ତା ପରଦିନ ଘଟଣା, ରାତି ପାହି ସକାଳ ହେଲା । ତାପରେ ସମସ୍ତେ ନିଦରୁ ଉଠିଲେ । ସକାଳୁ ସକାଳୁ ତ ମଦ ନିଶା ଛାଡି ଯାଇଛି । ନାନ୍ଦୁରା କହିଲା କିବେ କାନ୍ଦୁରା ଚନ୍ଦରା ସବୁଦିନ ଆମେ ସଂନ୍ଧ୍ୟା ପୂର୍ବରୁ ଘରକୁ ଯାଉଥିଲେ, ହେଲେ କାଲିଠାରୁ ଆମେ ତ ଆଉ ଘରକୁ ଯାଇନେ – ଏଇଠି ଶୋଇ ରାତି ପୁହାଇ ଦେଲେ ତେବେ କାଲି ତ ଘରେ ଆମ ପିଲା ଛୁଆ ସବୁ ଓପାସ, କ’ଣ କରିବା କାଲି ମୁଁ ଦୁଇ ଶହ ଟଙ୍କା ରୋଜଗାର କରିଥିଲି । ହୋଟେଲ୍ରେ ଖାଇବା, ମଦ ପିଇବା, ସିନେମା ଦେଖିବାରେ ସବୁ ଖର୍ଚ୍ଚ । ଏବେ ନାଲି ପଇସାଟେ ବି ମୋ ପାଖରେ ନାହିଁ । କାନ୍ଦୁରା କହିଲା ମୋର ମଧ୍ୟ ସବୁ ପଇସା ଖର୍ଚ୍ଚ ହୋଇଯାଇଛି । ଚନ୍ଦରା କହିଲା, ମୋର ମଧ୍ୟ କାଲି ଦୁଇଶହ ଟଙ୍କା ରୋଜଗାର ହୋଇଥିଲା । ହେଲେ ମୁଁ ମଦ ଭାଟିରେ ଦଶ ଟଙ୍କା ବୋଲି ଶହେ ଟଙ୍କା ଦେଇ ଦେଇଛି । ସେ ମୋତେ ତ ଆଉ ନବେ ଟଙ୍କା ଫେରାଇବା କଥା । ଭାଟିବାଲା ମୋର ସବୁ ପଇସା ରଖି ଦେଲା ଆଉ ସେ ପଇସା ଫେରାଇବ ନାହିଁ । ଫାଙ୍କି ଦେଇ ଓଲଟି କହିବ ଆଉ ଶହେ ଟଙ୍କାରେ ମଦ ପିଇ ହୋଟେଲ୍ରେ ଖାଇଛି । ଏଣୁ ମୋ ପାଖରେ ମଧ୍ୟ ଟଙ୍କାଟିଏ ନାହିଁ ।
କ’ଣ କରିବା ନାନ୍ଦୁରା କହିଲା, କାଲିତ ଆଉ ରୋଷେଇ ହେଇ ନଥିବ । ତେଣୁ ସ୍ତ୍ରୀ ପିଲା ସବଂଶେ ଉପାସ, ଆଜି ସେମାନେ ନିଶ୍ଚୟ ଛାଂଚୁଣୀରେ ମାଡମାରି ଆମ ପିଠି ସିଧା କରିଦେବେ । ସେମିତି ଠୁଙ୍ଗା ଠୁଙ୍ଗା ଖାଲି ହାତରେ ତ ଆଉ ଘରକୁ ଯାଇ ହବନି । ତେଣୁ ଚାଲ ଗୋଟିଏ କାମ କରିବା ଆଜି ରିକ୍ସା ଟାଣି ଯାହା ବି ରୋଜଗାର କରିବା ସେ ପଇସାରେ ଅଳ୍ପ ମଦ ପିଇ ଘରକୁ ଫେରିବା ଏ କଥା ସେ ନାନ୍ଦୁରା କହିଲା । ବଡ ଭାଇ ନାନ୍ଦୁରା କଥା ସମସ୍ତଙ୍କ ମନକୁ ବି ବେଶ୍ ପାଇଲା । ତାପରେ ତିନିହେଁ ରିକ୍ସା ଟାଣିଲେ । ଫଳରେ କିଛି ପଇସା ମଧ୍ୟ ରୋଜଗାର ହେଲା । ତେଣୁ ମଦ ଟିକେ ଟିକେ ପିଇଲେ । କିଛି ବି ଖାଇଲେ ନାହିଁ, ଖାଇବାକୁ ସେମାନଙ୍କ ପାଖରେ ପଇସା ଥିଲେ ମଧ୍ୟ ଘରେ ସ୍ତ୍ରୀ ପିଲା କ’ଣ ଖାଇବେ ଏହିଭଳି ବିଚାର କରି ତିନି ଭାଇ ସୂର୍ଯ୍ୟାସ୍ତ ସମୟରେ ଘରେ ଯାଇ ପହଁଚିଲେ । ଏଣେ ତ ଦୁଇଦିନ ହେଲାଣି ଘରେ ରୋଷେଇ ନାହିଁ । ତେଣୁ ନାନ୍ଦୁରା, କାନ୍ଦୁରା, ଚନ୍ଦରାଙ୍କୁ ଦେଖି ସେମାନଙ୍କ ସ୍ତ୍ରୀ ରାଗରେ ଖାଲି ଜର ଜର ହୋଇ ହାତରେ ଛାଂଚୁଣୀ ମୁଠାଧରି ଦୌଡି ଆସିଲେ, ନାନ୍ଦୁରା ସ୍ତ୍ରୀ ନାନ୍ଦୁରାଙ୍କୁ, କାନ୍ଦୁରା ସ୍ତ୍ରୀ କାନ୍ଦୁରାକୁ, ଚନ୍ଦରା ସ୍ତ୍ରୀ ଚନ୍ଦରାକୁ ମନ ଇଚ୍ଛା ବାଡେଇଲେ । ମାଡଖାଇ ସେ ତିନି ଭାଇଯାକ ଖାଲି ବାପାଲେ ବୋଉଲୋ ହେଉଥାନ୍ତି । ସ୍ତ୍ରୀମାନେ ମାଡ ସହିତ ଗାଳି ବି ଦେଉଥାନ୍ତି, ଯୋଗିନୀଖିଆ ମଦୁଆ ମଦ ପିଇବ, ଆଉ ଏଠି ତୁମ ସ୍ତ୍ରୀ ପିଲା ଚଳିବେ କେମିତି, ଖାଇବେ କ’ଣ । ତାପରେ ସମସ୍ତେ ମିଶିକି ଏକ ମିଟିଙ୍ଗ୍ କରିଥିଲେ । ସମସ୍ତେ କହିଲେ ତମେ ଯଦି ମଦ ପିଇବ ଆମେ ମଧ୍ୟ ମଦ ପିଇବୁ ଦେଖିବା କ’ଣ ହେଉଛି ।