ସ୍ଥାନଟି ଅବୋଲକରାକୁ ଖୁବ୍ ଭଲ ଲାଗିଲାରୁ ଅବୋଲକରା ପୁଷ୍କରିଣୀ ପାଖକୁ ଯାଇ ଦେଖିଲା ଯେ, ତୁଠର ଅନତୀ ଦୂରରେ ଶଙ୍ଖ ମଲ ମଲ ପଥରରେ ନିର୍ମିତ ଚଉତରା ଉପରେ ଏକ ସୁନ୍ଦରୀ ଉଲଗ୍ନା ନାରୀର ମୂର୍ତ୍ତି ରହିଛି । ଆଉ ମୂର୍ତ୍ତିର ପାଶ୍ୱର୍କୁ ଲାଗି ରହିଥିବା ଫଳକରେ ଲେଖା ଯାଇଛି –
“ନାରୀଣାଂ ମାୟାବିନୀଶ୍ଚ ନାରୀ ମାୟା ଦେବେ ଅଗୋଚର ।” ପୁଣି ଲେଖା ଯାଇଛି “ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ, ବିପଦ” ।
ଏହା ଦେଖି ଅବୋଲକରା ବିଚଳିତ, ଅସ୍ଥିର ହୋଇ ଏହାର କାରଣ ଜାଣିବା ନିମନ୍ତେ ସେ ଉପଦେଷ୍ଟାଙ୍କ ପାଖକୁ ଧାଇଁବାକୁ ଲାଗିଲା ।
ଅବଲୋକରା ଧଇଁ ସଇଁ ହୋଇ ଆସି ଠିଆ ହେବାରୁ ଚତୁର ବ୍ୟଙ୍ଗକାର ପଚାରିଲେ – କ’ଣ ହେଲାକିରେ ବୋଲକରା, ଦୀର୍ଘ ନିଃଶ୍ୱାସ ନେଉଛୁ । ଅବୋଲକରା କହିଲା – ଆଶ୍ଚର୍ଯ୍ୟ, ସବୁ ଆଶ୍ଚର୍ଯ୍ୟ । ଏଡେ ସୁନ୍ଦର ପୁଷ୍କରିଣୀ, ଜଳ ଅମୃତ ପ୍ରାୟ । ଶଙ୍ଖ ମଲମଲ ପଥରରେ ତୁଠ ପାବଚ୍ଛ । ସେଥିରେ ପୁଣି ସୁନ୍ଦରୀ ସ୍ତ୍ରୀର ଉଲଗ୍ନ ମୂର୍ତ୍ତି । ପୁଣି ତାକୁ ସ୍ପର୍ଶ କରିବାକୁ ମନା । ଏମିତି ହେବାର କାରଣ କ’ଣ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର କହିଲେ – ବ୍ୟସ୍ତ ହୁଅ ନାହିଁ । ନିତ୍ୟ କର୍ମତ ସାରିଲଣି । ଅଳ୍ପ ଗଣ୍ଡିଏ ରୋଷେଇ କରି ଦେବା । ତା’ପରେ ଖାଇ ପିଇ ଦେଇ ଫାଙ୍କାରେ ବସି ଯିବା ଆଉ ମୁଁ ଏହାର କାରଣ ଗୋଟି ଗୋଟି କରି ତୋତେ କହି ଦେବି । ଖିଆ ପିଆ କାମ ସରି ଯିବାରୁ ଚତୁର ବ୍ୟଙ୍ଗକାର କହିଲେ ଏବେ –
ବସ ଅବୋଲକରା ମନକୁ ଧରି
କହିବା କଥାତା କେଡେ ସୁନ୍ଦରୀ
ଉଲଗ୍ନା କାମିନୀ ଛାଡି ଯାମିନୀ
ଉଭା ହୋଇ ଅଛି ଦିବସ ଜାଣି ।
ଅଳକା ପୁର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟକୁ ଶାସନ କରୁ ଥିଲେ ରାଜା ଅମର୍ତ୍ୟ ସେନ । ରାଜା ଅମର୍ତ୍ୟ ସେନ ଥିଲେ ଜଣେ ଧାର୍ମିକ, ନ୍ୟାୟବନ୍ତ ଓ ପ୍ରଜା ପାଳକ । ପ୍ରଜା ତଥା ଦେଶ ବିଦେଶରୁ ଆସୁଥିବା ଲୋକ ମାନଙ୍କ ରହିବାର ସୁବିଧା ନିମନ୍ତେ ସେ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ କଲେ । ସ୍ନାନାଦି କାର୍ଯ୍ୟ ସମାପନ ନିମନ୍ତେ ପାଖ ଦେଶରେ ଏକ ସୁନ୍ଦର ପୁଷ୍କରିଣୀ ଖନନ ମଧ୍ୟ କଲେ । ପୁଷ୍କରିଣୀର ସୌନ୍ଦର୍ଯ୍ୟତା ନିମନ୍ତେ ଚାରି ପାଶ୍ୱର୍ରେ ନାନା ପ୍ରକାର ପୁଷ୍ପ ଫଳର ବୃକ୍ଷ ଲଗାଇଲେ ।
ଦିନକର କଥା ରାଜା ଅମର୍ତ୍ୟ ସେନ ଇଣ୍ଡିଆ ଭ୍ରମଣରେ ଯାଇ ସୁବର୍ଣ୍ଣାନନ୍ଦ ନାମକ ଏକ ରାଜ୍ୟରେ ପହଁଚିଲେ । ସେ ରାଜ୍ୟରେ ରାଜାଙ୍କର ଏକ କନ୍ୟା ଥିଲା । କନ୍ୟାର ଅପୂର୍ବ ସୁନ୍ଦର ରୂପ ଦେଖି ରାଜା ମୋହିତ ହୋଇ ପଡିଲେ ।
ଏହା ଛଡା ରାଜ କନ୍ୟାର ନାମ ଥିଲା ମାୟାବତୀ । କନ୍ୟାଙ୍କର ନାମ ଯେପରି କାର୍ଯ୍ୟ ମଧ୍ୟ ଠିକ୍ ସେହି ପରି ଥିଲା । ରାଜ କୁମାରୀ ମାୟାବତୀ କିଛି ମାୟା କରିବା ଜାଣି ଥିଲେ । ପଶୁ ପକ୍ଷୀ ମନୁଷ୍ୟ ଏପରି ସେ ଯାହାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତାହାଙ୍କୁ ନିଜର ମନ୍ତ୍ର ବଳରେ ମାୟାରେ ବଶୀଭୂତ କରି ରଖନ୍ତି । ପ୍ରତି ଦିନ ସେ ନୂଆ ନୂଆ ପୁରୁଷଙ୍କୁ ନିଜ ମାୟାରେ ବଶୀଭୂତ କରନ୍ତି । ରାତ୍ର ହେଲେ ତାଙ୍କ ସହିତ ରତି କ୍ରୀଡା କରନ୍ତି । ପୁଣି ସକାଳ ହେଲେ ସେହି ପୁରୁଷ ଜଣଙ୍କର ମୃତ୍ୟୁର ଶରୀର ବାହାରକୁ ଆସେ । ଏପରି କାହିଁକି ହୁଏ, ରାଜ କୁମାରୀ ଅନ୍ୟାୟ ଭାବରେ କାହିଁକିବା ସେ ପୁରୁଷର ମରଣ ଦେଖନ୍ତି, ତାହା ହେଉଛି ଏକ ବିସ୍ମୟର କଥା । ସେ କଥା ହେଲା ରାଜ କୁମାରୀ ସିନା ପ୍ରତିଦିନ ନୂଆ ନୂଆ ପୁରୁଷକୁ ନିଜର ବଶ୍ୟ କରି ନିଜର ମନୋ କାମନା ପୂରଣ କରନ୍ତି, ହେଲେ ଆଉ ଏକ ମାୟା ନାମକ ରାକ୍ଷାସ ପ୍ରତିଦିନ ରାଜ କନ୍ୟାଙ୍କ ପାଖକୁ ଆସେ । ରାଜ କୁମାରୀ ଯେଉଁ ପୁରୁଷ ମାନଙ୍କ ସହିତ ରାତ୍ରିରେ ରତିକ୍ରୀଡା କରି ସାରି ଲୁଚାଇ ରଖନ୍ତି । ମାୟା ରାକ୍ଷାସ କିନ୍ତୁ ମନୁଷ୍ୟ ମାନଙ୍କର ଗନ୍ଧ କୌଣସି ପ୍ରକାରେ ଜାଣି ପାରି ରାଜ କୁମାରୀଙ୍କ ଅନ୍ତଃପୁରେ ଖୋଜି ଖୋଜି ସେ ମନୁଷ୍ୟକୁ ହିଂସାପରାୟଣତା ହୋଇ ମାରି ଦିଏ । ତାପରେ ରାଜ କୁମାରୀଙ୍କ ସହିତ ରତି କ୍ରୀଡା କରି ସାରି ଚାଲି ଯାଏ ।