ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନୂତନ ଦଣ୍ଡ

ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।”

ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।” ରାଜା ତାଙ୍କ କଥାକୁ ସ୍ୱୀକାର କରିନେଲେ । ସେ ରାଜାଙ୍କର ଗୋଟିଏ ବୋଲି ପୁଅ ଥିଲା । ଅଧିକ ସ୍ନେହ ପାଇ ସେ ନଷ୍ଟ ହୋଇଗଲା, ତେଣୁ ରାଜା ତାକୁ ଗୁରୁକୁଳକୁ ପଠାଇଦେଲେ । ସେଠାରୁ ମଧ୍ୟ ସେ ବାରମ୍ବାର ଘରକୁ ପଳାଇ ଆସି ଶେଷରେ ରହିଗଲା । ତା’ପାଇଁ ରାଜା ବହୁତ ଚିନ୍ତିତ ହୋଇ ପଡିଲେ ଓ ଦିନେ ସେ ତାଙ୍କ ମନ କଥା ବିଦୁଷକଙ୍କ ଆଗରେ କହିଲେ । ସବୁକଥା ଶୁଣି ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କ ପାଇଁ ଏତେ ଚିନ୍ତା କରିବାର କାରଣ କଅଣ? ମାବାପାଙ୍କୁ ଛାଡି ରହିପାରୁ ନାହାଁନ୍ତି ବୋଲି ବାରମ୍ବାର ପଳାଇ ଆସୁଛନ୍ତି ।” ରାଜା କହିଲେ “ସମସ୍ତେ ତ ସେଇକଥା ଭାବୁଛନ୍ତି, କିନ୍ତୁ ମୋର କାହିଁ ମନେହୁଏ ତାର ଦୋଷ ପାଇଁ ଗୁରୁ ତାକୁ ଦଣ୍ଡସ୍ୱରୂପ ଏଠାକୁ ଫେରାଇ ପଠାଇ ଦିଅନ୍ତି ।” ଭୂଷଣ କହିଲେ “ଯଦି ବା ଏହା କାରଣ ହୋଇଥାଏ, ତେବେ ଆପଣଙ୍କର ଏସବୁ ବିଷୟରେ ଏତେ ଚିନ୍ତା କରିବାର କ’ଣ ବା ଅଛି? ବାଲିକି ଚୁପୁଡିଲେ ହୁଏତ ତହିଁରୁ ତେଲ ବାହାରିବ, ମରୀଚିକାର ପାଣି ମଧ୍ୟ ପିଇ ହେବ, ଠେକୁଆର ସିଂଘ ମଧ୍ୟ ଖୋଜି ବାହାର କରାଯାଇ ପାରିବ । କିନ୍ତୁ ମୂର୍ଖକୁ ବୁଝାଇବା ଆଦୌ ସମ୍ଭବ ନୁହେଁ ଏକଥା ଶାସ୍ତ୍ରବଚନ ନୁହେଁକି?”

ଏକଥା ଶୁଣି ରାଜା ଖୁବ୍ ଜୋର୍ରେ ରାଗିଗଲେ ଓ କହିଲେ “କ’ଣ ହେଲା ମୋ ପୁଅକୁ ତୁମେ ମୂର୍ଖ କହୁଛ? ଆଜିଠାରୁ ମୁଁ ତୁମକୁ କାରାଗାରରେ ବନ୍ଦ କରି ରଖିବି ।” ଭୂଷଣ ଠିକ୍ ସେତିକିବେଳେ ରାଜାଙ୍କୁ ପୂର୍ବର କଥା ମନେପକାଇଦେଇ କହିଲେ, “ମହାରାଜ ଆପଣଙ୍କର କ୍ଷତି ହେବ ନାହିଁ ଅଥଚ ମୋର ଲାଭ ହେବ, ସେପରି ବର ଦେଇଥିଲେ, ମୁଁ ଏବେ ସେହି ବର ମାଗିନେବି । ମୋର ଭୁଲ୍ର ଦଣ୍ଡ ସ୍ୱରୂପ ମନ୍ଦିରକୁ ଆସୁଥିବା ଲୋକଙ୍କର ଚପଲ ମୁଁ ପୋଛୁଥିବି । କିନ୍ତୁ ଆପଣ ଏ ଦଣ୍ଡ କଥା କାହାକୁ ମଧ୍ୟ କହିବେ ନାହିଁ ।” ତାଙ୍କ ପ୍ରସ୍ତାବରେ ରାଜା ରାଜି ହୋଇଗଲେ । ପରଦିନ ହିଁ ସେ ଯାଇ ଗୋଟିଏ ମନ୍ଦିର ସାମନାରେ ବସିଗଲେ । ସମସ୍ତିଙ୍କୁ କହିଲେ, “ମହାଶୟ, ମୋର ଅହଂଭାବ ଦମନ କରିବାକୁ ମନ୍ଦିରକୁ ଆସୁଥିବା ଲୋକଙ୍କର ମୁଁ ଯୋତା ସଫା କରିବି । ସେଥିପାଇଁ ଆପଣମାନଙ୍କ ସହଯୋଗ ମୁଁ ଇଚ୍ଛା କରୁଛି ।”

ପ୍ରଥମେ ତ କେହି କେହି ଏହାକୁ ଥଟ୍ଟା ଭାବରେ ଗ୍ରହଣ କଲେ । କିନ୍ତୁ ପ୍ରତିଦିନ ସେ ଭଲ କରି ସ୍ନାନ କରି ପରିଷ୍କାର ଲୁଗାପଟା ପିନ୍ଧି ସେଠାରେ ବସି ଗୀତା ପଢନ୍ତି । ପୁଣି ଯିବା ଆସିବା ଲୋକଙ୍କ ଯୋତା ଅତି ଆନ୍ତରିକତାର ସହିତ ସଫା କରି ସେ ସଜାଇ ରଖନ୍ତି । କେହି କେହି ତାଙ୍କୁ ବଡ ଭକ୍ତିରେ ନମସ୍କାର କରନ୍ତି । ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥାନ୍ତି । ମନ୍ଦିରକୁ କେବେ ଆସୁନଥିବା ନାସ୍ତିକ ମଧ୍ୟ କେବଳ ତାଙ୍କୁ ଦେଖିବାକୁ ମନ୍ଦିରକୁ ଆସିଲେ । ଏମିତି କିଛିଦିନ ବିତିଗଲା । ଏପରି ମଧ୍ୟ ପ୍ରଚାର ହୋଇଗଲା କି ତାଙ୍କ ହାତରେ ନିଜ ଯୋତା ପୋଛାଇଲେ ସମସ୍ତ ଇଚ୍ଛା ପୂରଣ ହୋଇଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ