ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ ନିଶ୍ଚୟ ଆସିଥାଏ । ତେଣୁ ତା’ର ଯାହା ଯାହା ସବୁ ଦରକାର ଶାଶୁଙ୍କୁ ସ୍ତ୍ରୀଦ୍ୱାରା ସେ କହେ । ଶାଶୁ ବିଚାରୀ ବି ନୂଆ ଜୁଆଇଁ ବୋଲି ସବୁ କିଛି ତିଆରି କରି ତାକୁ ଖୁଆନ୍ତି । ଜୁଆଇଁ ପେଟଭରି ଖାଏ ଓ ଶାଶୁଙ୍କ ରାନ୍ଧଣାର ଭୂରିଭୂରି ପ୍ରଶଂସା କରେ । ଏଣେ ଶାଶୁ ମଧ୍ୟ ପ୍ରଶଂସା ଶୁଣି ଅତି ଉତ୍ସାହିତ ହୋଇ ଆହୁରି ରାନ୍ଧନ୍ତି ।
ଦିନେ କଥା ହେଉ ହେଉ କୁସୁମ ତା’ ମା’ ଗୌରୀଙ୍କୁ କହିଲା, “ମା, ତମେ ଏତେ ଜିନିଷ ତୁମ ଜୁଆଇଁଙ୍କୁ ଖୁଆଉଛ, କିନ୍ତୁ ତାଙ୍କର ରସଗୋଲା ଖାଇବାରେ ବହୁତ ସଉକ । ତାଙ୍କ ଜେଜେମା ମରିବା ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କୁ ରସଗୋଲା ତିଆରି କରି ଦେଉଥିଲେ । ସେ ରସଗୋଲା ନ ଖାଇଲେ କୁଆଡେ ଶୋଇବାକୁ ଯା’ନ୍ତିନାହିଁ; ତାଙ୍କ ଜେଜେମା ମରିବା ପରଠାରୁ କିଣାହୋଇ ରସଗୋଲା ଘରେ ରଖା ହୋଇଥାଏ ତେଣୁ ତମେ କେଉଁଠାରୁ ହେଲେବି ରସଗୋଲା ମଗାଇବାର ବନ୍ଦୋବସ୍ତ କର ।”
ଗୌରୀ କହିଲେ “ଆଲୋ ଝିଅ, ତୁ ତ ଭଲଭାବେ ଜାଣୁ ଯେ ମୁଁ ରସଗୋଲା କରି ଜାଣେ ନାହିଁ । ଜିନିଷସବୁ ସୁଭଦ୍ରା ପାଖକୁ ପଠାଇଦେଲେ ସେ ରସଗୋଲା ତିଆରି କରି ଠିକ୍ ସଂଧ୍ୟାବେଳକୁ ପଠାଇଦେବ ।”
ଠିକ୍ ସେହିପରି କରାଗଲା । ବଡବଡ ରସଗୋଲା ହାଣ୍ଡିଏ ତିଆରି ହୋଇ ଆସିଲା । ଏସବୁ ଦେଖି ଜୁଆଇଁ ଆଉ ତାଙ୍କର ଆସ୍ଥାନରୁ ନ ଉଠନ୍ତି । ଶ୍ୱଶୁର ଘରେ ଯାହା ଖାଦ୍ୟ ମିଳୁଛି ତାକୁ ଛାଡି ଯିବା ବହୁତ କଷ୍ଟ । ଶାଶୁ ଏଣେ ହଇରାଣ ହୋଇଗଲେଣି । ଯାହା ହେଉ ସେଥର ସେ କୌଣସିମତେ ଦୁଇ ଦିନ ପରେ ଘରକୁ ଫେରିଗଲେ ।
ଏହି ଘଟଣାର ଠିକ୍ ତିନି ଦିନ ପରେ କୁସୁମକୁ ତା’ ସ୍ୱାମୀ ଗଗନ କହିଲା “କାଲି ପରା କୁମାର ପୂର୍ଣ୍ଣିମା, ଆମେ ତୁମ ଘରକୁ ଯିବା ନାହିଁକି? ସେଇଠି କୁମାର ପୂର୍ଣ୍ଣିମା ପାଳନ ହେବ । କାରଣ ବାହାଘରର ପ୍ରଥମବର୍ଷ ତ ବିବାହିତା ଝିଅ ନିଜ ବାପଘରେ କୁମାର ପୂର୍ଣ୍ଣିମା ଶେଷଥର ପାଇଁ ପାଳନ କରେ । ତାହା ତ ନିଶ୍ଚୟ ଆଡମ୍ବର ସହକାରେ ହେବ । ହେଲେ ତମେ ତ କ’ଣ ସେଠାକୁ ଯିବାର ନାମ ସୁଧା ବି ଧରୁନାହଁ?”
ସ୍ୱାମୀଙ୍କ ମୁହଁରୁ ଏଭଳି କଥା ଶୁଣି କୁସୁମ କହିଲା, “ଦେଖ ଏବେ ତ ମୁଁ ସେଠାରେ ଦଶହରା ସାରି ଆସିଛି; ପୁଣି ଦୁଇତିନିଦିନ ମଧ୍ୟରେ ସେଠାକୁ ଗଲେ ଲୋକେ ଆମକୁ କ’ଣ କହିବେ? ଏଇଟା ନିହାତି ଅସୁନ୍ଦର କଥା ହେବ । ପରେ ପୁଣି କେବେ ଆମେ ସେଠାକୁ ଯିବା ।”
“ବୁଝିଲ କୁସୁମ, ତୁମ ଗାଁର ସୁଭଦ୍ରା ହାତର ଯେଉଁ ରସଗୋଲା ତୁମ ମା’ ମୋତେ ଖୁଆଇଲେ, ତାହା ଭୁଲିବା ମୋ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ । ତୁମେ ଚାଲ ଏଥରକ ମନଭରି ମୁଁ ତାହା ଖାଇବି, ତା’ପରେ ଯାଇ ଦେଖିବା କ’ଣ ହେଉଛି । ଏହାପରେ ସେ ଦୁହେଁଯାକ ପୁଣି ଗଲେ । ସେମାନଙ୍କୁ ଦେଖି ଶାଶୁ ତାଙ୍କ ମୁଣ୍ଡରେ ହାତ ଦେଇ ବସିଲେ । ସେ ଏବେ ମହା ଅଡୁଆରେ ପଡିଲେ । ସାରା ଜୀବନ ଯଦି ଏମିତି କରେ ତେବେ କ’ଣ ହେବ? ଯାହାହେଉ ଚୁପ୍ଚାପ୍ ହୋଇ ସେ ରହିଲେ । ଗଗନ କିନ୍ତୁ ତା’ର ଶ୍ୱଶୁର ଘରେ ପହଁଚିବା ମାତ୍ରେ ରସଗୋଲାର ପ୍ରଶଂସା କରି ଶାଶୁଙ୍କୁ କହିଦେଲେ ଯେପରି ସେହି ରସଗୋଲା ଅଣାଇବାର ବ୍ୟବସ୍ଥା କରାଯାଏ ।”