ଏକଦା ଚୀନ ଦେଶରେ ଜଣେ ସମ୍ରାଟ ଥିଲେ ଏବଂ ତାଙ୍କର ସମସ୍ତ ପାରିଷଦ ଗଣ ମଧ୍ୟ ସେହି ଚୀନ ଦେଶର ହିଁ ଥିଲେ । ଥରେ ସେଠି ଏମିତି ଏକ ଘଟଣା ଘଟିଲା ଯାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି ।
ସେ ସମ୍ରାଟଙ୍କ ରାଜପ୍ରସାଦ ଅତି ମନୋହର ଥିଲା । ଏହି ରାଜ ପ୍ରାସାଦଟି ଚିନାମାଟିରେ ତିଆରି ହୋଇଥିବାରୁ ଏହା ଏତେ ଭଙ୍ଗୁର ଥିଲା ଯେ ତାକୁ ସମସ୍ତେ ଅତି ଯତ୍ନରସହ ସ୍ପର୍ଶ କରୁଥିଲେ । ସମ୍ରାଟଙ୍କର ଉଦ୍ୟାନଟି ଖୁବ୍ ସୁନ୍ଦର ଥିଲା ଏବଂ ସେଇ ଉଦ୍ୟାନରେ ଫୁଲସବୁ ଫୁଟି ରୂପାର ଘଂଟିରେ ବନ୍ଧା ହୋଇ ଝୁଲୁଥାଏ ଏବଂ ସେଇବାଟ ଦେଇ ଗଲେ ଫୁଲଗୁଡିକ ରୁଣୁଝୁଣୁ ଶବ୍ଦ କରୁଥିବାର ଶୁଣାଯାଏ । ଏହି ଉଦ୍ୟାନର ଶୋଭାକୁ ସମସ୍ତେ ପ୍ରଶଂସା କରିଥାନ୍ତି ଏବଂ ଏହା ଏତେ ବିରାଟ ଯେ ଉଦ୍ୟାନ ମାଳୀ ମଧ୍ୟ ଏହାର ଶେଷ କେଉଁଠି ଜାଣି ନାହିଁ । ଏଇ ଉଦ୍ୟାନ ପଛକୁ ଗୋଟିଏ ଜଙ୍ଗଲ ଲାଗିରହିଛି ଏବଂ ସେହି ଜଙ୍ଗଲରେ ଏକ ବଡ ହ୍ରଦ ରହିଛି । ଜଙ୍ଗଲଟି କ୍ରମଶଃ ଗଡାଣିଆ ହୋଇ ନୀଳ ଜଳ ରାଶି ଭରା ସମୁଦ୍ର ସହିତ ମିଶି ଯାଇଛି । ଏହି ସମୁଦ୍ରରେ ବଡ ବଡ ଜାହାଜ ସବୁ ଯାତାୟତ କରେ । ଏହି ସମୁଦ୍ର କୂଳରେ ଥିବା ଏକ ଗଛରେ ଗୋଟିଏ ନାଇଟ୍ ଇଗଲ ବାସ କରୁଥିଲା ।
ସେଇ ନାଇଟ୍ ଇଗଲଟି ଏତେ ସୁନ୍ଦର ଭାବରେ ଗାଇ ପାରୁଥିଲା ଯେ ସମୁଦ୍ରକୁ ଜାଲ ପକାଇ ମାଛ ଧରିବାକୁ ଆସୁଥିବା ଧୀବରମାନେ ଜାଲଟଣା ବନ୍ଦକରି ତାର ମଧୁର ସଂଗୀତ ଶୁଣୁଥିଲେ । ସଂଗୀତ ଶୁଣି ସେମାନେ କହୁଥିଲେ ଯେ ‘ଓଃ ଏହାର ଗୀତ କି ସୁନ୍ଦର ।’ ମାତ୍ର ପରକ୍ଷଣରେ ସେମାନେ ନିଜ ନିଜ କାମରେ ମଜ୍ଜିଯାଇ ସେ ପକ୍ଷୀଟିର କଥା ସମ୍ପୂର୍ଣ୍ଣ ଭୁଲି ଯାଉଥିଲେ ।
ସେ ସମ୍ରାଟଙ୍କ ରାଜଧାନୀକୁ ଯେତେସବୁ ବିଦେଶୀ ପର୍ଯ୍ୟଟକ ଆସୁଥିଲେ ସେମାନେ ରାଜପ୍ରାସାଦର ସେଇ ମନୋରମ ଉଦ୍ୟାନଟିକୁ ଦେଖି ଖୁବ୍ ବିସ୍ମିତ ହୋଇ ଯାଉଥିଲେ । ମାତ୍ର ସେମାନେ ଯେତେବେଳେ ନାଇଟ୍ ଇଗଲର ସଂଗୀତ ଗାନ ବିଷୟରେ ଶୁଣୁଥିଲେ ସେମାନେ ତାକୁ ଖୁବ୍ ପ୍ରଶଂସା କରୁଥିଲେ ।