ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ ନିକଟକୁ ସାକ୍ଷାତ ପାଇଁ ଆସୁଥିବା ବ୍ୟକ୍ତିମାନଙ୍କୁ ସେ ପ୍ରଶ୍ନ କରୁଥିଲେ ମୋ ଠାରୁ ଅଧିକ ଜ୍ଞାନୀ କାହାକୁ ଦେଖିଛନ୍ତି କି? ବୁଦ୍ଧ ତାଙ୍କର ଅହଂକାର ବିଷୟରେ ଶୁଣିବାକୁ ପାଇଲେ । ସେ ଭିକ୍ଷୁ ବେଶଧରି ଯୁବ ବ୍ରହ୍ମଚାରୀଙ୍କ ନିକଟକୁ ଆସିଲେ । ବ୍ରହ୍ମଚାରୀ ତାଙ୍କୁ ପ୍ରଶ୍ନକଲେ – ତୁମେ କ’ଣ ଭିକ୍ଷୁ? ଆପଣାର ଦେହ ଓ ମନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଜଣେ ସାଧାରଣ ମଣିଷ – ଭିକ୍ଷୁ ବେଶଧାରୀ ବୁଦ୍ଧ ଉତ୍ତର ଦେଲେ ।
‘ଏଣୁ ତେଣୁ କଥା କହିବା ବନ୍ଦ କର ଭିକ୍ଷୁ । ମୁଁ ଏସବୁ କିଛି ବୁଝିପାରୁନି । ମୋତେ ସ୍ପଷ୍ଟକରି କୁହ’ – ଅହଙ୍କାରୀ ବ୍ରହ୍ମଚାରୀ ବେଶ୍ ଚଢାଗଳାରେ କହିଲେ । ବୁଦ୍ଧଦେବ ଉତ୍ତର ଦେଇ ଯେଉଁ ପ୍ରକାର କୁମ୍ଭକାର ନିଜକୁ ନିୟନ୍ତ୍ରଣରେ ରଖି ଆକୃତି ଅନୁଯାୟୀ ମାଟିର ମାଠିଆ ଆଦି ନିର୍ମାଣ କରିଥାନ୍ତି, ନାବିକ ନୌକା ଚାଳନା କରିଥାନ୍ତି, ଧନୁର୍ଦ୍ଧାରୀ ତୀର ଚାଳନ କରିଥାନ୍ତି, ଗାୟକ ଗୀତ ଗାଇଥାନ୍ତି, ସେହିପ୍ରକାର ଜ୍ଞାନୀ ବ୍ୟକ୍ତି ନିଜ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାନ୍ତି । ‘ଜ୍ଞାନୀ ପୁରୁଷ ଭଲା ନିଜକୁ କିପରି ନିୟନ୍ତ୍ରଣରେ ରଖିଥାନ୍ତି’ ବ୍ରହ୍ମଚାରୀ ପ୍ରଶ୍ନକଲେ । ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେଲେ ଅଥବା ନିନ୍ଦାର କାଳିମାରେ କଳଙ୍କିତ ହେଲେ ମଧ୍ୟ ଜ୍ଞାନୀ ବ୍ୟକ୍ତିଙ୍କ ମନ ଶାନ୍ତ, ଅବିଚଳ ରହିଥାଏ । ତାଙ୍କର ମନରେ ଥିବା ସଦାଚାର, ଦୟା ଓ ବିଶ୍ୱପ୍ରେମ ଉପରେ ଏହାର (ନିନ୍ଦା ଅବା ପ୍ରଶଂସା) କୌଣସି ପ୍ରଭାବ ପଡିନଥାଏ । ଏହି କାରଣରୁ ତାଙ୍କର ଚିତ୍ତ ସମୁଦ୍ରରେ ସର୍ବଦା ଶାନ୍ତିର ଧାରା ପ୍ରବାହିତ ହୋଇଥାଏ । ଏହା ଶୁଣି ବ୍ରହ୍ମଚାରୀ ଜଣକ ଯେତେବେଳେ ନିଜ ବିଷୟରେ ଭାବିଲେ ସେ ଆତ୍ମଲୀନ ହୋଇଗଲେ ଓ ବୁଦ୍ଧଦେବଙ୍କ ପାଦ ତଳେ ପଡି କହିଲେ – ଏପର୍ଯ୍ୟନ୍ତ ମୁଁ ମରୀଚିକା ପଥରେ ଧାଉଁଥିଲି । ଅହଙ୍କାରବଶତଃ ନିଜକୁ ଶ୍ରେଷ୍ଠ ଜ୍ଞାନୀ ବିଚାରୁଥିଲି । କିନ୍ତୁ ଆଜି ମୋତେ ଆପଣ ଅନେକ କିଛି ଶିକ୍ଷା ଦେଲେ । ବୁଦ୍ଧଦେବଙ୍କ ଉତ୍ତର ଥିଲା । ଏହା ତ ଜ୍ଞାନ ଲାଭର ପ୍ରଥମ ପାଠ ଓ ଶ୍ରେଷ୍ଠଭୂଷଣ । ନମ୍ରତାର ସ୍ଥାନ ସବୁର ଉଦ୍ଧ୍ୱର୍ରେ । ତୁମେ ମୋ ସହ ଆଶ୍ରମକୁ ଚାଲ, ସେହିଠାରେ ତୁମେ ବିଦ୍ୟାଧ୍ୟୟନ କରିବ । ନମ୍ରତା ହିଁ ମନୁଷ୍ୟର ଶ୍ରେଷ୍ଠ ଭୂଷଣ ।