ବୋଧିସତ୍ୱ ପୋଖରୀର ଚାରିପଟେ ବୁଲିଗଲେ । ଦେଖିଲେ ପୋଖରୀ ଭିତରକୁ ଜୀବଜନ୍ତୁ ମାନଙ୍କର ଯିବା ପାଦଚିହ୍ନ ପଡିଥିଲା, କିନ୍ତୁ କେଉଁଠି ହେଲେ ଫେରିବାର ଚିହ୍ନ ନଥିଲା । ତାହା ଦେଖି ବୋଧିସତ୍ୱ ମନେ ମନେ ଭାବିଲେ – “ଏ ପୋଖରୀରେ ନିଶ୍ଚୟ ଏକ ରାକ୍ଷସ ଅଛି । ସେ ପାଣି ପିଇବାକୁ ଯାଉଥିବା ଜୀବମାନଙ୍କୁ ଧରି ଖାଇଯାଉଚି । ତେଣୁ ଜୀବମାନଙ୍କର କେବଳ ପାଣି ପାଖକୁ ଯିବାବେଳର ପାଦଚିହ୍ନ ଅଛି । ଏଇ ପୋଖରୀକୁ ପାଣି ପିଇବାକୁ ଯିବା ଉଚିତ୍ ନୁହେଁ । ମାଙ୍କଡମାନେ ଯଦି ଏହା ଭିତରକୁ ପଶନ୍ତି ତେବେ ରାକ୍ଷସ ସେମାନଙ୍କୁ ମାରିଦବ ।” ଏପରି ଭାବି ସେ ମାଙ୍କଡମାନଙ୍କୁ ସେ ପୋଖରୀକୁ ଯିବାକୁ ମନା-କରିଦେଲେ ।
ଦଳପତିଙ୍କ କଥା ମାନି କେହିହେଲେ ପାଣି ପିଇବାକୁ ଗଲେନାହିଁ । ରାକ୍ଷସ ଦେଖିଲା ଯେ ମାଙ୍କଡମାନେ ପାଣିରେ ପଶୁନାହାଁନ୍ତି । ତେଣୁ ସେ ଏଥର ତା’ର ନିଜ ରୂପ ଧରି ପୋଖରୀ ଭିତରୁ ବାହାରିପଡିଲା । ମାଙ୍କଡମାନଙ୍କୁ ଡାକି କହିଲା – “ତୁମେଗୁଡାକ ବଡ ମୂର୍ଖ । ତୁମମାନଙ୍କୁ ଶୋଷ ହଉଚି । ପୋଖରୀରେ କେତେ ସୁନ୍ଦର ନିର୍ମଳ ପାଣି ରହିଚି । ଏଠାକୁ ଆସି ପାଣି ପିଉନାହଁ କାହିଁକି? ଆସ, ପାଣି ପିଅ ସେଥିରେ ଶୋଷ ମରିଯିବ ।”
ଏହାଶୁଣି ଦଳପତି କହିଲେ – “ଆମେ ମୂର୍ଖ ହୋଇପାରୁ । ତେବେ ତୁମେ ଏଇ ପୋଖରୀରେ ରହୁଥିବା ଅସୁର ତ?”
ରାକ୍ଷସ କହିଲା – “ହଁ, ତୁମ କଥା ଠିକ୍ ।”
ଦଳପତି କହିଲେ – “ତୁମେ ଏଠି କ’ଣ ଖାଉଚ?”
ରାକ୍ଷସ କହିଲା – “କେତେ ଜୀବ ଏଠାକୁ ପାଣି ପିଇବାକୁ ନିତି ଆସନ୍ତି । ସେମାନେ ପାଣିରେ ପଶିଲେ ମୁଁ ସେମାନଙ୍କୁ ମାରି ଖାଏ । ଆଜି ତୁମମାନଙ୍କୁ ଖାଇବି ।”