ଏଭଳି କଥାରେ ନିକୁମ୍ଭ ଦରହାସର ସର୍ତ୍ତ ମାନିନେଲେ ଓ କହିଲେ, “ଆଚ୍ଛା, ତୁମେ ଏଥର ପ୍ରଶ୍ନ ପଚାର ।”
ଦରହାସ ଆରମ୍ଭ କଲା, “ଏବେ ଶୁଣନ୍ତୁ, ତିନୋଟି ଛେଳି ଗୋଟିଏ ରାସ୍ତାରେ ଯାଉଥିଲେ । ଜଣେ ବ୍ୟକ୍ତି ସମ୍ମୁଖ ପଟରୁ ଆସୁଥିଲା । ସେ ପ୍ରଥମ ଛେଳିକି ପଚାରିଲା, ‘ତୁମ ପଛରେ କେତୋଟି ଛେଳି ଅଛନ୍ତି?’ ତହୁଁ ସେ ଛେଳି କହିଲା, ‘ଦୁଇଟି’ । ତା’ପରେ ସେ ଦ୍ୱିତୀୟ ଛେଳିକି ସେହି ପ୍ରଶ୍ନ ପଚାରିଲା । ସେ ମଧ୍ୟ ଉତ୍ତର ଦେଲା, ‘ଦୁଇଟି’ । କିନ୍ତୁ ଏହା କିପରି ସମ୍ଭବ? ଛେଳି ଏପରି ଉତ୍ତର ଦେଲା କାହିଁକି?” ଏଭଳି ପ୍ରଶ୍ନ ଶୁଣି ନିକୁମ୍ଭ ପରିହାସ ପୂର୍ବକ ଥଟ୍ଟା କରି ପଚାରିଲେ, “ଆରେ, ଏ କି ପ୍ରଶ୍ନ?”
ଦରହାସ କହିଲା “ମୁଁ ପ୍ରଥମରୁ ହିଁ କହିଛି ମୁଁ ଗ୍ରାମୀଣ ମୂର୍ଖ ଲୋକ । ଯଦି ମୂର୍ଖର ପ୍ରଶ୍ନକୁ ଉତ୍ତର ଦେଇପାରୁ ନାହାଁନ୍ତି ତେବେ ଆପଣ କି ପ୍ରକାର ପଣ୍ଡିତ?”
ନିକୁମ୍ଭ କିଛି ସମୟ ଭାବିବା ପରେ କହିଲେ, “ହୁଏତ ଛେଳିମାନେ ବୃତାକାର ଭାବରେ ବୁଲୁଥିଲେ । ତା’ହେଲେ ଯାଇ ପ୍ରତ୍ୟେକ ଛେଳି କହିପାରିବ ଯେ ‘ମୋ ପଛରେ ଦୁଇଟି ଛେଳି ।’
ଏହା ଶୁଣି ଦରହାସ ଅଳ୍ପ ହସି କହିଲା, “ନା, ମୁଁ ମୂଳରୁ କହିଛି ସେମାନେ ସିଧା ରାସ୍ତାରେ ଧାଡି ବାନ୍ଧି ଚାଲୁଛନ୍ତି ।” ତା’ପରେ ନିକୁମ୍ଭ କିଛି ସମୟ ଚିନ୍ତା କରିବା ପରେ କହିଲେ, “ଏବେ ତୁମେ ଏହାର ଉତ୍ତର ଦିଅ ।”
ତା’ପରେ ଦରହାସ ହସି ହସି ଉତ୍ତର ଦେଲା “ତେବେ ଶୁଣନ୍ତୁ – ଦ୍ୱିତୀୟ ଛେଳିଟି ମିଛ କହିଲା – ବାସ୍!”
ଏସବୁ ଶୁଣି ସେ ସାରା ସଭାର ଲୋକେ ହସି ହସି ଲୋଟିଗଲେ । ସମସ୍ତେ ଦରହାସକୁ ପ୍ରଶଂସା କଲେ । ତା’ପରେ ନିକୁମ୍ଭ କହିଲେ, “ଏବେ ତୁମେ ତୁମର ଦ୍ୱିତୀୟ ପ୍ରଶ୍ନ ପଚାର ।”
ଦରହାସ ଆରମ୍ଭ କଲା ଦ୍ୱିତୀୟ ପ୍ରଶ୍ନ, “ଜଣେ ଲୋକ ଗୋଟିଏ ପାହାଡ ଉପରେ ଛିଡା ହୋଇ କିଛି ସମୟ ସୂର୍ଯ୍ୟଙ୍କ ଆଡେ ଚାହିଁଲା । ପରେ ସେ ପାହାଡରୁ ଓହ୍ଲାଇ ପୂର୍ବଦିଗକୁ ଚାରିକୋଶ ଚାଲି ଚାଲି ଗଲା । ତା’ପରେ ସେଠାରୁ ଦକ୍ଷିଣ ଦିଗରେ ପାଂଚକୋଶ ଚାଲିଲା । ପୁଣି ସେଠାରୁ ବାମପଟକୁ ମୁହଁ କରି ଦୁଇକୋଶ ଚାଲିବା ପରେ ଅଚାନକ ସେ ସେଇଠାରେ ହିଁ ରହିଗଲା । ସେ ବ୍ୟକ୍ତି ଏପରି କାହିଁକି ବନ୍ଦ ହୋଇଗଲା?”
ଏଭଳି ପ୍ରଶ୍ନ ଶୁଣି ନିକୁମ୍ଭ ଅଳ୍ପ ହସି ଦରହାସ ଆଡେ ଚାହିଁଲେ ଯେପରି ସେ ଜଣେ ପାଗଳକୁ ଦେଖୁଛନ୍ତି । ଉତ୍ତର ଦେବାକୁ ହେବ ଭାବି ସେ କହିଲେ, “ବୋଧହୁଏ ଆଗରେ ସମୁଦ୍ର ଥିଲା ।”
ସବୁଶୁଣି ଦରହାସ କହିଲା “ନୁହେଁ । ଭୁଲ୍ ।”