ତା’ ବାପା କଥା ମନେପକାଇ ପ୍ରମିଳା ବେଳେ ବେଳେ କାନ୍ଦେ । ପୁଣି ଲୁହକୁ ପଣତରେ ପୋଛିଦିଏ । ନଈ ତୁଠରେ ଘସା ପଥରରେ ପ୍ରମିଳା ତା’ ଗୋଡ ଘସି ମଳି ଛଡାଏ । କିଏ ସାବୁନ ହଳଦୀ ଲଗାଉଥିବାର ଦେଖିଲେ ତାକୁ ଏ ପ୍ରମିଳା ନିରେଖି ଚାହେଁ । ସମସ୍ତେ ଗାଧୋଇ ସାରି ଘରକୁ ଫେରିଲେ ପ୍ରମିଳା କିଏ ଛାଡିଥିବା ସାବୁନକୁ ଏଣିକି ତେଣିକି ଅନାଇ ନିଜ ଦେହ ହାତରେ ତରବର ହୋଇ ଲଗେଇ ପକାଏ । ଆଉ ସାବୁନ୍ ନ ପାଇଲେ ବେଳେ ବେଳେ ସେ ପ୍ରମିଳା କାଦୁଅ ଲଗାଏ ।
ପ୍ରମିଳା ମନେ ପକାଏ ତା’ର ବାପା ତାକୁ କେତେ ରକମର ସାବୁନ, ବାସନା ତେଲ ଇତ୍ୟାଦି ଦିଅନ୍ତି । ଆଉ କେତେ ମନହାରୀ ଜିନିଷ ବି ଦିଅନ୍ତି । ହେଲେ ଏବେ ତାକୁ ସାବୁନ୍ ଖଣ୍ଡେ ବି ମିଳୁନି । ଗାଧୋଇ ସାରି ପ୍ରମିଳା ତା’ଘରକୁ ଫେରେ । ଗୋଟିଏ ପାଖ ଲୁଗା ଶୁଖିଗଲେ ସେଇ ପାଖ ପିନ୍ଧେ । ଆରପାଖ ପୁଣି ଶୁଖାଏ ।
ଦିନକର ଘଟଣା । ପ୍ରମିଳାକୁ ସେ ଗାଆଁ ଚୌକିଦାର ଚରଣ ସିଂ କହିଲା, ପ୍ରମିଳା ତୁ ନିହାତି ନିରିମାଖି ଝିଅଟିଏ । ତୋ ବାପା ମାଆ ଥିଲେ ତୁ ଆଜି କ’ଣ କେବେବି ଏତେ ଦୁଃଖରେ ଥାଆନ୍ତୁ? ପ୍ରମିଳା ସେ ଚୌକିଦାର ଚରଣ ସିଂଠାରୁ ଏତିକି ଶୁଣି ପିଲାଙ୍କ ଭଳି ଖାଲି ଭୋ ଭୋ ହୋଇ କାନ୍ଦି ପକାଇଲା । ସେ ଗାଆଁ ଚୌକିଦାର ଚରଣ ସିଂକୁ ତ ବୟସ ପଚାଶରୁ ପଂଚାବନ ବର୍ଷ ମଧ୍ୟରେ । ତେଣୁ ସେ ଚରଣ ସିଂ ପ୍ରମିଳାକୁ ସାନ୍ତ୍ୱନା ଦେଲେ । ତାପରେ ସେ ପ୍ରମିଳା ନିଜ ଦୁଃଖ କାହାଣୀ ସବୁ ଗୋଟି ଗୋଟି କରି ଚୌକିଦାର ଚରଣ ସିଂକୁ କହିଲା । ସବୁ ଶୁଣି ସେ ଚରଣ ସିଂ ପ୍ରମିଳାକୁ କହିଲା, ତୁ ତ ଯାହା ବି ହେଲେ ଅଳ୍ପ ବହୁତ ପାଠ ଶାଠ ପଢିଛୁ । ଛୋଟ ପିଲାମାନଙ୍କୁ ପାଠ ପଢାଇଲେ ପଇସା କିଛି ତୁ ବି ରୋଜଗାର କରିବୁ । ଟିଉସନ୍ କରିବୁ?