ସେ ଅନେକ ଦିନ ତଳର କଥା । ରୋହିତପୁର ସହର ନହେଲେ ବି ସେଠାରେ ସହର-ପ୍ରାୟ ଜନପଦ । ସେଠି ଦେବ ମନ୍ଦିର, ବିଦ୍ୟାଳୟ ଏବଂ ବଡ ହାଟ ବି ଥିଲା ।
ସର୍ବୋପରି ସେ ରୋହିତପୁରରେ ମହାଜନ ମାକୁନ୍ଦ ମୁଦୁଲି ରହିଥିଲେ । ରହିଥିଲେ ବୋଲି କହିଲିଟି? ହଁ; କାରଣ ଏ କଥା ଲେଖିବା ବେଳକୁ ସେ ଆଉ ସେଠି ନଥିଲେ । ସେତେବେଳକୁ ସେ ସହରକୁ ଉଠି ଯାଇଥିଲେ ।
ଉଠି ଯିବାର କାରଣ ରୋହିତପୁରରୁ ତାଙ୍କର ବିଶେଷ ଲାଭ ଉଠାଇବାର ଆଶା ନଥିଲା । ମାଲିମକଦ୍ଦମାରେ ପକାଇ ସେ ସେଠାକାର ସବୁ ଲୋକଙ୍କୁ ପ୍ରାୟ ସର୍ବସ୍ୱାନ୍ତ କରି ସାରିଥିଲେ । ଏସବୁଥିରେ ତାଙ୍କର ପ୍ରଧାନ ଉଦ୍ଧେଶ୍ୟ ଥିଲା ଯେଉଁ ବିପୂଳ ଧନ ସେ ଠୁଳ କରିଥିଲେ, ସହରରେ ଗୋଟାଏ ବିରାଟ ବେପାର ସେ ଆରମ୍ଭ କରିବେ ।
ସେ ରୋହିତପୁର ଛାଡି ଚାଲିଗଲେ ବୋଲି ଯେଉଁଦିନ ଜଣା ପଡିଗଲା, ସେଦିନ ସେ ଗ୍ରାମର ସବୁଠାରୁ ନିର୍ଦ୍ଧନ ବ୍ୟକ୍ତି ମଧ୍ୟ ତା’ଘରେ କ୍ଷିରୀ ଚକୁଳି ତିଆରି ହେଉ ବୋଲି ବରାଦ କରିଥିଲା । ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଲମ୍ବୋଦର ମିଶ୍ର ଗବେଷଣା କରି କହିଥିଲେ କି ତ୍ରେତା ଯୁଗରେ ଶ୍ରୀରାମଙ୍କ ବାନର ବାହିନୀ ରୋହିତପୁର ଭିତର ଦେଇ ଗଲାବେଳେ ସେମାନଙ୍କ ଭିତରୁ କାହା କାହାକୁ ଶୋଷ ଲାଗିଥିଲା ଏବଂ ରୋହିତପୁରର ତତ୍କାଳୀନ ବାସିନ୍ଦାମାନେ ସେମାନଙ୍କୁ ପାଣି ଯୋଗାଇବାରେ ତୃଟି କରିଥିଲେ । ସେହି ଅତୃପ୍ତ ବାନରମାନଙ୍କ ଅସନ୍ତୋଷ କଳିଯୁଗରେ ମାକୁନ୍ଦ ମୁଦୁଲି ରୂପରେ ସମ୍ଭବ ହୋଇ ସେ ଦିନର ସେ ଅବିବେକୀ ଗ୍ରାମବାସୀମାନଙ୍କ ବଂଶଧରମାନଙ୍କୁ ଆକଣ୍ଠ ଶୋଷଣ କରୁଥିଲା ।
ତେବେ ରୋହିତପୁରରୁ ତାଙ୍କର ବହୁତ ପ୍ରାପ୍ୟ ରହିଥିଲା । ଗୁଡିଏ ଖାତକଙ୍କର ଘର ଦ୍ୱାର ନିଲାମ ହେବା କଥା ଓ ସେଥିରୁ ତାଙ୍କୁ ଅନେକ ଟଙ୍କା ମିଳିବା କଥା । ନିଲାମ ପାଇଁ ଯେଉଁ ଦିନଟି ଧାର୍ଯ୍ୟ ହେଲା, ସେଦିନ କୌଣସି ଏକ କାରଣରୁ ମାକୁନ୍ଦ ମୁଦୁଲି ରୋହିତପୁର ଯାଇ ପାରିଲେ ନାହିଁ । ତେଣୁ ସେ ତାଙ୍କ ପୁତ୍ର ବୀରେନ୍ଦ୍ରକୁ ଯିବାକୁ କହିଲେ ।