ଯୋତାଯୋଗୀଙ୍କ ଖବର ରାଜାଙ୍କ ପାଖରେ ପହଁଚିଲା । ରାଜା ସପରିବାର ତାଙ୍କୁ ଦେଖିବାକୁ ଗଲେ । ଭୂଷଣ ରାଜାଙ୍କ ଯୋତା ମଧ୍ୟ ସଫା କରିଦେଲେ, ଓ ସମସ୍ତଙ୍କୁ କହିଲେ, “ମହାଶୟମାନେ, ଆଜିଠାରୁ ମୋ ବ୍ରତର ସମାପ୍ତି ଘଟିଲା । ଆପଣମାନଙ୍କ ସହଯୋଗ ପାଇଁ ଆପଣମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ । ମୋ ସ୍ଥାନରେ ଅନ୍ୟ କେହି ଚାହିଁଲେ ବସି ପାରେ ।” ସଙ୍ଗେସଙ୍ଗେ ଅନେକ ଲୋକ, “ମୁଁ ବସିବି, ମୁଁ ବସିବି, ବୋଲି କହି ମାଡି ଆସିଲେ । ଭୂଷଣ ସମସ୍ତିଙ୍କୁ ଶାନ୍ତ କରି ଜଣକୁ ସେଠାରେ ବସାଇଲେ ଓ ଦ୍ୱିତୀୟ ଯୋତାଯୋଗୀ ବୋଲି ଘୋଷିତ କରି ତାକୁ କହିଲେ, “ଯେତେବେଳେ ତୁମେ ଅନୁଭବ କରିବ ଯେ ତୁମର ଅନ୍ତରର ସମସ୍ତ ଅହଂକାର ନଷ୍ଟ ହୋଇଛି, ସେତେବେଳେ ତୁମେ ଏସ୍ଥାନରେ ଅନ୍ୟ କାହାକୁ ବସାଇବ । ସେ ହେବେ ତୃତୀୟ ଯୋତାଯୋଗୀ ।” ଏତିକି କହି ସେ ରାଜନଅରକୁ ଫେରିଲେ ।
ଏସବୁ ଦେଖି ଚନ୍ଦ୍ରସେନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ “ମୁଁ ରାଗିଲି, ତୁମେ ଯୋତା ସଫା କରିବାର ଦଣ୍ଡ ପାଇଲ, କିନ୍ତୁ, ସେଥିରୁ ଯୋଗୀ କିପରି ହେଲ ଭୂଷଣ?” ତହୁଁ ଭୂଷଣ ଅଳ୍ପ ହସି କହିଲେ, “ଋଷି ଯଦି ହାତ ଉପରକୁ ରଖେ ତ ତାକୁ ତପସ୍ୟା କୁହନ୍ତି–ଚୋରକୁ ସେମିତି ରଖିଲେ ତାକୁ ଦଣ୍ଡ କହନ୍ତି । ସମୟ ଓ ପରିସ୍ଥିତି ଅନୁସାରେ ଖରାପ ଭଲ ସବୁକିଛି ହୋଇଥାଏ । ଆପଣଙ୍କ ଦଣ୍ଡ ଦ୍ୱାରା ମୁଁ ତ ଗୌରବ ପ୍ରାପ୍ତ କଲି । ଯଦି ଲୋକେ ଜାଣିଥା’ନ୍ତେ ଏହା ମୋର କୁକର୍ମ ପାଇଁ ଦଣ୍ଡ ବୋଲି ତେବେ ମୋତେ ପଥର ଫିଙ୍ଗି ମାରନ୍ତେ । ରାଜା ଚନ୍ଦ୍ରସେନ ଭୂଷଣଙ୍କୁ ପଚାରିଲେ “ତୁମର ଏହି କାମ ପଛରେ କୌଣସି ଉଦ୍ଧେଶ୍ୟ ଥିବ, ଛାଡ ସେକଥା ତୁମେ ମୋତେ କି ସୂଚନା ଦେଉଥିଲ ଏବେ ତ ଅନ୍ତତଃ ସେବିଷୟରେ କିଛି କୁହ ।” ତା’ପରେ ଭୂଷଣ କହିଲେ “ମହାରାଜ, ଯୁବରାଜଙ୍କୁ ଗୁରୁକୁଳର ଅଧ୍ୟକ୍ଷ ଦଣ୍ଡ ଦେଲେ ତାହା ଯୁବରାଜ ସହିବା କଥା । ତାଙ୍କୁ ଏପରି କିଛି ଦଣ୍ଡ ତାଙ୍କର ପଶ୍ଚାତାପ ହେଲେହିଁ ସ୍ୱଭାବ ପରିବର୍ତ୍ତନର ସମ୍ଭାବନା ରହିବ । କିନ୍ତୁ ସେ ଯଦି ଦଣ୍ଡ ସ୍ୱରୂପ ରାଜ ଭବନକୁ ଫେରି ଆସି ଆଦର ପାଇ ସୁଖରେ ରହିବେ ତେବେ ଦଣ୍ଡର କୌଣସି ପ୍ରଭାବ ତାଙ୍କ ଉପରେ ପଡିବ ନାହିଁ ।”
କିଛି ସମୟ ଭାବିବା ପରେ ଚନ୍ଦ୍ରସେନ କହିଲେ, “ଯୋତା–ଯୋଗୀର ଗୌରବ ପ୍ରତି ଏତେ ଲୋକ ଆକର୍ଷିତ ହେଲେ ଯେ ନଗରୀର ସମସ୍ତ ଲୋକ ଯୋତା ଯୋଗୀ ହେବାକୁ ଚାହାଁନ୍ତି । ତୁମେ ଠିକ୍ କହିଛ । ଯୁବରାଜଙ୍କୁ ଦଣ୍ଡ ଦଣ୍ଡରୂପରେ ହିଁ ମିଳିବା ଦରକାର । ମୁଁ ଏବେ ଯାଇ ଗୁରୁକୁଳ ଅଧ୍ୟକ୍ଷଙ୍କୁ କହିବି ଯେ ଯୁବରାଜ ଯେବେ ଭୁଲ୍ କରିବେ, ଅନ୍ୟାନ୍ୟ ଶିଷ୍ୟଙ୍କ ପରି ସେହିଠାରେହିଁ ସେ ଦଣ୍ଡପାଇବେ ।” ରାଜା ସେହିପରି କଲେ ଓ ଭୂଷଣଙ୍କୁ ଅନେକ ପୁରସ୍କାର ଦେଲେ ।
ଦଣ୍ଡର ରୂପ ବଦଳିବାପରେ ଯୁବରାଜଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖାଦେଲା ଓ ସେ ସମସ୍ତ ଉତ୍ତମ ଗୁଣର ଅଧିକାରୀ ହୋଇ ଉଠିଲେ ।