ସଂଗୀତ ଶିକ୍ଷକ ଏଇ କୃତ୍ରିମ ପକ୍ଷୀଟି ସମ୍ପର୍କରେ ଏକ ଲମ୍ବା ଏବଂ କଠିନ ଚୀନ୍ ଦେଶୀୟ ଶବ୍ଦରେ ପ୍ରାୟ ପଚିଶଖଣ୍ଡ ବହି ଲେଖିଲେ । ରାଜ୍ୟସଭାର ପାରିଷଦ ବର୍ଗ ସେଇ ବହିଗୁଡିକ ପଢି କିଛି ବି ବୁଝି ନପାରିଲେ ମଧ୍ୟ ସମ୍ରାଟଙ୍କ ଘୋଡା ଚଢାଇ ଦେବା ଭୟରେ ବୁଝି ପାରୁଛନ୍ତି ବୋଲି ପ୍ରକାଶ କଲେ । ଇତିମଧ୍ୟରେ ଗୋଟିଏ ବର୍ଷ ଅତିକ୍ରାନ୍ତ ହୋଇଗଲା । ସମ୍ରାଟ, ପାରିଷଦବର୍ଗ ଓ ଚୀନ୍ ଦେଶର ଲୋକଙ୍କ ହୃଦୟରେ ଏଇ କୃତ୍ରିମ ପକ୍ଷୀଟିର ସମସ୍ତ ଗୀତର ସୁର ଥାପି ହୋଇ ରହିଗଲା ଏବଂ ସମସ୍ତେ ତାକୁ ଭଲ ପାଇବାକୁ ଲାଗିଲେ । ଲୋକମାନେ ମଧ୍ୟ ସେଇ ପକ୍ଷୀଟିର ସୁର ସହିତ ସୁର ମିଳେଇ ଗାଇଲେ । ବଜାରରେ ଛୋଟ ଛୋଟ ପିଲାମାନେ ମଧ୍ୟ ‘ନାରେ ନାରେ’ ରେ ତା ସୁର ସହିତ ସୁର ମିଳାଇ ଗାଇଲେ ଏପରିକି ଖୋଦ୍ ସମ୍ରାଟ ମଧ୍ୟ ବେଳେବେଳେ ସେ ପକ୍ଷୀଟି ସହିତ ଗାଇଲେ । ଏହା ଖୁବ୍ ଆନନ୍ଦ ଦାୟକ ହେଲା । କିନ୍ତୁ ଦିନେ ସଂଧ୍ୟାବେଳେ ପକ୍ଷୀଟି ସମ୍ରାଟଙ୍କ ଶଯ୍ୟା ନିକଟରେ ଗାଉଥିଲାବେଳେ ହଟାତ୍ ପକ୍ଷୀମଧ୍ୟରେ କ’ଣ ଏକ ‘ହୁର୍ରୁ’ କରି ଶବ୍ଦ ହେଲା ଏବଂ ତା ମଧ୍ୟରେ ଥିବା ସବୁ ଯନ୍ତ୍ର ବିଗିଡି ଯିବା ଫଳରେ ତାର ଗୀତ ଗାଇବା ବନ୍ଦ ହୋଇଗଲା । ସମ୍ରାଟ ଏହା ଦେଖି ଶଯ୍ୟାରୁ ହଠାତ୍ ଡେଇଁପଡି ଅସୁସ୍ଥ ହୋଇ ପଡିଲେ । ସମ୍ରାଟଙ୍କୁ ଦେଖିବା ପାଇଁ ତାଙ୍କ ଡାକ୍ତରଙ୍କୁ ଡକାଗଲା ମାତ୍ର ସେ ବା କ’ଣ କରି ପାରିବେ ।
ପକ୍ଷୀଟିକୁ ସଜାଡିବା ପାଇଁ ଘଂଟା ମରାମତିବାଲାକୁ ଡକାଗଲା । ସେ ଆସି ପରୀକ୍ଷା ନିରୀକ୍ଷାକରି ପକ୍ଷୀଟିକୁ ମରାମତି କରିଦେଲା । ସେ କହିଲା ଯେ ପକ୍ଷୀଟିକୁ ଯେତେ କମ ସମୟ ବ୍ୟବହାର କରାହେବ ସେତେ ଭଲ ନଚେତ ତାହା ପୁଣି ବିଗିଡି ଯିବ । କାରଣ ତା ଭିତରେ ଥିବା ଯନ୍ତ୍ରପାତି ସବୁ ପୁରୁଣା ହୋଇ ଗଲାଣି ଯାହାକୁ କି ଆଉ କେବେବି ବଦଳାଯାଇ ପାରିବ ନାହିଁ ।
ସେଇ କୃତ୍ରିମ ପକ୍ଷୀଟି ବର୍ଷକୁ ଥରେ ଗାଇ ପାରିଲା ଏବଂ ଏହି ଥରକ ଗାଇବା ମଧ୍ୟ ତା ପାଇଁ ଖୁବ୍ ଯଥେଷ୍ଟ ଥିଲା । ମାତ୍ର ସଂଗୀତ ଶିକ୍ଷକ ତାଙ୍କ ୱଜସ୍ୱୀନ ଭାଷଣରେ କହିଲେ ଯେ ଏହା ଠିକ୍ ପୂର୍ବ ଭଳି ହିଁ ଅଛି ।
ଏପରି ଭାବରେ ପାଂଚବର୍ଷ କଟିଗଲା । ସେ ଚୀନ୍ ସାମ୍ରାଜ୍ୟକୁ ଏକ ବିପତ୍ତି ପଡିଲା । ଚୀନ୍ର ସମ୍ରାଟ ଯାହାଙ୍କୁ କି ଦେଶବାସୀ ଖୁବ୍ ଭଲ ପାଉଥିଲେ ସେ ରୋଗରେ ଶଯ୍ୟା ଶାୟୀ ହେଲେ ଏପରିକି ବଂଚିବାର ଆଶା ତାଙ୍କର ଆଉ ରହିଲା ନାହିଁ । ଏପରି ହେଲା ଯେ ସମ୍ରାଟଙ୍କର ଉତ୍ତରାଧିକାରୀ ଭାବରେ ନୂଆ ସମ୍ରାଟ ବଛା ହୋଇଗଲେ ଏବଂ ସହରର ରାସ୍ତା ଘାଟରେ ଲୋକମାନେ ମୁଖ୍ୟସାମନ୍ତକୁ ବୁଢା ସମ୍ରାଟଙ୍କ ଦେହର ଅବସ୍ଥା ବିଷୟରେ ପଚାରି ବୁଝିବାକୁ ଲାଗିଲେ ।
ମୁଖ୍ୟସାମନ୍ତ ଲୋକମାନଙ୍କୁ ମୁଣ୍ଡକୁ ହଲାଇ ସମ୍ରାଟଙ୍କ ଅବସ୍ଥା ଗୁରୁତର ବୋଲି ସୁଚନା ଦେଉଥାନ୍ତି । ସମ୍ରାଟ ଶଯ୍ୟାରେ ବିଷର୍ଣ୍ଣ ତଥା ନୀରବ ନିଶ୍ଚଳ ହୋଇ ପଡିରହିଥାନ୍ତି । ସମ୍ରାଟଙ୍କର ସମସ୍ତ ପାରିଷଦ ଗଣ ସମ୍ରାଟଙ୍କ ଏ ମୃତବତ୍ ଅବସ୍ଥା ଦେଖି ନୂଆ ସମ୍ରାଟଙ୍କୁ ଅଭିନନ୍ଦନ ଜଣାଇବାକୁ ଚାଲିଗଲେ । ରାଜ ପ୍ରାସାଦର ଅଙ୍ଗନ ଆଉ ଅଳିନ୍ଦରେ ଲୁଗାମାନ ବିଛାଇ ଦିଆଗଲା ଯେପରି ପରିଚାରୀମାନେ ଚଲାବୁଲା କଲେ ତାଙ୍କର ପାଦଶବ୍ଦ ଶୁଣାଯିବ ନାହିଁ । ଯେମିତିକି ଚାରିଆଡେ ସମ୍ପୂର୍ଣ୍ଣ ନୀରବତା ଖେଳିଯିବ । ସେଇ ନୀରବତାକୁ ମଧ୍ୟ ଯେମିତି କେହି ଭଙ୍ଗ କରିପାରିବେ ନାହିଁ ।
ସମ୍ରାଟ ଏଇ ମୃତ୍ୟୁବତ୍ ନୀରବତା ଓ ନିଶ୍ଚଳତାର ବିରକ୍ତିକର ପରିବେଶରୁ ମୁକ୍ତିପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ସମ୍ରାଟ ଚାହୁଁଥିଲେ ଯେମିତି କେହି ତାଙ୍କ ସହିତ କଥାବାର୍ତ୍ତା କରନ୍ତେ । ଯେମିତି କେହି ତାଙ୍କ ପାଖରେ ସଂଗୀତ ପରିବେଷଣ କରନ୍ତେ । ସଂଗୀତ ଗାଇ ଯେମିତି ଏଇ ନୀରବତାକୁ ଭାଙ୍ଗି ଦିଅନ୍ତେ । ସମ୍ରାଟଙ୍କ ଶୟନକକ୍ଷର ଝରକା ଦେଇ ଚନ୍ଦ୍ର କିରଣ ପଡିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନୀରବ ଓ ନିଶ୍ଚଳ ପରିବେଶ ସୃଷ୍ଟି କରୁଥିଲା ।
ସଂଗୀତ ସଂଗୀତ ବୋଲି ଚିତ୍କାର କରି ଉଠି ସମ୍ରାଟ ଶଯ୍ୟା ପାଖରେ ଥୁଆହୋଇଥିବା କୃତ୍ରିମ ପକ୍ଷୀଟିକୁ କହିଲେ ‘ହେ ମୂଲ୍ୟବାନ କ୍ଷୁଦ୍ର ସୁବର୍ଣ୍ଣପକ୍ଷୀ! ଟିକେ ଗୀତ ଗା । ମୁଁ ତୋତେ ଅନେକ ସୁନା ଆଉ ହୀରାନୀଳା ମାନ ଦେଇଛି । ନିଜ ହାତରେ ତୋ ବେକରେ ସୁବର୍ଣ୍ଣହାର ପିନ୍ଧେଇ ଦେଇଛି । ତୁ ଟିକିଏ ଗା ।’
ମାତ୍ର ସେ ପକ୍ଷୀଟି ସେମିତି ନୀରବ ଓ ନିଶ୍ଚଳ କାରଣ ତାକୁ ଚାବି ଦେବାକୁ କେହି ଲୋକ ନଥିଲେ । ସେଠାରେ ସମ୍ପୂର୍ଣ୍ଣ ଭାବରେ ନୀରବତା ବିରାଜମାନ କରୁଥିଲା ।