ବଳଭଦ୍ର ନାମକ ଜଣେ ଯୁବକ ଗୁରୁକୂଳରେ ଶିକ୍ଷା ଶେଷକରି ନିଜ ଗ୍ରାମକୁ ଲେଉଟି ଆସିଲେ । ବଳଭଦ୍ରଙ୍କ ପିତା ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ସେ କ୍ଷେତବାଡି କରିବା ସଙ୍ଗେସଙ୍ଗେ ଲେଖାପଢା ମଧ୍ୟ କରୁଥା’ନ୍ତି । ସେ ସଂସ୍କୃତ ଗ୍ରନ୍ଥସବୁ ଅନୁବାଦ କରି ସହରର ଜଣେ ଧନୀଲୋକଙ୍କ ପାଖକୁ ପଠାଇ ଦିଅନ୍ତି । ଧନୀଲୋକ ତାଙ୍କୁ ବେଶ୍ ଭଲ ପାରିଶ୍ରମିକ ଦିଅନ୍ତି । ବଳଭଦ୍ରଙ୍କ ପିତା ଚାହୁଁଥିଲେ ଯେ ବଳଭଦ୍ର ତାଙ୍କୁ ଲେଖାପଢାରେ ସାହାଯ୍ୟ କରୁ ।
ବଳଭଦ୍ରଙ୍କୁ ମଧ୍ୟ ସେ କାମ ଭାରି ଭଲ ଲାଗିଲା । ପିତାପୁତ୍ର ମିଶି ଅନୁବାଦ କାମ ବଡ ଭଲ ଭାବରେ ଓ ଶୀଘ୍ର କରିପକାନ୍ତି । ସେମାନେ ହଂସ ପୁରାଣ ଅନୁବାଦ କରୁଥାନ୍ତି । କିଛିଦିନରେ ତାହା ଶେଷ ହେବାରୁ ପିତା ପୁତ୍ରକୁ କହିଲେ, “ପୁଅ, ତୁ ନିଜେ ଏହି ଅନୁବାଦଟି ନେଇ ଧନୀକଙ୍କ ପାଖକୁ ଯା । କେତେବର୍ଷ ଧରି ଏହି ଗ୍ରନ୍ଥଟିକୁ ଅନେକ ଲୋକ ଅନୁବାଦ କରିବାକୁ ଚାହିଁଲେ ମଧ୍ୟ କରିପାରୁ ନଥିଲେ । ଏବେ ଆମେ ଏଇଟି କରି ଦେଇଛେ, ତେଣୁ ତୁ ନିଜେ ନେଇ ଯା ।”
ତା’ପରେ ବଳଭଦ୍ର ସେ ଅନୁବାଦ ପୋଥିଟି ହାତରେ ଧରି ସହରକୁ ଗଲେ । ବାଟରେ ଜଣେ ଲୋକ ସହିତ ତା’ର ଦେଖା ହେଲା । ସେ ତାଙ୍କ ନିଜଆଡୁ ଡାକି କହିଲେ, “ତମେ ବଳଭଦ୍ର ନା? ବହୁତ ପଢାପଢି କରିଛ, ନୁହେଁ? ଏବେ ଯାଉଛ କୁଆଡେ?”
ବଳଭଦ୍ର ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଲେ ମଧ୍ୟ ନିଜେ ମନେପକାଇ ପାରିଲେ ନାହିଁ ଆଗରୁ କେଉଁଠି ସେ ଏ ଲୋକକୁ ଦେଖି ଥିଲେ ।
ବଳଭଦ୍ର ଟିକିଏ ଥତମତ ହେବାରୁ, ସେ ଅବସ୍ଥା ବୁଝିଯାଇ କହିଲେ, “ଆରେ ଭୁଲିଗଲ ନା କ’ଣ? ମୁଁ ନାରାୟଣ । ମୋତେ ଭଲ କରି ଚାହିଁ ଦେଖ । ତୁମର କିଛି ମନେ ପଡୁଛି?
ବଳଭଦ୍ରଙ୍କର ସବୁ ମନେ ପଡିଗଲା । ନାରାୟଣ ସବୁବେଳେ ପିଲାମାନଙ୍କୁ ଡାକି ଗଳ୍ପ ଶୁଣାନ୍ତି । ସେତେବେଳେ ବଳଭଦ୍ର ମଧ୍ୟ ପିଲାଙ୍କ ମଧ୍ୟରୁ ଜଣେ ଥିଲେ । ଏତିକି ମନେ ପଡିଲା ଯେ ଗଳ୍ପ ଚାଲିଥିବ, ମଝିରେ ନାରାୟଣଙ୍କ ସ୍ତ୍ରୀ ସେବତୀ ଆସି ସମସ୍ତିଙ୍କୁ ଭୀଷଣ ଗାଳିଦେଇ ସେଠାରୁ ତଡିଦିଅନ୍ତି । କିନ୍ତୁ ନାରାୟଣ ପୁଣି ପିଲାମାନଙ୍କୁ ଡାକିଆଣି ଗଳ୍ପ କୁହନ୍ତି । ପିଲାଏ ଏଥିରେ ବେଶ୍ ଖୁସି । ଗଳ୍ପଟି କେଉଁଠି ଅଧା ରହିଥିଲା ବା ଅଟକି ଥିଲା, ସେ କଥା ପିଲାମାନେ ପୁଣି କହିଦିଅନ୍ତି । ବଳଭଦ୍ର ପ୍ରଥମେ ଚିହ୍ନି ନ ପାରିବାରୁ ଦୁଃଖିତ ହେଲେ ।
ନାରାୟଣ ହସି ଦେଇ କହିଲେ, “ଆଚ୍ଛା, ସେ କଥା ଛାଡ, ତମେ ଯଦି କାଲି ଭିତରେ ସହରରୁ ଫେରିଆସିବ ତ ମୋ ପାଇଁ ଗୋଟିଏ ନଡିଆ କିଣି ନେଇ ଆସିବ । କାହିଁକିନା ପହରିଦିନ ଭଗବାନଙ୍କ ପୂଜାରେ ନଡିଆଟିଏ ବାଡେଇବାକୁ ହେବ; କିନ୍ତୁ ଆମ ଗ୍ରାମର ନଡିଆ ଗୁଡିକ ଭଲ ଜାତିର ନୁହେଁ ।
ବଳଭଦ୍ର କହିଲେ “ଆପଣଙ୍କ ପାଇଁ କାଲି ସଂଧ୍ୟାଭିତରେ ନଡିଆଟିଏ ନିଶ୍ଚୟ ଆସିଯିବ । ଏଥିଲାଗି ଆପଣ ଆଶ୍ୱସ୍ତ ରହନ୍ତୁ ।”