ଦିନେ ବାଳକ ନରେନ୍ଦ୍ର ନାଥ ଯାଇ ପହଁଚିଲେ ଗୁରୁ ରାମକୃଷ୍ଣ ପରମହଂସଙ୍କ ନିକଟରେ । ହଠାତ୍ ତାଙ୍କୁ ଦେଖି ରାମକୃଷ୍ଣ ପରମହଂସ ପଚାରିଲେ, “ନରେନ୍ଦ୍ର! ତୁମେ କ’ଣ ମୋ’ଭଳି ନେଇଥିବା ସଂକଳ୍ପ ରକ୍ଷାରେ ସମର୍ଥ ହୋଇପାରିବ?” ଏହା କହି ସେ ସ୍ପଷ୍ଟଭାବରେ ବୁଝାଇ କହିଦେଲେ ଯେ, ଦେଖ ନରେନ୍ଦ୍ର! ଜୀବନରେ ସୁଖସୁବିଧା କାମନା ରହିଲେ କେବେହେଲେ ବି କୌଣସି ସଂକଳ୍ପ ପୂରଣ ହୋଇପାରେ ନାହିଁ ।
ସ୍ୱାମୀ ରାମକୃଷ୍ଣଙ୍କର ଏହି କଥାରେ ନରେନ୍ଦ୍ରନାଥଙ୍କୁ ସାରାରାତି ଆଉ ନିଦ ଲାଗିଲା ନାହିଁ । ସେ ତାଙ୍କର ଭୋଗ, ଲାଳସାଯୁକ୍ତ ମନକୁ ବାରମ୍ବାର ଧିକ୍କାର କରିବାକୁ ଲାଗିଲେ । ସଂକଳ୍ପ ରକ୍ଷା ନିମନ୍ତେ ତାଙ୍କୁ ଶକ୍ତି ପ୍ରଦାନ ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ । ସଙ୍ଗେ ସଙ୍ଗେ ସେ ଅନୁଭବ କଲେ ଯେ, ସତେ ଈଶ୍ୱର ଯେମିତି ତାଙ୍କୁ କହୁଛନ୍ତି, “ସଂକଳ୍ପ ପୂର୍ତିର ଶକ୍ତି ହେଲା ଆଜିର କାମ କାଲିକୁ ରଖ ନାହିଁ । ସର୍ବଦା ସତ୍କାର୍ଯ୍ୟ କର ଏବଂ ତାହାକୁ ଆଜି ହିଁ ସମ୍ପନ୍ନ କର ।”
ବାସ୍, ସେହିଦିନଠାରୁ ନରେନ୍ଦ୍ର ଦୃଢତାର ସହିତ ସଂଯମ ପାଳନ କରିବାକୁ ଲାଗିଲେ । ଏହାପରଠାରୁ ସେ କୌଣସି ଦିନ ମାନସିକ ଦୁର୍ବଳତାକୁ ପ୍ରଶ୍ରୟ ଦେଇ ନ ଥିଲେ । ପରେ ବିବେକାନନ୍ଦ ନାମରେ ସେ ସାରା ବିଶ୍ୱବିଖ୍ୟାତ ହୋଇଯାଇଥିଲେ । ୧୮୯୩ ମସିହାରେ ବିବେକାନନ୍ଦ ଆମେରିକାର ଚିକାଗୋ ସର୍ବଧର୍ମ ସମ୍ମିଳନୀରେ ଭାଗ ନେଇ ନିଜର ଓଜସ୍ୱିନୀ ବକ୍ତୃତାରେ ଧର୍ମ ସମ୍ବନ୍ଧୀୟ ସ୍ୱ-ବିଚାର ଓ ସିଦ୍ଧାନ୍ତକୁ ଉପସ୍ଥାପନ କରି ଉପସ୍ଥିତ ସକଳ ଧର୍ମାବଲମ୍ବୀଙ୍କୁ ବିମୋହିତ କରି ଦେଇଥିଲେ । ସେ କହୁଥିଲେ ହିନ୍ଦୁ ଧର୍ମ ମହାନ୍, କାରଣ ଏହି ଧର୍ମ ସକଳ ଧର୍ମକୁ ସମ୍ମାନ ଦିଏ । ତାଙ୍କର ବିଚାରଧାରାରେ ସକଳ ଧର୍ମ ସମାନ । ସେଦିନ ସ୍ୱାମିଜୀଙ୍କର ପବିତ୍ର ବିଚାରଧାରା, ଦଳିତବର୍ଗର ଜନତାଙ୍କ ପ୍ରତି ପ୍ରେମଭାବ ପ୍ରଦର୍ଶନ ଦେଖି ଆମେରିକାବାସୀ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ସ୍ୱାମୀ ବିବେକାନନ୍ଦ ଯଦି ବା ଏତେ ବଡ ସମ୍ମାନର ଅଧିକାରୀ ହୋଇପାରିଥିଲେ ତାହା କେବଳ ତାଙ୍କର ଦୃଢ ଇଚ୍ଛା ଶକ୍ତି ଓ କଠୋର ସାଧନା ବଳରେ ।
କଥାରେ ପରା ଅଛି –
“ପ୍ରତ୍ୟେକ ମାନବ ସ୍ୱପ୍ନ ଦେଖିଥାନ୍ତି ଜୀବନ କାଳରେ ହୋଇବେ ବଡ
ମାତ୍ର ଇଚ୍ଛାଶକ୍ତି ବିନା କେହି ଜଣେ ଜଣା ନାହିଁ କାହିଁ ଜିଣିଛି ଗଡ?
ସାଧନା ବଳରେ ସିଦ୍ଧି ଲାଭ ହୁଏ ଏହାର ଦୃଷ୍ଟାନ୍ତ ଅଛି ଅନେକ
ଯେତେ ସାଧୁସନ୍ଥ ମହାତ୍ମାପ୍ରବର ଥିଲେ ଦିନେ ଏହି ପଥେ ପଥିକ ।”