ସେଠାରେ ଉପସ୍ଥିତ ଥିବା ସ୍ତ୍ରୀ ଲୋକମାନେ କହିଲେ ଯେ ‘ଆମେ ଏପରି ସୁମଧୁର ତଥା ଆନନ୍ଦ ଦାୟକ ସ୍ୱର କେବେ ବି ଶୁଣିନାହୁଁ ।’ ତା’ପରେ ସେମାନେ ପାଟିରେ ପାଣି ପୂରାଇ କୁଳୁକୁଳୁ କରି ନାଇଟ୍ ଇଗଲ ସ୍ୱର ଭଳି ସ୍ୱର ସୃଷ୍ଟି କରିବାକୁ ଚେଷ୍ଟା କଲେ । ଏଣେ ସେ ନାଇଟ୍ ଇଗଲର ସୁମଧୁର ସ୍ୱର ରାଜସଭାକୁ ମୁଗ୍ଧ କରି ଦେଲା ଏବଂ ତାକୁ ଗୋଟିଏ ପଞ୍ଜୁରିରେ ରାଜ ସଭାମଧ୍ୟରେ ରଖାଗଲା ମାତ୍ର ଦିନକୁ ଦୁଇଥର ଓ ରାତିରେ ଥରେ ବାହାରକୁ ଯିବାକୁ ତାକୁ ଅନୁମତି ଦିଆଗଲା । ଏପରିକି ଖାସ୍ ତା ପାଇଁ ବାରଜଣ ଚାକରଙ୍କୁ ମଧ୍ୟ ନିଯୁକ୍ତି ଦିଆଗଲା ଏବଂ ତାର ଗୋଟିଏ ଗୋଡକୁ ଛୋଟ ରେଶମୀ ଫିତାରେ ବନ୍ଧାଗଲା ।
ସହର ଆଉ ରାଜଧାନୀରେ ନାଇଟ୍ ଇଗଲ ବିଷୟରେ ଚର୍ଚ୍ଚା ଚାଲିଲା । ଏପରିକି ଯେତେବେଳେ ଦୁଇଜଣ ଲୋକ ପରସ୍ପରକୁ ଭେଟିଲେ ସେମାନଙ୍କ ମଧ୍ୟରୁ ଜଣେ ‘ନାଇଟ୍’ କହିଲାବେଳେ ଅନ୍ୟଜଣକ ‘ଇଗଲ’ କହି ଆନନ୍ଦ ଅନୁଭବ କରିବାକୁ ଲାଗିଲେ । ସେ ସହରର ଅନେକ ବଡ ବଡ ଦୋକାନୀମାନେ ତାଙ୍କ ପିଲାମାନଙ୍କ ନାଁ ନାଇଟ୍ ଇଗଲ ବୋଲି ଦେଲେ ।
ଦିନେ ସମ୍ରାଟ୍ ଗୋଟିଏ ପାର୍ଶଲ ପାଇଲେ ଯାହା ଉପରେ ଲେଖାଥିଲା ‘ନାଇଟ୍ ଇଗଲ’ । ସମ୍ରାଟ ସେ ପାର୍ଶଲଟି ଦେଖି କହିଲେ ‘ଏଇ ପାର୍ଶଲଟିରେ ନାଇଟ୍ ଇଗଲ ସମ୍ପର୍କରେ ଲେଖାଥିବା ବହିଟିଏ ଅଛି ।’
ମାତ୍ର ପାର୍ଶଲଟି ଖୋଲିଲା ପରେ ତା ମଧ୍ୟରେ ଗୋଟିଏ ବାକ୍ସ ଭିତରେ ନାଇଟ୍ ଇଗଲଭଳି ଏକ କୃତ୍ରିମ ଯନ୍ତ୍ରଟିଏ ଥିଲା । ତାହା ଦେଖିବାକୁ ଠିକ୍ ପ୍ରକୃତ ନାଇଟ୍ ଇଗଲ ଭଳି ଏବଂ ତା ଦେହରେ ହୀରା, ପଦ୍ମରାଗ ମଣି ଓ ନୀଳକାନ୍ତ ମଣି ପ୍ରଭୃତି ଖଞ୍ଜା ହୋଇଥିଲା । ଯେତେବେଳେ ଏହି ଯାନ୍ତ୍ରିକ-ପକ୍ଷୀଟିରେ ଚାବି ଦିଆଗଲା ତାହା ପ୍ରକୃତ ନାଇଟ୍ ଇଗଲ ଭଳି ଗୀତ ଗାଇବା ସହିତ ସୁନା ରୂପା ଖଚିତ ଚକ୍ଚକ୍ କରୁଥିବା ପୁଛକୁ ମଧ୍ୟ ତଳଉପର କରି ହଲାଇବାକୁ ଲାଗିଲା ।
ସେଇ ଯାନ୍ତ୍ରିକ-ପକ୍ଷୀଟିର ବେକ ଚାରିପାଖରେ ଥିବା ପଟିଟିରେ ଲେଖାହୋଇଥିଲା ଯେ, ‘ଜାପାନ ସମ୍ରାଟଙ୍କ ନାଇଟ୍ ଇଗଲ ତୁଳନାରେ ଚୀନ ସମ୍ରାଟଙ୍କ ନାଇଟ୍ ଇଗଲ କିଛି ବି ନୁହେଁ ।’
ସମସ୍ତେ ଏଇ ଯାନ୍ତ୍ରିକ ନାଇଟ୍ ଇଗଲଟିକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ଯେଉଁ ଲୋକଟି ପାର୍ଶଲଟି ଆଣିଥିଲା ତାକୁ ‘ପ୍ରଥମ ରାଜକୀୟ ନାଇଟ୍ ଇଗଲ ବାହାକ’ ଉପାଧିରେ ଭୂଷିତ କରାଗଲା । ଲୋକମାନେ ଦୁଇଟି ଯାକ ନାଇଟ୍ ଇଗଲ ଗୀତ ଗାଇଲେ ଖୁବ୍ ସୁନ୍ଦର ହେବ ବୋଲି କହିଲେ ।
ତାପରେ ଉଭୟ ନାଇଟ୍ ଇଗଲ ଗୀତ ଗାଇବାକୁ ଆରମ୍ଭ କଲେ ମାତ୍ର ଦୁଇଜଣଙ୍କ ଗୀତର ସୁର ମିଶିଲାନାହିଁ । ପ୍ରକୃତ ନାଇଟ୍ ଇଗଲ ଯେମିତି ଗାଇ ଆନନ୍ଦ ଦେଉଥିଲା ଏ କୃତ୍ରୀମ ପକ୍ଷୀଟି ମଧ୍ୟ ସେମିତି ଗାଇ ସମସ୍ତକୁ ଆନନ୍ଦ ଦେଲା । କେତେକ କହିଲେ ଏହାର କଣ୍ଠରେ ଥିବା ସୁବର୍ଣ୍ଣସ୍ୱର ଓ ଅନ୍ୟାନ୍ୟ ମଣିମର୍କତ ଖଞ୍ଜା ହୋଇଥିବାରୁ ଏହା ପ୍ରକୃତ ନାଇଟ୍ ଇଗଲଠାରୁ ଅଧିକ ସୁନ୍ଦର ଦେଖାଯାଉଛି । ଏ କୃତ୍ରିମ ପକ୍ଷୀଟି ମଧ୍ୟ ଅକ୍ଳାନ୍ତ ଭାବରେ ତିରିଶ ଥରରୁ ଅଧିକ ଗାଇ ପାରୁଛି ।