ଆଉ ଦିନକର କଥା । ଦିନେ ସଂନ୍ଧ୍ୟାବେଳେ ଚ୍ୟାଙ୍ଗ୍ ମଶାଣିରେ ଏକୁଟିଆ ବୁଲୁଛି । ଏହି ସମୟରେ ହଠାତ୍ ଗୋଟିଏ ସମାଧି ପାଖରେ ଭୂତଟା ଆସି ଠିଆ ହୋଇଗଲା । ସେ ଭୂତର ତ ସେହିଦିନୁ ଚ୍ୟାଙ୍ଗ୍ ଉପରେ ଭାରି ରାଗ ଥାଏ । ତେଣୁ ସେଦିନ ସେ ଭୂତଟା ତାର ଅନେକ ସାଥୀକୁ ଡାକି ଆଣିଥାଏ । ଭୂତକୁ ଦେଖି ସେ ଚ୍ୟାଙ୍ଗ୍ ଅବା କାହିଁକି ଡରିବ । ଚ୍ୟାଙ୍ଗ୍ ସେ ଭୂତକୁ ଦେଖିକରି ପଦେ ଥଟା କରି କହିଦେଲା । ତାପରେ ସେ ଚ୍ୟାଙ୍ଗ୍ ଆଉ ଯାଏ କୁଆଡେ । ଭୂତ ଆଉ ତାର ସାଙ୍ଗମାନେ ଚ୍ୟାଙ୍ଗ୍କୁ ମାଡିବସି ତାକୁ ଖାଲି ହାଡରେ ପିଟିବାକୁ ଲାଗିଲେ । ଚ୍ୟାଙ୍ଗ୍ ବିଚରା ମାଡ ଖାଇ ଶେଷରେ ସେ ଗୋଟିଏ ସମାଧି ଉପରେ ମୁହଁମାଡି ପଡିଗଲା । ସେ ସମାଧି ଭିତରେ ମଧ୍ୟ ଆଉ ଗୋଟିଏ ଭୂତ ଥିଲା । ସେ ଭୂତଟି ଚ୍ୟାଙ୍ଗ୍ର ଏପରି କଷ୍ଟ ଦେଖି ଆଦୌ ସହି ପାରିଲା ନାହିଁ । ଏତେ ମାଡ ଖାଇ ସୁଦ୍ଧା ଚ୍ୟାଙ୍ଗ୍ ଯେ ଏ ଭୂତମାନଙ୍କୁ ଦେଖି ଆଦୌ ଛାନିଆ ହେଉନାହିଁ, ଏଥିପାଇଁ ସେ ସମାଧିର ଭୂତଟି ଚ୍ୟାଙ୍ଗ୍କୁ ମନେ ମନେ ଅଶେଷ ଅଶେଷ ଧନ୍ୟବାଦ ଦେଉଥାଏ । ତାପରେ ସେ ସମାଧିର ଭୂତଟି ଚ୍ୟାଙ୍ଗ୍କୁ ଶୁଣାଇ କହିଲା, “ଚ୍ୟାଙ୍ଗ୍ ତୁ ମୋତେ ପ୍ରତିବର୍ଷ ଆଜିର ଦିନଟିରେ ଶ୍ରାଦ୍ଧ ଦେବୁ, ତେବେ ଯାଇ ତୋତେ ମୁଁ ରକ୍ଷା କରିବି ।” ସେତେବେଳକୁ ସେ ଚ୍ୟାଙ୍ଗ୍ ତ ମାଡଖାଇ ହାଲିଆ ହୋଇଗଲାଣି । ସେ ଚ୍ୟାଙ୍ଗ୍ ଶେଷରେ ସମାଧି ଭୂତ କଥାରେ ହଁ ଭରିଲା । ଏତିକିବେଳେ ସମାଧିରୁ ଭୂତଟି ଉଠି ଅନ୍ୟ ଭୂତମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ସେଠାରୁ ତଡିଦେଲା ।
ତାପରେ ଝାଡିଝୁଡି ହୋଇ ଚ୍ୟାଙ୍ଗ୍ ତା ଘରକୁ ଆସିଲା । ଚ୍ୟାଙ୍ଗ୍ ଯୋଗୁଁ ସେ ମଶାଣିରୁ ଭୂତମାନେ ସବୁଦିନ ଲାଗି ଛାଡି ପଳାଇଲେ । ସେହିଦିନଠାରୁ ଗାଁ ଲୋକମାନେ ଆଉ ସେ ବାଟରେ ଯିବାକୁ ଆଦୌ ଡରିଲେ ନାହିଁ । ସେହିଦିନୁ ପ୍ରତିବର୍ଷ ସେ ଚ୍ୟାଙ୍ଗ୍ ବି ସମାଧି ଭୂତକୁ ଶ୍ରାଦ୍ଧ ଦେଇଆସୁଛି ।