ଅବନ୍ତିପୁରର ରାଜା ଜୟରାଜ ଭାରି ଚହଟ ଚିକ୍କଣ ନିଶ ରଖିଥିଲେ । ତେଣୁ ସବୁବେଳେ ସେ ତାକୁ ଆଉଁଶୁଥାନ୍ତି ।
ଦିନେ ତାଙ୍କୁ ଖିଅର କଲାବେଳେ ତାଙ୍କ ନାପିତ ତାଙ୍କ ପଟେ ନିଶରୁ ଅଧା ଭୁଲ୍ରେ କାଟି ପକାଇଲା ଭାଗ୍ୟକୁ ସେତେବେଳେ ତ ସେ ରାଜାଙ୍କ ଆଗରେ ଦର୍ପଣ ନଥିଲା । ତେଣୁ ସେ କିଛି ବି ବୁଝିପାରିଲେ ନାହିଁ । କିନ୍ତୁ ଏଣେ ନାପିତ ବାପୁଡା ନିଜର ପ୍ରମାଦ ଗଣିଲା । ରାଜା ଯେତେବେଳେ ତାଙ୍କ ନିଶର ଏଭଳି ଦୁରାବସ୍ଥା ଦେଖିବେ, ସେତେବେଳେ ତ ତାକୁ ସେ ନିଶ୍ଚୟ ଫାସିରେ ଚଢାଇବେ ।
ତା’ପରେ ସିଏ ମହା ଚିନ୍ତାରେ ପଡିଲା । କିପରି ଏ ସଙ୍କଟରୁ ସେ ଉଦ୍ଧାର ପାଇବ, ସେ ବିଷୟରେ ସଙ୍ଗେ ସଙ୍ଗେ କିଛି ଗୋଟେ ଉପାୟ ବାହାର ନକଲେ ମହା ବିପଦ । ଏଭଳି କେତେକଥା ଭାବି ତା’ ମୁଣ୍ଡ ହଠାତ୍ ବୁଲାଇ ଦେଲା । ଫଳରେ ସେ ନିଜ ଅଜାଣତରେ ଅନ୍ୟପଟ ନିଶକୁ ବି ଜଖମ୍ କରି ପକାଇଲା ।
ନାପିତ ବଡ ଗମ୍ଭୀର ଭାବରେ କହିଲା “ଛାମୁଁ! ଗତକାଲି ଆମ ପଡୋଶୀ ରାଜ୍ୟର ଜଣେ ବାଟୋଇ ସହ ମୁଁ କଥା ହେଉଥିଲି । ସେ କହିଲା କି ସବୁ ରାଜା ରାଜୁଡାଙ୍କର ତ କିଛି ନା କିଛି ଦୋଷ ଦୁର୍ବଳତା ରହିଛି । ମୁଁ କହିଲି ଆମ ରାଜାଙ୍କର ତ କାହିଁ ସେମିତି କିଛି ହେଲେ ବି ନାହିଁ । ମୋକଥା ଶୁଣି ସେ କ’ଣ କହିଲା ଜାଣନ୍ତି? କହିଲା କି ତମ ରାଜାଙ୍କର ବହୁତ ଭଲ ଗୁଣ ଅଛି ଯେ, ହେଲେ କ’ଣ ହେବ? ଯେତେ ଯାହା ହେଲେ ବି ସେ ତାଙ୍କ ନିଶର ଦାସ ନା । ନିଶ ନ ଆଉଁଶିଲେ ତାଙ୍କ ମନକୁ ସାହସ ଆସେ ନାହିଁ କି ମୁଣ୍ଡକୁ ତାଙ୍କର ବୁଦ୍ଧି ବି ଆଦୌ ଜୁଟେ ନାହିଁ!”
ଏପରି କଥା ଶୁଣି ସେ ରାଜା ଜୟଦେବ ପାଟିକରି କହିଲେ “ଏମନ୍ତ କଥା? ତାହେଲେ ତମେ ଆମ୍ଭ ନିଶ ତୁରନ୍ତ ଉଡାଇ ଦିଅ । ବର୍ତ୍ତମାନ! ଏହିକ୍ଷଣି! ତଥାପି ମଧ୍ୟ ଆମ୍ଭେ ସାହସୀ ଓ ବୁଦ୍ଧିମାନ ରହିବୁ ।”
ରାଜାଙ୍କ ଆଦେଶ ପାଳନ କରିବାକୁ ଯାଇ ନାପିତ ଆଉ କାଳ ବିଳମ୍ବ ନ କରି ରାଜାଜ୍ଞା ତୁରନ୍ତ ପାଳନ କଲେ ।