ବଳଭଦ୍ର ଗ୍ରାମରେ ପହଁଚିବା ବେଳକୁ ରାତି ହୋଇ ଗଲାଣି । ସେ ଟଙ୍କାସବୁ ତା’ ବାପାଙ୍କୁ ଦେଇଦେଇ, କ’ଣ ସବୁ ଘଟିଲା ସବିସ୍ତାରେ କହିଲେ ।
ବାପା କହିଲେ, “ଜମିଦାର କୌଣସି ଗ୍ରନ୍ଥ ପାଇଁ ଏତେ ଧନ ଦେଇ ନ ଥିଲେ । ମୋର କାଇଁ ମନେ ହୁଏ ସେ ତୋ ଉପରେ ବହୁତ ଖୁସି ହୋଇଛନ୍ତି । ତୁ ଯଦି ବିଦ୍ୱାନ୍ ସଭାରେ ଭାଗନେଇଥା’ନ୍ତୁ ତେବେ ସାରାଜୀବନ ଚଳିଲା ପରି ଧନ ସେ ତୋତେ ନିଶ୍ଚୟ ଦେଇଥାନ୍ତେ ।”
ବଳଭଦ୍ର କହିଲେ “ଗୁରୁକୂଳରେ ମୁଁ ଶିକ୍ଷା ପାଇଛି ଯେ ଧନଠାରୁ ବଚନ ରକ୍ଷାକରିବା ମହତ । ଆମକୁ ଯଦି ଧନ ମିଳିବାର ଥାଏ କେବେହେଲେ ମଧ୍ୟ ତାହା ମିଳିଯିବ । କିନ୍ତୁ ବଚନ ଥରେ ଗଲେ ଆଉ କଦାପି ମଧ୍ୟ ମିଳିବ ନାହିଁ ।”
ବଳଭଦ୍ରଙ୍କ ପିତା କହିଲେ “ନାରାୟଣ ପାଇଁ ତୁ ଯେଉଁ କାମ କଲୁ ତାହା ଠିକ୍ । କିନ୍ତୁ ଜାଣିବା ଉଚିତ୍ କେଉଁ କାମଟା ଅଧିକ ମୂଲ୍ୟବାନ୍ ।”
“ଆଚ୍ଛା” ଏହା କହି ବଳଭଦ୍ର ନଡିଆଟି ଧରି ନାରାୟଣଙ୍କ ଘରକୁ ଗଲେ । ସେଠାରେ ସେ ଦେଖିଲେ ଘରେ ତାଲା ପଡିଛି । ସେ ପଚାରି ବୁଝିଲେ ଯେ ତାଙ୍କ ସ୍ତ୍ରୀ ମରିବା ଦିନରୁ ତାଙ୍କର କୌଣସି କିଛିରେ ଠିକ୍ ନାହିଁ । ସେ କେତେବେଳେ ଆସନ୍ତି ଓ କେବେ ଯାଆନ୍ତି ସେ କଥା ସଠିକ୍ ଭାବେ କହିବା ଅସମ୍ଭବ ।
ବଳଭଦ୍ର କିଛି ସମୟ ସେଠାରେ ଅପେକ୍ଷା କରିବା ପରେ ନଡିଆ କଥା ଲେଖି ରଖି ଦେଇ ଆସିଲେ । ପରଦିନ ଯାଇ ସେ ଦେଖିଲେ ତାଲା ବନ୍ଦ । ଦ୍ୱିପ୍ରହର ସମୟରେ ପୁଣି ନଡିଆଟି ଧରି ଆସି ଦେଖିଲେ ନାରାୟଣ ନିଜଘରେ ବସି କ’ଣ ପଢୁଛନ୍ତି । ବଳଭଦ୍ରଙ୍କୁ ଦେଖି ରାଗିଯାଇ ସେ କହିଲେ, “ମୁଁ ପଢାପଢି କରିବାବେଳେ କେହି ବିଘ୍ନ ସୃଷ୍ଟି କରୁ ମୁଁ ତାହା ଆଦୌ ପସନ୍ଦ କରେ ନାହିଁ । କୁହ ତୁମର କ’ଣ ଦରକାର?”
ବଳଭଦ୍ର କହିଲେ “ଆପଣଙ୍କୁ ଦେଖା କରିବାକୁ କାଲି ଦୁଇଥର ଆଜି ଦୁଇଥର ଆସି ଦେଖିଲି ତାଲା ବନ୍ଦ । ଆପଣ ଯାଇଥିଲେ କୁଆଡେ?”
ନାରାୟଣ କହିଲେ “ମୁଁ କୁଆଡେ ବି ଯାଇନଥିଲି । ଲୋକମାନେ ଆସି ମୋ ପଢାପଢିରେ ବିଘ୍ନ ଘଟାନ୍ତି ବୋଲି ମୁଁ ବାହାରେ ତାଲା ଦେଇ ଭିତରେ ଥିଲି ।”
ବଳଭଦ୍ର ପ୍ରଶ୍ନ କଲେ “ଓ ଏପରି କଥା? ତେବେ ଆଜି ଆପଣ ଭଗବାନଙ୍କ ପାଇଁ ନଡିଆ ବାଡେଇ ନାହାଁନ୍ତି?”
ନାରାୟଣ କହିଲେ “ସେଇଟା ବଡ କଥା ନୁହେଁ । ଥିଲେ ବାଡେଇଥାନ୍ତି । ନଥିଲେ ନାହିଁ । କଥା କ’ଣ କି ଏବେ ମୋ ଦେହ ଭଲ ରହୁନାହିଁ । ଟିକିଏ ଉଗ୍ରଭସ୍ମ ମୁହଁରେ ଲେପିବା ପାଇଁ ବୈଦ୍ୟ କହିଛନ୍ତି । ତୁମେ କେବେ ସହର ଗଲେ ଉଗ୍ରଭସ୍ମ ମୋ ପାଇଁ ଆଣିବ ।”
ବଳଭଦ୍ର ଦେଖିଲେ ନଡିଆ ପ୍ରତି ତାଙ୍କର ଦୃଷ୍ଟି ମଧ୍ୟ ଯାଉନାହିଁ । ଶେଷକୁ ସେ ବାଧ୍ୟ ହୋଇ ନଡିଆଟି ତାଙ୍କ ହାତରେ ଦେଇ କହିଲେ, “ଏହି ନଡିଆ ଆପଣ ଆଣିବାକୁ ମୋତେ କହିଥିଲେ । ମୁଁ କେତେ ପ୍ରକାର କଷ୍ଟ ସ୍ୱୀକାର କରି ଏହା ଆଣିଲି । ଅଥଚ ଆପଣଙ୍କ ଦୃଷ୍ଟିରେ ବି ଏହା ପଡୁ ନାହିଁ? ଇଏ କି ପ୍ରକାର କଥା?”
ନାରାୟଣ କହିଲେ “କଥା କ’ଣକି କେହି ହେଲେ ବି ମୋ କାମ କରିଦିଅନ୍ତି ନାହିଁ । ଆଜି ଦେଖୁଛି ପ୍ରଥମଥର କେହି ମୋ ପାଇଁ କିଛି କଲା । ସେ ଯାହାବି ହେଉ, ତମକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ । କିନ୍ତୁ ମୁଁ ଯେଉଁ ଉଗ୍ରଭସ୍ମ କଥା କହିଲି ତାହା ବହୁତ ଦାମ୍ । ତେଣୁ ତମେ ତାହା ଆଣିବ ନାହିଁ । ଆଉ କାହାକୁ ମୁଁ ସେକଥା କହିବି । ସେ ଆଣିଦେବ ।”
ବଳଭଦ୍ର ନାରାୟଣଙ୍କ କଥା ଶୁଣୁଥିଲେ, ଗୁଡାଏ ନିରର୍ଥକ କଥା । ସେତେବେଳେ ତାଙ୍କ ପିତାଙ୍କ କଥା ସେ ଉପଲବ୍ଧି କରୁଥିଲେ ଯେ କେଉଁଥିରେ କି ପ୍ରକାର ମୂଲ୍ୟ ଅଛି, ତାହା ଦେଖି କାର୍ଯ୍ୟ କରିବାକୁ ଶିଖିବା ଉଚିତ୍ ।