ତହୁଁ ସେ ପ୍ରମିଳା କହିଲା ଚରଣ ଅଜା, ମୋତେ ତ ଏ ଗାଆଁରେ ଛୋଟ ଛୋଟ ପିଲାମାନେ ପାଗଳୀ କହି ମୋ ପଛରେ ଗୋଡାନ୍ତି । ମୁଁ ପୁଣି ସେମାନଙ୍କୁ ପାଠ ପଢାଇବି କେମିତି? ଏପରି କଥା ଶୁଣି ସେ ଚରଣ ସିଂ କହିଲା, ପ୍ରମିଳା ତୁ ପୁରା ଠିକ୍ କହିଛୁ? ତୋର ଏ ଛିଣ୍ଡା ଲୁଗା, ଛିଣ୍ଡା ବ୍ଲାଉଜ, ମଇଳା ବେଶ ପୋଷାକ ଆଉ ନୁଖୁରା ବାଳ ଓ ଦୁର୍ବଳ ସ୍ୱାସ୍ଥ୍ୟ ଦେଖି ସମସ୍ତେ ତ ତୋତେ ପାଗଳୀ ବୋଲି କହୁଛନ୍ତି । ତେଣୁ ତୁ ଗୋଟେ କାମ କରିବୁ । ମୁଁ ତୋତେ ତେଲ ସାବୁନ୍ ଦେବି, ଭଲ ଶାଢି, ବ୍ଲାଉଜ୍ ବି ଦେବି । ତୁ ତାକୁ ପିନ୍ଧିବୁ । ମୋ ଘରେ କିଛିଦିନ ରହିବୁ । ତା’ପରେ ମୁଁ ତୋତେ ମୋ ମଇତ୍ର ମହେଶ୍ୱର ଘରେ ଛାଡି ଦେବି । ସେ ମହେଶ୍ୱରକୁ ଏ କଳିଯୁଗର ଦୟାଳୁ ବୋଲି କହନ୍ତି । ଏବେ ଚାଲ୍ ମୋ ଘରେ କିଛିଦିନ ରହିବୁ । ମୁଁ ତୋତେ ଖାଇବାକୁ ଦେବି, ପିନ୍ଧିବାକୁ ଦେବି । ପ୍ରମିଳା ସେତେବେଳେ ଭାବୁଥିଲା ଏ ଗାଆଁ ଚୌକିଦାର ଚରଣ ସିଂର ମନଟା କେତେ ଉଦାର, କେତେ ଦୟାଳୁ ଲୋକ ତାଙ୍କୁ କିପରି କୃତଜ୍ଞତା ଜଣାଇବ ବୋଲି ପ୍ରମିଳା କିଛି ବି ଭାବିପାରୁ ନଥିଲା । ପୁଣି ଚରଣ ସିଂ କହିଲେ ପ୍ରମିଳା ତୁ ତ ଝିଅଟା କାଲି ସକାଳେ ତୋର ଜନମ । ବୟସ ମାତ୍ର କୋଡିଏ କି ବାଇଶି ବର୍ଷ ହେବ । ହେଲେ ତୁ ତ ବୁଢୀଟିଏ ଭଳି ଦେଖାଯାଉଛୁ ।
ତାପରେ ସେ ଗାଆଁ ଚୌକିଦାର ଚରଣ ସିଂ ଏ ପ୍ରମିଳାକୁ ନିଜ ଘରକୁ ଡାକିନେଲା, ଖାଇବାକୁ, ପିନ୍ଧିବାକୁ ଦେଲା, ତେଲ, ସାବୁନ ଲଗାଇବାକୁ ଦେଲା । ପ୍ରମିଳା ଏବେ ବହୁତ ଭଲରେ ଅଛି । ତା’ ସ୍ୱାସ୍ଥ୍ୟରେ ବି ଧୀରେ ଧୀରେ ପରିବର୍ତ୍ତନ ଆସିଛି ।
ଏମିତି କିଛିଦିନ ଚାଲିଗଲା । ଦିନକର ଘଟଣା ସେଇ ଗାଆଁରେ ସୈନିକମାନଙ୍କ ଟ୍ରେନିଂ କ୍ୟାମ୍ପ ପିଡିଲା । ପଚାଶ କି ଷାଠିଏ ଜଣ ସୈନିକ । ସେହି ସୈନିକମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ ତ କେହି ବି ନ ଥିଲେ । ତେଣୁ ସେମାନେ ନିଜେ ନିଜେ ରୋଷେଇ କରି ଖାଉଥିଲେ । ଦିନେ ଚରଣ ସିଂ ସେ ସୈନିକ ମାନଙ୍କ କ୍ୟାମ୍ପକୁ ଗଲେ । ଜଣେ ସୈନିକ ଯୁବକକୁ ଚରଣ ସିଂ ପଚାରିଲେ, ବାବୁମାନେ ଆପଣମାନେ କ’ଣ ନିଜେ ହାତରେ ରୋଷେଇ କରି ଖାଉଛନ୍ତି । ମୋ ଝିଅଟି ଆସି ଆପଣମାନଙ୍କୁ ରୋଷେଇ କରି ଦିଅନ୍ତା, ମୁଁ ନିହାତି ଗରିବ ଲୋକ । ତା’ ପ୍ରତିବଦଳରେ ଆପଣ ମୋ ଝିଅର ପାରିଶ୍ରମିକ ବାବଦକୁ ଯାହା କିଛି ପଇସା ଦିଅନ୍ତେ । ଯାହା ବି ଦିଅନ୍ତୁ ସେଥିରେ ମୋର କିଛିବି କହିବାର ନାହିଁ ।