ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।”
“ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି ଦରକାର ନାହିଁ । ମୁଁ କେବଳ ରୋଗୀର ଆଖିକୁ ଭଲଭାବରେ ଦେଖିବି ଆଉ ତାହାହିଁ ହେବ ତା’ର ପ୍ରଥମ ଚିକିତ୍ସା । ମୁଁ ସବୁ ଜାଣିପାରିବି ଓ ପରେ କିଛି ଚେରମୂଳ ଦେବି ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯିବ ।” ସମସ୍ତେ ତାଙ୍କୁ ‘ନେତ୍ରଦର୍ଶୀ’ ଡାକିଲେ । ତାଙ୍କର ଭାଗ୍ୟରୁ ବା ରୋଗୀମାନଙ୍କ ଭାଗ୍ୟରୁ ଅନେକ ରୋଗୀ ଭଲ ହେଉଥା’ନ୍ତି । ଚାରିଆଡେ ତାଙ୍କର ସୁଖ୍ୟାତି ବଢି ଚାଲିଲା । ବହୁତ ଦୂରରୁ ରୋଗୀମାନେ ଆସନ୍ତି ଓ ବହୁତ ପଇସା ଦେଇ ଭଲ ହୁଅନ୍ତି । ସମସ୍ତେ ତାଙ୍କ ବିଦ୍ୟାକୁ ଖୁବ୍ ପ୍ରଶଂସା କରନ୍ତି ।
ସେହି ଗ୍ରାମରେ ଆଉ ଜଣେ ବୈଦ୍ୟ ଥା’ନ୍ତି; ତାଙ୍କ ନାମ ସତ୍ୟଧର୍ମ । ତାଙ୍କର ପରିବାର ବୈଦ୍ୟଶାସ୍ତ୍ରରେ ବିଶାରଦ । ବାପା, ଜେଜେବାପା ଅମଳରୁ ସମସ୍ତେ ବୈଦ୍ୟ ଥିଲେ । ‘ନେତ୍ରଦର୍ଶୀ’ ଆସିବା ପରଠାରୁ ତାଙ୍କ ପାଖକୁ ଆସୁଥିବା ରୋଗୀ ସଂଖ୍ୟା କମ୍ ହେବାରେ ଲାଗିଲେ । ସେଥିପାଇଁ ତାଙ୍କର କୌଣସି ଦୁଃଖ ନଥିଲା, କିନ୍ତୁ ‘ନେତ୍ରଦର୍ଶୀ’ଙ୍କ ଚିକିତ୍ସା ପଦ୍ଧତି ଉପରେ ତାଙ୍କର ସନ୍ଦେହ ହେଲା ।
ରୋଗୀର ଲକ୍ଷଣ ଦେଖି ସତ୍ୟଧର୍ମ ରୋଗ ନିର୍ଣ୍ଣୟ କରୁଥିଲେ; ରୋଗ ନିର୍ଣ୍ଣୟ କରିବା ପାଇଁ ଏହାହିଁ ପରମ୍ପରାଗତ ବ୍ୟବସ୍ଥା ଥିଲା । ସେ ଗ୍ରାମର ଜଣେ ଦୁଇଜଣ ବ୍ୟକ୍ତିଙ୍କୁ ନିଜ ସନ୍ଦେହ କଥା ସେ କହିଲେ । ସେମାନେ ଏକଥା ଶୁଣି ‘ନେତ୍ରଦର୍ଶୀ’ଙ୍କୁ ପଚାରିବାରୁ ସେ କହିଲେ, “ଗ୍ରାମରେ ରହୁଥିବା ବୈଦ୍ୟ କୂପମଣ୍ଡୁକ ସଦୃଶ । ବାହାରେ ଚିକିତ୍ସାଶାସ୍ତ୍ର କେତେ ଯେ ଆଗେଇ ଗଲାଣି ଏମାନେ ସେବିଷୟରେ କ’ଣ ବା ଜାଣନ୍ତି । ବୈଦ୍ୟଶାସ୍ତ୍ର ଘୋଷି ମୁଖସ୍ତ କରି ଯେତିକି ବାପାଦାଦାଙ୍କଠାରୁ ଶିଖିଛନ୍ତି ସେତିକି । ହେଲେ ମୋ କଥା ଟିକେ ଭିନ୍ନ । ମୁଁ ପିଲାଦିନରୁ ହିମାଳୟ ଚାଲିଯାଇଥିଲି ଓ ସେଠାକାର ସିଦ୍ଧ ପୁରୁଷମାନେ ମୋତେ ଏ ବିଦ୍ୟା ଶିଖାଇ ଦେଇଛନ୍ତି । ମୁଁ ଯେଉଁ ଜ୍ଞାନ ପାଇଛି ତାହା ମୋ ପାଖରେ ସମାପ୍ତ ହେବା ଉଚିତ୍ ନୁହେଁ । କୌଣସି ସୁଯୋଗ୍ୟ ଶିଷ୍ୟ ପାଇଲେ ତାକୁ ମଧ୍ୟ ଏ ବିଦ୍ୟା ମୁଁ ଶିଖାଇବି । ଆଉ ଯଦି ସତ୍ୟଧର୍ମ ଏ ବିଦ୍ୟା ଶିକ୍ଷା କରିବାକୁ ଚାହେଁ ତ ମୋ ନିକଟକୁ ତାକୁ ପଠାଇ ଦିଅନ୍ତୁ ।”
କିଛିଦିନ ପରେ ସତ୍ୟଧର୍ମଙ୍କ ମନରେ ଥିବା ସନ୍ଦେହ ଆହୁରି ଅଧିକ ମାତ୍ରାରେ ବୃଦ୍ଧି ପାଇଲା । ତେଣୁ ‘ନେତ୍ରଦର୍ଶୀ’ଙ୍କର ଚିକିତ୍ସା ଶାସ୍ତ୍ର ବିଷୟରେ କେତେ ଯୋଗ୍ୟତା ଅଛି ସେ ସେକଥା ଜାଣିବାକୁ ଚେଷ୍ଟା କଲା ।
ଦିନେ ରାତିରେ ସତ୍ୟଧର୍ମ ନିଜେ ଛଦ୍ମବେଶରେ ଅନ୍ୟଜଣେ ବୁଢାକୁ ନେଇ ନେତ୍ରଦର୍ଶୀ ପାଖକୁ ଗଲେ । ସେଠାରେ ପହଁଚି ସେ କହିଲେ, “ମହାଶୟ, ଇଏ ମୋର ବୁଢାକାକା, ଏପର୍ଯ୍ୟନ୍ତ ତ ସେ ବେଶ୍ ସୁସ୍ଥ ସବଳ ଥିଲେ । କିନ୍ତୁ ଜଣାନାହିଁ କ’ଣ ହେଲା, ଖାଉ ନାହାଁନ୍ତି କି ପିଉ ନାହାଁନ୍ତି, ସପ୍ତାହେ ବିତିଗଲାଣି । ବାଧ୍ୟ କରି ଦୁଧ ଟିକିଏ ପିଆଇ ଦେଲେ ବାନ୍ତି କରି ଦେଉଛନ୍ତି । ଭଲ କରି ଚଲାବୁଲା କରୁ ନାହାଁନ୍ତି, କଥା ମଧ୍ୟ ବେଶି କହୁ ନାହାଁନ୍ତି । ତେଣୁ ଆପଣ ତାଙ୍କୁ ପରୀକ୍ଷା କରି ଭଲ କରିଦେଲେ ଆପଣଙ୍କୁ ଯଥେଷ୍ଟ ଧନ ଦିଆଯିବ ।”
ସବୁକିଛି ଶୁଣି ନେତ୍ରଦର୍ଶୀ ଅଳ୍ପ ହସି କହିଲେ, “ମୋ ପାଖକୁ ଆସୁଥିବା ରୋଗୀଙ୍କୁ ମୁଁ ସେମାନଙ୍କର କଷ୍ଟ ବା ରୋଗ ବିଷୟରେ ପଚାରେ ନାହିଁ । କାକାଙ୍କୁ ସାଙ୍ଗରେ ଆଣିଛନ୍ତି ବୋଲି ରୋଗ ବିଷୟରେ ଗୁଡାଏ ଲକ୍ଷଣ ଆପଣ କହି ସାରିଲେଣି । ମୋର ଚିକିତ୍ସା ପଦ୍ଧତି ହେଲା ‘ନେତ୍ର ଚିକିତ୍ସା’ ଆଉ ମୁଁ ହେଲି ନେତ୍ରଦର୍ଶୀ ଚିକିତ୍ସକ । ହିମାଳୟର ଥଣ୍ଡା ପ୍ରଦେଶରେ ଶୀତରେ ଥରି ଥରି ମୁଁ ଅନେକ ସିଦ୍ଧ ପୁରୁଷଙ୍କ ପାଖରୁ ଏହି ଚିକିତ୍ସା ପଦ୍ଧତି ଶିଖିଛି । ଏବେ ତୁମେ ରୋଗୀକୁ ସପ ଉପରେ ଶୁଆଇ ରଖ ।”
ସତ୍ୟଧର୍ମ ବୃଦ୍ଧଙ୍କୁ ସପ ଉପରେ ଶୁଆଇ ରଖିଲେ । ନେତ୍ରଦର୍ଶୀ କିଛି ସମୟ ବୃଦ୍ଧଙ୍କ ଆଖିକୁ ଚାହିଁ କହିଲେ, “ଆପଣଙ୍କ କାକାଙ୍କର ଜୀର୍ଣ୍ଣ କରିବା ଶକ୍ତି କମି ଯାଇଛି । ବୟସ ବୃଦ୍ଧି ପାଇଥିବାରୁ ତାଙ୍କ ମନ ମଧ୍ୟ ଆଉ ଠିକ୍ କାମ କରୁନାହିଁ । ସବୁ ସେହି ଏକହିଁ କାରଣରୁ । ମୁଁ ସାଧାରଣ ଔଷଧ ଦିଏନାହିଁ । ଉତ୍ତର ହିମାଳୟରେ ମିଳୁଥିବା ଔଷଧ ସବୁ ମୁଁ ସଂଗ୍ରହ କରି ରଖିଛି, ସେଥିରୁହିଁ ଔଷଧ ଦେବି, ଆପଣଙ୍କ କାକା ଅଳ୍ପ ଦିନରେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବେ । ଏସବୁ ଶୁଣି ବୁଢା ହଠାତ୍ ଉଠି ବସି ପଡିଲେ ଓ କହିଲେ, “ଏବେ ମୁଁ କଥାବାର୍ତ୍ତା କରୁଛି । ତୁମ ନେତ୍ର ଚିକିତ୍ସାକୁ ବହୁତ ଧନ୍ୟବାଦ । ମୁଁ ତ ଜନ୍ମରୁ ଅନ୍ଧ । ମୋ ଆଖିରୁ ତୁମେ କି ରୋଗର ନିର୍ଣ୍ଣୟ କଲ? ଏତିକି ମଧ୍ୟ ତମେ ଜାଣିପାରିଲ ନାହିଁ କି ମୁଁ ଜଣେ ଅନ୍ଧ? ଏପରି ଠକ ବୈଦ୍ୟ ବିଷୟରେ ମୁଁ ତ ଆଗରୁ କେବେବି ଜାଣି ନଥିଲି ।”
ଏସବୁ କଥା ଶୁଣି ନେତ୍ରଦର୍ଶୀ ଖୁବ୍ ବ୍ୟସ୍ତ ହୋଇ ପଡିଲେ । ସତ୍ୟଧର୍ମ କହିଲେ, “ମହାଶୟ, ମୁଁ ଏଇ ଗ୍ରାମର ବୈଦ୍ୟ ସତ୍ୟଧର୍ମ । ଆପଣଙ୍କର ଭାଗ୍ୟ ଭଲ ଯେ ଯେକୌଣସି ଚିକିତ୍ସା କଲେ ମଧ୍ୟ ଏପର୍ଯ୍ୟନ୍ତ କେହି ମରିନାହାଁନ୍ତି । ବଂଚି ରହିବା ପାଇଁ ଓ ଧନ ଅର୍ଜ୍ଜନ କରିବାର ଅନେକ ଉପାୟ ଅଛି । ଅନ୍ୟ କୌଣସି ଉପାୟ ବାଛନ୍ତୁ, ଏଇଟିରେ ବହୁତ ବିପଦ ଅଛି । ରୋଗୀମାନଙ୍କ ଜୀବନକୁ ନେଇ ଆଉ ଏମିତି ଖେଳନ୍ତୁ ନାହିଁ ।”
ନେତ୍ରଦର୍ଶୀ ନିଜର ଭୁଲ୍ କଥା ଉପଲବ୍ଧି କଲେ ଓ ସତ୍ୟଧର୍ମଙ୍କୁ କ୍ଷମା ମାଗିଲେ । ନେତ୍ରଦର୍ଶୀ ସେହିଦିନ ସେହି ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ଚାଲିଯିବା ପାଇଁ ସ୍ଥିର କଲେ ।