ଏପରି କଥା ଶୁଣି ବୀରେନ୍ଦ୍ରର କୌତୁହଳ ଆହୁରି ବଢିଗଲା । ସୁତରାଂ ସେ ପଚାଶ ଟଙ୍କା ଦେବାକୁ ବି ରାଜି ହେଲା । ଭୀଲ୍ ବାପୁଡା ତମ୍ବୁ ଭିତରୁ ଗୋଟାଏ ଛେଳି ବାହାର କରି ଆଣି ଯେମିତି ତାଳି ବଜାଇଛି, ସେମିତି ସେ ଛେଳିଟି ଦୁଇ ଗଛ ଭିତରେ ବନ୍ଧା ହୋଇଥିବା ଖଣ୍ଡିଏ ଦଉଡି ଉପରକୁ କୁଦିପଡି ତା’ ଉପରେ ଚାଲିଲା । ପୁଣି ଗୋଡ ଛନ୍ଦି ତଳକୁ ଓହଳି ପଡି ଏପଟରୁ ସେପଟକୁ ଚାଲିଗଲା । ତା’ପରେ ଦଉଡି ଉପରେ ମୁଣ୍ଡ ତଳକୁ କରି ଗୋଡ ଉପରକୁ କରି ସେ ମଧ୍ୟ ଠିଆହେଲା!
ଏଣେ ବୀରେନ୍ଦ୍ର ବିସ୍ମୟ-ବିମୂଢ ଭାବରେ ସେ ଦୃଶ୍ୟ ସବୁ ଦେଖୁଥାଏ । ବାପା ଉତ୍କୃଷ୍ଟ ଛେଳି ନେଇଯିବାକୁ ନିର୍ଦ୍ଧେଶ ଦେଲାବେଳେ ଦୁନିଆରେ ଏଭଳି ଛେଳି ସମ୍ଭବ ବୋଲି କଦାପି କଳ୍ପନା ମଧ୍ୟ କରି ନଥିବେ । ସେ ଯଦି ଏହାକୁ ନେଇଯାଇ ତା’ ବାପା ତଥା ସହରରେ ସଦ୍ୟ-ପରିଚିତ ବ୍ୟକ୍ତିମାନଙ୍କ ଆଗରେ ଏହାର କସ୍ରତ୍ ଦେଖାଇପାରେ, ତେବେ ସେ ରାଜନଅରକୁ ନିମନ୍ତ୍ରିତ ହେବା କିଛିବି ଅସମ୍ଭବ ନୁହେଁ । ଆଉ, ସେ ପୁଣି ଶୁଣିଥିଲା, ରାଜକୁମାରୀ ହବୁ ବିଦ୍ୟା ଦେଖିବାକୁ ବଡ ଭଲ ପାଆନ୍ତି । ବୀରେନ୍ଦ୍ର ପାନିଆ ବାହାର କରି ମୁଣ୍ଡ କୁଣ୍ଡାଇ ପକାଇଲା ଓ ମୁହଁ ପୋଛି ପକାଇଲା ।
ତେଣେ ଯାଦୁକରର ହୁକୁମ୍ ମାନି ସେ ଛେଳି ମଧ୍ୟ ଦଉଡି ଉପରେ ଡେଇଁଲା ।
ବୀରେନ୍ଦ୍ର ଏସବୁ ଦେଖି କହିଲା “ଇଏ ତ ଆଶ୍ଚର୍ଯ୍ୟ କଥା ।”
ତା’ କଥା ଶୁଣି ଯାଦୁକର କହିଲା “ଜରୁର୍! ତେବେ ତମେ ଯଦି ମୋର ଗାୟକ ଛାଗଳକୁ ଦେଖିବ, ତେବେ କେଡେ ଆଶ୍ଚର୍ଯ୍ୟ ନ ହେବ! ଶହେ ଟଙ୍କା ଦର୍ଶନୀ ।”
ବୀରେନ୍ଦ୍ର ଆଚମ୍ବିତ ହୋଇ ପଚାରିଲା “ଗାୟକ ଛାଗଳ!”
ତହୁଁ ସେ ଭୀଲ୍ ବାପୁଡା ଆଉ କିଛି ବି ନକହି ତମ୍ବୁ ଭିତରୁ ଅନ୍ୟ ଏକ ଛେଳି ବାହାର କରି ଆଣିଲା । ତା’ପରେ ସେ କହିଲା “ଗା’ରେ ପିଲା, ଗା’ । ଗୋଟାଏ ଭଲ ରାଗ ଗାଇ ପକା ତ ।”
ସଙ୍ଗେ ସଙ୍ଗେ ଛେଳିଟି ବସିପଡି ଛାମୁ ଗୋଡ ଦୁଇଟାରୁ ଗୋଟାଏ କାନ ପାଖକୁ ନେଇ ଅନ୍ୟଟି ବିସ୍ତାର କରି ଗୀତ ବୋଲିଲା!
ବୀରେନ୍ଦ୍ର ହଠାତ୍ କିଛି ସମୟ ଯାଏଁ କଥା କହିପାରିଲା ନାହିଁ । ଏସବୁ ଦେଖି ସେ ଭୀଲ୍ ବାପୁଡା କହିଲା “କ’ଣ ବାବୁ! ଏତିକିରେ ହତବମ୍ବ? ଯଦି ମୋର ନର୍ତକ ଛାଗଳକୁ ଦେଖିବ, ତେବେ? ଆଉ ଦୁଇଶହ ଟଙ୍କା ଦର୍ଶନୀ ।”
ବୀରେନ୍ଦ୍ର ପୁଣି ଆଚମ୍ବିତ ହୋଇ ପଚାରିଲା “ନର୍ତକ ଛାଗଳ!!”
“ଆଉ କ’ଣ!” ଭୀଲ୍ ଯାଦୁକର ତୃତୀୟ ଥର ପାଇଁ ଛେଳିଟିଏ ବାହାର କରି ଆଣିଲା । ଆଉ ସେ କହିଲା “ଦେଖା ବାବୁଙ୍କୁ ଗୋଟାଏ ନାଚ!”
ଛେଳି ଯେ ଖାଲି ନାଚିଲା, ସେତିକି ନୁହେଁ, ମଧୁର କଣ୍ଠରେ ମଧ୍ୟ ଅଧଘଂଟାଏ ପର୍ଯ୍ୟନ୍ତ ଗାଇଲା ।