୁଣିବାରୁ ସଙ୍ଗେ ସଙ୍ଗେ ତା ମନରେ ଭାରି କଷ୍ଟ ହେଲା ଏବଂ ଶବରର ସୁଚିତ୍ରା ପ୍ରତି ଟିକେ ଦୟା ବି ଆସିଲା । କିଛି ସମୟ ନୀରବ ରହିବା ପରେ ସେ ଶବର ସୁଚିତ୍ରାକୁ କହିଲା – “ଆଲୋ ମା! ଗାଁ ଭୂଇଁର ପିଲା ତୁ । ତୋ କପାଳ ଦୋଷରୁ ତୁ ସିନା ଆଜି ଏଠିକି ଆସିଛୁ, ହେଲେ ତୁ ଏଠି ବଂଚିବୁ କେମିତି?”