ସଦାନନ୍ଦ କହିଲା “ସେପରି କଥା ମୋଟେ କୁହ ନାହିଁ । ଭଲ କରି ମନେ ପକାଅ । ହୁଏତ ତମେ ଆଉ କାହାକୁ ଦେଇଥିବ । ସେହି ଖାତାରେ ଏକ ରହସ୍ୟ ପୂର୍ଣ୍ଣ ଲେଖା ଅଛି । ତାହାର ଅର୍ଥ ମୋ ବ୍ୟତୀତ ଆଉ କେହି ମଧ୍ୟ ବୁଝିପାରିବ ନାହିଁ । ତୁମେ ସେ ଖାତାଟି କୌଣସିମତେ ଖୋଜି ବାହାର କରି ମୋତେ ଦିଅ । ତଦ୍ୱାରା ବହୁତ ଧନ ମିଳିବ । ମୁଁ କଥା ଦେଉଛି ସେଥିରୁ ତୁମକୁ ଭାଗ ଦେବି ।”
ଶ୍ରୀଧରର ସ୍ତ୍ରୀ ବୀଣା ବି ଏକଥା ଶୁଣିଲା । ସେ ସାରାଦିନ ଖୋଜିଲା ଓ ସ୍ୱାମୀକୁ ପୁଣି ଆଉଥରେ ମନେ ପକାଇବାକୁ କହିଲା । ସବୁପ୍ରକାର ଚେଷ୍ଟା ସତ୍ତ୍ୱେ ମଧ୍ୟ ସେ ଖାତାଟି ଆଉ ମିଳିଲା ନାହିଁ । ସଦାନନ୍ଦ ଦେଖିଲା ତା’ର ଦ୍ୱିତୀୟ ଉପାୟ ମଧ୍ୟ ବ୍ୟର୍ଥ ଗଲା । ତା’ପରେ ସେ ତୃତୀୟ ଉପାୟ ପାଂଚିଲା । ଶ୍ରୀଧର ଘରେ କାମ କରୁଥିବା ସ୍ତ୍ରୀଲୋକ ରୂପେଇକୁ କିଛି ସେ କହିଲା । ଶ୍ରୀଧରର ଅନୁପସ୍ଥିତିରେ ରୂପେଇ ବୀଣାକୁ କହିଲା, “ମା, ବାବୁ ସେହି ଖାତାଟି ଗ୍ରାମର ବାହାରେ ରହୁଥିବା କାନ୍ତାକୁ ଦେଇଛନ୍ତି । ସେଥିପାଇଁ ତୁମକୁ କହିବାକୁ ସେ ଡରୁଛନ୍ତି । କୌଣସି ଉପାୟରେ ଖାତାଟି ଯଦି ମିଳନ୍ତା ତେବେ ମିଳିବା ଧନରୁ ଆପଣ ମଧ୍ୟ ଭାଗ ପାଆନ୍ତେ ।”
ସେ କାନ୍ତା ତ ମନ୍ତ୍ର ଜାଣେ । ଲୋକମାନେ ବିଶ୍ୱାସ କରନ୍ତି ଯେ କୌଣସି ବ୍ୟକ୍ତିକୁ ନିଜ ହାତ ମୁଠାରେ ରଖିବା ପାଇଁ ସେ ମନ୍ତ୍ରଯନ୍ତ୍ରର ପ୍ରୟୋଗ କରେ । ସେପରି ସ୍ତ୍ରୀକୁ ସ୍ୱାମୀ ଖାତାଟି ଦେଇଥିବାର ଶୁଣି ବୀଣାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ସେ ବହୁତ ରାଗି ଗଲେ । ଶ୍ରୀଧର ଯେତେ ବୁଝାଇଲା କି ଏସବୁ କିଛି ସେ ଜାଣେ ନାହିଁ; ତଥାପି ମଧ୍ୟ ସେ ବୀଣାର ସନ୍ଦେହ ଆଉ ଘୁଂଚିଲା ନାହିଁ ।
ବିଚରା ଶ୍ରୀଧର ଦିନେ ସଦାନନ୍ଦର ଘରକୁ ଯାଇ ତାକୁ କହିଲା, “ତୁମ ଖାତା ଆମ ଜୀବନରେ ଅଗ୍ନି ସଂଯୋଗ କରିସାରିଲାଣି । ତମେ ଅନ୍ତତଃ ଏମିତି କିଛି ଉପାୟ କର ଯଦ୍ୱାରା ଆମେ ପତିପତ୍ନୀ ମିଳିମିଶି ଖୁସିରେ ଚଳିବୁ ।”
ଏଣେ ସଦାନନ୍ଦ କହିଲା, “ମୋ ଖାତା ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ୍ । ତୁମ ପରିବାର ଯଦି ସେଥିଯୋଗୁ ଉଚ୍ଛନ୍ନ ହୋଇଗଲା ତ ସେଥିରେ ମୋର କ’ଣ ଗଲା? ହେଲେ ସୂର୍ଯ୍ୟାସ୍ତ ପୂର୍ବରୁ ମୋ ଖାତା ନଫେରାଇଲେ ମୁଁ ପାହାଡକୁ ନିଶ୍ଚୟ ତୁମ ଘରକୁ ପଠାଇବି ।”
ପାହାଡ ହେଉଛି ସେ ଗ୍ରାମର ଏକ ଗୁଣ୍ଡା । ଦେଖିବାକୁ ତା’ର ବିରାଟ ଚେହେରା, ତା’ର ହଳେ ଭୟଙ୍କର ନିଶ ଅଛି । ସେ ସଦାନନ୍ଦର ଘନିଷ୍ଠ ବନ୍ଧୁ । ଶ୍ରୀଧର ତା’ର ନାମ ଶୁଣୁ ଶୁଣୁ ଭୟରେ ଥରିଲା; ତା’ପରେ ସେ ଯାଇ ପାଖ ଗ୍ରାମରେ କୌଣସି ବନ୍ଧୁ ଘରେ ଲୁଚି ରହିଲା ।
ଏଣେ ଚାରିଦିନ ବିତିଗଲା । ଗୁରୁ ଫେରି ଆସିଲେ ଓ ସଦାନନ୍ଦକୁ ଖାତା ମାଗିଲେ । ସଦାନନ୍ଦ ବ୍ୟସ୍ତ ହୋଇ କହିଲା, “ଗୁରୁଦେବ, ଯେତେ ଉପାୟ କରିବାର ଥିଲା କରିଲି । କିନ୍ତୁ ମୁଁ ସେ ଖାତା କେଉଁଠି ହେଲେ ବି ପାଇଲି ନାହିଁ ।”
ସଦାନନ୍ଦର ଏପ୍ରକାର କଥା ଶୁଣି ଗୁରୁଦେବ କହିଲେ ମୁଁ ତ ପ୍ରଥମରୁ ହିଁ ତୁମକୁ କହିଥିଲି, “ପୁସ୍ତକଂ, ବନିତା, ବିତଂ, ପରହସ୍ତଂ ଗତଂ ଗତଃ” ଅର୍ଥାତ୍ ପୁସ୍ତକ, ସ୍ତ୍ରୀ ଓ ଧନ ପରହାତକୁ ଥରେ ଗଲେ ଆଉ କଦାପି ମଧ୍ୟ ଫେରେନାହିଁ । ତୁମେ ତ ଏହି ସତ୍ୟକୁ ପୁରାପୁରି ଭୁଲିଯାଇଛ ।”
“ଗୁରୁଦେବ, ସଦାବେଳେ ଆପଣ ମୋର ଭୁଲିଯିବା କଥାହିଁ ମନେ ପକାଇ ଦେଉଛନ୍ତି । ଆପଣ କହିଥିବା ଚାରିଟି ଉପାୟ ମୁଁ ଭଲ ଭାବରେ ମନେ ରଖିଥିଲି; କିନ୍ତୁ ଶ୍ରୀଧର କ୍ଷେତ୍ରରେ ତାହା ବ୍ୟର୍ଥ ହେଲା ।” ତା’ପରେ ସେ ସବୁ କଥା ସବିସ୍ତାର ବର୍ଣ୍ଣନା କଲା ।
“ଯେତେବେଳେ ଫଳ ମିଳିଲା ନାହିଁ, ତେବେ ବିଦ୍ୟାର ପ୍ରୟୋଗ ନିଶ୍ଚୟ ନିରର୍ଥକ ।” ଗୁରୁଦେବ ଦୀର୍ଘଶ୍ୱାସ ପକାଇ ଏକଥା କହିଲେ ।
ସଦାନନ୍ଦ ରାଗିକରି କହିଲା “ତେଣୁ କୁହନ୍ତୁ ନାହିଁ ଯେ ମୁଁ ନିରର୍ଥକ । ବରଂ କୁହନ୍ତୁ ଯେ ଆପଣଙ୍କ ବିଦ୍ୟାହିଁ ନିରର୍ଥକ ।”
ଗୁରୁଦେବ ଅଳ୍ପ ହସି କହିଲେ, “ଆରେ ସଦାନନ୍ଦ, ଏହି ଚାରିଦିନ ମୁଁ ପାଖ ଗ୍ରାମରେ ଥିଲି । ମୋର ବିଦ୍ୟା ସବୁକୁ ନେଇ ଯିଏ ତା’ ଜୀବନରେ ବହୁତ ଉନ୍ନତି କରିଛି, ସେ ସେହି ଗ୍ରାମରେ ରହେ । ସେ ବଡ ଉତ୍ସାହର ସହିତ ମୋର ସ୍ୱାଗତ-ସତ୍କାର କଲା । ସେ ମୋର ଶିଷ୍ୟ ନୁହେଁ, ତଥାପି ମଧ୍ୟ । ଆଉ ତୁମେ ଭୁଲା ମଣିଷ; ତେଣୁ ତୁମର ଏହି ଦଶା ।”
ସଦାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ଏହା କିପରି ହେଲା?”
ଗୁରୁଦେବ କହିଲେ “ତୁମେ ଯେଉଁ ଖାତାରୁ କିଛି ନପାଇ ତୁମର ସାଙ୍ଗକୁ ଦେଇ ଦେଲ ସେ ହେଲା ଶ୍ରୀକର, ଶ୍ରୀଧର ନୁହେଁ । ତୁମେ ଖାତାଟି ଶ୍ରୀକରକୁ ଦେଇ, ଶ୍ରୀଧରଠାରୁ ଖାତା ଆଦାୟ କରିବାକୁ ଉପାୟ ପରେ ଉପାୟ କରି ଚାଲିଛ । ଏଇଟା ତୁମର ଭୁଲା ପଣ ନୁହେଁ ତ ଆଉ କ’ଣ? ଯେତେ ଉପାୟ କଲେ ମଧ୍ୟ ବିଚରା ଶ୍ରୀଧର ସେ ଖାତାଟି କେଉଁଠୁ ବା ଆଣି ତୁମକୁ ଦେବ?”
ଏକଥା ଶୁଣି ସଦାନନ୍ଦ ଲଜ୍ଜାରେ ନିଜ ମସ୍ତକ ନତ କରି ଠିଆ ହେଲା । ତା’ପରେ ଗୁରୁଙ୍କଠାରୁ ଓ ଶ୍ରୀଧରଠାରୁ ସେ କ୍ଷମା ମାଗିଲା । ଅନ୍ୟ କୌଣସି ବିଦ୍ୟା ଉପରେ ଆଶା ନରଖି ଶେଷରେ ଚାଷ କରି ସେ ତା’ ଜୀବନ ବିତାଇଲା ।