ସେମାନେ ମହାଭାରତ କିପରି ଲେଖିବେ କିଛି ସ୍ଥିର କରି ନ ପାରିବାରୁ ମୁଁ ଦୁଃଖିତ ହେଉଛି ।
ଏହା ଶୁଣି ଗୋପାଳ କହିଲେ –
ଆଜ୍ଞା ଏହି କଥାତ ଏଥିକି ଭାବନା କ’ଣ?
ଆମେ କ’ଣ ଲେଖକ ନୋହୁଁ?
ସେ ଭାର ମୋ ଉପରେ ରହିଲା, ମୁଁ ମହାଭାରତ ଠିକଣା କରି ଲେଖି ଦେବି । ତେବେ ଆପଣ ଏହି ମହାଭାରତ ଲେଖା ନିମନ୍ତେ ନବାବ୍ଙ୍କ ଠାରୁ ପାଂଚ ହଜାର ଟଙ୍କା ଅଣାଇ ଦିଅନ୍ତୁ । ଗୋପାଳ କଥା ଅନୁଯାୟୀ ରାଜା ନବାବ୍ଙ୍କ ପାଖକୁ ଲୋକ ପଠାଇ କହି ପଠାଇଲେ –
“ଆପଣ ପାଂଚ ହଜାର ଟଙ୍କା ପଠାଇ ଦେବେ, ଆପଣଙ୍କର ମହାଭାରତ ଲେଖା ହେବ ।”
ଦୂତ ମୁଖରୁ ନବାବ୍ ଏ କଥା ଶୁଣି ଆନନ୍ଦ ହୋଇ କହିଲେ କୁଛ ପରବାଏ ନାହିଁ । ଆଚ୍ଛା ପାଂଚ ହଜାର ଟଙ୍କା ତୁମେ ନେଇ ଯାଅ, ଏହା କହି ପାଂଚ ହଜାର ଟଙ୍କା ନବାବ୍ ରାଜାଙ୍କ ପାଖକୁ ପଠାଇ ଦେଲେ । ଏପରି କିଛି ଦିନ ପରେ ନବାବ୍ କହି ପଠାଇଲେ – ମହାଭାରତ ଲେଖା ଶେଷ ହୋଇ ଥିଲେ ଶୀଘ୍ର ପଠାଇ ଦିଅ । ଏହା ଶୁଣି ରାଜା ଗୋପାଳକୁ ଡାକି କହିଲେ – “ମହାଭାରତ ଲେଖା କେତେ ଦୂର ଗଲା?”
ଗୋପାଳ କହିଲା –
“ମହାଭାରତ ଲେଖାଟି ଅର୍ଧେକରୁ ଉପର ଲେଖା ସରିଲାଣି କିନ୍ତୁ ଆହୁରି ହଜାରେ ଟଙ୍କା ଶେଷ ହେବାକୁ ଦରକାର ।”
ମହାରାଜ ପୁଣି ଗୋପାଳଙ୍କ କଥା ଅନୁସାରେ ନବାବ୍ଙ୍କୁ ଆଉ ହଜାରେ ଟଙ୍କା ଦେବାକୁ କହିବାରୁ, ନବାବ୍ ପୁଣି ଆଉ ହଜାରେ ଟଙ୍କା ତତ୍କ୍ଷଣେ ପଠାଇ ଦେଲେ ।
କିଛି ଦିନ ପରେ ଦିନେ ଗୋପାଳ ବୋଝେ ଛିଣ୍ଡା କାଗଜ ଜଣେ ମୋଟିଆ ମୁଣ୍ଡରେ ଦେଇ ନବାବ୍ଙ୍କ ନିକଟକୁ ଗଲେ । ନବାବ୍ ସାହେବ୍ଙ୍କୁ ଗୋପାଳ ଦୟା କରି କହିଲେ –
ହଜୁର ଯାହାଁପନ୍ନା ।
ଏଇ ଦେଖନ୍ତୁ ଆପଣଙ୍କର ମହାଭାରତ ପ୍ରାୟ ସବୁ ଶେଷ ହୋଇ ଗଲାଣି । କିନ୍ତୁ ଟିକିଏ ଲେଖା ବାକି ଅଛି ।
ସେ କଥା ଆପଣଙ୍କୁ ନପଚାରି ଲେଖା ଶେଷ କରି ପାରୁ ନାହିଁ । ଗୋପାଳର ଏ କଥା ଶୁଣି ନବାବ୍ କୌତୁହଳାକ୍ରାନ୍ତ ହୋଇ କହିଲେ –
କି ସକାଶେ ଲେଖା ବାକି ଅଛି ତାହା ସତ୍ୱର ଆମ୍ଭଙ୍କୁ କୁହ ।
ତହୁଁ ଗୋପାଳ କହିଲେ –
କଥା କ’ଣ କି, ଆମ୍ଭର ହିନ୍ଦୁ ଧର୍ମର ମହାଭାରତରେ ଦ୍ରୌପଦୀ ହେଉଛି ପ୍ରଧାନ ନାୟିକା । ତାଙ୍କ ସକାଶେ ମହାଭାରତ, ତେବେ ଦ୍ରୌପଦୀଙ୍କର ପାଂଚଟି ପତି ଅର୍ଥାତ୍ ଖସମ୍ ଅଛନ୍ତି । ତାଙ୍କର ନାମ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ । ସେହି ପରି ଆପଣଙ୍କ ମହାଭାରତରେ ଆପଣଙ୍କର ପତ୍ନୀ ହେଉଛନ୍ତି ପ୍ରଧାନ ନାୟିକା । ତାଙ୍କର ଆପଣ ଗୋଟିଏ ଖସମ୍ ବା ପତି । ଅତଏବ ଆପଣଙ୍କର ବେଗମ୍ଙ୍କର ଆପଣଙ୍କୁ ବାଦ୍ ଦେଲେ ବାକି ଚାରି ଜଣ ଖସମ୍ ଅର୍ଥାତ୍ ସ୍ୱାମୀ କିଏ କିଏ? ସେମାନଙ୍କର ନାମ କୁହନ୍ତୁ । ଏତିକି ହେଲେ ମହାଭାରତ ପୂରଣ ହୋଇ ଯିବ । ଆଉ କିଛି ଦରକାର ନାହିଁ । ଗୋପାଳର ଏକଥା ଶୁଣି ନବାବ୍ ରାଗି ଯାଇ କାନରେ ହାତ ଦେଇ କହିଲେ –
ତୋବା । ତୋବା ।
ଏ କ୍ୟା ବାତ୍, ଇହାଁସେ ତୁମ ଅଭି ଜଲ୍ଦି ସେ ନିକଲୋ । ଔର୍ ତୁମ ନହିଁ ମାଙ୍ଗତା ହୁଏ । ମୋର ମହାଭାରତରୁ କିଛି ଦରକାର ନାହିଁ । ତୁମକୁ ମଧ୍ୟ ଦେଖିବାକୁ ଚାହେଁ ନାହିଁ । ଏହା ଶୁଣି ଗୋପାଳ କହିଲେ –
ହଜୁର ଯାହାଁପନା, ଏହି କଥା କହୁଛନ୍ତି ।
ମୁଁ ଦିନ ରାତି ଲାଗି କେତେ ପରିଶ୍ରମ କରି ମହାଭାରତ ଲେଖିଛି । ନବାବ ସାହେବଙ୍କ ହୁକୁମ୍ ତାମିଲ କରି ମନରେ କେତେ ଆଶା କରି ଆସିଛି କିଛି ପୁରଷ୍କାର ପାଇବି । ଏହା ଶୁଣି ନବାବ୍ ଦୁଇ ହଜାର ଟଙ୍କା ଗୋପାଳକୁ ଦେଇ କହିଲେ –
ଦୂର ହୋ ।
ଗୋପାଳ ସଲାମ୍ କରି ପଛକୁ ଘୁଂଚି ପ୍ରସ୍ଥାନ କଲେ । ପରେ ରାଜା କୃଷ୍ଣ ଚନ୍ଦ୍ରଙ୍କୁ ସମସ୍ତ ବିଷୟ କହି ଖୁସିରେ ଗୋପାଳ ଘରକୁ ଫେରିଲେ ।