ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନୀଳବର୍ଣ୍ଣ ଶୃଗାଳ କଥା

ଗୋଟିଏ ଗ୍ରାମକୁ ଲାଗି ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଂଗଲରେ ଏକ ଶୃଗାଳ ବାସ କରୁଥାଏ । ଦିନେ ସେ ଖାଦ୍ୟ ଅନ୍ୱେଷଣ କରୁ କରୁ ପାଖ ଗାଁ କୁ ଚାଲିଗଲା । ଗ୍ରାମ ମଧ୍ୟରେ ଏକ ଶୃଗାଳକୁ ଦେଖି ଗ୍ରାମର କୁକୁର ମାନେ ଉଚ୍ଚ ସ୍ୱରରେ ଭୁକିବାକୁ ଆରମ୍ଭ କଲେ, ଏବଂ ସେମାନଙ୍କର ମୁନିଆଁ ଦାନ୍ତରେ କାମୁଡିବାକୁ ଗୋଡାଇଲେ । ବିଚରା ଶୃଗାଳଟି କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକ ଧୋବା ଘରେ ଥିବା ନୀଳ କୁଣ୍ଡରେ ପଡିଗଲା । କୁକୁର ମାନେ ପଳାଇବା ପରେ, ସେ ଯେତେବେଳେ ସେହି କୁଣ୍ଡରୁ ବାହାରିଲା, ତାର ରୂପରେ ପରିବର୍ତ୍ତନ ହୋଇଥିବାର ସେ ଦେଖି ପାରିଲା । ସେ ଦେଖିଲା ତାର ପ୍ରକୃତ ରଙ୍ଗ ବଦଳରେ ତା’ର ଶରୀରର ରଙ୍ଗ ନୀଳ ଧାରଣ କରିଛି । ଏହାପରେ କୁକୁର ମାନେ ତାକୁ ଆଉ କାମୁଡିବାକୁ ଗୋଡାଇଲେ ନାହିଁ ।

         କିଛିଦିନ ପରେ ଶୃଗାଳ ଜଙ୍ଗଲ ଅଭିମୁଖେ ଚାଲିଲା । ଜଙ୍ଗଲରେ ମଧ୍ୟ ତାକୁ ଦେଖି ସମସ୍ତ ଜୀବ ଜନ୍ତୁ ଭୟଭୀତ ହୋଇ ଏଣେ ତେଣେ ଧାଇଁବାରେ ଲାଗିଲେ । ଶୃଗାଳଟି ଯେତେବେଳେ ଦେଖିଲା ଯେ – ବଣର ସମସ୍ତ ଜୀବଜନ୍ତୁ ତାକୁ ଦେଖି ଭୟଭୀତ ହେଉଛନ୍ତି ଶେଷକୁ ସେ କହିଲା – “ତୁମ୍ଭେମାନେ ମୋତେ ଦେଖି କ’ଣ ଭୟଭୀତ ହୋଇ ପଡୁଛ? ସେଇଥିପାଇଁ ବୋଧହୁଏ ଏଣେ ତେଣେ ଦୌଡିବାକୁ ଲାଗୁଛ । ମୋତେ ଭୟ କର ନାହିଁ । ସ୍ୱୟଂ ଭଗବାନ ମୋତେ ନିଜ ହାତରେ ତିଆରି କରି ତୁମ୍ଭମାନଙ୍କର ଏବଂ ଜଙ୍ଗଲର ସୁରକ୍ଷା କରିବା ପାଇଁ ଏଠାକୁ ପଠାଇଛନ୍ତି । ଯେହେତୁ ଏହି ଜଙ୍ଗଲରେ କେହି ରାଜା ନାହାଁନ୍ତି ମୋତେ ଏଠାରେ ରାଜା ହେବାକୁ ମଧ୍ୟ କହିଛନ୍ତି ।”

         ସମସ୍ତ ଜୀବଜନ୍ତୁ ସେହି ଅଦ୍ଭୁତ ପ୍ରାଣୀ ମୁଖରୁ ଏକଥା ଶୁଣି ବିଶ୍ୱାସ କରିଗଲେ ଓ ସଂଗେ ସଂଗେ ତାକୁ ଜଙ୍ଗଲର ରାଜା ବୋଲି ଘୋଷଣା କରିଦେଲେ । ସେହି ଦିନଠାରୁ ନୀଳ ରୂପ ଧାରୀ ଶୃଗାଳ ଜଙ୍ଗଲର  ରାଜା ହେଲା । ରାଜା ହେବା ପରେ ଶୃଗାଳ ମାନଙ୍କୁ ଜଙ୍ଗଲ ପରିତ୍ୟାଗ କରି ଚାଲିଯିବାକୁ କହିଲେ । ଏହିପରି ଭାବେ କିଛି ଦିନ ଗଡି ଚାଲିଲା । ଦିନେ ଶୃଗାଳ ଦଳ ଏକ ସ୍ୱରରେ ଚିତ୍କାର କରୁଥିବାର ରାଜା ଶୁଣି ପାରିଲେ । ଶୃଗାଳମାନଙ୍କର ରାବ ଶୁଣି ସେ ବା’ କିପରି ସ୍ଥିର ହୋଇ ରହିବେ । ସେ ମଧ୍ୟ ସେମାନଙ୍କ ସହିତ ବୋବାଇବାକୁ ଲାଗିଲେ । ମହାରାଜଙ୍କର ଏପରି ବୋବାଇବାକୁ ଶୁଣି ଅନ୍ୟାନ୍ୟ ପଶୁମାନେ ତାକୁ ଜାଣିପାରିଲେ । ଏହାପରେ ବଳଶାଳୀ ସିଂହ କହିଲା, ଏହି ଶୃଗାଳ କେଉଁଠାରୁ ନୀଳ ରଂଗ ମାଖିହୋଇ ଏଠାକୁ ଆସି ଆମ୍ଭମାନଙ୍କୁ ବୋକା ବନାଇଛି । ତେଣୁ ଚାଲ! ଆମ୍ଭେମାନେ ସମସ୍ତେ ତାକୁ ଜୀବନରୁ ମାରିଦେବା । ସିଂହର କଥାଶୁଣି ସମସ୍ତ ଜୀବଜନ୍ତୁ ଏକାଠି ହୋଇ ଶୃଗାଳକୁ ଜୀବନରୁ ମାରିଦେଲେ ।

         ତେଣୁ ନୀତି ଶାସ୍ତ୍ର ମାନଙ୍କରେ କୁହାଯାଇଛି – “ଯିଏ ନିଜର ବିଶ୍ୱସ୍ତ ବଂଧୁମାନଙ୍କୁ ଲୁଣ୍ଠନ କରେ ଶେଷରେ ସେ ନୀଳବର୍ଣ୍ଣ ଧାରଣ କରିଥିବା ଶୃଗାଳ ପରି ମୃତ୍ୟୁ ବରଣ କରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ