ଭାବି ଭାବି ନିକୁମ୍ଭ ଚାରିପାଂଚଟି ଉତ୍ତର ଦେଲେ, କିନ୍ତୁ ସେସବୁ ଭୁଲ୍ । ନିକୁମ୍ଭ କିଛି ଉତ୍ତର ଦେଇ ନ ପାରିବାରୁ ଦରହାସ କହିଲା, “ସିଧା କଥା, ସେ ଅଟକି ଯିବାକୁ ଚାହିଁଲା । ତେଣୁ ସେ ଅଟକି ଗଲା ।”
ଏହା ଶୁଣି ସଭାସଦ୍ ପୁଣି ହର୍ଷଧ୍ୱନୀ କଲେ । ସମସ୍ତେ ଦରହାସର ପ୍ରଶଂସା କଲେ । ଦରହାସ ନିକୁମ୍ଭଙ୍କୁ କହିଲା, “ଆପଣ ମହାନ୍ ପଣ୍ଡିତ ସତ, କିନ୍ତୁ ଜ୍ଞାନରେ ଆପଣ ଧନୀ ନୁହଁନ୍ତି । କାରଣ ଜ୍ଞାନର କ’ଣ ସୀମା ଅଛି? ଜଣେ ଜ୍ଞାନୀକୁ ମୁଠାଏ ବାଲି ଧରି ଯଦି କେହି ପଚାରେ ମୋ ହାତରେ କେତେ ବାଲି ଅଛି? ତେବେ ପଣ୍ଡିତମାନେ କହିବେ, ‘ତାକୁ ହିସାବ କରିବା ଅସମ୍ଭବ ।’ କିନ୍ତୁ ସିଧା ସହଜ ଭାଷାରେ ଉତ୍ତର ଦିଆଯାଇ ପାରେ ଯେ ହାତରେ ମୁଠାଏ ବାଲି ଅଛି । ଆପଣ ବି ଠିକ୍ ସେହି ପ୍ରକାରର ପଣ୍ଡିତ । ସହଜ କଥାକୁ ଅଯଥା ଜଟିଳ କରି ତା’ ଉପରେ ତର୍କ ବିତର୍କ ହାରଜିତର ମାନେ କିଛି ହୁଏ? ଜୀବନର ଅନେକ ସମସ୍ୟା ଅଛି ବରଂ ସେ ସବୁର ସମାଧାନ କରିବା ପାଇଁ ବୁଦ୍ଧି ଓ ସମୟ ଖର୍ଚ୍ଚ କରନ୍ତୁ ।”
ନିକୁମ୍ଭ ପୂର୍ବରୁ ଜିତିଥିଲେ ବୋଲି ରାଜା ତାଙ୍କୁ ପୁରସ୍କାର ଦେଲେ ସତ, କିନ୍ତୁ ତାଙ୍କ ପାଣ୍ଡିତ୍ୟର ଗର୍ବ ଉପରେ ଦରହାସର କଥାବାର୍ତ୍ତା ପ୍ରଚଣ୍ଡ ଆଘାତ ଦେଲା । ତେଣୁ ପୂର୍ବ ସର୍ତ୍ତ ଅନୁସାରେ ସେ ରାଜଧାନୀ ଛାଡି ଚାଲିଗଲେ ।
ପରେ ଦରହାସ ରାଜାଙ୍କୁ କହିଲା, “ଆମେ ଆପଣଙ୍କ ରାଜ୍ୟର ଦରିଦ୍ର ତିନି ଭାଇ । ମୋ ସାନଭାଇ ମନ୍ଦହାସ ଓ ବଡଭାଇ ଅଟ୍ଟହାସ । ଆମେ ତିନିଜଣ ଦରବାରରେ ଚାକିରୀ ପାଇବା ଆଶାରେ ଆସିଥିଲୁ । ଏବେ ଆପଣଙ୍କର ଯାହା କୃପା ।”
ଦରହାସ କଥାରେ ରାଜା ଖୁସି ହୋଇ ତିନି ଭାଇଙ୍କୁ ରାଜଦରବାରରେ ଚାକିରୀ ଦେଲେ ଓ ଦରହାସକୁ ଅନେକ ପୁରସ୍କାର ଦେଲେ ।