ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନିର୍ଦ୍ଦୟରୁ ସଦୟ

ପୁରା କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲି ହରିଣ ଶିକାର କରେ । ସାଧାରଣତଃ ତା’ ତୀର ଅବ୍ୟର୍ଥ । ସେ କେବେହେଲେ ଖାଲି ହାତରେ ଘରକୁ ଫେରିବାର ଗାଁ ଲୋକେ ଜାଣି ନଥିଲେ । ସବୁଦିନ ସେ ହରିଣ ମାରୁଥିବାରୁ ଲୋକେ ତାକୁ ନିଜ ନିଜ ଭିତରେ “ନିର୍ଦ୍ଦୟ” ବୋଲି ଡାକୁଥିଲେ ।

ଦିନେ ଶିକାରୀ ଅନେକ ସମୟ ଧରି ବଣରେ ବୁଲାବୁଲି କଲା; କିନ୍ତୁ କୌଣସି ଶିକାର ପାଇଲା ନାହିଁ । ତା’ ଆଖିରେ ହଠାତ୍ ଗୋଟିଏ ହରିଣ ଛୁଆ ପଡିଲା । ସେ ତାକୁ ତୀର ମାରିଲା । ହରିଣ ଛୁଆଟି ଆହତ ହୋଇ ପଡିଯିବାରୁ ସେ ତାକୁ ଧରି ଘର ମୁହାଁ ଫେରିଲା ।

ସେ ବଣରେ ଜଣେ ଋଷି ରହୁଥିଲେ । ହଠାତ୍ ଏ ଶିକାରୀ ସହ ତାଙ୍କର ଭେଟ ହୋଇଗଲା । ଶିକାରୀ ଦେଖିଲା, ଋଷି ତା’ ପଛେ ପଛେ ଚାଲିଛନ୍ତି ଓ କହୁଛନ୍ତି, “ବୁଝୁଛି, ବୁଝୁଛି!”

ଶିକାରୀ ପଚାରିଲା “ଆପଣ କ’ଣ ବୁଝୁଛନ୍ତି? ଏକଥା କାହାକୁ କହୁଛନ୍ତି?”

ଋଷି କହିଲେ “ହରିଣଛୁଆ କିଛି କହୁଥିଲା । ମୁଁ ତାକୁ ତାର ଉତ୍ତର ଦେଉଥିଲି ।”

ଶିକାରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କାହିଁ, ମୁଁ ତ ସେ କିଛି କହିବାର ଆଦୌ ଶୁଣି ପାରୁନାହିଁ!”

ଋଷି କହିଲେ, “ତୁ ବି ଚାହିଁଲେ ସେସବୁ ଶୁଣି ପାରିବୁ । ତାକୁ ତଳେ ଥୋଇ ଦେ ।” ଶିକାରୀ ତାକୁ ତଳେ ଥୋଇ ଦିଅନ୍ତେ ଋଷି ନିଜ କମଣ୍ଡଳୁରୁ ତା’ ଉପରେ ଟିକିଏ ପାଣି ସିଂଚିଦେଲେ । ହରିଣଛୁଆ କହିବାର ଶୁଣାଗଲା, “ମୋ ମାଆ ମୋତେ କେତେ ଖୋଜିବ ଓ ମୋତେ ନ ପାଇ ସେ କେତେ କାନ୍ଦିବ!”

ଶିକାରୀ ସ୍ତବ୍ଧ ହୋଇ ଠିଆ ହୋଇ ରହିଲା ଓ କିଛି ଚେରମୂଳ ଆଣି ସେଥିରୁ ସେ ତା’ ରସ ବାହାର କରି ହରିଣଛୁଆ ଦେହରେ ଲଗାଇଲା । ତା’ କ୍ଷତ ଭଲ ହୋଇଗଲା । ସେ ଦୌଡି ଚାଲିଗଲା । ଋଷି ପଚାରିଲେ, “କ’ଣ ହେଲା? ତାକୁ ଛାଡିଦେଲ?”

“ହଁ ଆଜ୍ଞା, ମୋ ପୁଅଟି ହଜିଗଲେ ତା’ ମା ଓ ମୁଁ ତାକୁ କେତେ ଖୋଜନ୍ତୁ । ସେଇକଥା ଭାବି ତାକୁ ମୁଁ ଛାଡିଦେଲି । ଆଜି ଅବଶ୍ୟ ଆମ ଘରେ କିଛିବି ରୋଷେଇ ହୋଇପାରିବ ନାହିଁ । ହେଉ, ହେଲା, ଦିନଟିଏ କ’ଣ ଆମେ ଓପାସ ରହିଯାଇ ପାରିବୁ ନାହିଁ?” ଏହା କହି ଶିକାରୀ ସେଠାରୁ ଚାଲିଗଲା । ଶିକାରୀ ତୀର ମାରି ହରିଣ ଶିକାର କରିବା ତୀରାଭ୍ୟାସ ତ୍ୟାଗ କରିବାକୁ ମନସ୍ଥ କଲା ଓ ଅନ୍ୟ କିଛି ଉପାୟରେ ଜୀବଜନ୍ତୁ ଧରିବା ନିମନ୍ତେ ସେ ଚିନ୍ତା କଲା ।

ପରଦିନ ସେ ବଣକୁ ଆସି ଜାଲ ପକାଇ ଗୋଟିଏ ବଡ ହରିଣ ଧରିଲା । ତାକୁ ନେଇ ସେ ବାଟ ଚାଲୁଛି, ପୁଣି ଋଷିଙ୍କ ସହ ତା’ର ଦେଖା ହୋଇଗଲା । ସେ ପଚାରିଲା “ଆଜ୍ଞା, ଏ ହରିଣ କ’ଣ କିଛି କହୁଛି?” ଋଷି କହିଲେ, “ତାକୁ ତଳେ ଛାଡି ଦେ । ଦେଖିବା ।”

ଶିକାରୀ ତାକୁ ତଳେ ଛାଡିଦେଲା । ଋଷି ତା’ ଉପରେ କମଣ୍ଡଳୁରୁ ପାଣି ଛିଟିକାଇ ଦେଲେ । ହରିଣ କହିବାର ଶୁଣାଗଲା, “ଏ ସୁନ୍ଦର ଅରଣ୍ୟରେ ମୁଁ ବୁଲି ବୁଲି ଈଶ୍ୱରଙ୍କ ସୃଷ୍ଟିର ନାନା ଫୁଲ ଫଳ ଓ ପଶୁପକ୍ଷୀଙ୍କ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଉଥିଲି । ହାୟ, ତାହା ସମ୍ଭବପର ହେବ ନାହିଁ । ହେଉ, ଜଣକ ପରିବାରର ଭୋଖ ତ ମେଂଟାଇ ପାରିବି!”

ଶିକାରୀ ଏହା ଶୁଣିବା ମାତ୍ରେ ହରିଣକୁ କହିଲା, “ତୁ ଯା, ବଣରେ ବୁଲୁଥା ।” ଏହାପରେ ହରିଣ ଦୌଡି ଦୌଡି ସେଠାରୁ ଚାଲିଗଲା । ଶିକାରୀ ଋଷିଙ୍କୁ କହିଲା, “ଗତ କାଲି ଆମେ ନଖାଇ ରହିଥିଲୁ । ଆଜି ବି ସେମିତି ରହିଯିବୁ ।” ଏହା କହି ସେ ଚାଲିଗଲା ।

ଋଷି ତା’ ଆଡେ ଅନାଇ ଖାଲି ଥରେ ହସିଲେ । ହେଲେ କିଛିବି କହିଲେ ନାହିଁ ।

ତୃତୀୟ ଦିନ ଶିକାରୀ ଆଉ ସେ ବଣ ଭିତରକୁ ଆସିଲା ନାହିଁ । ଋଷି ତା’ କୁଡିଆ ପାଖକୁ ଯାଇ ପଚାରିଲେ, “କିହୋ? ଶିକାର କରିବାକୁ କାହିଁକି ଗଲନାହିଁ?”

ଶିକାରୀ କହିଲା, “ଆଜ୍ଞା, ମୁଁ ବଡ ଦୁର୍ବଳ ହୋଇ ପଡିଛି । ଚାଲିବାକୁ ଚେଷ୍ଟା କଲାବେଳକୁ ମୁଣ୍ଡ ବୁଲାଇ ଦେଲା । ଦୁଇଦିନ ହେଲା ଆମେ ଯମାରୁ କିଛି ଖାଇନାହୁଁ ।”

ଋଷି କହିଲେ, “ଦେଖ ମୁଁ କ’ଣ ଆଣିଛି ।”

ଶିକାରୀ ଦେଖିଲା, ଋଷି ତିନୋଟି ଦୁଧିଆଳି ଗାଈ ସବତ୍ସ ନେଇ ଆସିଛନ୍ତି । “ଏମାନେ ପ୍ରଚୁର ଦୁଧ ଦେବେ । ତାକୁ ବିକିବୁ । ସେଥିରୁ ଦହି, ଲହୁଣୀ ତିଆରି କରି ମଧ୍ୟ ଖାଇବୁ, ବିକିବୁ । ମୋଟେ ଚିନ୍ତା କର ନାହିଁ ।” ଋଷି ଏହା କହି ଶିକାରୀକୁ ଆଶିର୍ବାଦ ଦେଇ ପୁଣି ବଣ ଭିତରକୁ ଚାଲିଗଲେ ।

ଶିକାରୀ ଆନନ୍ଦରେ ଆଉ କଥା କହିପାରିଲା ନାହିଁ । ସେ ଯେ ଖାଲି ଦୁଧ ଦହି ବିକି ଭଲରେ ଚଳିଲା, ତାହା ନୁହେଁ, ଗରୀବ ଲୋକଙ୍କୁ ମାଗଣା ମଧ୍ୟ ଦେଲା । ସେହିଦିନଠାରୁ ଲୋକେ ତାକୁ “ସଦୟ” ବୋଲି କହିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ