ସମସ୍ତଙ୍କୁ ସେ ନାଇଟ୍ ଇଗଲ କଥା ପଚାରିଲେ ମାତ୍ର ଶେଷରେ ରାଜ ପ୍ରାସାଦର ପାକଶାଳାରେ ଥିବା ଗୋଟିଏ ଝିଅକୁ ପଚାରିବାରୁ ସେ ନାଇଟ୍ ଇଗଲକୁ ଜାଣିଥିବାର କହିଲା । ସେ ନାଇଟ୍ ଇଗଲକୁ ଜାଣିଥିବାର ଏବଂ ତା ଗୀତ ମଧ୍ୟ ବହୁବାର ଶୁଣିଥିବାର କହିଲା । ସେ କହିଲା ‘ପ୍ରତ୍ୟେକ ସଂଧ୍ୟାରେ ରାଜପ୍ରାସାଦ ପାକଶାଳାରେ ବଳି ପଡିଥିବା ଖାଦ୍ୟ ସବୁ ମୁଁ ମୋ ରୋଗିଣୀ ମା ପାଇଁ ନେଇଯାଏ । କ୍ଳାନ୍ତ ହୋଇ ସଂଧ୍ୟାରେ ମୁଁ ଯେତେବେଳେ ଜଙ୍ଗଲ ବାଟ ଦେଇ ଯାଏ ସେତେବେଳେ ମୁଁ ଜଙ୍ଗଲ ନିକଟରେ ନାଇଟ୍ ଇଗଲର ମଧୁରଗୀତ ଶୁଣି ସେଠାରେ ଅଟକି ବିଶ୍ରାମ ନିଏ । ତାର ସେଇ ମଧୁରଗୀତ ଶୁଣି ମୋ ଆଖିରେ ଲୋତକ ଆସିଯାଏ ଓ ମୋତେ ଜଣାଯାଏ ଯେମିତି ମୋ ମା’ ଆଦରକରି ମୋତେ ଚୁମା ଦେଉଛି ।’
ଏପରି କଥା ଶୁଣି ମୁଖ୍ୟସାମନ୍ତ କହିଲେ ‘ହେ ଝିଅ । ତୁ ଯଦି ଆମକୁ ସେ ନାଇଟ୍ ଇଗଲ ପାଖକୁ ନେଇଯିବୁ ତେବେ ମୁଁ ତୋତେ ସମ୍ରାଟଙ୍କ ପାକଶାଳାର ପାଚିକାଭାବରେ ନିଯୁକ୍ତି ଦେବି ଏବଂ ପ୍ରତ୍ୟେକଦିନ ରାତିରେ ଭୋଜନ ସମୟରେ ତୁ ସମ୍ରାଟଙ୍କର ଦର୍ଶନ ଲାଭ କରିବୁ । କାହିଁକିନା ଆଜି ସଂଧ୍ୟାରେ ସେ ନାଇଟ୍ ଇଗଲକୁ ରାଜସଭାରେ ପହଁଚାଇବା ପାଇଁ ସମ୍ରାଟଙ୍କ ନିର୍ଦେଶ ଅଛି ।’
ସେ ଝିଅଟି ମୁଖ୍ୟସାମନ୍ତ ଓ ଅନ୍ୟ ପାରିଷଦଙ୍କୁ ସାଙ୍ଗରେ ନେଇ ନାଇଟ୍ ଇଗଲ ଥିବା ଜଙ୍ଗଲ ଆଡକୁ ଚାଲିଲା କିଛିବାଟ ଯିବାପରେ ଗାଈଟିର ହମ୍ବାରଡି ଶୁଣି ମୁଖ୍ୟସାମନ୍ତଙ୍କ ସହିତ ଅନେକ ପାରିଷଦ କହିଲେ ‘ହଁ ହଁ ଆମେ ଆସି ତା ପାଖରେ ପହଁଚି ଯାଇଛେ । ଗୋଟିଏ ଛୋଟିଆ ପକ୍ଷୀ ତାର ପୁଣି ଏତେ ବଡ ସ୍ୱର? ଏ ତାରି ଏ ଗୀତ ମୁଁ ଆଗରୁ ଶୁଣିଛି ।’ ଝିଅଟି କହିଲା ‘ନା ଏ ନାଇଟ୍ ଇଗଲର ଗୀତ ନୁହେଁ । ଏହା ଗାଈର ହମ୍ବାରଡି । ତା ପାଖରେ ପହଁଚିବା ପାଇଁ ହେଲେ ଆମକୁ ତ ଆହୁରି ବାଟ ଯିବାକୁ ପଡିବ ।’
କିଛି ବାଟ ଗଲାପରେ ଗୋଟିଏ ସନ୍ତସନ୍ତିଆ ସ୍ଥାନରେ ବେଙ୍ଗଟିଏ ବୋବାଇଲା ।
ସାଙ୍ଗରେ ଯାଉଥିବା ରାଜସଭାର ପୁରୋହିତ କହିଉଠିଲେ ‘ଓଃ କି ସୁନ୍ଦର । ଏ ହେଉଛି ନାଇଟ୍ ଇଗଲର ମଧୁରସ୍ୱର । ଏହାର ସ୍ୱର ଦୂରଗୀର୍ଜ୍ଜାର ଘଂଟିଧ୍ୱନି ଭଳି ଶୁଭୁଛି ।’
ଏକଥା ଶୁଣି ସେ ଝିଅଟି ପୁଣି କହିଲା ‘ନା, ନା ଏଇଟା ବେଙ୍ଗର ସ୍ୱର । ଆମେ ପ୍ରାୟ ନାଇଟ୍ ଇଗଲ ଥିବା ସ୍ଥାନ ନିକଟରେ ଆସି ପହଁଚିଗଲେଣି ।’
ଠିକ୍ ଏଇ ସମୟରେ ସେ ନାଇଟ୍ ଇଗଲର ମଧୁରଗୀତ ଶୁଣାଗଲା ।