ଝିଅଟି କହିଲା, ଏଇ ଦେଖ! ଏଇ ଗଛ ଡାଳରେ ବସି ସେ ଗୀତ ଗାଉଛି । ଏହା କହି ଗଛ ଡାଳରେ ବସିଥିବା ଏକ ଧୂସର ରଙ୍ଗର ଛୋଟପକ୍ଷୀଟିକୁ ସେ ଝିଅଟି ଦେଖାଇ ଦେଲା ।
ମୁଖ୍ୟସାମନ୍ତ ସେ ପକ୍ଷୀଟିର ଚେହେରାକୁ ଦେଖି କହିଲେ ‘ମୁଁ ତ ଚିନ୍ତା କରିପାରୁ ନାହିଁ ଯେ ନାଇଟ୍ ଇଗଲଏପରି ଅସୁନ୍ଦର ରୂପ ହୋଇଥିବ । ଆମ ଭଳି ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ତା ଚାରିପାଖରେ ଦେଖି ତାର ରୂପ ଆଉ ରଙ୍ଗକୁ ସେ ବଦଳାଇ ଦେଇଛି ।’
ତା’ପରେ ସେ ଝିଅଟି ନାଇଟ୍ ଇଗଲକୁ କହିଲା ‘ହେ ପ୍ରିୟ ନାଇଟ୍ ଇଗଲ! ଆମର ଦୟାଶୀଳ ସମ୍ରାଟ ତୁମ ଗୀତ ଶୁଣିବାକୁ ଇଚ୍ଛା କରୁଛନ୍ତି ।’
ତହୁଁ ସେ ନାଇଟ୍ ଇଗଲ କହିଲା ‘ଏତ ବହୁତ ଆନନ୍ଦର କଥା ।’ ତା ପରେ ସେ ଏତେ ସୁନ୍ଦର ଭାବରେ ଗୀତଗାଇଲା ଯେ ସମସ୍ତେ ଖୁସି ହୋଇଗଲେ । ମୁଖ୍ୟସାମନ୍ତ କହିଲେ ‘ଏହାର ସ୍ୱର ସ୍ଫଟିକର ଘଂଟିଶବ୍ଦ ଭଳି ଶୁଭୁଛି । ଏଁ ତାର ଛୋଟ ଗଳାଟି କେମିତି ଫୁଲି ଉଠୁଛି । ହେଲେ ବଡ ଆଶ୍ଚର୍ଯ୍ୟର କଥା ଯେ ଆମେ ତାର ଗୀତ ପୂର୍ବରୁ କେବେବି ଶୁଣି ନଥିଲୁ । ଆଜି ରାଜସଭାରେ ଏହାର ଗୀତ ନିଶ୍ଚିତ ଶ୍ରେଷ୍ଠ କୃତି ଭାବରେ ଗଣା ହେବ ।’ ଗଛତଳେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ସମ୍ରାଟ ଥିବାଭଳି ନାଇଟ୍ ଇଗଲ ପଚାରିଲା ‘ମୁଁ ସମ୍ରାଟଙ୍କ ପାଇଁ ଆଉ ଥରେ ଗୀତ ଗାଇ ପାରେ କି?’
ମୁଖ୍ୟ ସାମନ୍ତ କହିଲେ ‘ଶ୍ରଦେ୍ଧୟ ନାଇଟ୍ ଇଗଲ! ମୁଁ ତୁମକୁ ସମ୍ମାନର ସହ ଆଜି ସଂଧ୍ୟାକୁ ରାଜସଭାକୁ ଆମନ୍ତ୍ରଣ କରୁଛି ଯେଉଁଠି ତୁମେ ସମ୍ରାଟଙ୍କୁ ଆନନ୍ଦ ଦେବାଭଳି ଗୀତ ଗାଇ ତାଙ୍କୁ ମୁଗ୍ଧ କରିପାରିବ ।’
ନାଇଟ୍ ଇଗଲ କହିଲା ‘ଏଇ ଜଙ୍ଗଲରେ ମୋର ଗୀତ ଖୁବ୍ ସୁନ୍ଦର ଶୁଣାଯାଏ । ମାତ୍ର ସମ୍ରାଟଙ୍କ ମୋ ଗୀତ ଶୁଣିବାକୁ ଇଚ୍ଛାଥିବାରୁ ମୁଁ ତୁମ ସହିତ ରାଜସଭାକୁ ନିଶ୍ଚୟ ଯିବି ।’
ରାଜ ପ୍ରାସାଦରେ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବ ପାଇଁ ସମସ୍ତ ଆୟୋଜନର ପ୍ରସ୍ତୁତି ଶେଷହୋଇ ସାରିଥିଲା, ଶହସ୍ରାଧିକ ସୁବର୍ଣ୍ଣ ଦୀପର ଆଲୋକରେ ଚିନାମାଟିର ମସୃଣ କାନ୍ଥସବୁ ଆଲୋକିତ ହୋଇଥିଲା ଏବଂ କବାଟ ଖୋଲିବା ଓ ବନ୍ଦ କରିବାବେଳେ ଘଂଟି ଗୁଡିକ ରୁଣୁଝୁଣୁ ଶବ୍ଦ କରୁଥିଲା । ଏଇ ରୁଣୁଝୁଣୁ ଶବ୍ଦ ମଧ୍ୟରେ କିଏ କ’ଣ କରୁଛି ତାହା ଭଲ ଭାବରେ ଜଣା ପଡୁନଥିଲା ।
ରାଜପ୍ରାସାଦର ଅଗଣାର ମଧ୍ୟଭାଗରେ ସମ୍ରାଟ ତାଙ୍କ ସ୍ୱର୍ଣ୍ଣସିଂହାସନରେ ବସିଥିଲାବେଳେ ଅଗଣାରେ ରଖାଯାଇଥିବା ଏକ ସୁବର୍ଣ୍ଣକାଠି ଉପରେ ନାଇଟ୍ ଇଗଲ ବସିବାର ବ୍ୟବସ୍ଥା ହୋଇଥିଲା । ରାଜପାରିଷଦ ବର୍ଗ ସମସ୍ତେ ଉପସ୍ଥିତ ଥିଲେ । ପାକଶାଳାର ସେ ଝିଅଟି ଯେ ସମ୍ରାଟଙ୍କ ପାଚିକା ଭାବରେ ନିଯୁକ୍ତି ପାଇଥିଲା ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ସମସ୍ତେ ଖୁବ୍ ସୁନ୍ଦର ପୋଷାକ ପିନ୍ଧିଥିଲେ ଓ ଛୋଟ ଧୂସର ବର୍ଣ୍ଣ ପକ୍ଷୀଟି ଆଡେ ଚାହିଁ ରହିଥିଲେ । ନାଇଟ୍ ଇଗଲ ଗୀତ ଗାଇବାପାଇଁ ସମ୍ରାଟ ସମ୍ମତି ପ୍ରଦାନକଲେ ।
ନାଇଟ୍ ଇଗଲ ଏତେ ସୁନ୍ଦର ଭାବରେ ଗୀତ ଗାଇଲା ଯେ ତା ଗୀତ ଶୁଣି ସମ୍ରାଟଙ୍କ ଆଖିରୁ ଧାର ଧାର ହୋଇ ଲୋତକ ତାଙ୍କ ଚିବୁକଦେଇ ବହିଗଲା । ପରେ ପରେ ନାଇଟ୍ ଇଗଲର ଗୀତର ସୁର ଏତେ ମଧୁର ହୋଇ ଉଠିଲା ଯେ ତାହା ସମସ୍ତଙ୍କ ହୃଦୟକୁ ତରଳାଇ ଦେଲା । ସମ୍ରାଟ ଗୀତ ଶୁଣି ଏତେ ଆନନ୍ଦିତ ହୋଇଗଲେ ଯେ ସେ ନାଇଟ୍ ଇଗଲକୁ ଏକ ସ୍ୱର୍ଣ୍ଣହାର ଉପହାର ଦେବାକୁ ଘୋଷଣା କଲେ । ମାତ୍ର ସେ ନାଇଟ୍ ଇଗଲ ସମ୍ରାଟଙ୍କୁ ଧନ୍ୟବାଦ ଦେଇ କହିଲା ‘ମୁଁ ପୁରସ୍କାର ପାଇ ସାରିଛି । ମୋ ଗୀତରେ ସମ୍ରାଟଙ୍କ ଆଖିରେ ଲୋତକ ଆସିଛି ତାହା ହିଁ ମୋ ପାଇଁ ମୂଲ୍ୟବାନ ଉପହାର । ଜଣେ ସମ୍ରାଟଙ୍କ ଆଖିରେ ଲୋତକ ଅନେକ ପୁରସ୍କାରଠାରୁ ବି ମୂଲ୍ୟବାନ’ । ଏହା କହି ପୁଣି ସେ ତା ସୁମଧୁର ସ୍ୱରରେ ଗୀତ ଗାଇବାକୁ ଲାଗିଲା ।