ଚୀନ ଦେଶର କଥା । ସେଇଠି ଗୋଟିଏ ଗାଁରେ ଚ୍ୟାଙ୍ଗ୍ ବୋଲି ପିଲାଟିଏ ଥିଲା । ପିଲାଦିନୁ ସେ ଭାରି ସାହସୀ । ତା ଗାଁ ଥିଏଟରରେ ସେ ବେଳେ ବେଳେ ଅଭିନୟ କରେ ବୋଲି ତାକୁ ସେ ଗାଁ ଲୋକ ଅତ୍ୟନ୍ତ ସୁଖ ପାଆନ୍ତି । ଡର କ’ଣ ସେ ଆଦୌ କିଛି ଜାଣିନାହିଁ । ଅନ୍ଧାର ରାତିରେ ଯେଉଁ ବାଟରେ କେହି କେବେ ଯାଆନ୍ତି ନାହିଁ, ଚ୍ୟାଙ୍ଗ୍ ସେଠାରେ ନିଧଡକ ଭାବରେ ବୁଲୁଥାଏ । ଗାଁର ନଈକୂଳ, ଶ୍ମଶାନ କିମ୍ବା ଅପନ୍ତରା ପଡିଆ ଉପରେ ସେ ଚ୍ୟାଙ୍ଗ୍ ରାତିଅଧରେ ଯାଇ ବୁଲି ଆସିବାକୁ ଆଦୌ ଯମା କୁଣ୍ଠିତ ହୁଏ ନାହିଁ ।
ଦିନେ ସେ ଚ୍ୟାଙ୍ଗ୍ ରାତିରେ ଶ୍ମଶାନ ପାଖ ଗଛମୂଳରେ ବସିଛି । ଠିକ୍ ଏହି ସମୟରେ ଗୋଟିଏ ଭୂତ ସେ ଚ୍ୟାଙ୍ଗ୍କୁ ଡରାଇବ ବୋଲି ଝିଅଟିଏ ହୋଇ ଚ୍ୟାଙ୍ଗ୍ ଆଗରେ ଠିଆ ହୋଇଗଲା । ଆଉ କିଏ ହୋଇଥିଲେ ତ ସେଇଠି ଭେଟଣା ହୋଇ ସେ ଟଳି ପଡିଥାନ୍ତା । ମାତ୍ର ଅଧରାତିରେ ଏହି ନିର୍ଜନ ମଶାଣିରେ ଝିଅଟିଏ ଦେଖି ସେ ଚ୍ୟାଙ୍ଗ୍ର ଆନନ୍ଦ କହିଲେ ନ ସରେ । ଚ୍ୟାଙ୍ଗ୍ ନ ଡରିବାରୁ ସେ ଭୂତର ମନଟା ଖରାପ୍ ହୋଇଗଲା । ତେଣୁ ସେ ଝିଅଟି ସଙ୍ଗେ ସଙ୍ଗେ ଗୋଟିଏ ବିକଟାଳିଆ ବୁଢାଟିଏ ରୂପରେ ଚ୍ୟାଙ୍ଗ୍ ଆଗରେ ଠିଆ ହୋଇଗଲା । ଝୋଟପରି ତାର ଅର୍ଥାତ୍ ସେ ବୁଢାଟାର ବାଳ ସବୁ ଧଳା ହୋଇଯାଇଛି । ତା ଦେହର ଚମ ସବୁ ଧୁଡୁଧୁଡୁ ହେଉଥାଏ, ତାର ଦାନ୍ତ ବୋଲି ଗୋଟିଏ ବି ନାହିଁ । ପାକୁଆ ପାଟିରେ ସେ ବୁଢାଟାର ହସଟା ବଡ ବିକଟାଳ ଦେଖାଯାଉଛି । ଏପରି ଏକ ବୁଢାଟାକୁ ଦେଖି ସେ ଚ୍ୟାଙ୍ଗ୍ ଡରିବ କ’ଣ ଓଲଟି ଖାଲି ହସିବାକୁ ଲାଗିଲା । ତାପରେ ସେ ଚ୍ୟାଙ୍ଗ୍ କହିଲା, “ଏହାଠାରୁ ଭଲ ବେଶ ତ ଅଭିନୟ କଲାବେଳେ ମୁଁ ହୋଇଥାଏ । ଏ କି ବେଶ!” ଏପରି କଥା ଶୁଣି ସେ ଭୂତଟା ହଠାତ୍ ରାଗିଗଲା । ତାପରେ ସେ ଭୂତଟା ସଙ୍ଗେ ସଙ୍ଗେ ଭୟଙ୍କର ରୂପରେ ବୁଢୀଟିଏ ହୋଇ ଠିଆ ହୋଇଗଲା । ସେ ବୁଢୀଟାର ଯେଉଁ ଅସନା ରୂପ, ପାକୁଆ ପାଟି, ଢେଗା ଢେଗା ଆଖି, ଏଡେ ଏଡେ ନଖ, ଘୋଡି ପରି ତାର ହସ, ଭାଲୁକୁଣି ପରି ତାର ମୁଣ୍ଡ, ତାକୁ ଯେ କେହି ବି ଦେଖିଲେ ଛାନିଆ ହୋଇଯିବ । ଭୂତ ଭାବିଲା ଏଥର ଟୋକାଟା ନ ଡରି ଆଉ ଯିବ କୁଆଡେ । ମାତ୍ର ଚ୍ୟାଙ୍ଗ୍ ପରି ପିଲାକୁ ଡରାଇବ ବା କିଏ? ସେ ତ ବୁଢୀକୁ ଦେଖି କେବଳ କର କର ହୋଇ ହସିବାକୁ ଲାଗିଲା । ତହୁଁ ସେ ଚ୍ୟାଙ୍ଗ୍ କହିଲା, ହଇରେ ଭୂତ ଭାଇ, ତୋର ଏ କି ବେଶ! ମୁଁ ତ ଯାତ୍ରାରେ ୟାଠାରୁ ଆହୁରି ଭଲ ବେଶରେ ସଜାଉଥିଲି । ଏକଥା ଶୁଣି ଭୂତଟା ପୁରାପୁରି ରାଗିଗଲା । ତାପରେ ସେ ଭୂତଟା ଚ୍ୟାଙ୍ଗ୍କୁ କହିଲା, “ଆଚ୍ଛା ତୁ ମୋତେ ଡରାଇପାରିବୁ ।”
ଚ୍ୟାଙ୍ଗ୍ ସେ ଭୂତକୁ କହିଲା ଓ ଏଇ କଥା ତ! ଏବେ ଦେଖ୍ ମୁଁ କ’ଣ କରୁଛି । ଏତିକି କହି ସେ ଚ୍ୟାଙ୍ଗ୍ ଗୋଟିଏ ବେଲୁନ୍ ରବର ନେଇ ନିଜ ପାଟିରେ ତାକୁ ଫୁଙ୍କିବାକୁ ଲାଗିଲା । ଦେଖୁ ଦେଖୁ ସେ ବେଲୁନ୍ ରବରଟି ଫୁଲିବାକୁ ଲାଗିଲା । ତାର ଆକାର ପ୍ରକାର ଦେଖି ସେ ଭୂତର ଆଖି ଖାଲି ଖୋସି ହୋଇ ଯାଉଥାଏ । ହଠାତ୍ ସେ ବେଲୁନ୍ଟା ଫୁଲିଯାଇ ଢୋ କରି ଫାଟିଗଲା । ଏହା ଶୁଣି ସେ ଭୂତ ଭାବିଲା, କ’ଣ କେଉଁଠି କିଏ ବାଣ ମାରିଦେଲା କି? ସେ ଭୂତଟି ଅତରଛରେ ତୁରନ୍ତ ସେ ସ୍ଥାନ ଛାଡି ପଳାଇଲା । ଏସବୁ ଦେଖି ସେ ଚ୍ୟାଙ୍ଗ୍ ତ ଖାଲି ହସରେ ଫାଟି ପଡୁଥାଏ ।