ଗଛରୁ ଓହ୍ଲାଇ ଜୟକୁମାର ସେହି ବାଉଁଶ ଝାଡ ଆଡେ ଚାଲିଲା । ଦେଖିଲା, ସେଠାରେ ଗୋଟିଏ ଛୋଟିଆ ଘର ରହିଛି । ସେହି ଘର ଦେଖି ତା’ ପିଣ୍ଡରେ ଟିକେ ପ୍ରାଣ ପଶିଲା । ସେ ଧିରେ ଧିରେ ଘରର କବାଟରେ ହାତ ମାରିଲା । ଜଣେ ବୁଢା କବାଟ ଖୋଲିଲା ।
ଜୟକୁମାର ତାଙ୍କୁ ପଚାରିଲା, “ଆଜ୍ଞା, ଖଣ୍ଡିଏ କାଠ ପାଇଁ ବଣ ଭିତରେ ପଶିଥିଲି ଯେ, ବାଟବଣା ହୋଇ ଏଣେ ତେଣେ ବୁଲୁଛି । ଏଠି ପାଖରେ ଗାଁ ଗଣ୍ଡା କିଛି ଅଛି?”
ଏକଥା ଶୁଣି ସେ ବୁଢା କହିଲା, “ଚାରି ପାଞ୍ଚକୋଶ ଭିତରେ ତ କିଛି ବି ନାହିଁ ।”
ଜୟକୁମାର ପୁଣି ବିନୟ ଭାବରେ କହିଲା, “ବର୍ତ୍ତମାନ ମୋ ପକ୍ଷରେ ଚାରି ପାଞ୍ଚକୋଶ ବାଟ ଯିବା ତ ଆଦୌ ସମ୍ଭବ ନୁହେଁ । ତେଣୁ ମୋତେ ଦୟାକରି ରାତିକ ପାଇଁ ଏଠାରେ ଆଶ୍ରୟ ଦେବେ?”
ତା’ କଥା ଶୁଣି ବୁଢା କହିଲା, “ହଉ, ଭିତରକୁ ଆସ ।” ଜୟକୁମାର ଭିତରେ ପଶିବା ମାତ୍ରେ ବୁଢା କବାଟ ବନ୍ଦ କରିଦେଲା ଓ ତା’ ସ୍ତ୍ରୀକୁ ସବୁ କଥା କହିଲା । କିଛି ସମୟ ପରେ ବୁଢୀ ସେ ଦୁଇଜଣଙ୍କ ପାଇଁ ଖାଦ୍ୟ ପରଶି ଦେଲା । ଜୟକୁମାର ସେଭଳି ସୁଖାଦ୍ୟ ଆଗରୁ କେବେବି ଖାଇ ନଥିଲା ।
ସେ ଘରର ଗୋଟିଏ କୋଣରେ ଜୟକୁମାର ପାଇଁ ବୁଢାବୁଢୀ ମଶିଣା ପାରିଦେଲେ । ଜୟକୁମାର ଶୋଇଲା ସତ, କିନ୍ତୁ ସେଠାରେ ତାକୁ ନିଦ ମୋଟେ ହେଲା ନାହିଁ । ଏ ବଣ ଭିତରେ ବୁଢାବୁଢୀ ଏପରି ସୁଖାଦ୍ୟ ପାଉଛନ୍ତି ବା କିପରି? ସେ ଏହିକଥା ଭାବି ଭୀଷଣ ବିସ୍ମୟ ଅନୁଭବ କଲା ।
ଠିକ୍ ମଝି ରାତିରେ ସେ ଦେଖିଲା, ବୁଢା ଧିରେ ଧିରେ ଗୋଟିଏ କାଠ ପେଡି ଖୋଲୁଛି । ପେଡି ଖୋଲି ବୁଢା ତହିଁ ଭିତରୁ ଗୋଟିଏ ନେଳି ଟୋପି ବାହାର କରି ମୁଣ୍ଡରେ ଲଗାଇଲା ଓ କହିଲା, “ରାଜାଙ୍କ ରୋଷେଇଘର!” ଏତିକି କହି ସେ ବୁଢା ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲା ।
ଏହା ପରେ ବୁଢୀ ଆସି ପେଡି ଖୋଲି ଆଉ ଖଣ୍ଡିଏ ଟୋପି କାଢି ତାକୁ ମୁଣ୍ଡରେ ଦେଇ ସେଇ ଏକା କଥା କହିଲା ଓ ସେ ମଧ୍ୟ ଅଦୃଶ୍ୟ ହୋଇଗଲା ।
ଏସବୁ ଜୟକୁମାରକୁ ଯେତିକି ବିସ୍ମୟ ଲାଗୁଥାଏ, ସେତିକି କୌତୁହଳ ବି ଲାଗୁଥାଏ । ସେ ଉଠିଯାଇ ପେଡି ଖୋଲି ଦେଖିଲା, ଆହୁରି ଖଣ୍ଡିଏ ନେଳି ଟୋପି ରହିଛି । ସେ ଖଣ୍ଡିକ ମୁଣ୍ଡରେ ଦେଇ ସେ ବି କହିଲା, “ରାଜାଙ୍କ ରୋଷେଇଘର!” ସଙ୍ଗେ ସଙ୍ଗେ ତା’ ମୁଣ୍ଡ କେମିତି ହୋଇଗଲା । ମନେ ହେଲା ତାକୁ କିଏ ଅବା ବିଜୁଳି ବେଗରେ କୁଆଡେ ଉଡାଇ ନେଉଛି । ମୁହୂର୍ତ୍ତକ ପରେ ଆଖି ଖୋଲି ସେ ଦେଖିଲା, ସେ ଯାଇ ରାଜାଙ୍କ ରୋଷେଇ ଘର ଭିତରେ ଠିଆ ହୋଇଛି । ବୁଢା ବୁଢୀ ତା’ ଆଗରେ ଖାଦ୍ୟଦ୍ରବ୍ୟ ବୁଜୁଳା ବାନ୍ଧୁଛନ୍ତି । ତାକୁ ଦେଖି ବୁଢା ବୁଢୀ ଚଟାପଟ୍ ଟୋପିଟିମାନ ମୁଣ୍ଡରେ ଦେଇ କହିଲେ, “ଦୁମୁକା ବଣ, ଦୁମୁକା ବଣ!” ସଙ୍ଗେ ସଙ୍ଗେ ସେ ଦୁହେଁ ଅଦୃଶ୍ୟ ହୋଇଗଲେ ।
ଜୟକୁମାର ରାଜାଙ୍କ ରୋଷେଇ ଘରେ ଯାହା କିଛି ବି ଥିଲା ମନ ଇଚ୍ଛା ଖାଇଲା । ହଠାତ୍ ତା’ ଆଖିରେ ପଡିଲା କୌଣସି ପାନୀୟ । ସେ କୌତୁହଳୀ ହୋଇ ତାକୁ ପିଇ ଦେଲା । ତାହା ଥିଲା ମଦ । କିଛି ସମୟ ଭିତରେ ସେ ନିଶାରେ ଭୋଳ ହୋଇ ଗୀତ ବୋଲି ତଳେ ପଡି ଚେତା ହରାଇଲା । ଯେତେବେଳେ ତା’ ଚେତା ଫେରିଲା, ସେ ଦେଖିଲା ତାକୁ ରାଜାଙ୍କ ଆଗରେ ହାଜର କରା ହୋଇଛି ।
ଜଗୁଆଳିମାନେ କହିଲେ “ମହାରାଜ! ରାତି ପରେ ରାତି ଯେଉଁ ଯାଦୁକର ଡାକୁ ଛାମୁଙ୍କ ମଣୋହି ଘରୁ ଚୋରି କରୁଥିଲା, ଇଏ ସେଇ ଡାକୁ । ଆମେ ତାକୁ ମାଡି ବସି ଧରିଛୁ ।”
ଏହା ଶୁଣି ସେ ରାଜା ହୁକୁମ୍ ଦେଲେ, “ନେଇଯାଅ । ଏହାକୁ ପ୍ରାଣଦଣ୍ଡ ଦିଅ ।”